ପ୍ରତିଫଳନ ମିଡ଼ିଆ
ବନ ପୋଡିଗଲେ ସମସ୍ତେ ଜାଣନ୍ତି , ମନ ପୋଡିଗଲେ କେହି ତ ଜାଣନ୍ତି ନାହିଁ । ଏବେ ଏଠି ଜଙ୍ଗଲ ପୋଡ଼ୁଛି । ତା ସହିତ ପରିବେଶପ୍ରେମୀଙ୍କ ମନ ବି ପୋଡୁଛି । ଏବେ ଚାରିଆଡେ ନିଆଁ । ପୋଡ଼ୁଛି ବନ । ସମସ୍ତେ ଦେଖୁଛନ୍ତି । ରୋକିବାକୁ କେହି ଯେମିତି ନାହାନ୍ତି । କୋରାପୁଟ ଓ ରାୟଗଡ ଜଙ୍ଗଲରେ ନିଆଁ ଉଦବେଗର ବିଷୟ ପାଲଟିଛି ।
ଜଙ୍ଗଲ ବିଭାଗ ନିୟନ୍ତ୍ରଣ କରିପାରୁନାହିଁ ଜଙ୍ଗଲ ପୋଡ଼ିକୁ। ଜଙ୍ଗଲ ବିଭାଗ ଅସହାୟ ହୋଇପଡ଼ିଥିବା ଭଳି ମାନେ ହେଉଛି । ରାତି ,ଦିନ ପାହାଡ ଓ ଜଙ୍ଗଲ ଗୁଡିକରେ ହୂତ ହୂତୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ମିଲୁଛି। ଯେଉଁ ଭଳି ମାତ୍ରାରେ ଜଙ୍ଗଲ ପୋଡ଼ି ଆରମ୍ଭ ହୋଇଛି ।
ନିଆଁର ଆଁ ଭିତରେ କୋରାପୁଟ ଓ ରାୟଗଡ ଜଙ୍ଗଲ
ଗ୍ରୀଷ୍ମ ଋତୁ ସରିବା ବେଳକୁ ରାସ୍ତା କଡର ଓ ରେଳ ପଥ କଡ଼ରେ ଥିବା ଜଙ୍ଗଲ ପଦା ହୋଇଯିବ ଆଶଙ୍କା ଦେଖାଦେଇଛି । ରାୟଗଡ଼ା ଜିଲ୍ଲାରେ ଜଙ୍ଗଲ ପୋଡ଼ି ବୃକ୍ଷ ପ୍ରେମୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ରେଳପଥରେ ରାୟଗଡ଼ା ରୁ କୋରାପୁଟ ଗଲାବେଳେ ରାଉଳି ଷ୍ଟେସନ ପର୍ଯ୍ୟନ୍ତ ରେଳ ପଥର ଉଭୟ କଡ଼ରେ ଥିବା ବଡ ବଡ ପାହାଡ଼ରେ ନିଆଁ ଲାଗି ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି । ସେହିଭଳି ରାୟଗଡ଼ା ରୁ କୋରାପୁଟ ଗଲାବେଳେ ରାଫୁକଣା ଛକ ମଧ୍ୟରେ 326 ନମ୍ବର୍ ଜାତୀୟ ରାଜପଥର କଡ଼ରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ ପାହାଡ ଗୁଡିକରେ
ଅନେକ ସ୍ଥାନରେ ନିଆଁ ଲାଗିଥିବାରୁ ହୁତୁ ହୁଟୁ ହୋଇ ଜଙ୍ଗଲ ଜଳୁଛି। ବନ୍ ସୁରକ୍ଷା ସମିତି ସହ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରେ ନିଆଁ ନ ଲାଗିବ ସକାଶେ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉନଥିବା ଯୋଗୁଁ ଜଙ୍ଗଲ ପୋଡ଼ି ଭଳି ଅଭାବନିଅ ଓ ଚିନ୍ତାଜନକ ଘଟଣା ଘଟି ଚାଲିଛି। ଅଥଚ ବନ ବିଭାଗ ହାତ ଟେକି ବସିଥିବା ଭଳି ମନେ ହେଉଛି । ପ୍ରତିବର୍ଷ ଜୁନ ଆରମ୍ଭ ହେଲେ ବନ ବିଭାଗ ଉଦ୍ୟମରେ ବୃକ୍ଷ ରୋପଣ ହେଉଛି ସତ । କିନ୍ତୁ ଵଂର ଯତ୍ନ ନେବାରେ ଏବଂ ତାକୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ ମାରୁଛି । ଲୋକଙ୍କୁ ବୁଝାଇବାରେ ବିଭାଗ ବିଫଳ ହୋଇଥିବାରୁ ଗ୍ରୀଷ୍ମ ମାସରେ ଜଙ୍ଗଲରେ ନିଆଁ ଲାଗୁଛି ।

ଗ୍ରୀଷ୍ମ ଆରମ୍ଭ ହୋଇଛି। ଏବେ ଦିନରେ ପ୍ରଚଣ୍ଡ ଖରା ହୋଇ ପ୍ରବଳ ଗରମ ଅନୁଭୂତ ହେଲାଣି ।ଏପଟେ ସନ୍ଧ୍ୟା ହେଲେ ପାହାଡ ଗୁଡିକରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି । ଏହା ଫଳରେ ରାତିରେ ଅଧିକ ଉତ୍ତପ୍ତ ଅନୁଭୂତ ହେଉଛି। ଜଙ୍ଗଲ ପୋଡ଼ିର ଉତ୍ତପ୍ତ ପ୍ରଭାବ ରାସ୍ତା କଡ଼ରେ ଯାଉଥିବା ଲୋକେ ଅନୁଭବ କରୁଛନ୍ତି । ବର୍ତ୍ତମାନ ଠାରୁ ଜଙ୍ଗଲ ପୋଡିକୁ ରୋକିବା ସକାଶେ ଜଙ୍ଗଲ ବିଭାଗ ବ୍ୟାପକ ସତର୍କତା ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।ନଚେତ୍ ଚଳିତ ବର୍ଷର ଗ୍ରୀଷ୍ମ ସରିବା ବେଳକୁ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଜଙ୍ଗଲରୁ ବୃକ୍ଷ ଶୂନ୍ୟ ହୋଇ ପଦା ହୋଇଯିବାର ଆଶଙ୍କା ଉପୁଜିଛି । ଜଙ୍ଗଲ ପୋଡିକୁ ରୋକିବା ପାଇଁ ତୁରନ୍ତ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି