କୀର୍ତ୍ତି ଚନ୍ଦ୍ର ସାହୁ
କଂଗ୍ରେସର ଅଭେଦ୍ୟ ଦୁର୍ଗ । ସେଠି ବିରୋଧୀ ଦଳ ମୁଣ୍ଡ ଟେକିବା ଭାରି କଷ୍ଟକର । ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ, ଗରୀବ ଗୁରୁବା , ଚାଷୀ, ମୂଲିଆ, ଗିରିଜନଙ୍କ ଏକ ବିଶ୍ଵାସ ଓ ଭରସା ର ନେତା ଥିଲେ ଇନ୍ଦିରା ମାଆ । ସେହି ଇନ୍ଦିରା ମାଆଙ୍କୁ ନେଇ ଅକ୍ଳେଶରେ ଜିତୁଥିଲେ କଂଗ୍ରେସ ନେତା ପ୍ରତିଥର । ସେଠି ଭାବମୂର୍ତ୍ତି, ସ୍ବଚ୍ଛତା ଓ ଜନସେବା କେବଳ ଏକ ସ୍ଲୋଗାନ ମାତ୍ର । ଏଭଳି ଏକ ଶକ୍ତିଶାଳୀ ରାଜନୈତିକ ପରିସ୍ଥିତିରେ ବିରୋଧୀ ଦଳକୁ ଚୟନ କରିବା ହିଁ ଥିଲା ସାଙ୍ଘାତିକ ଆହ୍ଵାନ । କାରଣ ନିଜ ଗୋଡ଼କୁ ନିଜେ କୁରାଢ଼ୀ ମାରିବା ଛଡା ଆଉ କିଛି ନୁହଁ । ରାଜନୈତିକ ଆତ୍ମଘାତୀ ଆହ୍ଵାନ ବ୍ୟତୀତ କିଛି ନଥିଲା । ବିରୋଧୀ ଦଳର ନେତୃତ୍ବ ନେବା ଅର୍ଥ ଆଗାମୀ ରାସ୍ତା କଣ୍ଟକିତ ଓ ଅନ୍ଧାର ବୋଲି ନିଶ୍ଚିତ ଥିଲା । କ୍ଷମତା ଲୋଭ ଠାରୁ ଦୂରରେ ଥିଲେ ସେ । ରାଜନୈତିକ ମହତ୍ଵକାଂକ୍ଷା ନଥିଲା ତାଙ୍କର । ଖଟିଖିଆ ମେହନତି ଓ ଗରିବ ଗୁରୁବାଙ୍କ ପାଇଁ ଯାହାଙ୍କ ହୃଦୟ ସ୍ପନ୍ଦିତ ହୋଇ ଥିଲା ସେ କିଭଳି କଂଗ୍ରେସର ଗୋଲାମୀ କରିବାକୁ ପସନ୍ଦ କରିଥାନ୍ତେ । ସେଥିପାଇଁ ସ୍ରୋତର ବିପରୀତ ଦିଗରେ ରାଜନୈତିକ ନାଆ ଚଳେଇବାକୁ ଉଦ୍ୟମ କରିଥିଲେ ସ୍ବର୍ଗତ ହରିଶ ଚନ୍ଦ୍ର ବକ୍ସିପାତ୍ର । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ ଅଣ କଂଗ୍ରେସ ଦଳର । ଲୋକଙ୍କ ଭିତରେ ବିଶ୍ଵାସ ଜନ୍ମେଇବା ପାଇଁ ସେ ଅହରହ ପ୍ରୟାସ କରିଥିଲେ । ନିଜେ ଗାଁକୁ ଗାଁ ବୁଲି ଅଣ କଂଗ୍ରେସ ରାଜନୈତିକ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ସେଥିପାଇଁ ଏଇ ଟାଣୁଆ ଅଣ କଂଗ୍ରେସ ନେତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଜେଲ ଭିତରକୁ ଟାଣି ନେଇଥିଲେ ସେତେବେଳର ସରକାର । ତାପର ଠାରୁ ସେ ଆହୁରି ଅଧିକ ଦୃଢ଼ ଓ ବାସ୍ତବବାଦୀ ରାଜନୀତି ମୁହାଁ ହୋଇଥିଲେ । ଲୋକଙ୍କ ପାଇଁ କାମ କରିବାକୁ ଆହୁରି ଅଧିକ ତତ୍ପରତା ପ୍ରକାଶ କରିଥିଲେ । ଗାଁ ଗାଁରେ ତିଆରି କରିଥିଲେ ଅଣ କଂଗ୍ରେସର ନେତୃତ୍ବ । ସଂଖ୍ୟା ପଛେ କମ ହେଲେ ବି ଶକ୍ତିଶାଳୀ ନେତୃତ୍ବ ବିକାଶରେ ସେ ବିଶ୍ଵାସ ରଖିଥିଲେ । ନେତୃତ୍ବ କିଭଳି ନିଆଯାଏ ସେହି କଳାକୁ ସେ ଚତୁରତାର ସହ ସମ୍ପାଦିତ କରୁଥିଲେ । ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସ୍ଵାଧୀନତା ଦେଇ ତୃଣମୂଳ ସ୍ତରରେ ନେତୃତ୍ବ ନେବାର କଳାକୁ ଶିଖାଉଥିଲେ ନିଷ୍ଠା ଥିବା କର୍ମୀ ଙ୍କୁ। ଅଳ୍ପ କଥା କହୁଥିଲେ ସେ । କିନ୍ତୁ ତାରି ଭିତରେ ପରମାଣୁ ବୋମା ବିସ୍ପୋରଣର ଶକ୍ତିଶାଳୀ ପ୍ରତିକ୍ରିୟା ନିହିତ ଥିଲା । ଜନସେବାକୁ ପ୍ରାଧାନ୍ୟ ଦେଉଥିଲେ ସେ । ମନ୍ତ୍ରୀ କିମ୍ବା ବିଧାୟକ ସମୟରେ ବି ସ୍ବର୍ଗତ ହରିଶ୍ ଚନ୍ଦ୍ର ବକ୍ସିପାତ୍ର ସେମିତି ସରଳ ଓ ଭରସାଯୋଗ୍ୟ ନେତା ମନେ ହେଉଥିଲେ । କ୍ଷମତାରେ ଥିଲେ ଯେମିତି କ୍ଷମତାରେ ବାହାରେ ବି ସେମିତି ବ୍ୟବହାର ଓ ଚାଲିଚଳଣ । ଏହା ହିଁ ତାଙ୍କୁ ଲୋକଙ୍କ ନିକଟତର କରାଇପାରିଥିଲା । ଜନବାଦୀ ନେତା ପାଲଟି ଯାଇଥିଲେ ।
ବକ୍ସିବାବୁ ନାମରେ ରାଜନୈତିକ ମହଲରେ ବେଶ ଜଣାଶୁଣା ଏଇ ରାଜନୈତିକ ବ୍ୟକ୍ତିତ୍ବଙ୍କୁ ପ୍ରଶାସନିକ ଅଧିକାରୀମାନେ କଥା ହେଲାବେଳେ ବେଶ ମାପିଚୁପି କଥା ହେଉଥିଲେ । କାରଣ ବକ୍ସିବାବୁଙ୍କ ସ୍କାନର ଏତେ ଶକ୍ତିଶାଳୀ ଥିଲା ଯେ ମିଛକୁ ସହଜରେ ଧରି ଦେଉଥିଲେ । ଏସବୁ ପରିପକ୍ବ ରାଜନୈତିକ ଗୁଣାବଳୀକୁ ନିଜର ଅନୁଗାମୀଙ୍କୁ ପରୋକ୍ଷରେ ଶିଖାଉଥିଲେ । ତଥାକଥିତ ଅଧିକାରୀମାନେ ସ୍ଥାନ ଛାଡିଲା ପରେ ନିଜର ତଳ ସ୍ତରର ନେତୃବୃନ୍ଦଙ୍କୁ ପୁନଶ୍ଚ ପ୍ରଶ୍ନ କରୁଥିଲେ କାହିଁକି ଏପରି କହିଲି । କିଛି ବୁଝିପାରୁଛ କି । ଆଵଶ୍ୟକସ୍ଥଳେ ତାକୁ ବାଖ୍ୟା କରି ବୁଝାଉଥିଲେ । ରାଜନୀତିରେ ନେତା ମାନେ ସବୁ କରନ୍ତି ପଛେ ନେତୃତ୍ବ ବିକାଶ ଲାଗି କାର୍ପଣ୍ୟ ପ୍ରକଟ କରନ୍ତି । ଏହାର କାରଣ ହେଲା ବଗର ଥଂଟ ବଢିଲେ ମୀନକୁ ବିପଦ ଭଳି ନେତୃତ୍ବ ବିକାଶ କଲେ ଆଗାମୀ କାଲି ପାଇଁ ନେତାକୁ ବିପଦ ବୋଲି ନିଜ ଭିତରେ ଗୋଟେ ବିଶ୍ଵାସ ରଖନ୍ତି ନେତାମାନେ । ତେଣୁ ପକ୍ଷଛେଦନ ନୀତି ଆପଣେଇଥାନ୍ତି ସାଧାରଣତଃ । କିନ୍ତୁ ବକ୍ସିପାତ୍ର ଏଥିରେ ବ୍ୟତିକ୍ରମ ଥିଲେ । ନେତୃତ୍ବର ସମସ୍ତ ଦିଗକୁ ଅହରହ ଶିଖାଇବାରେ କେବେ ପଛେଇ ନଥିଲେ । ସେଥିପାଇଁ ନବେ ଦଶକରେ ଯେଉଁ ବିରାଟ ଅଣ କଂଗ୍ରେସ ରାଜନୀତିରେ ପରିବର୍ତ୍ତନ ଦେଖା ଦେଇଥିଲା ଅବିଭକ୍ତ କୋରାପୁଟ ଜିଲ୍ଲାରେ ବକ୍ସିପାତ୍ରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଅବଶ୍ୟ ତାଙ୍କ ପ୍ରତିଭାକୁ ଚିହ୍ନିବାରେ ଅଣ କଂଗ୍ରେସର ଶୀର୍ଷ ନେତୃବୃନ୍ଦ ବିଫଳ ହୋଇଥିଲେ । କିନ୍ତୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେଉଁ ଅଣ କଂଗ୍ରେସର ସାମ୍ରାଜ୍ୟ ତିଆରି ହୋଇଛି ଏବଂ ସେଥିରେ ଯେଉଁମାନେ ନେତୃତ୍ବ ନେଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ବକ୍ସିବାବୁଙ୍କ ଦିଗଦର୍ଶନ ଓ ଜ୍ଞାନରୁ ପରିପୁଷ୍ଟ । ତାଙ୍କରି ଆଦର୍ଶକୁ ଏବେ ବି ଗ୍ରାମାଞ୍ଚଳର ଅନେକ ନେତୃତ୍ବ ନିଜ କର୍ମରେ ପ୍ରତିଫଳିତ କରିଚାଲିଛନ୍ତି । ମୋର ସୌଭାଗ୍ୟ ୧୯୮୭ ମସିହାରୁ ତାଙ୍କ ସଂପର୍କ ରେ ଆସିଥିଲି। ସ୍ରୋତର ବିପରୀତ ଦିଗରେ କିଭଳି କାମ କରିବାର କଳା ତାଙ୍କ ଠାରୁ ଶିଖିଛି। ଯେ କୌଣସି ପରିସ୍ଥିତି କୁ ପରଖି ତାର ସୁପରିଚାଳନା କିପରି କରାଯାଏ ଶିଖି ପାରିଛି। ସତ କଥା କହି ସ୍ୱଚ୍ଛ ରହି ଭୟ ମୁକ୍ତ ହୋଇ କିପରି କହିବା ଶିଖେଇ ଛନ୍ତି ।ପ୍ରତିମୁହୁର୍ତ ରେ ମୋ ନିକଟରେ ସେ ସାଥିରେ ରହିଥିବା ଆଜି ବି ଅନୁଭବ କରୁଛି।ଏବେ ବି ଅବିଭକ୍ତ କୋରାପୁଟର ଗାଁ ଗାଁରେ ବକ୍ସିବାବୁ ଜୀବିତ ହୋଇ ଅଛନ୍ତି ଓ ପୀଢ଼ି ପରେ ପୀଢ଼ି ସେମିତି ରହିଥିବେ ମଧ୍ୟ । କାରଣ ବକ୍ସିବାକୁ ଏକ ବ୍ୟକ୍ତି ନୁହଁନ୍ତି ଏକ ଆଦର୍ଶ ।
ସମ୍ପାଦକ
ସମୟର ପ୍ରତିଫଳନ