(ପ୍ରତିଫଳନ ମିଡିଆ)
ଜନଜାତି ପରମ୍ପରାରେ ଜୀବନ ସାଥୀ ବାଛିବାର ସ୍ଵାଧୀନତା ରହିଛି । ଏଥିପାଇଁ ବିଶେଷ ଆୟୋଜନ କରାଯାଏ । ଜନଜାତି ଯୁବକ ଯୁବତୀ ପରସ୍ପରକୁ ଭଲ ପାଇ ମନ ଦିଆନିଆ ପରେ ବାହାଘର ହେବାର ଏକ ପରମ୍ପରା ରହିଛି । ଏହା ବ୍ୟତୀତ ଜନଜାତି ସଂସ୍କୃତିରେ ବିବାହ ଲାଗି ଆହୁରି ଅନେକ ପ୍ରଥା ଓ ପରମ୍ପରା ପାଳନ କରାଯାଏ । ଚାଷବାସ ଶେଷ ପରେ ଆରମ୍ଭ ହୁଏ ଧାଙ୍ଗିଡି ଖୋଜା ପରବ । ଶୀତ ଆସିଲେ ଆରମ୍ଭ ହୁଏ ଏଇ ପ୍ରଥା । ସଞ୍ଜ ନଇଁଲେ ଗାଁ ଗାଁରେ ଆସର ଜମେ । ଗୋଟିଏ ଗାଁର ଯୁବକମାନେ ଅନ୍ୟ ଗାଁକୁ ଧାଙ୍ଗିଡି ଖୋଜିବା ଲାଗି ଯାଆନ୍ତି । ସେଠି ସଦର ଦାଣ୍ଡରେ ଆରମ୍ଭ ହୁଏ ନାଚଗୀତର ମାହୋଲ । ପାରମ୍ପରିକ ବାଜା ସହ ଢେମସା ନାଚ ଚାଲେ । ଧାଙ୍ଗିଡି ବସାରେ ବି ଏମିତି ଗୀତ କୁଡ଼ିଆ ଗୀତ କୁଡ଼ିଆଣି ରାତି ରାତି ଧରି ଚାଲେ । ଯୁବକ ନିଜର କଥାକୁ ଗୀତରେ ସଜେଇ କହେ । ଧାଙ୍ଗିଡି ତାର ଉତ୍ତର ଗୀତରେ ଫେରାଏ । ତା ପରେ ମନ ଦିଆନିଆ ହୁଏ । ମନ ପାଇଲେ ପରିବାର ପକ୍ଷରୁ ମଧ୍ୟସ୍ଥି ଜରିଆରେ ଝୋଲା ଟଙ୍କା ସ୍ଥିର ହୁଏ । ପରେ ହୁଏ ବାହାଘର । ଅନେକ ସମୟରେ ମନ ପାଇଥିବା ଧାଙ୍ଗିଡିକୁ ଜୋର କରି ଝିଙ୍କି ଆଣେ ହାଟରୁ ଓ ପରବରୁ । ପରେ ପାରମ୍ପରିକ ରୀତିରେ ବାହାଘର ହୁଏ ।
ଲକ୍ଷ୍ମୀପୁରର କନ୍ଧ ଜନଜାତିଙ୍କ ବଡ଼ ପର୍ଵ: ଫୁଲ ଯାତ୍ରା
ଏହିକ୍ରମରେ ଫୁଲକନିଆ ବାଛିବାର ନିଆରା ପରବ ଫୁଲ ଯାତ୍ରା ଆୟୋଜିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବିରିଗୁଡ଼ା ଗାଁ ତୋଟାରେ ପ୍ରସିଦ୍ଧ ଫୁଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ସାଥୀ ବାଛିବାର ଏକ ନିଆରା ପାରମ୍ପରିକ ଯାତ୍ରା ହେଉଛି ‘ଫୁଲ ଯାତ୍ରା” ।