କୋରାପୁଟର ଜନଜାତିଙ୍କୁ କେନ୍ଦୁପତ୍ର ବିକ୍ରି ପାଇଁ ମିଳୁନି ଅଧିକାର# କେନ୍ଦୁଲିଫ ବିଭାଗ ନିକଟରେ ବନ୍ଧା ପଡ଼ିଛି କୋରାପୁଟ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀଙ୍କ ଭାଗ୍ୟ !

କେନ୍ଦୁପତ୍ର ବିକ୍ରି ହୋଇପାରୁନି । ମେରୀ ରାୟରେ ଚାଲିଛି କେନ୍ଦୁ ଲିଫ ବିଭାଗ। କୋରାପୁଟ ଜିଲ୍ଲାରେ ଗ୍ରାମସଭାକୁ ମିଳିଛି ଗୋଷ୍ଠୀ ଜଙ୍ଗଲ ଅଧିକାର । ହେଲେ ନିଜ ଇଚ୍ଛାରେ କେନ୍ଦୁ ପତ୍ର ବିକି ପାରୁ ନାହାଁନ୍ତି ଆଦିବାସୀ । ଗତ ବର୍ଷ ଛଅ ଲକ୍ଷ ବିଡା ହୋଇଗଲା ନଷ୍ଟ। ୨୦ଲକ୍ଷ ଟଙ୍କା ହରାଇଲେ ଆଦିବାସୀ । ଏ ବର୍ଷ ବି ସ୍ଥିତି ଉତ୍କଟ । ରାଜ୍ୟ ସରକାର କେବେ ଦେବେ ଅଧିକାର? କୋରାପୁଟର କେନ୍ଦୁପତ୍ର ତୋଳାଳୀଙ୍କ ଦୁରବସ୍ଥାକୁ ନେଇ ପ୍ରତିଫଳନର ବିଶେଷ ରିପୋର୍ଟ

ସରକାରଙ୍କ ବିଚିତ୍ର ନିୟମ• ଅଧିକାରରୁ ବଞ୍ଚିତ କୋରାପୁଟ ଆଦିବାସୀ• ବଜାର ଦରଠାରୁ ଅଧା ରେ ବିକ୍ରୟ କରୁଛନ୍ତି କେନ୍ଦୁ ପତ୍ର

କେନ୍ଦୁ ପତ୍ର ତୋଳାଳୀ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳାଙ୍କ ଜୀବନ ଜୀବିକା ସଙ୍କଟରେ । ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହରେ ଲାଗି ପଡିଛନ୍ତି  ବୈପାରୀଗୁଡା ଅଞ୍ଚଳର ଆଦିବାସୀ ମହିଳା । କେନ୍ଦୁ ପତ୍ର ବିକ୍ରୟ କଲେ ୨ପଇସା ମିଳିବ ବୋଲି ଆଶା ବାନ୍ଧିଛନ୍ତି । ହେଲେ ଆଦିବାସୀଙ୍କ ଆଶା ପୂରଣ ହୋଇପାରୁନାହିଁ । ପରିଶ୍ରମର ମୂଲ୍ୟ ପାଇ ପାରୁ ନାହାନ୍ତି ଆଦିବାସୀ ମହିଳା। ବାହାରେ ବିକ୍ରୟ ପାଇଁ ପ୍ରଶାସନ ଦେଉନାହିଁ   ଅନୁମତି । ମେରୀ ରାୟ ଶାସନ ଚଳାଇଛି କେନ୍ଦୁଲିଫ ବିଭାଗ । ଉଚିତ୍ ମୂଲ୍ୟ ପାଇ ନପାରି ଶୋଷଣର ଶିକାର ହେଉଛନ୍ତି ଆଦିବାସୀ ।

