ପ୍ରେରଣାର ଉତ୍ସ ପଦ୍ମଶ୍ରୀ କମଳା ପୂଜାରୀ
ପଦ୍ମଶ୍ରୀ କମଳା ପୂଜାରୀ ହେଉଛନ୍ତି ତାଙ୍କ ବଡ଼ ମାଆ, ପିଲା ଦିନେ ବଡ଼ ମାଆଙ୍କ ସାଙ୍ଗରେ ଧାନ କ୍ଷେତକୁ ଯାଇ ତାଙ୍କ ଠାରୁ ପୁରୁଣା କାଳିଆ ଧାନ କିସମଗୁଡ଼ିକର ସଂରକ୍ଷଣ ଓ ତାର ଚାଷକାର୍ଯ୍ୟ ଶିଖିବା ଏବଂ ସ୍ବାମୀନାଥନ୍ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବା ଆଦି ବିଷୟ ସେ ତାଙ୍କର ବଡ଼ ମାଆଙ୍କ ଠାରୁ ଶିଖି ଅଛନ୍ତି । ପ୍ରଥମେ ବଡ଼ ମାଆଙ୍କ ଠାରୁ ୧୭୦ ପ୍ରକାରର ପାରମ୍ପରିକ ଧାନ ବିହନ ଆଣି ତାଙ୍କର କ୍ଷେତ୍ରରେ ଚାଷ କରିବା ସହିତ ବଡ଼ ମାଆଙ୍କର ପଦ୍ଧତିରେ ସଂରକ୍ଷଣ କରିବାକୁ ଲାଗିଲେ। କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦ ଟି କିସମ ତାଙ୍କ ପାଖରେ ରହି ପାରିଲା ନାହିଁ। ତଥାପି ବର୍ତ୍ତମାନ ସେ ତାଙ୍କ ପାଖରେ ପ୍ରାୟ ୭୦ ଟି କିସମର ଧାନକୁ ବଞ୍ଚାଇ କରି ରଖି ପାରିଛନ୍ତି I ନିଜର ନିରନ୍ତର ଚେଷ୍ଟା ଏବଂ ବଡ଼ ମାଆଙ୍କର ପ୍ରେରଣା ବଳରେ ପ୍ରାୟ ୨୦ ବର୍ଷ ପୂର୍ବରୁ ଆଉ ଏକ ନୂଆ କାର୍ଯ୍ୟ ସେ ହାତକୁ ନେଇ ଥିଲେ । ତାହା ହେଉଛି ମାଣ୍ଡିଆ ଚାଷ ।
ଜୀବନ କାହାଣୀ
ରାଜ୍ୟ ଓ ରାଷ୍ଟ୍ରୀୟ ସ୍ମରରେ ବହୁ ପୁରସ୍କାର ବିଜୟିନୀ ରାଇମତି ଘିଉରିଆଙ୍କର ଘର କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ୍ ସ୍ଥିତ ଲିମା ଗ୍ରାମ ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ । ସ୍ବାମୀ ଗୋବିନ୍ଦ ଘିଉରିଆ ଜଣେ ସାଧାରଣ ଚାଷୀ । ତାଙ୍କର ମୋଟ ଜମିଜମା ୭ ଏକର ମଧ୍ୟରୁ ୬ ଏକର ଚାଷ ଉପଯୋଗୀ ବାକି ଏକ ଏକର ହେଉଛି ଜଙ୍ଗଲ ଜମି । ବାପ ଘର ଗ୍ରାମ ଜୟପୁର ବ୍ଲକ୍ ର ପାତ୍ରପୁଟ ପଦ୍ମଶ୍ରୀ କମଳା ପୂଜାରୀଙ୍କର ଗ୍ରାମ ଅଟେ I ପିଲାଟି ଦିନରୁ ନିଜେ ପରିଶ୍ରମ କରି ବଞ୍ଚି ଆସିବା ସହ ଅନ୍ୟକୁ ବଞ୍ଚେଇବା ପାଇଁ ପଣ କରିଛନ୍ତି । ଏଦିଗରେ ତାଙ୍କ ବଡ଼ ମାଆ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି କହିଛନ୍ତି ରାଇମତି । ବାହାଘର ପରେବି ସେ ଅଟକି ଯାଇ ନାହାଁନ୍ତି ।

