ଯୋଉଁ ସ୍ୱର ହୃଦୟରେ ଆଲୋଡନ ସୃଷ୍ଟି କରୁନି ତାକୁ ସଙ୍ଗୀତ ପର୍ଯ୍ୟାୟରେ ଗଣିବା କେମିତି?

ସୁନୀଲ କୁମାର ପରିଡା , ବିଶିଷ୍ଟ ଗାୟକ

କୋରାପୁଟିଆ ଭାବେ ପ୍ରଥମେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ମୁଁ ଗର୍ବିତ ଓ ଆନନ୍ଦ ଅନୁଭବ କରୁଛି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ପ୍ରକାଶିତ “ପ୍ରତିଫଳନ ” ଆଜି ଓଡ଼ିଶାର ସଙ୍ଗୀତ ବାବଦରେ ମୋ ମତାମତ ଜାଣିବା ପାଇଁ ଚାହୁଁଛନ୍ତି। ମୋ ହିସାବରେ ଆମ ସଙ୍ଗୀତ ଜଗତରେ ଏମିତି ଏକ ସମୟ ଥିଲା ଯାହା ଆଉ କେବେ ଫେରି ଆସିବାର ସମ୍ଭାବନା ପ୍ରାୟ ନାହିଁ କହିଲେ ଚଳେ। ମୁଁ ଆଉ ମୋ ଭଳି ଅନେକେ ରେଡ଼ିଓରୁ ଗୀତ ଶୁଣି ଶୁଣି ବଡ଼ ହେଇଛନ୍ତି। ସେ ଅନୁଭୂତି ନିଆରା। ସେତେବେଳେ ଆଜି ଭଳି ଶଦ୍ଦ ପ୍ରଦୂଷଣ ନଥିଲା। ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଆଉ ସର୍ବୋପରି ଗାୟକ ଗାୟିକା ନିଜର ପ୍ରତିଭା ପ୍ରଦର୍ଶନ ବ୍ୟତୀତ ସଭ୍ୟ ସମାଜରେ କଳା ର ସ୍ତର ଓ କଳାକାରଙ୍କ ମର୍ଯ୍ୟାଦା କ’ଣ ରହିବା ଉଚିତ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ରହୁଥିଲେ। ପରିବେଶ ଯେମିତି ନିର୍ମଳ ଥିଲା ସଙ୍ଗୀତ ମଧ୍ଯ ସେତିକି ମଧୁର ଥିଲା।

ପ୍ରକୃତି ଦ୍ୱାରା ସ୍ଥାପିତ ସୁନ୍ଦର ଏକ ସ୍ଥାନ ସୁଦୂର କୋରାପୁଟରୁ ଯାତ୍ରା ଆରମ୍ଭ ହୁଏ ସୁନୀଲଙ୍କର । ଘନ ଜଙ୍ଗଲର ସୌନ୍ଦର୍ଯ୍ୟ, ପାହାଡ ପଛ ସୂର୍ଯ୍ୟାସ୍ତ, ରାତ୍ରୀର ଜହ୍ନ ତାରା , ମୌସୁମୀର ପତ୍ରଝଡା, ସୁନ୍ଦର ପ୍ରଜାପତି ଏବଂ ବର୍ଷା ଋତୁରେ ସାଧବ ବୋହୁ ସବୁବେଳେ ତାଙ୍କ ଭିତରେ ଥିବା ସୃଜନ ଶୀଳତାକୁ ଆକର୍ଷିତ କରିଥିଲା ।

କେବଳ ସଙ୍ଗୀତକୁ ଜୀବିକା କରି ଜୀବନ ନିର୍ବାହ କରିବା ଓଡ଼ିଶାରେ ଅନ୍ତତଃ ଅପେକ୍ଷାକୃତ କଷ୍ଟକର। କେବଳ ପୁରୁଣା ହୋଇଗଲେ ଆମେ ଯେମିତି ସବୁ ଜିନିଷକୁ ଅତି ଉଚ୍ଚକୋଟୀର ମାନ୍ୟତା ଦେଇଥାଉ, ସେଇ ହିସାବରେ ନୁହେଁ। ଆପଣ ନିଜେ ଭାବନ୍ତୁ ଯେ କାହିଁକି ସେଇ ସବୁ ଗୀତ ଆଜି ପର୍ଯ୍ୟନ୍ତ ଏପରିକି ନୂଆ ପିଢ଼ିଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଛି ଅଥଚ ଏବେକାର ଗୀତ ସବୁର ଜୀବନ କେତେ କ୍ଷଣସ୍ଥାୟୀ। ଯୋଉ ସ୍ୱର ହୃଦୟରେ ଆଲୋଡନ ସୃଷ୍ଟି କରୁନି ତାକୁ ସଙ୍ଗୀତ ପର୍ଯ୍ୟାୟରେ ଗଣିବା କେମିତି? ଏହା ଏକ ସୂକ୍ଷ୍ମ ଅନୁଭୂତି ଯାହାକୁ ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ତେବେ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ତାକୁ ଏଡେଇବା ଅସମ୍ଭବ। ତେଣୁ ତାକୁ ବି ସ୍ଵୀକାର କରିଦେଲେ ଅସୁବିଧା କଣ? ତେବେ ଏଇଟା ବି ସତ୍ୟ ଯେ ଯିଏ ସଙ୍ଗୀତର ସୂକ୍ଷ୍ମ ସ୍ତରର ଆନନ୍ଦକୁ ଅନୁଭବ କରିଛି , ତାକୁ ବାଧ୍ୟତାମୂଳକ ଭାବେ ଗୀତ ନାମକରଣ କରାଯାଇଥିବା ନିର୍ଜୀବ କିଛି ଶଦ୍ଦ ଆଉ ହଉ ହଉ ଯାହା ହେଲା ଭଳି ସ୍ଵର କୁ ସ୍ଵୀକାର କରିବା ଏତେ ସହଜ ନୁହେଁ।

