ବିଦୁଷୀ ବିଦ୍ୟୁଲତା

ଆରମ୍ଭ କାଳ

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍, ନିଲାବାଡ଼ି ଗାଁରେ ବିଦୁଲତା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ। ସ୍ବାମୀ ବାଦଲ କୁମାର ‘ଦ ପାୟୋନିୟର’ ଇଂରାଜୀ ଖବରକାଗଜର ପତ୍ରକାର ଥିଲେ । ବିଦୁଲତା ଥିଲେ ଉଚ୍ଚଶିକ୍ଷିତା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍ ଏ ଏବଂ ଏଲ୍. ଏଲ. ବି।  ପାଠ ପଢ଼ା ପରେ ୧୦ ବର୍ଷ ଶିକ୍ଷକତା କରିଥିଲେ ସେ ।ସ୍ବାମୀ ଯେହେତୁ ଜଣେ ସମାଜସେବୀ ଥିଲେ, ଶନିବାର ଓ ରବିବାର ବିଦୁଲତା ସ୍ବାମୀଙ୍କ ସାଙ୍ଗରେ ବିଭିନ୍ନ ଗାଁକୁ ଯାଉଥିଲେ। 

Oplus_131072

କୁଇ ଅନୁବାଦିକାରୁ ସମାଜସେବୀ

ସ୍ୱାମୀଙ୍କ ଭାଷା ଆଦିବାସୀ ଲୋକମାନେ ବୁଝି ପାରନ୍ତି ନାହିଁ । ତେଣୁ ସେ ଆଦିବାସୀମାନଙ୍କୁ ‘କୁଇ’ ଭାଷାରେ ବୁଝାଇବାକୁ ଚେଷ୍ଟା କଲେ। ବିଦୁ ‘କୁଇ’ ଭାଷାରେ ପ୍ରବୀଣା ଥିଲେ, କାରଣ ସେ ସେହି ଆଦିବାସୀ ସମ୍ପ୍ରଦାୟର ଝିଅ। ଲୋକଙ୍କର ନିକଟତର ହେବା, ସେମାନଙ୍କର ସମସ୍ୟା ବୁଝି ସେସବୁର ସମାଧାନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଥିଲା । ସେ ସମୟରେ ଓଡ଼ିଆରେ କଥାବାର୍ତ୍ତା ହେଲେ ଆଦିବାସୀ ଲୋକମାନେ ବାହାର ଲୋକ ଭାବି କବାଟ ବନ୍ଦ କରି ବାଡ଼ି ପଟେ ଯାଇ ଲୁଚୁଥିଲେ । ଏଭଳି ସାମାଜିକ ସ୍ଥିତିରୁ ଜନଜାତି ଲୋକଙ୍କୁ ଉଦ୍ଧାର କରିବା ଲାଗି କେବଳ ଜନଜାତିଙ୍କ ବିକାଶ ପାଇଁ ହିଁ ବିଦୁଙ୍କୁ ସରକାରୀ ଚାକିରି ଛାଡ଼ିବାକୁ ପଡ଼ିଲା । ସମାଜ ସେବାର ମଙ୍ଗ ଧରିବାକୁ ବାଧ୍ୟ ହେଲେ ସେ ।

