ଅଧିକାର ପାଇଁ ଲଢେଇ
ସେ ଦୁଇ ଦୁଇ ଥର ସରପଞ୍ଚ । ସମାଜସେବୀ ମଧ୍ୟ । ନିଜ ଅଞ୍ଚଳର ସେ ପ୍ରାଣକର୍ତ୍ତା । ଫୁଲ ପରି ହୃଦୟ ତାଙ୍କର କୋମଳ । ଅଥଚ ଅନ୍ୟାୟ ବିରୋଧରେ ସେ ହୋଇପଡନ୍ତି କଠୋର । ସମସ୍ୟା ସମାଧାନ ପାଇଁ ଜୁଝି ଯାଆନ୍ତି । ସେ ହେଉଛନ୍ତି ଫୁଲମେ ମାଝୀ । ଫୁଲମେଙ୍କ ଘର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିକଟବର୍ତ୍ତୀ ରାଜେନ୍ଦ୍ରପୁରରେ । ବୟସ ୪୦ ବର୍ଷ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ । ଆଦିବାସୀ ଭାଇଭଉଣୀଙ୍କ ସେବାରେ ଲୀନ ରହି ସେ ନିଜେ ଘରସଂସାର କରିପାରି ନାହାନ୍ତି । ଦିନରାତି ତାଙ୍କର ଚିନ୍ତା – ଆଦିବାସୀ ଭାଇଭଉଣୀମାନେ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ଓ କିପରି ତାଙ୍କର ସଶକ୍ତିକରଣ ହୋଇ ପାରିବ । ନିଜ ଅଧିକାର ବିଷୟରେ ସଚେତନ ହେଲେ ସେମାନେ ସରକାରଙ୍କର ସୁବିଧା ସୁଯୋଗକୁ ଉପଲବ୍ଧ କରି ପାରିବ । ଏହି ଚିନ୍ତାକୁ ସାକାର କରି ଚାଲିଛନ୍ତି ନିଜ କର୍ମରେ ।
ଜୀବନ ଯାତ୍ରା
ସପ୍ତମ ପାସ୍ ପରେ ଘରର ଅସୁବିଧା ଯୋଗୁ ଆଗକୁ ପଢ଼ି ପାରିଲେ ନାହିଁ । ତେଣୁ FAR organisation ରେ ଫିଲ୍ମ ୱାର୍କର ରୂପେ କାମ କଲେ । ସେତେବେଳେ ଆଦିବାସୀ ବାପା ମାଆ ଝିଅମାନଙ୍କୁ ପାଠ ପଢ଼ିବାକୁ ଛାଡୁ ନ ଥିଲେ । ଶୀଘ୍ର ବିବାହ କରି ଦେଉଥିଲେ । ଲୋକମାନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ । ଫୁଲମେ ଏହି ଭଳି ଅନେକ ପ୍ରକାରର ସମସ୍ୟାର ସମାଧାନ ପାଇଁ ଲାଗି ପଡ଼ିଲେ । ୨୦୦୩- ୨୦୦୪ ରେ ବାପା ମାଆମାନଙ୍କୁ ବୁଝାଇ ଶୁଝାଇ ୫୦୦ ଆଦିବାସୀ ପିଲାମାନଙ୍କୁ ନେଇ ପାଠ ପଢ଼ିବା ପାଇଁ ଭୁବନେଶ୍ବରର KISS ରେ ନାମ ଲେଖାଇଲେ । ମାଗଣାରେ ରହି ଖାଇ ପିଇ ପିଲାମାନେ ପାଠ ପଢ଼ି ମଣିଷ ହେଲେ । ସେମାନଙ୍କ ମଧ୍ୟରୁ ସନାତନ ମାଝୀ ନାମକ ଗୋଟିଏ ପିଲା 0.A.S ପାଇଛି । ଅନ୍ୟମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କର୍ମଚାରୀ । ଫୁଲମେଙ୍କ ଉପରେ ସେହି ପିଲାମାନଙ୍କର ଅଭିଭାବକମାନଙ୍କର ଯଥେଷ୍ଟ ଭରସା ଥିଲା।

ସରପଞ୍ଚ ଦିଦି
ପରେ ସେ ଲାଞ୍ଜିଗଡ଼ର ସରପଞ୍ଚ ହୋଇଥିଲେ । ଗୋଟିଏ ଥର ନୁହେଁ, ସେ ଦୁଇ ଦୁଇ ଥର ସରପଞ୍ଚ ହୋଇ ସେ ଅଞ୍ଚଳର ବହୁତ ଉନ୍ନତିମୂଳକ କାମ କରିବାରେ ସମର୍ଥ ହୋଇ ପାରିଛନ୍ତି । ଯେତେବେଳେ ସେ ପ୍ରଥମ ଥର ପାଇଁ ସରପଞ୍ଚ ହେଲେ, ଲକ୍ଷ୍ୟ କଲେ ସରକାରଙ୍କ ଠାରୁ ଆସୁଥିବା ଚାଉଳ ହିତାଧିକାରୀ ନିୟମିତ ପାଇ ପାରୁନାହାନ୍ତି । କେହି ହିତାଧିକାରୀ ୬ ମାସ ତ କେହି ୮ ମାସ, ଏପରିକି କେହି କେହି ବର୍ଷ ବର୍ଷ ଧରି ଚାଉଳ ପାଇ ନ ଥିଲେ । ଘରେ ଘରେ ବୁଲି ସର୍ଭେ କରି ଏହି ବିଷୟରେ ଅବଗତ ହେଲେ । ଶେଷରେ ଡିଲରଙ୍କ ବିରୁଦ୍ଧରେ ଲେଖା ଲେଖି କଲେ । ପରବର୍ତ୍ତୀ ଅବସ୍ଥାରେ ସେହି ଡିଲର ଠାରୁ ୧୮୦୦ କ୍ରିଣ୍ଟାଲ ଓ ୪୮୧ କ୍ରିଣ୍ଟାଲ ଚାଉଳ ଭରଣା ହୋଇ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ସରପଞ୍ଚ ପଦବୀରେ ଥିଲା ବେଳେ ଏହା ତାଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟ ଥିଲା।

‘ଉନ୍ନୟନ’ର ଜନ୍ମ
୧୯୯୮ ମସିହାରେ ଫୁଲମେ ‘ଉନ୍ନୟନ’ ନାମରେ ଏକ ସ୍ଥାନୀୟ ସଂଗଠନ ଗଠନ କରିଛନ୍ତି। ଚାଷୀମାନଙ୍କ ପାଇଁ ଶସ୍ୟ ପାଣ୍ଠି ଓ ମହିଳାମାନଙ୍କ ଉନ୍ନତି ପାଇଁ ସେ ନିଜେ ନେତୃତ୍ୱ ନେଇଛନ୍ତି । ନିଜେ ଲାଞ୍ଜିଗଡ ବ୍ଳକରେ ୨୦୦ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ସେଗୁଡ଼ିକ ଏବେ ମିଶନ ଶକ୍ତିରେ ଅନ୍ତର୍ଭୁକ୍ତ । ଘରୋଇ ହିଂସା ଉପରେ କାମ କରି ୧୫ ଜଣ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି । ମଦ ନ ପିଇବାକୁ ଗୁରୁଜନମାନଙ୍କୁ ବୁଝଉଛନ୍ତି । ମଦର ଅପକାରିତା ବିଷୟରେ ବୁଝାଇ ଅନେକ ଲୋକଙ୍କୁ ମଦ ଛଡାଇଛନ୍ତି ଏବଂ ପ୍ରାୟ ୪୦ ଟି ପରିବାର ସଜାଡ଼ିବାରେ ରେ ସକ୍ଷମ ହୋଇଛନ୍ତି । ଅର୍ଥନୈତିକ ଉନ୍ନତି ପାଇଁ ମହିଳାମାନଙ୍କୁ ଅନେକ ବୁଝାଇଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅନେକ ମହିଳା ନିଜେ ନିଜେ ବିଭିନ୍ନ ଜିନିଷ ଉତ୍ପାଦନ କରି ବଜାରରେ ବିକ୍ରି କରିବା ଦ୍ବାରା ସେମାନେ କିଛି ଧନ ପାଉଛନ୍ତି ଓ ପରିବାରର ଆର୍ଥିକ ଅବସ୍ଥା ସ୍ବଛଳ ହୋଇ ପାରିଛି।
ଲଣ୍ଡନ ଯାତ୍ରା
ଆଦିବାସୀ ମହିଳାମାନଙ୍କ ସଶକ୍ତିକରଣରେ ଫୁଲମେଙ୍କର ଭୂମିକା ଅବର୍ଣ୍ଣନୀୟ। ନିୟମଗିରି ଆନ୍ଦୋଳନ, ଖଣ୍ଡୁଆଳ ମାଳି ଓ ଟିଜେ ମାଳିର ସୁରକ୍ଷା ନିମନ୍ତେ ସକ୍ରିୟ ଭୂମିକା ମିକା ଗ୍ରହଣ କରି ଲୋକମାନଙ୍କ ଦ୍ବାରା ପ୍ରଶଂସିତ ହୋଇ ଅଛନ୍ତି । ସରକାରୀ ଓ ବେ ବସରକାରୀ ସ୍ତରରେ ସେ ଅନେକ ପୁରସ୍କାର ଓ ପ୍ରଶଂସା ଲାଭ କରିଛନ୍ତି । ପରିବେଶର ସୁରକ୍ଷା ନିମନ୍ତେ ତାଙ୍କର ର ମହତ୍ଵପୂର୍ଣ୍ଣ ଭୂମିକା ଥିବା ହେତୁରୁ ୨୦୦୭ ମସିହାରେ ସେ ନିମନ୍ତ୍ରଣ ପାଇଁ ଲଣ୍ଡନ ଯାତ୍ରା କରିବାର ସୁଯୋଗ ପାଇଥିଲେ । ଗତ ବିଧାନସଭା ନିର୍ବାଚନରେ ସେ ଲାଞ୍ଜିଗଡ଼ ବିଧାନସଭା ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା ବି କରିଛନ୍ତି । ନିଃସ୍ବାର୍ଥପର ଭାବରେ ଅତି ନିଷ୍ଠାର ସହ ଜନଜାତିଙ୍କ ଭିତରେ ହଜି ଯାଇ ଆଦିବାସୀ ଭାଇଭଉଣୀଙ୍କ ପାଇଁ କାମ କରି ସେ ବହୁ ଚର୍ଚ୍ଚିତା ।
ମହାନ ନାରୀ ନେତ୍ରୀ ଫୁଲମେଙ୍କୁ ପ୍ରତିଫଳନ ପକ୍ଷରୁ ପ୍ରଚୁର ଅଭିନନ୍ଦନ