ଭିନ୍ନ ରାଜ୍ୟ ଦାବୀ କାହିଁକି ?

ଗଦାଧର ପରିଡା

କେତେ ତ୍ୟାଗ ଓ ତପସ୍ୟାର ଫଳ ଭାବରେ ଓଡିଆମାନେ ପହିଲା ଅପ୍ରେଲ ୧୯୩୬ ମସିହାରେ ଓଡିଆମାନଙ୍କପାଇଁ ଏକ ପ୍ରଦେଶ , ଓଡିଶା ପ୍ରଦେଶ ପାଇଥିଲେ ! ଆଜି କାହିଁକି ଦେଶିଆ ରାଜ୍ୟ କିମ୍ବା କୋଶଳ ରାଜ୍ୟର ଦାବୀ ଉଠୁଛି ?
ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କର ତ୍ୟାଗ ଓ ତପସ୍ୟା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସହାୟକ ହୋଇଥିଲା , କାହିଁକି ଓଡ଼ିଶା ବାହାରେ ରହିଯାଇଥିବା ଓଡିଆ ଭାଷୀ ଅଞ୍ଚଳରୁ ଗାଁ ଟିଏବି ଓଡ଼ିଶାରେ ମିଶାଇ ପାରିଲେ ନାହିଁ ଏବଂ ସମୟକ୍ରମେ ଏନେଇ ନିଷ୍ପତ୍ତି ନେଉଥିବା ରାଜନେତାମାନଙ୍କ ସ୍ଵାର୍ଥପର ଆଚରଣ ଫଳରେ ଓ ମା’ , ମାଟି ପ୍ରତି ବିଶ୍ୱାସଘାତକତା ର ଫଳ ସ୍ୱରୂପ ଉତ୍କଳଜନନୀଙ୍କ ଅଙ୍ଗହାନୀ ହୋଇ ଚାଲିଛି ! ଏଇ ୦୫/୦୫/୨୦୧୦ ଦିନ ବୋରାମୁଠାର ତେର ଗୋଟି ଗାଁ ଓଡ଼ିଶା ହରାଇଛି । ବର୍ତ୍ତମାନ କୋଟିଆ ଗ୍ରାମପୁଞ୍ଜ ସମେତ ଆନ୍ଧ୍ର ପ୍ରଦେଶର ସୀମାରେ ଥିବା ,ପଟାଙ୍ଗି , ନନ୍ଦପୁର , ମାଛକୁଣ୍ଡ , ନାରାୟଣପାଟଣା , ବନ୍ଧୁଗାଁ ତହସିଲର ଶତାଧିକ ଗାଁର ଲୋକମାନେ ଆନ୍ଧ୍ର ପ୍ରଦେଶର ବି ଭୋଟର । ସେମାନେ ନିର୍ବାଚ଼ନ ସମୟରେ ଆନ୍ଧ୍ର ପ୍ରଦେଶର ଭୋଟର ଭାବରେ ଆନ୍ଧ୍ର ପ୍ରଦେଶର ବୁଥରେ ମତଦାନ କରୁଛନ୍ତି ।
ଆନ୍ଧ୍ର ପ୍ରଦେଶର ସରକାର ଏବଂ ଜନସାଧାରଣ ତାଙ୍କ ପ୍ରଦେଶର ସ୍ଵାର୍ଥରକ୍ଷାପାଇଁ , ତାଙ୍କର ମା’ ଓ ମାଟି ପାଇଁ ଏବେ ବି ଉଚିତ ଅନୁଚିତର ବିଚାର ନ କରି ଲାଗି ପଡିଛନ୍ତି ।
କିନ୍ତୁ ଓଡିଆ ତଥା ଓଡିଶାର ଦୁର୍ଭାଗ୍ୟ ଯେ ଗତ ପଚିଶ ବର୍ଷ ଧରି ଏକ ବିଚିତ୍ର ଧାରଣା ବଳବତ୍ତର ରହିଲା ଯେ ଓଡ଼ିଶାର ଆରମ୍ଭ ଓ ଶେଷ ଭୁବନେଶ୍ଵରରେ ! ତା ପୂର୍ବରୁ କୁହାଯାଉଥିଲା ଓଡ଼ିଶା ମାନେ କଟକ , ପୁରୀ ଓ ବାଲେଶ୍ଵର ! ଏଇ ବିଚିତ୍ର ଚିନ୍ତାଧାରା ନା ନା ଭାବରେ , ଦିନ ଦିନ ଧରି ରାଜଧାନିଠାରୁ ଦୁରରେ ରହୁଥିବା ଲୋକେ ଅନୁଭବ କରିବା ଫଳରେ ଓଡିଆମାନଙ୍କ ଭିତରେ ଏକତା ଆସିପାରିଲା ନାହିଁ |

