ଜିଆଇଇଟି ବିଶ୍ଵବିଦ୍ୟାଳୟରେ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଗୁଣୁପୁର ( ପ୍ରତିଫଳନ ମିଡ଼ିଆ)

ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂର ବେସିକ ସାଇନ୍ସ ଆଣ୍ଡ ହୁମାନିଟିସ ତରଫରୁ ‌”ଯାନ୍ତ୍ରିକ କାର୍ଯ୍ୟାତ୍ମକ ବସ୍ତୁର ସ୍ଥାୟୀ ସାମାଜିକ ପ୍ରୟୋଗ” ସଂପର୍କୀୟ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଅଧୀନରେ ଥିବା ଜାତୀୟ ଅନୁସନ୍ଧାନ ଭିତ୍ତିପ୍ରସ୍ତର ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ପକ୍ଷରୁ ପ୍ରୋଯୋଜିତ ଉଦଘାଟନୀ ଆଲୋଚନାଚକ୍ରର ଆବାହକ ଡ଼ଃ ବିଶ୍ୱଜିତ୍ ଦଳାଇ ସ୍ୱାଗତ ଭାଷଣ ଦେବା ସହ ସମ୍ମିଳନୀର ପ୍ରାଧାନ୍ୟତା ବିଷୟରେ କହିଥିଲେ। ବିଶ୍ଵବିଦ୍ୟାଳୟର ବେସିକ ସାଇନ୍ସ ମୁଖ୍ୟ ଡ଼ଃ ପ୍ରତିଭା କର ବିଭାଗୀୟ ଅନୁସନ୍ଧାନ ଓ ଗବେଷଣା ବିଷୟରେ ଆଲୋକପାତ କହିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ଡଃ ଏ ଭି ଏନ୍ ଏଲ୍ ଶର୍ମା ଯୋଗ ଦେଇ କାର୍ଯ୍ୟାତ୍ମକ ବସ୍ତୁର ମୌଳିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖିଥିଲେ। ବିଶ୍ବବିଦ୍ୟାଳୟର ପ୍ରୋ ଚାନ୍ସେଲର ଡ଼ଃ ଏଲ୍ ଏମ୍ ପଟ୍ଟନାୟକ ଆଭାସି ମାଧ୍ଯମରେ ଯୋଗଦେଇ, କାର୍ଯ୍ୟାତ୍ମକ ବସ୍ତୁର ବିଭିନ୍ନ କ୍ଷେତ୍ରରେ ବହୁଳ ବ୍ୟବହାର କରିବା ସହ ବିଶ୍ବବିଦ୍ୟାଳୟକୁ ଗବେଷଣା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଶ୍ବବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ସମ୍ମିଳନୀ ମାଧ୍ଯମରେ ଉପଯୁକ୍ତ ଜ୍ଞାନ ଅର୍ଜନ ସହ ଜ୍ଞାନକୁ ଅଭ୍ୟାସରେ ରୂପାନ୍ତରୀକରଣ କରିବାକୁ ଆହ୍ବାନ ଦେବା ସହ ପ୍ରାକୃତିକ ସମ୍ବଳର ବ୍ୟବହାର ବିଷୟରେ କହିଥିଲେ।

ଏହି ସମ୍ମିଳନୀରେ ନବି ମୁମ୍ବାଇ ସ୍ଥିତ ରିଲାୟନସ୍ ଶିଳ୍ପର ବରିଷ୍ଠ ଉପସଭାପତି ଡ଼ଃ ବିରେନ୍ଦ୍ର କୁମାର ଗୁପ୍ତା ଆଭାସୀ ମାଧ୍ୟମ ରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାତ୍ମକ ବସ୍ତୁର ଭୂମିକା ଏବଂ ଉଦ୍ଦେଶ୍ୟ ଭିତ୍ତିକ ଅଭିନବକରଣ ବିଷୟରେ କହିଥିଲେ। ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର ଓ ଆଇଆଇଏମଟିର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ତଥା ପ୍ରଫେସର ଡ଼ଃ ସରୋଜ କୁମାର ସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟର୍ଜ ବସ୍ତୁର ସଦୁପଯୋଗ ଓ ବ୍ୟବହାର ବିଭିନ୍ନ ଜ୍ୱଳନ୍ତ ଉଦାହରଣ ଦେଇ ବର୍ଣନା କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ସମ୍ମିଳନୀର ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ବିଶ୍ବବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡାଙ୍କ ଦ୍ବାରା ମୂଖ୍ୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଵିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପୋଷ୍ଟର ଉପସ୍ଥାପନା କରାଯାଇଥିଲା । ଵିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ,ଛାତ୍ରଛାତ୍ରୀ, ଗବେଷଣାରତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅଧ୍ୟାପିକା ବର୍ଷା ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହ ଆବାହକ ତଥା ସହ ପ୍ରଫେସର ଡ଼ଃ ପୁଷ୍ପାଞ୍ଜଳି ସା‌ହୁ ଧନ୍ୟବାଦ ଅର୍ପଣ କରିଥଲେ। ଏହି ତିନି ଦିନିଆ ସମ୍ମିଳନୀରେ ଦେଶ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଫେସରବୃନ୍ଦ ଓ ପ୍ରାଧ୍ୟାପକ ଆଦି ଆଭାସି ମାଧ୍ୟମରେ ନିଜ ନିଜର ସନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ପରିଶେଷରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love