ବୋହୁର କରାମତି
ବାହାଘର ପରେ ତାଙ୍କର ଶାଶୁଘର ଗ୍ରାମକୁ ଯାଇ ପାରମ୍ପରିକ ଚାଷକୁ ଆପଣେଇବାର ମନସ୍ଥ କରିଥିଲେ I କମ୍ ପାଣି ବା ବର୍ଷା ଜଳ, ବିନା ରାସାୟନିକ ଓ ସାର ଏବଂ ସୃକ୍ଷ୍ମ ସମୟ ଅବଧିର ଚାଷ ହେଉଛି ମାଣ୍ଡିଆ ଚାଷ। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ କିସମର ମାଣ୍ତିଆର ମଞ୍ଜି ଆଣି ନିଜ କ୍ଷେତରେ ତାକୁ ଲଗାଇ ସେସବୁର ମଞ୍ଜି ବାହାର କରି ପୁଣି ଆସନ୍ତା ବର୍ଷରେ ଲଗାଇବା କାର୍ଯ୍ୟ ନିଖୁଣ ଭାବରେ କରୁଥିଲେ । ସ୍ବାମୀନାଥନ୍ ଟ୍ରଷ୍ଟର ପ୍ରତ୍ୟକ୍ଷ ଅନୁଧ୍ୟାନ ଫଳରେ ସେ ଭିନ୍ନ ଭିନ୍ନ କିସମର ଦେଶୀ ମାଣ୍ଡିଆ ବିହନକୁ ଠିକ୍ ଭାବରେ ସଂରକ୍ଷଣ କରିବା ସହିତ ନିଜ ଗ୍ରାମରେ ଅନ୍ୟ ଚାଷୀ ଭାଇମାନଙ୍କୁ ମାଣ୍ଡିଆ ଚାଷର ଉପକାରିତା ଓ ତା’ର ବିକ୍ରୟ ଦାୟିତ୍ଵ ଗ୍ରହଣ କରିଥିଲେ I କିଛି ବର୍ଷ ମଧ୍ୟରେ କୁନ୍ଦ୍ରା ବ୍ଳକ୍ ର ଆଜି ହଜାର ହଜାର ଚାଷୀ ପରିବାର ମାଣ୍ଡିଆ ଚାଷ କରୁଛନ୍ତି ।

ସାକାର ହେଲା ‘ମିଲେଟ ମିଶନ’ ସ୍ବପ୍ନ
ସ୍ବାମୀନାଥନ୍ ଟ୍ରଷ୍ଟ, ରାଇମତି ଘିଉରିଆ କୋରାପୁଟ ଜିଲ୍ଲା କୃଷି ବିଭାଗର ମିଳିତ ପ୍ରଚେଷ୍ଟାରେ ଓଡ଼ିଶା ସରକାର ଓ ଭାରତର ସରକାରଙ୍କ ବ୍ୟବସ୍ଥାରେ ‘ମିଲେଟ ମିଶନ’ ଗଠନ ସମସ୍ତ ମାଣ୍ଡିଆ ଚାଷୀଙ୍କ ପାଇଁ ବରଦାନ ସଦୃଶ ହୋଇ ଅଛି। ପାରମ୍ପରିକ କୃଷି ଶସ୍ୟ ସବୁ ଆଜି ‘ମିଲେଟ୍ ମିଶନ’ର ସହାୟତାରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ମଣ୍ଡି ମାଧ୍ୟମରେ ଚାଷୀମାନେ ତାଙ୍କର ଉତ୍ପାଦିତ ସାମଗ୍ରୀକୁ ଉଚିତ ଦରରେ ବିକ୍ରି କରି ପାରୁଛନ୍ତି । ରାଇମତିଙ୍କର ଏହା ଏକ ବଡ଼ ସ୍ବପ୍ନ ଥିଲା, ଯାହା ଈଶ୍ବରଙ୍କ ଆଶୀର୍ବାଦରୁ ପୂରଣ ହୋଇ ପାରିଛି । ଆଜି ରାଇମତିଙ୍କର ମାଣ୍ତିଆ କିଆରି ସାରା ଦେଶ ଓ ବିଦେଶ ପାଇଁ ଏକ ବିଶାଳ ପ୍ରୟୋଗଶାଳା ହୋଇ ପାରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକ୍ରମକୁ କ୍ଷେତ୍ର ସ୍ଥଳରେ ପହଞ୍ଚାଇ କୃଷିକୁ ଗୁରୁତ୍ୱ ଦେଇ କୃଷକଙ୍କ ଅର୍ଥନୈତିକ ସ୍ଥିତିର ଉନ୍ନତି ଆଣିବା ଦିଗରେ କୃଷି ବିଭାଗର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି ।ଏଥିପାଇଁ ନିଷ୍ଠାପର ଉଦ୍ୟମ ଚଲାଇଥିବା ଦିଗରେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ କୃଷି ବିଭାଗ ପ୍ରମୁଖ ସଚିବ ଡ଼ ଅରବିନ୍ଦ ପାଢ଼ୀଙ୍କ ଅବଦାନ ଅତୁଳନୀୟ ରହିଛି। ଚାଷୀ ମାନଙ୍କ ସହ ଯୋଗାଯୋଗ କରି ଉତ୍ସାହିତ କରିବା ମିଲେଟଶସ୍ୟ ର ଉତ୍ପାଦନ ବୃଦ୍ଧି ଘଟାଇବା ସହ ତାର ବିକ୍ରି ବଟା ପାଇ ବ୍ୟବସ୍ଥା କରିବାର ଇଛାକୁ ସାକାର କରାଇବା ଓ ବଳିଷ୍ଠ ସହଯୋଗ ଯୋଗୁଁ ମାଣ୍ଡିଆକୁ ଅଧିକ ଲୋକପ୍ରିୟ କରାଇପାରିଛି ବୋଲି ରାଇମତି କହିଛନ୍ତି ।

ରାଇମତିରୁ ମିଲେଟ ରାଣୀ
ସ୍ଵାମୀନାଥନ ଟ୍ରଷ୍ଟ, ଓଡ଼ିଶା ସରକାରଙ୍କ କୃଷି ବିଭାଗ, ମିଲେଟ ମିଶନ ଆଦିର ସହଯୋଗରେ ଆଜି ରାଇମତି ଏକ କୃଷି ବୈଜ୍ଞାନିକଙ୍କର ପ୍ରୟୋଗଶାଳା ପରି ୧୮୦ ଟି ପ୍ରଜାତିର ମାଣ୍ତିଆ ସଂରକ୍ଷଣ କରି ପାରିଛନ୍ତି । ଏହି କାର୍ଯ୍ୟ ପାଇଁ ସେ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ପୁରସ୍କାରର ଅଧିକାରିଣୀ ମଧ୍ୟ ହୋଇଛନ୍ତି । ଭାରତର G-20 ସମ୍ମିଳନୀରେ ରାଇମତିଙ୍କୁ ନିଜର ଅନୁଭୂତି ଏବଂ ମିଲେଟ ବିଷୟରେ କହିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନୁରୋଧ କରା ଯାଇ ଥିବାରୁ ସେ ଭାରି ଗର୍ବିତା G-20 ସମ୍ମିଳନୀରେ ତାଙ୍କୁ ‘ମିଲେଟ୍ ରାଣୀ’ ପୁରସ୍କାରରେ ପୁରସ୍କୃତ କରା ଯାଇଅଛି I କେବଳ ସେତିକି ନୁହେଁ ଓଡିଶା କୃଷି ବିଶ୍ଵ ବିଦ୍ୟାଳୟ ପକ୍ଷରୁ ତାଙ୍କର ଜୀବନବ୍ୟାପୀ ସେବା ପାଇଁ ତାଙ୍କୁ ସମ୍ମାନସୂଚକ ଡକ୍ଟର ଉପାଧି ବି ପ୍ରଦାନ କରାଯାଇଛି । ଆମ ରାଜ୍ୟ ରାଇମତି ପରି ଏକ ସୁନା ଝିଅ ପାଇଁ ଗର୍ବିତ ।
ପ୍ରତିଫଳନ ପକ୍ଷରୁ ରାଇମତିଙ୍କୁ ପ୍ରଚୁର ଅଭିନନ୍ଦନ ।