(ପ୍ରତିଫଳନ ମିଡିଆ)
ରାଜତନ୍ତ୍ର ଶେଷ ହୋଇଛି । ଭାରତ ସ୍ଵାଧୀନ ହେବାର ର ୭୭ବର୍ଷ ବିତିଯାଇଛି ଯାଇଛି ।। ତଥାପି ଲୋକେ ରାଜାଙ୍କୁ ଭୁଲିନାହାନ୍ତି କି ତାଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ଯୋଗଦେବା ଭୁଲନ୍ତିନି । ଏବେ ବି ରାଜାଙ୍କ ଦେଶରେ ପାତ୍ର, ପିଆଦା, ଗଉନ୍ତିଆମାନେ ଦଶହରା ପର୍ବରେ ଯୋଗ ଦେଇ ମୁଣ୍ଡରେ ଶିରିପା ବାନ୍ଧିବା ସହ ରାଜାଙ୍କ ବନ୍ଧୁକରେ ଲାଖ ବିନ୍ଧନ୍ତି । ରାୟଗଡା ଜିଲ୍ଲା କାଶିପୁର ରାଜପରିବାର ଦ୍ବାରା ଦଶହରା ଅବସରରେ ଆୟୋଜିତ ହେଉଥିବା ଏମିତି ଏକ ବିରଳ ପରଂପରା ଲାଖବିନ୍ଧା ପର୍ଵକୁ ନେଇ ପ୍ରତିଫଳନର ବିଶେଷ ରିପୋର୍ଟ-
ଦଶହରା ଆସିଛି ଯେତେବେଳେ ରାଜଉଆସ କଥା ଭୁଲିଯିବେ କେମିତି ପ୍ରଜା । କାଶୀପୁର ରାଜାଙ୍କ ଦ୍ୱାରା ଆୟୋଜିତ ଦଶହରା ଏବଂ ତଦ ଜନିତ ଲାଖବିନ୍ଧା ପର୍ବକୁ ଅପେକ୍ଷା କରିଥାନ୍ତି କାଶୀପୁରବାସୀ । ରାଜା ଅଛନ୍ତି । କିନ୍ତୁ ରାଜତନ୍ତ୍ର ନାହିଁ । ରାଜା ବି କାହାରିକୁ ଶାସନ କରିବାର ଅବକାଶ ନାହିଁ । ସମସ୍ତେ ସ୍ବାଧୀନ । ତଥାପି କାଶୀପୁର ରାଜାଙ୍କ ନିର୍ଦ୍ଦେଶକ୍ରମେ ସଜବାଜ ହୁଅନ୍ତି ପାତ୍ର, ମନ୍ତ୍ରୀ, ପିଆଦା, ଗଉନ୍ତିଆମାନେ । ଏମାନଙ୍କ ଉପସ୍ଥିତି ଏବଂ ସହଯୋଗକ୍ରମେ ଶହ ଶହ ବର୍ଷ ଧରି ଚାଲିଆସୁଥିବା ପରଂପରା ପାଳିତ ହେଉଛି I ରାଜା କେବଳ ନିର୍ମିତ ମାତ୍ର ମାଆଙ୍କ ପୂଜାରେ ନିଜକୁ ନିୟୋଜିତ କରନ୍ତି ।
କାଶୀପୁର ରାଜପରିବାର ଏବଂ ମା’ ମାଣିକେଶ୍ଵରୀଙ୍କ ମଧ୍ୟରେ ସଂପର୍କ ନିବିଡ । କାଶୀପୁର ଥାଟରାଜାଙ୍କ ଆରଧ୍ୟା ଦେବୀ ହେଉଛନ୍ତି ମା’ ମାଣିକେଶ୍ଵରୀ I ତାଙ୍କର ଆଜ୍ଞା ବିନା ରାଜପରିବାର କୌଣସି କାର୍ଯ୍ୟ କରନ୍ତି ନାହିଁ । ପରଂପରା ମୁତାବକ ରାଜ ପରିବାର ଦାୟାଦ ଦିବ୍ୟନ୍ଦୁ କୁମାର ଦେଓ ପ୍ରଚଳିତ ପରଂପରାକୁ ମାନି ଆସୁଛନ୍ତି । ପେଶାରେ ଏକ ଡାକ୍ତର ହେଲେ ମଧ୍ୟ ମା’ଙ୍କ ପ୍ରତି ରହିଛି ତାଙ୍କର ପ୍ରଗାଢ ଅନୁରକ୍ତି । ସେଥିପାଇଁ ପ୍ରତିବର୍ଷ ଦଶହରା ବଡ ଜାକଜମକରେ ପାଳିତ ହୁଏ କାଶୀପୁରରେ ।