ଆଦିବାସୀ ମଞ୍ଚର ଜନ୍ମ

ସ୍ୱାମୀଙ୍କର ଆବଶ୍ୟକ‌ତା ଓ ଆଦିବାସୀ ଲୋକମାନଙ୍କର ଅନୁରୋଧ ହେତୁ ୧୯୯୨ ମସିହାରେ ବିଦୁଲତା ଚାକିରି ଛାଡ଼ିଲେ । ୧୨ ଟି ଆଦିବାସୀ ଯୁବକ ଯୁବତୀଙ୍କୁ ନେଇ ଏକ ଆଦିବାସୀ ମଞ୍ଚ’ ଗଢ଼ିଲେ ଏବଂ ଏହି ମଞ୍ଚର ୩ ଜଣ ରାଜ୍ୟ ଆବାହକ ରହିଲେ। କୋରାପୁଟ ଜିଲ୍ଲା ପାଇଁ ବିଦୁଲତା ନିଜେ ଆବାହକ ଥିଲେ । ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଅନ୍ୟ ଜଣେ ଆବାହକ । ସମ୍ବଲପୁର ଜିଲ୍ଲା ପାଇଁ ଆଉ ଅନ୍ୟ ଜଣେ। କେବଳ ଆଦିବାସୀ ହିଁ ଏହି ମଞ୍ଚର ନେତୃତ୍ୱ ନେଇ ପାରିବେ ବୋଲି ନିଷ୍ପଭି ନିଆଗଲା । ଏହି ମଞ୍ଚର ମୁଖ୍ୟ ଲକ୍ଷ୍ୟ ଥିଲା ଜଙ୍ଗଲ, ଜଳ ଜମିର ଉଦ୍ଧାର କରିବା । ସେତେବେଳେ ସାହୁକାରମାନେ ମଦ ଦେଇ ଆଦିବାସୀ ଲୋକମାନଙ୍କର ଜମି ନେଇ ଯାଉଥିଲେ। କାରଣ ସେମାନେ ସାହୁକାରର ପଇସା ଶୁଝି ପାରୁ ନ ଥିଲେ। ମଞ୍ଚର ଦାବି ଥିଲା ଯେ, ଆଦିବାସୀ ଅଞ୍ଚଳରେ ପଞ୍ଚାୟତ ସରପଞ୍ଚ, ବ୍ଲକ ଓ ଜିଲ୍ଲା ପରିଷଦର ଚେୟାରମ୍ୟାନ ଜଣେ ଜଣେ ଆଦିବାସୀ ହିଁ ରହିବେ । ଭାଇସ୍ ଚେୟାରମ୍ୟାନ୍ ପଦଟି ଅଣ ଆଦିବାସୀ ହେବାରେ ବାଧା ନାହିଁ । ଗାଁର ବନ୍ଧ, ଜମି, ତୋଟା ପ୍ରଭୃତି ସରପଞ୍ଚଙ୍କ ହାତରେ ରହୁ । 

ସାକାର ହେଲା ମାତୃଭାଷାରେ ଶିକ୍ଷା ଦାବି 

ସେତେବେଳେ ଓଡ଼ିଶାର ୬୨ ପ୍ରକାର ଆଦିବାସୀ ଗୋଷ୍ଠୀ ର ନିଜସ୍ଵ ମାତୃଭାଷା ମଧ୍ୟରୁ ୩୦ ରୁ ୩୨ ଭାଷା ଲୋପ ପାଇ ଯାଇଥିଲା । ମାତ୍ର ବ୍ୟବହୃତ ଅନ୍ୟ ଆଦିବାସୀ ଭାଷାଗୁଡ଼ିକୁ ଯେପରି ସରକାରୀ ମାନ୍ୟତା ମିଳୁ । ପିଲାମାନେ ଅଙ୍ଗନବାଡ଼ିରେ ତଥା ବିଦ୍ୟାଳୟରେ ନିଜ ନିଜ ବ୍ୟବହୃତ ଆଦିବାସୀ ଭାଷାରେ ହିଁ ପଢ଼ି ପାରିବେ । ଏଥିପାଇଁ ବ୍ୟବସ୍ଥା ହେଉ ବୋଲି ଆଦିବାସୀ ମଞ୍ଚ ଦାବି କଲା । ଓଡ଼ିଆରେ ପଢ଼ିବା ଦ୍ବାରା ଅଧିକାଂଶ ପିଲା ଓଡ଼ିଆ ଭାଷା ବୁଝି ନ ପାରି ପାଠ ଛାଡ଼ି ପଳାଉ ଥିଲେ । ପରେ ମଞ୍ଚର ଦାବିକ୍ରମରେ ଅଙ୍ଗନବାଡ଼ିରେ ଆଦିବାସୀ ଭାଷାରେ ‘ଅରୁଣିମା’ ବହି ପଢ଼ାଗଲା । ଆଦିବାସୀ ଭାଷାରେ ପିଲାମାନେ ପାଠ ପଢ଼ିବାକୁ ଆରମ୍ଭ କଲେ। ବିଦ୍ୟାଳୟ ଓ ଅଙ୍ଗନବାଡ଼ିମାନଙ୍କରେ ଆଦିବାସୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଲେ। ୧୯୯୬ ମସିହାରେ ସରକାରଙ୍କ ଦ୍ବାରା ‘ପେସା ଆକ୍ଟ’ ଲାଗୁ କରାଗଲା । ମଞ୍ଚରେ ଆଦିବାସୀମାନଙ୍କ ତରଫରୁ ଯେଉଁ ଦାବି ରଖା ଯାଇଥିଲା, ପେସା ଆକ୍ଟ ଜରିଆରେ ସେହି ସବୁ ଦାବି ପୂରଣ ହେଲା। ଆଜି ଜାତୀୟ ଶିକ୍ଷା ନୀତି ବଳରେ ମାତୃଭାଷା ଓ ସଂସ୍କୃତି ଆଧାରିତ ଶିକ୍ଷାଦାନ ଲାଗି ସରକାର ବଦ୍ଧ ପରିକର ।  ସମଗ୍ର ଦେଶର ଶିଶୁମାନେ ନିଜ ମାତୃଭାଷାରେ ପଢିବେ । ଏହି ପରିବର୍ତ୍ତନ ଦେଖି ଖୁବ ସନ୍ତୋଷ ଦେଇଛି ବୋଲି ବିଦ୍ୟୁଲତା କହିଛନ୍ତି । ଆଗକୁ ଆହୁରି ଅନେକ କାମ କରିବାକୁ ବାକି ଅଛି ବୋଲି କହିଛନ୍ତି ସେ ।

