(ପ୍ରତିଫଳନ ମିଡିଆ)
ପିତୃ ଶ୍ରାଦ୍ଧର ପର୍ବ ଦୀପାବଳି I ପିତୃ ଲୋକଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ । ଓଡ଼ିଆ ପରଂପରାରେ ଦିପାବଳୀର ଗୁରୁତ୍ଵ ଢେର ବେଶୀ। ପ୍ରଭୁ ରାମଚନ୍ଦ୍ରଙ୍କ ଆଗମନକ୍ରମରେ ଦୀପାବଳି ଉତ୍ସବର ଆୟୋଜନ କରାଯାଇଥିଲା । ଓଡ଼ିଶାର ଅନୁସୂଚିତ ଜାତି ଶ୍ରେଣୀର ଲୋକଙ୍କର ମୁଖ୍ୟ ପର୍ବ ହେଉଛି ଦିଆଲି। ଏଥିପାଇଁ ଘରେ ଘରେ ବ୍ୟାପକ ପ୍ରସ୍ତୁତି ହୁଏ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହାକୁ ଲୋକେ ସୁନ୍ଦର ଭାବେ ପାଳନ କରନ୍ତି । ବିଶେଷ ଉତ୍ସବର ଆୟୋଜନ ହୁଏ । ତିନିରୁ ପାଂଚ ଦିନ ବ୍ୟାପୀ ଦିଆଲି ପରବ ପାଳନ କରାଯାଏ ।
ଦିପାବଳିର ଢେର ଦିନ ପୂର୍ବରୁ ଅନୁସୂଚିତ ଜାତି ଗୋଷ୍ଠୀର ଲୋକେ ଘର ସଫାସୁତରା କରନ୍ତି । କାନ୍ଥଗୁଡିକ ଲିପାପୋଛା ହୁଏ । ରଂ’ଗ ଧଳେଇ ହୁଏ । ପୁରୁଣା ଚୂଲି ଭାଙ୍ଗି ନୂଆ ଚୂଲି ତିଆରି କରାଯାଏ । ପୁରୁଣା ହାଣ୍ଡି ସ୍ଥାନରେ ନୂଆ ମାଟି ହାଣ୍ଡି କିଣା ହୁଏ । ସେହିପରି ପରିବାରର ସବୁ ସଦସ୍ୟଙ୍କ ଲାଗି ନୂଆ ପୋଷାକ କିଣାହୁଏ । ନୂଆ ଚାଉଳ ସଂଗ୍ରହ କରାଯାଏ । ଏଇ ପର୍ବ ମୁଖ୍ୟତଃ ଦିପାବଳୀ ଦିନରୁ ଆରମ୍ଭ ହୁଏ । ହାଟରୁ ଦିଆଲି ପରବ ଲାଗି ସମସ୍ତ ସାମଗ୍ରୀ କିଣାଯାଏ । ବାହାରେ ଥିବା ପରିବାରର ସଦସ୍ୟ ଘରକୁ ଫେରନ୍ତି । ଘରେ ଏକ ଉତ୍ସବର ବାତାବରଣ ସୃଷ୍ଟି ହୁଏ । ଏଥିପାଇଁ ବିଶେଷ ଖର୍ଚ୍ଚ କରିବାକୁ ପଡେ । ସେଥିପାଇଁ ଦିଆଲି ପରବ ଲାଗି ବହୁ ଦିନରୁ ଅନୁସୂଚିତ ଜାତି ଲୋକେ ଅର୍ଥ ସହ ନିଜକୁ ପ୍ରସ୍ତୁତ କରନ୍ତି ।
ଦିପାବଳି ସଂଜରେ ଘରର ସ୍ତ୍ରୀ ଲୋକମାନେ ନୂଆ ଚାଉଳରେ ରୋଷେଇ କରନ୍ତି । ତା ସହ ପିଠା କ୍ଷୀରି ମଧ୍ୟ ପ୍ରସ୍ତୁତ କରାଯାଏ । ଏଥିସହ ବିଭିନ୍ନ କିସମର ଫଳ ମଧ୍ୟ ଭୋଗ ରୂପେ ପ୍ରଦାନ କରାଯାଏ । ଅରଖ ଗଛର ପତ୍ରକୁ ନେଇ ଖଲି ଏବଂ ଦନା(ଠୋଲା) ପ୍ରସ୍ତୁତ ହୋଇଥାଏ । ନିଜର ଇଷ୍ଟ ନିକଟରେ ଏଇ ଖଲିରେ ହିଁ ରୋଷେଇ ହେଇଥିବା ଖାଦ୍ୟ ସମଗ୍ରୀକୁ ପରଷାଯାଏ । ତେବେ ବୋଇତାକୁ ଏବଂ ଝୁଡଙ୍ଗରେ ଏକ ବିଶେଷ ତରକାରୀ ପ୍ରସ୍ତୁତ କରାଯାଏ । ଏସବୁ ଖାଦ୍ୟ ପରଖିବା ପରେ ଘରର ମୁରବୀ ଆସି କିଛି ଖାଦ୍ୟକୁ ଧରି “ପାଇ ପାଇ ପାଇ ହୋ” ବୋଲି ନିଜ ପୂର୍ବ ପୁରୁଷଙ୍କ ନାମ ଧରି ଡାକନ୍ତି । ପିଲାମାନେ ଘର ଘର ବୁଲି ଖାଦ୍ୟ ଖାଇଥାନ୍ତି ।
ଦ୍ଵିତୀୟ ଦିବସରେ ଅନୁରୂପ ଭାବେ ରୋଷେଇ ହୁଏ ଏବଂ ଅରଖ ପତ୍ରର ଖଲିରେ ଖାଦ୍ୟ ପରଷାଯାଏ । ପିଲାମାନେ ଘର ଘର ବୁଲି ଖାଦ୍ୟ ଖାଆନ୍ତି । ତୃତୀୟ ଦିବସର ଉତ୍ସବ ସକାଳୁ ସକାକୁ ଆରମ୍ଭ ହୋଇଯାଏ । ଘରର ମହିଳାମାନେ ବଢି ଭୋରୁ ଗାଧୋଇ ନୂଆ ମାଟି ହାଣ୍ଡିରେ ଶୁଦ୍ଧପୂତରେ ପାଣି ଆଣି ତାକୁ ଗରମ କରନ୍ତି । ଗରମ ପାଣି ଥିବା ହାଣ୍ଡିରେ ବଟା ହଳଦୀ ମେଞ୍ଚାଏ ଲଗାଇ ଗାଁର ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର ରଖାଯାଏ । ପ୍ରତି ଘରୁ ଏଭଳି ପାଣି ଆସିବା ପରେ ସାମୂହିକ ବାଣ ଫୁଟାଇବା କାର୍ଯ୍ୟକ୍ରମ ଆରମ୍ଭ କରାଯାଏ । ଏହା ଶେଷ ହେବା ପରେ ଗାଁର ପୁରୁଷ ଲୋକେ ହାଣ୍ଡି ଉପରେ ଲାଗିଥିବା ହଳଦୀରୁ କିଛି ଆଣି ଦେହରେ ଲଗାଇ ସେଇ ଗରମ ପାଣିରେ ଗାଧୋଇଥାନ୍ତି । ପରେ ହଳଦୀ ଲଗା ନୂଆ ବସ୍ତ୍ରକୁ ପରିଧାନ କରନ୍ତି । ପ୍ରଥମେ ଘରର ଇଷ୍ଟ ଏବଂ ବୟସ୍କଙ୍କୁ ଜୁହାର ହୋଇ ଆଶୀର୍ବାଦ କାମନା କରନ୍ତି । ପରେ ସମସ୍ତ କନିଷ୍ଠମାନେ ଗାଁର ବଡ଼ମାନଙ୍କୁ ମୁଣ୍ଡିଆମାରି ଆଶିଷ କାମନା କରନ୍ତି । ଜୁହାର ପରବ ଚାଲେ ।
ଶେଷ ଦିନ ଗାଁ ଉସବ ମୁଖର ହୁଏ । ନାଚଗୀତ ଭିତରେ ଗାଁର ସମସ୍ତେ ମଜାମଜଲିସରେ ବୁଡି ରହନ୍ତି । ଗାଁରେ ଭୋଜି କରି ଖୁସି ମନେଇଥାନ୍ତି । କିଛି ଅଂଚଳରେ ପଂଚମଦିନରେ ହୋଲି ଖେଳିବାର ପରଂପରା ରହିଛି । ଲୋକେ ରଙ୍ଗ ଓ କାଦୁଅରେ ହୋଲି ଖେଳନ୍ତି । କେତେକ ସ୍ଥାନରେ ଗୋରୁ ପୂଜନର ପରମ୍ପରା ରହିଛି । ଗୋରୁଙ୍କୁ ରଙ୍ଗ ଲଗାଇ , ଖାଦ୍ୟ ଦେଇ ପୂଜା କରାଯାଏ ।ତେବେ ଦିଆଲି ପରବ ମୁଖ୍ୟତଃ ପିତୃ ଲୋକଙ୍କ ପୂଜା ଉଦ୍ଦେଶ୍ୟରେ ପାଳିତ ହୋଇଥାଏ । ଏହି ପରବ ଗାଁ ଭିତରେ ପାରିବାରିକ ମନମାଳିନ୍ୟ ଦୂର କରିବାର ଅବକାଶ ଦେଇଥାଏ । ଗାଁ ଭିତରେ ଏକତା ଓ ଭାଇଚାରା ସୃଷ୍ଟି କରେ । ଆଜି ବି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଦିଆଲି ପରବକୁ ବଡ ଜାକଜମକର ସହ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ମଧ୍ୟ ଆୟୋଜନ ହେଉଛି ।