ପରଂପରା ମୁତାବକ ଦଶହରା ପାଇଁ ରାଜାଙ୍କଠାରୁ ତାଙ୍କ ଶାସିତ ବିଭିନ୍ନ ଗ୍ରାମର ମୁଖିଆଙ୍କ ନିକଟକୁ ଖବର ପହଁଚାଯାଏ । ପରେ ପାତ୍ରମନ୍ତ୍ରୀ, ଗଇନ୍ତିଆମାନେ ରାଜଉଆସରେ ପହଁଚି ମା’ ମାଣିକେଶ୍ଵରୀଙ୍କ ପାଟଖଣ୍ଡା ସହ ରାଜା ବ୍ୟବହୃତ କରୁଥିବା ବନ୍ଧୁକକୁ ନେଇ ପୂଜା କରନ୍ତି । ରାଜାଙ୍କୁ ପାରଂପରିକ ରୀତିରେ ଫୁଲଚନ୍ଦନ ଦେଇ ବନ୍ଦାପନା କରିବା ପରେ ରାଜା ମାଆଙ୍କ ନିକଟକୁ ଯାଇ ଆଦେଶ ଭିକ୍ଷା କରନ୍ତି । ମାଆଙ୍କ ଆଦେଶ ମିଳିବା ପରେ ପ୍ରକୃତ ଦଶହରା ପରଂପରା ଆରମ୍ଭ ହୁଏ ।
ଜନଶ୍ରୁତି ମୁତାବକ ମା’ ମାଣିକେଶ୍ଵରୀଙ୍କ ଛତର ଭବାନୀ ପାଟଣାରେ, ମସ୍ତକ ଥୁଆମୂଳରାମପୁରରେ, ପାଦ ରାୟଗଡ ଜିଲ୍ଲାର ଖେଦାପଡାରେ ଥିବାବେଳେ ହୃଦୟ କାଶୀପୁରରେ ରହିଛି । ପୂର୍ବେ ଏସବୁ କାଶୀପୁର ରାଜ୍ୟ ଅଧୀନରେ ଥିଲା ।କାଳକ୍ରମେ ରାଜ ପରିବାର ମଧ୍ୟରେ ଭାଗିଦାରୀ ପରେ ମା’ଙ୍କ ବିଭିନ୍ନ ଅଂଗକୁ ବିଭିନ୍ନ ସ୍ଥାନକୁ ନିଆଯାଇଥିବା କୁହାଯାଇଛି । ବିଜୟା ଦଶମୀ ଦିନ ମା’ଙ୍କ ମନ୍ଦିରରେ ପୂଜା ସଂପନ୍ନ ପରେ ବନ୍ଧୁଳ ଏବଂ ଖଣ୍ଡାକୁ ମେଲଣ ପଡ଼ିଆକୁ ବାଜା ବାଜଣା ସହ ପଟୁଆରରେ ନିଆଯାଇ ସ୍ଥାପନ କରାଯାଏ । ପରେ ଲାଖ ବିନ୍ଧା ପର୍ବ ଆରମ୍ଭ ହୁଏ । ପରଂପରା ମୁତାବକ ଏକ ଗଛରେ ନିଶାଣ ରଖାଯାଇ ନିର୍ବିଷ୍ଟ ଦୂରତାରୁ ବନ୍ଧୁକ ଦ୍ବାରା ନିଶାଣକୁ ଲାଖ ବିନ୍ଧାଯାଏ । ରାଜା ଅମଳରେ ଏହାକୁ ସମରାଭ୍ୟାସ କୁହାଯାଇଥିଲା । ଏଥିରେ ଯାହାର ଲକ୍ଷ୍ୟ ଅଭେଦ୍ୟ ହେଉଥିଲା ତାକୁ ରାଜା ଶିରିପା ବାନ୍ଧିବା ସହ ପୁରସ୍କୃତ କରୁଥିଲେ । କଳାହାଣ୍ଡି ଜିଲ୍ଲାରେ ବି ଏଇ ପରଂପରା ପାଳନ ହେଉଥିବା ଦେଖିବାକୁ ମିଳେ ।
ଏହି ଦିନରେ ସେତେବେଳେ ରାଜା ତାଙ୍କ କର୍ମଚାରୀମାନଙ୍କୁ ପୋଷାକ ମଧ୍ୟ ବଂଟନ କରୁଥିଲେ । ସେଥିପାଇଁ ସେତେବେଳେ ପ୍ରଜାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦିତା ଲାଗି ରହିଥିଲା । ଏବେ କିନ୍ତୁ ଏହା ଏକ ମାତ୍ର ହୋଇ ରହିଛି । କିନ୍ତୁ ଦଶହରା ଆସିଲେ ସାଧାରଣ ଲୋକେ ଲାଖବିନ୍ଧା ପର୍ବରେ ସାମିଲ ହେବା ନେଇ ଉତ୍ସକତାର ସହ ଅପେକ୍ଷା କରିଥାନ୍ତି । ଏହି କାରଣରୁ ଲାଖବିନ୍ଧା ପର୍ବରେ ପ୍ରବଳ ଜନସମାଗମ ହେବା ସହ କିଏ ଲାଖବିନ୍ଧି ଶିରିପା ପିନ୍ଧିବ ସେଥିନେଇ ପ୍ରଜାଙ୍କ ମଧ୍ୟରେ ଉସୁକତା ଦେଖାଦେଇଥାଏ । ତେବେ ପରଂପରା ହେଉକି ରାଜାଙ୍କ ପ୍ରତି ଲୋକଙ୍କ ଅହେତୁକ ଅନୁକଂପା ହେଉ ଲାଖବିନ୍ଧା ପର୍ବ ରାଜା ଓ ପ୍ରଜାଙ୍କ ମଧ୍ୟରେ ଥିବା ନିରୁତା ସଂପର୍କକୁ ଏଯାଏଁ ବଂଚାଇ ରଖିପାରିଛି ।◆◆◆