ମୋ ବାବଦରେ କହିଲେ ମୁଁ ଉତ୍କଳ ୟୁନଭରସିଟି ରେ ପିଜି କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଚାଲି ଯାଇଥିଲି ଆଉ ପ୍ରକୃତରେ କହିବାକୁ ଗଲେ ମୋ ସଙ୍ଗୀତକୁ ପେଶା କରିବାର ଅଭିଳାଷ ସେଇଠି ଜାଗ୍ରତ ହେଲା ମୋ ଅଜାଣତରେ । ସର୍ବ ଭାରତୀୟ ସ୍ତରରେ ସଙ୍ଗୀତ ପ୍ରତିଯୋଗିତାରେ ଲଗାତାର ଦୁଇ ଦୁଇ ଥର ବିଜୟୀ ହେବା ପରେ ଆପେ ଆପେ ସାରା ଭାରତରେ ପ୍ରୋଗ୍ରାମ ମିଳିବାକୁ ଲାଗିଲା ଏବଂ ମୁଁ ସେଇ କ୍ଷେତ୍ରରେ ରହିଗଲି। ଓଡ଼ିଶାକୁ ଫେରିଲି ଏଇ ଆଶାରେ ଯେ ଆମ ନିଜ ଜାଗା ଆଉ ଓଡ଼ିଆ ଭାଷା ଆଉ ଗୀତ ପ୍ରତି ଆଜନ୍ମ ଦୁର୍ବଳତା କାରଣରୁ। ତେବେ ଏଠାକୁ ଫେରିବା ପରେ ଅନୁଭବ ହେଲା ଯେ ଆମ ଓଡ଼ିଆ ମୋ ଭଳି ନୂଆ କଳାକାରଙ୍କ ପାଇଁ ଏଠାରେ ସ୍ଥାନ ନାହିଁ। ସମସ୍ତ ନିର୍ଦ୍ଦେଶକ ସବୁ ଆଲବମ ସିନେମାରେ ବମ୍ବେର ଅଣ ଓଡ଼ିଆ କଳାକାରଙ୍କୁ ଗୀତ ଗୁଆଇବାକୁ ଇଚ୍ଛୁକ ଆଉ ଆମେ କୋଉଠି ଟିକେ ଭଜନ କିମ୍ୱା ପ୍ରଡ୍ୟୁସରଙ୍କ ପାଖରେ ପଇସା ନ ଥିବା ଅବସ୍ଥାରେ ଡକା ଯାଉଛୁ। ହୁଏତ କୁହାଯାଇପାରେ ଯେ ଆମର ସ୍ତର ତାଙ୍କ ଭଳି ନୁହେଁ। ଠିକ କଥା, ତେବେ ଆମକୁ ଶିଖେଇବ କିଏ? ମାର୍ଗଦର୍ଶନ ଦେବ କିଏ? ଆମେ ଆଗକୁ ବଢ଼ିବୁ କିମିତି? ଏଭଳି ମନସିକ ଅବସ୍ଥାରେ ଗତି କରୁଥିବା ବେଳେ ଦିନେ ଓଡ଼ିଆରେ ପ୍ରଥମ “ସା ରେ ଗା ମା” ନାମକ ଏକ ଟ୍ୟାଲେଣ୍ଟ ଅନ୍ୱେଷଣ ପ୍ରତିଯୋଗିତାରେ ଉପସ୍ଥାପକ ହିସାବରେ କାମ ମିଳିଲା। ବିଚାରକ ଭାବରେ ଆସୁଥିବା ଓଡ଼ିଆ ସଙ୍ଗୀତ ଜଗତର ସମସ୍ତ ଗୁଣି ଜ୍ଞାନୀଙ୍କ ସହ ଭଲ ଭାବରେ ପରିଚୟ ହେଲା , ତେବେ ନିଜ କ୍ୟାରିୟରରେ କିଛି ଉନ୍ନତି ହେବାର ଆଶା ଦେଖା ଗଲାନି। ହଠାତ ଦିନେ ମନସ୍ଥ କଲି ବମ୍ବେ ପଳେଇଯିବି ଆଉ ଚାଲିଗଲି ବି ତା ଆରଦିନ। ହିନ୍ଦୀ ଗୀତ ଗାଇବାରେ କେବେ ଅସୁବିଧା ହେଇନି ତେଣୁ ଏଠି ଗୀତ ଗାଇ ବଞ୍ଚିବାରେ କେବେ କଷ୍ଟ ହେଇନି। ସାରା ଭାରତ ତଥା ବିଦେଶରେ ବୁଲି ବୁଲି ବହୁତ ଗାଇଛି କିନ୍ତୁ କେବଳ ହିନ୍ଦୀ। ଦୁଃଖର ବିଷୟ ମୁଁ ଓଡ଼ିଶାକୁ ଗଲେ ବି ହିନ୍ଦୀ ଚଳଚ୍ଚିତ୍ର ଗୀତ ଗାଇବାକୁ ପଡେ। ବୋଧେ ଲକ୍ଷ୍ନୌ ଓଡ଼ିଆ ସମାଜ ଗୋଟିଏ ସ୍ଥାନ ଯେଉଁଠି ମୋତେ ଓଡ଼ିଆ ଗୀତ ଗାଇବାକୁ ଡାକନ୍ତି। ଏବେ ଓଡିଶା ଆସିଛି। ଯୋଉ ଭୁବନେଶ୍ୱର ସେଇ ରଫି ସାହେବଙ୍କ ଗୀତ ଗାଇବା ପାଇଁ, ଲୋକେ ଭଲ ପାଉଛନ୍ତି କେବଳ ହିନ୍ଦୀ ଗାଉଥିବା କାରଣରୁ। ଧନ୍ୟବାଦ ଦେବି ଉପାସନା ସଂସ୍ଥା ଆଉ ମ୍ୟୁଜିକ ସିଜିଲର୍ସକୁ ଯେ ଯଥେଷ୍ଟ ସମ୍ମାନ ଦେଇ ମୋତେ ବମ୍ବେରୁ ଡାକିଛନ୍ତି। ଶ୍ରୋତାଙ୍କ ପାଇଁ ମୁଁ ଆଉ ଏଇ ମୋର ଗାୟକର ପରିଚୟ ଆଉ ଭଗବାନଙ୍କ କୃପାରୁ ମୁଁ ଓଡ଼ିଶା ଛାଡ଼ିବାର ଦୀର୍ଘ ୨୫/୨୬ ବର୍ଷ ପରେ ବି ଏଠିକାର ଶ୍ରୋତାଗଣ ସେଇ ଆଗଭଳି ଅକୃତିମ ସ୍ନେହଶ୍ରଦ୍ଧା ଦେଇ ରୁଣୀ କରି ରଖିଛନ୍ତି। ଆଉ କଣ ଚାହିଁବି? ଯଥେଷ୍ଟ ପାଇଛି ମୋ ଗୁଣ ତୁଳନାରେ। ହୁଏତ ମୋ ନାଆଁ ଏତେ ଲୋକପ୍ରିୟ ହୋଇନାହିଁ ବା ଓଡ଼ିଆ ଲୋକ ଜାଣି ନାହାନ୍ତି, କିନ୍ତୁ ଯେତିକି ଜାଣିଛନ୍ତି ସେମାନଙ୍କ ଭଲ ପାଇବାର ପ୍ରତିବଦଳରେ ମୁଁ କଣ ବା ଦେଇଛି? ସବୁ ଫୁଲ ଯେ ଠାକୁରଙ୍କ ମୁଣ୍ଡରେ ଶୋଭା ପାଇବ, ସୃଷ୍ଟିର ସେମିତି ନିୟମ ନାହିଁ। ମୁଁ ଗାଉ ଗାଉ ଗାୟକ ଗୋଷ୍ଠୀ ର। କେବଳ ଆଶିର୍ବାଦରେ ଯାହା ମିଳିଛି ତାକୁ ହିଁ ବାଣ୍ଟୁଛି। ତେଣୁ ଗର୍ବ ବି କରିବାର ସାମାନ୍ୟତମ ଅଧିକାର ନାହିଁ। ଯିଏ ଦେଇଛି ସିଏ ବୁଝିବ ନୀତିରେ ବିଶ୍ବାସ କରି ମୁଁ ଗାଉଛି। ନାଆଁ କରିବାର ଇଚ୍ଛା କେବେ ନ ଥିଲା କି ନାହିଁ। ମୋ ସାମନାରେ ବସିଥିବା ଶ୍ରୋତା ହୃଦୟକୁ ଯଦି ମୋ ଗାଇବା ଭଲ ଲାଗିଲା, ସେତିକି ଯଥେଷ୍ଟ ମୋ ପାଇଁ।