ଗୋଷ୍ଠୀ ଜଙ୍ଗଲ ଅଧିକାର ଠାରୁ ଦୂରରେ କୋରାପୁଟର ଆଦିବାସୀ 

୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ  ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଗ୍ରାମସଭା କୁ ଗୋଷ୍ଠୀ ଜଙ୍ଗଲ ଅଧିକାର ମିଳିଛି । ଗ୍ରାବାସୀମାନେ ଗ୍ରାମ ସଭା ଜରିଆରେ ସବୁ ପ୍ରକାର ନିଷ୍ପତ୍ତି ନେଇପାରିବେ ।  ରାଜ୍ୟର ସବୁ ଆଦିବାସୀ ଜିଲ୍ଲାରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଜନଜାତି ଲୋକେ ପାଇଛନ୍ତି ।କିନ୍ତୁ କୋରାପୁଟ ଜିଲ୍ଲା ରେ  ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଥିବା ଗ୍ରାମସଭାକୁ କେନ୍ଦୁପତ୍ର ବିକ୍ରୟ କରିବାକୁ ଅନୁମତି ଦି ଆଯାଇ ନାହିଁ । ଫଳରେ କୋରାପୁଟ ଜିଲ୍ଲାର କେନ୍ଦୁ ପତ୍ର ସଂଗ୍ରହ କରୁଥିବା ହଜାର ହଜାର ଆଦିବାସୀ ମହିଳା ସଠିକ୍ ସମୟରେ ଉଚିତ୍ ମୂଲ୍ୟରେ କେନ୍ଦୁ ପତ୍ର ବିକ୍ରୟ କରି ପାରୁନାହାନ୍ତି । ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ସମସ୍ୟାର ସମାଧାନ ହେବ ଗ୍ରାମସଭାକୁ ଅଧିକାର ମିଳିବ ବୋଲି କୋରାପୁଟ ଜିଲ୍ଲା କେନ୍ଦୁ ପତ୍ର ତୋଳାଳୀ ଆଦିବାସୀ ମହିଳା ବହୁତ୍ ଆଶା ବାନ୍ଧିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭେଟି ଗୁହାରି କରିଥିଲେ । ୪ମାସ ବିତିଗଲା ଅଦ୍ୟାବଧି ସୁଫଳ ମିଳିନାହିଁ ବୋଲି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ର ଗ୍ରାମସଭା ମହାସଂଘ ଅଭିଯୋଗ କରିଛି । ପୋଡଶୀ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଗ୍ରାମସଭାକୁ  ଏହି ଅଧିକାର ଦିଆଯାଇଥିବା ବେଳେ କୋରାପୁଟ ଜିଲ୍ଲାର ଗ୍ରାମସଭାକୁଏହି ଅଧିକାରରୁ ବଞ୍ଚିତ କରାଯାଇଛି ବୋଲି କହିଛନ୍ତି ସମାଜସେବୀ ବିଦ୍ୟୁତ୍ ମହାନ୍ତି ।

କରୁଣ ଚିତ୍ର 

 ଗତ ବର୍ଷ ୬ଲକ୍ଷ ବିଡ଼ା କେନ୍ଦୁପତ୍ର  ସଂଗ୍ରହ କରିଥିଲେ କୋରାପୁଟ ବୈପାରିଗୁଡ଼ାର ସ୍ଥାନୀୟ ଆଦିବାସୀ। ସଠିକ୍ ସମୟରେ ବିକ୍ରୟ ହୋଇ ନପରିବାରୁ ବର୍ଷାରେ ଭିଜି କେନ୍ଦୁପତ୍ର ବିଡା ଗୁଡ଼ିକ ନଷ୍ଟ ହୋଇଗଲା । ପ୍ରାୟ ୨୦ଲକ୍ଷ ଟଙ୍କା ହରାଇଥିଲେ ଆଦିବାସୀ । ପରିଶ୍ରମ ପାଣିରେ ଧୋଇ ହୋଇଗଲା। ଏହି ବର୍ଷ ସରକାର ଆଦିବାସୀଙ୍କୁ ଏହି ଅଧିକାର ନଦେଲେ ଗତ ବର୍ଷ ଭଳି  ଚଳିତ ବର୍ଷ ମଧ୍ୟ କେନ୍ଦୁ ପତ୍ର ତୋଲୁଥୁବା ପ୍ରାୟ ୧୦୦୦ ମହିଳା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମ ସଭାକୁ ମିଳି ନଥିବାରୁ କୋରାପୁଟ ଜିଲ୍ଲାରେ କେନ୍ଦୁ ଲିଫ୍ ବିଭାଗ ଦ୍ବାରା କେନ୍ଦୁ ପତ୍ର କିଣା ଯାଉଛି।କେନ୍ଦୁ ଲିଫ ବିଭାଗ  ସଠିକ୍ ସମୟରେ କିଣୁ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗ୍ରାମ ସଭାକୁ ଅଧିକାର ମିଳି ନଥିବାରୁ କେନ୍ଦୁ ପତ୍ର ବିକ୍ରୟ ପାଇଁ  କେନ୍ଦୁ ଲିଫ ବିଭାଗର ଦୟା ଉପରେ ନିର୍ଭରଶୀଳ ରହୁଛନ୍ତି ଆଦିବାସୀ ମହିଳା । କେନ୍ଦୁପତ୍ରକୁ ଗଚ୍ଛିତ ରଖିବାର ବ୍ୟବସ୍ଥା ନଥିବା ବେଳେ ଆବଶ୍ୟକ ସମୟରେ ବିକ୍ରୟ କରି ପାରୁ ନଥିବାରୁ ବର୍ଷା ରେ ଭିଜି ନଷ୍ଟ ହୋଇଯାଉଛି କେନ୍ଦୁ ପତ୍ର ବିଡା।

କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ବପ୍ନ 

ଫଳରେ ଦି’ ପଇସା ରୋଜଗାର କରି ପରିବାର ପରିପୋଷଣ କରିବା ପାଇଁ ସ୍ବପ୍ନ ଦେଖିଥିବା ଆଦିବାସୀଙ୍କ ସ୍ବପ୍ନ  ଚୁରମାର ହୋଇଯାଉଛି ।ମାସ ମାସ ଧରି ପରିଶ୍ରମ କରି କେନ୍ଦୁ ପତ୍ର ତୋଳିଥିବା ଆଦିବାସୀ ମହିଳାଙ୍କ ପରିଶ୍ରମ ବୃଥା ହୋଇପଡୁଛି । ବର୍ତ୍ତମାନ୍ ସୁଧା ପ୍ରାୟ ୧ଲକ୍ଷ ୪୫ ହଜାର ବିଡା କେନ୍ଦୁ ପତ୍ର ସଂଗହ୍ କରିଛନ୍ତି । ଆଗାମୀ ଦିନରେ ୬ଲକ୍ଷରୁ ଉର୍ଦ୍ଧ୍ବ ବିଡା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ପ୍ରତି ବିଡା ପିଛା ୩ ଟଙ୍କା ୨୫ ପଇସାରେ  କିଣୁଛି । ଗ୍ରାମ ସଭା ୩ ଟଙ୍କା ୫୦ ପଇସାରେ କିଣିବାକୁ କହୁଛି । ହେଲେ ବଜାର ରେ ବିଡ଼ା ପିଛା ୬ ରୁ ୭ ଟଙ୍କା ରେ କିଣୁଛନ୍ତି ବ୍ୟବସାୟୀ ।  ଆଦିବାସୀ ସିଧା ସଳଖ ବ୍ୟବସାୟିକୁ ବିକ୍ରୟ କଲେ ପ୍ରଚୁର ଲାଭବାନ୍ ହେବେ । କିନ୍ତୁ ବିକ୍ରୟ ପାଇଁ ଅଧିକାର ଦିଆଯାଇ ନଥିବାରୁ ବଜାର ଦର ଠାରୁ ଅଧା ମୂଲ୍ୟରେ ବିକ୍ରୟ କରିବାକୁ ବାଧ୍ୟ ହେଉଛି ।

ମୋହନଙ୍କ ଦୟାକୁ ଏବେ ଅପେକ୍ଷା 

ଆଦିବାସୀ ଙ୍କ ଜୀବନ ଜୀବିକା ଜଙ୍ଗଲ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛି । ଋତୁ ଅନୁସାରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଯୁଗ ଯୁଗ ଧରି ଜୀବିକା ନିର୍ବାହ କରି ଆସୁଛନ୍ତି ଆଦିବାସୀ । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସଭା କୁ  ଏହି ଅଧିକାର ପାଇବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଅନୁରୋଧ କରିବା ସତ୍ବେ ଅଧିକାର ପାଇଁ ବଞ୍ଚିତ ରହିଛନ୍ତି ଆଦିବାସୀ । ବସନ୍ତ ଗଲା ଗ୍ରୀଷ୍ମ ଆସିଛି । ଏବେ କେନ୍ଦୁ  ପତ୍ର ପାକଳ ହୋଇଛି । କେନ୍ଦୁ  ପତ୍ର ତୋଳିବା ପାଇଁ ଜଙ୍ଗଲ ମୁହାଁ ହୋଇଛନ୍ତି ଆଦିବାସୀ । କେନ୍ଦୁ ପତ୍ର ସଂଗ୍ରହରେ ଲାଗି ପଡିଛନ୍ତି ଆଦିବାସୀ ମହିଳା । କେନ୍ଦୁ ପତ୍ର ବିକ୍ରୟ ହେଲେ ସେହି ପଇସାରେ ୨ରୁ  ୩ମାସ ପାଇଁ ଘର ଚଳାଇବା ରେ ସୁବିଧା ହେବ । ମୋହନ ସରକାର କେବେ ଦୟା କରିବେ। କୋରାପୁଟର ଆଦିବାସୀ କେନ୍ଦୁ ପତ୍ର ବିକ୍ରି କରିବାପାଇଁ ଗ୍ରାମ ସଭାକୁ କେବେ କ୍ଷମତା ମିଳିବ ତାକୁ ଅପେକ୍ଷା । ଏଦିଗରେ କୋରାପୁଟର ହୃଦୟବାନ ତଥା ପ୍ରଗତିଶୀଳ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ହସ୍ତକ୍ଷେପ ପୂର୍ବକ ଜନଜାତିଙ୍କୁ ନାର୍ଯ୍ୟ ଅଧିକାର ପ୍ରଦାନ ସହ କେନ୍ଦୁପତ୍ର ତୋଳାଳୀଙ୍କ ଅନିଶ୍ଚିତତାରେ ପୂର୍ଣ୍ଣଛେଦ ଟାଣିବାକୁ ଆଦିବାସୀ ମହାସଂଘ ନିବେଦନ କରିଛି। କେନ୍ଦୁପତ୍ର ତଳାଳୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାଶନ କହିଛନ୍ତି

Spread the love