ପରବର୍ତ୍ତୀ ଜୀବନ

ପରବର୍ତ୍ତୀ ସମୟରେ ବିଦୁଲତାଙ୍କର ସମାଜସେବା କାମରେ ଶିଥିଳତା ଆସିଲା କାରଣ, ନାରାୟଣପାଟଣା ବ୍ଲକ ନକ୍ସଲ ପ୍ରଭାବିତ ହେବାରୁ ଆଦିବାସୀମାନେ ଭୟରେ ଦିନବେଳେ ଗାଁ ଛାଡ଼ି ଦେଉଥିଲେ ଓ ରାତ୍ରି ସମୟରେ ଏହିଭଳି କାମ କରି ହେଉ ନ ଥିଲା । ଯେଉଁ ସ୍ୱେଚ୍ଛାସେବୀମାନେ ରାତିରେ ଆଦିବାସୀମାନଙ୍କୁ ସଙ୍ଗଠିତ କରି କିଛି ଉନ୍ନତିମୂଳକ କାମ କରିବାକୁ ଚାହୁଁଥିଲେ, ସେମାନେ ନକ୍ସଲମାନଙ୍କ ବନ୍ଧୁକ ଓ ଗୁଳି ମାଡ଼ ଦେଖି ଡରି ଯାଉଥିଲେ। କେଉଁଠି ଲ୍ୟାଣ୍ଡମାଇନ ବିଛା ହୋଇ ଥିବ ସେ ଭୟ ବି ଥିଲା । ସରକାରୀ କାମ ପାଇଁ ପଇସା ଦେଲେ ବି ପିଲାମାନେ ଆଗକୁ ବାହାରି କାମ କଲେ ନାହିଁ। ଏବେ କେବଳ ଆଦିବାସୀମାନଙ୍କ ପାଇଁ ‘ମାଆ ଗୃହ କାମ ଚାଲିଛି। ଜୀବନ ଜୀବିକା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ଲୋକପାଳ- 0m-budsman (ଶାସନ କ୍ଷେତ୍ରରେ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଆପତ୍ତି ଓ ଅଭିଯୋଗଗୁଡ଼ିକର ଅନୁସନ୍ଧାନ ପାଇଁ ଭାରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ) ପଦରେ ୪ ବର୍ଷ କାମ କରିଛନ୍ତି । ବିଦୁଲତା ଏବେ ଜିଲ୍ଲା ଶିଶୁ କଲ୍ୟାଣ ସମିତି (Child Welfare Committee)ର ଚେୟାରମ୍ୟାନ ଅଛନ୍ତି । ରାୟଗଡ଼ା ଜିଲ୍ଲାରେ ୧୮ ବର୍ଷରୁ କମ୍ ବୟସର ଅନାଥ ପିଲାମାନଙ୍କର ଥଇଥାନ ଓ ପାଠପଢ଼ା ଦାୟିତ୍ୱ ନେବା ତାଙ୍କର ବର୍ତ୍ତମାନ ମୁଖ୍ୟ କାମ ହୋଇ ଯାଇଛି।ବିଦୁଲତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ଝିଅର ଅକାଳ ମୃତ୍ୟୁ ମଧ୍ୟ ତାଙ୍କ କାମକୁ ଅଟକାଇ ପାରି ନାହିଁ । ଆଜି ଓଡ଼ିଶା ମାଟି ଓ ରାଜ୍ୟର ସମଗ୍ର ଆଦିବାସୀ ସମାଜ ବିଦୁଲତାଙ୍କ ପରି ଏକ ବିଦୁଷୀ କନ୍ୟା ପାଇଁ ଗର୍ବିତ ।

ଏଭଳି ମହାନ ସମାଜସେବୀଙ୍କୁ ପ୍ରତିଫଳନ ଜଣାଉଛି ହାର୍ଦ୍ଦିକ ଅଭିନନ୍ଦନ ।

Spread the love