(ପ୍ରତିଫଳନ ମିଡିଆ)
ନଦୀର ନାମ ଖୁସି ସିଲ୍ । କିନ୍ତୁ ନଦୀ ଟି ମଣିଷଙ୍କ ପାଇଁ ଦୁଃଖ ପାଲଟିଛି । ଗାଁ ସେପଟେ ମଶାଣି । ଏପଟେ ଗାଁ । ଜନ୍ମ ଓ ମୃତ୍ୟୁ ମଧ୍ୟରେ ସୀମା ହେଉଛି ଖୁସି ସିଲ । ଗାଁ ଓ ମଶାଣି ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ନଦୀ । ନଦୀରେ ନାହିଁ ସ୍ଥାୟୀ ପୋଲ। ଗାଁର କାହାରି ମୃତ୍ୟୁ ଘଟିଲେ ଶବ ସତ୍କାର ପାଇଁ ଲୋକଙ୍କ ମଧ୍ୟରେ ବଢି ଯାଉଛି ଚିନ୍ତା ।କାରଣ ଶ୍ମଶାନ କୁ ଯିବା ପାଇଁ ନାହିଁ ନିତି ଦିନିଆ ରାସ୍ତା ।
ମଶାଣିକୁ ଯିବାକୁ ହେଲେ ଗଭୀର ପାଣି ରେ ନଦୀ ପାର ହେବାକୁ ପଡ଼ିଥାଏ। ଏଥିପାଇଁ ଗାଁ ର କିଏ ମୃତ୍ୟୁ ହେଲେ ଲୋକଙ୍କ ଚିନ୍ତା ବଢିଯାଏ। ଜୀବନ କୁ ବାଜି ଲଗାଇ ଶବକୁ କାନ୍ଧରେ ବୋହି ନଦୀ ପାରି ହେବାକୁ ପଡୁଛି। ଏଭଳି ହୃଦୟ ବିଦାରକ ସ୍ଥିତି ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଚାରିଣି ବେଢ଼ା ଗାଁ ରେ। ଏହି ଗ୍ରାମରେ ୧୫ ପରିବାର ଲୋକ ବସବାସ କରନ୍ତି। ଜନସଂଖ୍ୟା ପାଖାପାଖି ୮୦ ଲୋକ ହେବେ। ନିକଟରେ ଗାଁର ବନ୍ଦରା ଜାନୀଙ୍କ ୧୩ ବର୍ଷ ର ଝିଅ ଦିପା ଜାନୀର ମୃତ୍ୟୁ ଘଟିଥିଲା । ସେ ଜ୍ଵରରେ ଆକ୍ରାନ୍ତ ଥିଲେ । ଆକ୍ରନ୍ତ ଙ୍କ ମୃତ୍ୟୁ ଘଟି ଥିଲା। ତାଙ୍କ ଶବ ସତ୍କାର କରିବା ଲାଗି ଗ୍ରାମ ବାସୀ, ଜୀବନ କୁ ବାଜି ଲଗାଇ,ମାଙ୍କଡ ଗୁଡା ଗାଁ ନିକଟସ୍ଥ, ଖୁସି ସିଲ୍ ନଦୀ ପାରି ହୋଇ ଶ୍ମଶାନ କୁ ଶବ ବୋହି ନେଉଥିବାର ଇଏ ହେଉଛି ସେଇ ଦୃଶ୍ୟ। କେବଳ ଉପରୋକ୍ତ ଗୋଟିଏ ଗାଁ ଲୋକ ନୁହେଁ, ମାଙ୍କଡ଼ ଗୁଡା, ମହୁ ଗାଁ ଲୋକ ମଧ୍ୟ ଦୁର୍ଦ୍ଦଶା ଭୋଗୁ ଛନ୍ତି, ପୂର୍ବତନ ସରପଞ୍ଚ ମନୋହର ମୁଦୁଲି, ଚଇତୁ ମୁଦୁଲି, ମନଧର ମୁଦୁଲି ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଗାଁ ର କେହି ମୃତ୍ୟୁ ହେଲେ, ଏଭଳି ସମସ୍ୟା ଭୋଗିବାକୁ ପଡୁଛି। ଖରା ଓ ଶୀତ ଦିନରେ କଷ୍ଟେ ମଷ୍ଟେ ନଦୀ ପାରି ହେବାକୁ ପଡୁଛି। ବର୍ଷା ଦିନେ କେହି ମୃତ୍ୟୁ ହେଲେ ଶବ ଧରି ମଶାଣି ଯିବାକୁ ବହୁ ସମସ୍ୟା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ସୁଫଳ ମିଲି ନାହିଁ ବୋଲି କହିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କଲେ ଅଞ୍ଚଳ ବାସୀ ଉପକୃତ ହେବେ ବୋଲି ଗ୍ରାମବାସୀ ଆଶା କରିଛନ୍ତି।