ଯାଜପୁର ଜିଲ୍ଲାର ସଫଳ ନାରୀ◆ଛତୁଆ ଓ ଛତୁର ରାଣୀ :  ଅବନ୍ତି

(ପ୍ରତିଫଳନ ମିଡ଼ିଆ)

ଅବନ୍ତି ସାମଲ ଦାନଗଦି ବ୍ଲକର ଜଣେ ବହୁଚର୍ଚ୍ଚିତା ବ୍ୟକ୍ତିତ୍ଵ । ଘର ଯାଜପୁର ଜିଲ୍ଲା ସ୍ଥିତ ଦାନଗଦି ବ୍ଲକ ଅଞ୍ଚଳର ତେଲି ବାହାଳି ଗ୍ରାମ । ଗାଁ, ପଞ୍ଚାୟତ ଓ ବ୍ଲକରେ ସମସ୍ତେ ତାଙ୍କର କ‌ଥା ମାନନ୍ତି । ପ୍ରତ୍ୟେକ କାମ ନେଇ ଆଣି ଥୋଇବାରେ ସେ ସିଦ୍ଧହସ୍ତା । ଅଙ୍ଗନବାଡ଼ି ଛତୁଆ ଯୋଗାଣ ହେଉ, ବିଦ୍ୟାଳୟର ମଧ୍ୟରୁ ଭୋଜନ ଦାୟିତ୍ଵ ନେବା ହେଉ ବା ଛତୁ ଚାଷ ହେଉ, କେଉଁଥିରେ ସେ ହାରି ଯାଇ ନାହାନ୍ତି । ତାଙ୍କର ଦୃଢ ମନୋବଳ ଓ ସାହସ ତାଙ୍କୁ ଜିରୋରୁ ହିରୋରେ ପରିଣତ କରିଛି ।

ସଫଳତାର ସିଡ଼ି

ପ୍ରଥମେ ସରକାର ଯେତେବେଳେ ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢିବାର ଯୋଜନା କଲେ, ଅବନୀ ୧୫ ଜଣ ମହିଳାଙ୍କୁ ଡାକି ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଢିଲେ I ସେଦିନ ଥିଲା ୧୯ ତାରିଖ ମାର୍ଚ୍ଚ ମାସ ୨୦୦୭ ମସିହା । ପ୍ରତିମାସ ଜଣକ ଉଦ୍ଦେଶ୍ୟରେ ୧୦୦ ଟଙ୍କା ଚାନ୍ଦା ଦେଇ ଗୋଷ୍ଠୀର କାର୍ଯ୍ୟକ୍ରମ  ଆରମ୍ଭ କଲେ । ଅବନ୍ତିଙ୍କର କାମରେ ସନ୍ତୁଷ୍ଟ ହୋଇ ଏସସିଓ ହିମାଂଶୁ ସାମଲ ତାଙ୍କୁ ଡାକି ଗୟାଦେବୀ ନୋଡାଲ ସ୍କୁଲ୍ ର ମଧ୍ୟାହ୍ନ ଭୋଜନ ଦାୟିତ୍ଵ ନେବା ପାଇଁ କହିଲେ । ବିଦ୍ୟାଳୟର ୨୫୦ ଜଣ ପିଲାଙ୍କୁ ଦେଖି ଅବନୀ ପ୍ରଥମେ ଅବଶ୍ୟ କୁଣ୍ଠାବୋଧ କଲେ, ମାତ୍ର ହିମାଂଶୁଙ୍କର ବାଧ୍ୟବାଧକତାରେ ୨୦୦୭ ମସିହା ଡିସେମ୍ବର ୧୩ ତାରିଖରେ ସେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ଦାୟିତ୍ଵ ଗ୍ରହଣ କଲେ । ପରବର୍ତ୍ତୀ ଅବସ୍ଥାରେ ଦାନଗଦି ବ୍ଲକ୍ ର ୧୦୦ ଅଙ୍ଗନବାଡ଼ି କେନ୍ଦ୍ରକୁ ତାଙ୍କ ସ୍ଵୟଂ ସହାୟକ ଗୋଷ୍ଠୀ ଛତୁଆ ଯୋଗାଇ ଆସୁଅଛି।