ଚଉଦ ବର୍ଷ ତଳୁ ଓଡ଼ିଶାରୁ ବୋରାମୁଠା ଚାଲିଗଲାଣି ! କେତେଜଣ ଓଡିଆ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ? ଆଞ୍ଚଳିକ ବୈଷମ୍ୟ କମିଟି ଦେଇଥିବା ରିପୋର୍ଟ ଜନସାଧାରଣରେ ପ୍ରକାଶିତ ନ ହେବା ଯେ ଏକ ଚକ୍ରାନ୍ତ ଏହା ଲୋକେ ବିଶ୍ୱାସ କରିବା ଆରମ୍ଭ କଲେଣି !
ରାଜଧାନିଠାରୁ ଦୂରରେ ରହୁଥିବା ଅଞ୍ଚଳ ଓ ଲୋକମାନେ ଯଦି ଅବହେଳିତ ହେବାପାଇଁ ବାଧ୍ୟ , ତାହାହେଲେ ଲୋକେ ନିଜ ଅଞ୍ଚଳକୁ ନେଇ ସ୍ଵତନ୍ତ୍ର ରାଜ୍ୟ ଦାବୀ କରିବା ଓ ସ୍ଵତନ୍ତ୍ର ରାଜଧାନି କରି ନିଜ ଅଞ୍ଚଳ ଓ ଲୋକଙ୍କର ଉନ୍ନତି ବିଧାନର ସ୍ୱପ୍ନ ଦେଖିବା ସ୍ଵାଭାବିକ !
ଦୋଷ କାହାର ? ପୂର୍ବ ସରକାରଙ୍କ ବିରୁଦ୍ଧରେ ଜମାଟ ବାନ୍ଧିଥିବା ଅସନ୍ତୋଷର ଫଳ ସେମାନେ ଭୋଗୁଛନ୍ତି । ବର୍ତ୍ତମାନ ଠାରୁ ସଜାଗ ହୋଇ ସରକାର ତିରିଶଟି ଯାକ ଜିଲ୍ଲା ତଥା ଜିଲ୍ଲାବାସୀଙ୍କୁ ଆପଣାଇବା ପାଇଁ ବିଶେଷ ପ୍ରଯତ୍ନ କରନ୍ତୁ | ମନ୍ତ୍ରୀମାନେ ସରକାର ଭାବରେ ସବୁ ଜିଲ୍ଲାକୁ ମସ୍ତକରନ୍ତୁ ଏବଂ ବିଶେଷ ଭାବରେ ସୀମାରେ ଥିବା ଗାଁ ଓ ଗାଁ ଲୋକଙ୍କ କଥାକୁ ଗୁରୁତ୍ୱର ସହିତ ବୁଝନ୍ତୁ !

Oplus_131072

(ଲେଖକ ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଙ୍ଗଠନର ସଭାପତି । କୋଟିଆର ସୁରକ୍ଷା ସହ ସୀମାନ୍ତବର୍ତ୍ତୀ ଅଞ୍ଚଳର ସୁରକ୍ଷା ଲାଗି ସଂଗ୍ରାମ ଅବ୍ୟାହତ ରଖିଛନ୍ତି । ବିଭିନ୍ନ ସମୟରେ ଭିନ୍ନ ରାଜ୍ୟ ଲାଗି କାହିଁକି ସ୍ବର ଉଠୁଛି ତାକୁ ନେଇ ଲେଖକ ନିଜସ୍ଵ ଅଭିବ୍ୟକ୍ତିକୁ ଉପସ୍ଥାପନ କରିଛନ୍ତି । )

Spread the love