ଦୀପାବଳି ସମାପ୍ତ ହେବାର ୮ଦିନ ପରେ ଯେଉଁ ଶନିବାର ପ୍ରଥମ ପଡେ ସେହି ଶନିବାର ଦିନ ଏହି ଯାତ୍ରା ପ୍ରତ୍ୟେକ ବର୍ଷ ପାଳନ କରାଯାଏ। ପରମ୍ପରା ମୁତାବକ ବିରିଗୁଡା ନିକଟବର୍ତ୍ତୀ ଏକ ଆମ୍ବ ତୋଟାରେ ଏହି ଯାତ୍ରା ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । କନ୍ଧ ଜନଜାତିର ଲୋକେ ଏହି ଯାତ୍ରା ପାଳନ କରନ୍ତି । କନ୍ଧ ଦେବାଦେବୀ ରେଙ୍ଗା କମୁ ଓ ଚିତ୍ରା କମୁ ଠାକୁରାଣୀଙ୍କୁ ଗ୍ରାମର ଜାନି,ଦିଶାରି ଓ ବେଜୁଣି ମାନେ ଫୁଲଯାତ୍ରା ସ୍ଥାନରେ ଦେବୀଙ୍କୁ ଆବାହନ କରି ପୂଜା କରନ୍ତି । ଏକ ଛାମୁଣ୍ଡିଆ ଉପରେ ଆମ୍ବ ଡାଳ ପରିବର୍ତ୍ତେ ଫୁଲରେ ଛାମୁଣ୍ଡିଆ କରି ଉକ୍ତ ସ୍ଥାନରେ ପୂଜା କରିଥାଆନ୍ତି। ଫୁଲ ଯାତ୍ରା ଲାଗି ଜାନୀ ଘରୁ ଏକ ଫୁଲ କୁଲା ସହ ଏକ ପ୍ରଜ୍ଵଳିତ ଦୀପକୁ ପୂଜା ଉଦ୍ଦେଶ୍ୟରେ ପୂଜାସ୍ଥଳକୁ ଶୋଭାଯାତ୍ରାରେ ଅଣାଯାଏ ।ସେଠାରେ ପାରମ୍ପରିକ ରୀତିରେ ନଡ଼ିଆ, କଦଳୀ କମଳା ଭଳି ଫଳ ମୂଳ ସହ କୁକୁଡ଼ା ଛେଳି କୁ ମଧ୍ୟ ଭୋଗ ଭାବେ ଅର୍ପଣପୂର୍ବକ ପୂଜା କରାଯାଏ। ଠାକୁରାଣୀଙ୍କ ନିକଟରେ ମାନସିକଧାରୀମାନେ ମନସ୍କାମନା ପୂର୍ଣ୍ଣ ପରେ ଏଠାକୁ ଆସି ପୂଜା କରିଥାନ୍ତି।
ଦିନଥିଲା ଏହି ଯାତ୍ରାରେ କନିଆଁ ଝିଙ୍କା ହେଉଥିଲା । ପରସ୍ପର ଭଲ ପାଉଥିବା ଯୁବକ ଯୁବତୀ ଯାତ୍ରା ଦିନ ଦେବାଦେବୀଙ୍କୁ ସାକ୍ଷୀ ରଖି ଏଠାରୁ ନିଜ ମନର ମଇନାଙ୍କୁ ନେଇ ନିଜ ପାରିବାରିକ ଜୀବନ ଆରମ୍ଭ କରୁଥିଲେ । ଫୁଲ ଯାତ୍ରା କନିଆ ଝିଙ୍କା ଯାତ୍ରା ବୋଲି ପରିଚିତ ଥିଲା । ଏବେ ବଦଳିଛି ଯୁଗ । କନିଆ ଝିଙ୍କା ଆଉ ହେଉନି । କିନ୍ତୁ ପରମ୍ପରା ଚାଲିଛି । ହେଉଛି ଯାତ୍ରା । କନ୍ଧ ସମ୍ପ୍ରଦାୟ ବିଭିନ୍ନ କିସମର ନୂଆ ପନିପରିବା ଏହି ଯାତ୍ରା ସମୟରେ ସହ ନୂଆଁ ଖାଇଥାନ୍ତି ।
ଏପରି କି ପୂଜା କରିଥିବା ଛେଳି କୁକୁଡା ମେଣ୍ଢା ଘରକୁ ନେଇ ନିଜନିଜ ସାହି ବସ୍ତିରେ ଭୋଜି ଭାତ କରି ମଜା କରିଥାନ୍ତି।ଏହି ଯାତ୍ରା ଦେଖିବାକୁ ଅବିଭକ୍ତ କୋରାପୁଟ ଜିଲାର କାଶୀପୁର ସମେତ ରାୟଗଡ଼ା, ଦଶମନ୍ତପୁର, ନାରାୟଣପଣପାଟଣା, ବନ୍ଧୁଗାଁ ଆଦି ଅଞ୍ଚଳରୁ କନ୍ଧ ଜନଜାତି ଲୋକଙ୍କ ବେଶ ସମାବେଶ ଦେଖିବାକୁ ମିଳିଥିଲା ଏଥର ।