Oplus_131106

୨୦୧୧ ମସିହାରେ ଗର୍ଭବତୀ ମହିଳା, ପ୍ରସୂତି ମହିଳା, ୭ ବର୍ଷରୁ ୧୩ ବର୍ଷର ପିଲାଙ୍କୁ ଛତୁଆ ଯୋଗାଇବା ପାଇଁ ଗୋଟିଏ ଯୋଜନା ଆସିଥିଲା । ଅକ୍ଷୟ ସାର୍ ଓ ତିଳୋତ୍ତମା ମାଡାମଙ୍କ ଅନୁରୋଧକୁ ସମ୍ମାନ ଦେଇ ଅବନ୍ତୀ ନିଜର ‘ଦୁର୍ଗତିନାଶିନୀ ସ୍ଵୟଂ ସହାୟକ ଗୋଷ୍ଠୀ’ ମାଧ୍ୟମରେ ୨୦୧୧ ମସିହା ମେ ୫ ତାରିଖରୁ ଛତୁଆ ଯୋଗାଇବା ଆରମ୍ଭ କଲେ ।୨୦୨୨ ମସିହା ମାର୍ଚ୍ଚ ୨୧ ତାରିଖରୁ ତାଙ୍କ ଗୋଷ୍ଠୀ ଗୋଟିଏ ଛତୁ ୟୁନିଟ ଖୋଲି ଛତୁ ଚାଷ କରୁଛନ୍ତି । ଛତୁରେ ସେମାନଙ୍କର ଭଲ ଲାଭ ମଧ୍ୟ ହେଉଛି I ଏତିକିରେ ସନ୍ତୁଷ୍ଟ ନ ହୋଇ ଗୋଷ୍ଠୀର ସଦସ୍ୟାମାନଙ୍କୁ ମୁଢ଼ି ଭାଜିବା ଶିଖାଇ, ମୁଢ଼ି ବ୍ୟବସାୟ, ଚାଉଳ ବ୍ୟବସାୟ କରି ଦୁଇ ପଇସା ଲାଭ ମଧ୍ୟ ପାଉଛନ୍ତି । ତାଙ୍କ ଗୋଷ୍ଠୀ କାଠ ଗୋଲାଟିଏ ମଧ୍ୟ କରି କାଠ ବିକ୍ରି କରୁଛନ୍ତି। କିଛି ସଦସ୍ୟା ଗୋଷ୍ଠୀରୁ ଋଣ ନେଇ ଶାଢ଼ୀ ବ୍ୟବସାୟ, ଷ୍ଟେସନାରୀ ଦୋକାନ, ଡାଲି ଚାଉଳ ଦୋକାନ ମଧ୍ୟ ଖୋଲିଛନ୍ତି । କିଛି ପନିପରିବା ଚାଷ ମଧ୍ୟ କରୁଛନ୍ତି । ଏ ସବୁ ଅବନ୍ତୀଙ୍କର ପ୍ରେରଣା ହେତୁରୁ ସମ୍ଭବ ହୋଇ ପାରିଛି। ତାଙ୍କର ଉତ୍ସାହ ଯୋଗୁଁ ଶତାଧିକ ପରିବାର ଅତ୍ୟନ୍ତ ସୁଖରେ ଚଳୁଛନ୍ତି।

ସଶକ୍ତ ଓ ସକ୍ଷମ

ଗୋଷ୍ଠୀ ମାଧ୍ୟମରେ ସମସ୍ତ ସଦସ୍ୟା ଯାହା ଲାଭ କରନ୍ତି ପ୍ରତିମାସ ସମାନ ଭାବରେ ନିଜ ନିଜ ଭିତରେ ବାଣ୍ଟି ନିଅନ୍ତି। ଜଣକ ଭାଗରେ ପ୍ରାୟ ୫୦୦୦ ଟଙ୍କାରୁ ୬୦୦୦ ଟଙ୍କା ପଡ଼ିଥାଏ । ଏବେ ଜନୈକ ସଦସ୍ୟା ଗୋଷ୍ଠୀରୁ ଋଣ ନେଇ ଗୋଟିଏ ଅଟୋ ରିକ୍ସା  କରିଛନ୍ତି । ବାହାର ଲୋକମାନେ ମଧ୍ୟ ଅବନ୍ତୀଙ୍କ ଗୋଷ୍ଠୀରୁ ଋଣ ନେଇ ବିଭିନ୍ନ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି।

ଜୀବନ ସଂଘର୍ଷର କାହାଣୀ

ଅବନ୍ତୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ, ବୟସ ୪୮ ବର୍ଷ । ଅଧିକ ପଢ଼ିବାର ଇଛା ଥିଲେ ବି ଦାରିଦ୍ର୍ୟ ଯୋଗୁ ତାଙ୍କ ପାଠ ପଢ଼ା ସମ୍ଭବ ହୋଇପାରିଲା ନାହିଁ । ମାଟ୍ରିକ ପରେ ମାତ୍ର ୧୬ ବର୍ଷ ବୟସରେ ସେ ବିବାହ କରିଥିଲେ । ବାପା ଓ ଶାଶୁ ଘରର ଦାରିଦ୍ର୍ୟ ତାଙ୍କୁ ବଞ୍ଚିବାର ମାର୍ଗ ଦେଖାଇଛି, ଯାହା ଅନ୍ୟ ୧୦୦ ଜଣଙ୍କୁ ମଧ୍ୟ ପେଟ ପୋଷିବାରେ ସକ୍ଷମ କରି ପାରିଛି । ଅବନ୍ତୀ ବୁଝନ୍ତି କେବଳ ନିଜେ ଭଲରେ ବଞ୍ଚିଲେ କିଛି ଲାଭ ନାହିଁ ଅନ୍ୟକୁ ବଞ୍ଚାଇବାକୁ ବଞ୍ଚାଇବା ପଡ଼ିବ । ଏହି ଦୀକ୍ଷା ନେଇ ସେ ଆଗକୁ ବଢ଼ି ଚାଲିଛନ୍ତି। ଯାଜପୁର ଜିଲ୍ଲା ତଥା ଦାନଗଦି ବ୍ଲକର ପ୍ରତ୍ୟେକ ଲୋକଙ୍କ ମୁହଁରେ ଆଜି ଅବର୍ତ୍ତୀଙ୍କ ପ୍ରଶଂସା । ଅବର୍ତ୍ତୀ ସେ ଅଞ୍ଚଳର ଗର୍ବ ଓ ଗୌରବ ।

Spread the love