ମୋର ଏତେ ଯୋଗ୍ୟତା ଅବଶ୍ୟ ନାହିଁ ଏଇ ନୁଆପୀଢ଼ି ର କଳାକାରଙ୍କ ଉପରେ କିଛି ମନ୍ତବ୍ୟ ଦେବା ପାଇଁ। ତେବେ କହିରଖେ ଆମ ନିଜର ଭାଷା ଅତି ସମୃଦ୍ଧ ଆଉ ବହୁତ ସୁନ୍ଦର। ଆଜିକାଲି ଓଡ଼ିଆ ଗୀତରେ ହିନ୍ଦୀ ଶଦ୍ଦ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଗଲାଣି। ଆମେ ନିଜ ଭାଷା ସଂସ୍କୃତିକୁ ସମ୍ମାନ ନ ଦେଲେ ଆଉ କିଏ କାହିଁକି ଦେବ?? ଆମ ଓଡ଼ିଶାକୁ ଲାଗିଥିବା ଅନ୍ୟ ରାଜ୍ୟକୁ ଦେଖନ୍ତୁ। କେତେ ଗର୍ବ ତାଙ୍କର ନିଜର କଳା ସଂସ୍କୃତିକୁ ନେଇ। ଆମର ନିଜସ୍ଵ କଣ ବୋଲି ପଚାରିଲେ କି ଉତ୍ତର ଦେବା? ଆମର ଦାୟିତ୍ୱ ନିଜର ଭାଷା ଆଉ ସଙ୍ଗୀତକୁ ଉପରକୁ ଉଠେଇବା । ଯେଉଁ ଗୁଣୀ କଳାକାର ମାନେ ଇତିହାସ ରଚି ଯାଇଛନ୍ତି, ତାର ମାନ ରଖିବା।
କହିବାକୁ ତ ଅନେକ କିଛି ଅଛି ତେବେ ସମୟ ଅଭାବ ଆଉ ଶୁଣିବା ପାଇଁ ବି କାହା ପାଖରେ ସମୟ ଅଛି? ବସ୍ତୁବାଦୀ, ଯନ୍ତ୍ରବତ୍ ହୋଇ ଚାଲିଛି ସାରା ମନୁଷ୍ୟ ସମାଜ। ସୂକ୍ଷ୍ମ ସମ୍ବେଦନଶୀଳ ବିଚାର ସବୁ ଆସ୍ତେ ଆସ୍ତେ ଉଭେଇ ଯାଉଛି। ସଙ୍ଗୀତ ଭିତରେ ସେଇ ଶକ୍ତି ଅଛି ପୁଣିଥରେ ମନୁଷ୍ୟକୁ ଜଡ଼ବାଦୀ ଅବସ୍ଥାରୁ ଜାଗ୍ରତ କରିବା ପାଇଁ। ଅଳ୍ପ କିଛି ସମୟ ଆଉ ଆତ୍ମ ଚିନ୍ତନ କରି ସ୍ରଷ୍ଟାଙ୍କର ସେଇ ସଙ୍ଗୀତ ନାମକ ଆଶିର୍ବାଦକୁ ନ୍ୟାର୍ଯ୍ୟ ସମ୍ମାନ ଦେବା ପାଇଁ ସମସ୍ତ କଳାକାର ତଥା କଳାପ୍ରେମୀ ଦର୍ଶକଙ୍କୁ ମୋର ବିନୀତ ଅନୁରୋଧ ।

(କୋରାପୁଟର ବାସିନ୍ଦା ଅଧୁନା ମୁମ୍ବାଇର ରହୁଛନ୍ତି । ସମ୍ପ୍ରତି ସେ ପ୍ରସିଦ୍ଧ ହିନ୍ଦୀ ଜଗତର ଜଣେ ଜଣାଶୁଣା ଗାୟକ ଭାବେ ପ୍ରତିଷ୍ଠିତ)

Spread the love