ଯେଉଁଠି ଆରମ୍ଭ ସେଇଠି ଅନ୍ତ ଓଡ଼ିଆ ଅସ୍ମିତା !

କୋଟିଆକୁ ଆନ୍ଧ୍ରକୁ ଟେକିଦେବେ କି ସରକାର ? : ଆମ କୋଟିଆ ସଙ୍ଗଠନ

ପ୍ରତିଫଳନ ମିଡ଼ିଆ

ଓଡ଼ିଆ ଅସ୍ମିତାକୁ ନେଇ ଚର୍ଚ୍ଚା । ହେଲେ ଏହାର ଆରମ୍ଭସ୍ଥଳକୁ ଭୁଲିଗଲେ ନେତା ଓ ଜନତା । କୋଟିଆ ମାଟିରୁ ଜନ୍ମ ହୋଇଥିଲା ଓଡ଼ିଆ ଅସ୍ମିତାର ସ୍ଲୋଗାନ । କ୍ରମଶଃ ତାହା ରାଜନୈତିକ ସ୍ଲୋଗାନ ପାଲଟିଥିଲା । ଓଡ଼ିଆଙ୍କ ଭିତରେ ଏଭଳି ଜାଗରଣ ସୃଷ୍ଟି କରିଥିଲା । ତାର ପ୍ରତିକ୍ରିୟା ସ୍ବରୂପ ସରକାର ବଦଳି ଯାଇଥିଲା । ବିଗତ ବର୍ଷ ଗୁଡ଼ିକରେ କୋଟିଆରେ ସମସ୍ତେ ଏକାଠି ହୋଇ ଉତ୍କଳ ଦିବସକୁ ପାଳନ କରୁଥିଲେ । ଚଳିତ ବର୍ଷ ଓଡ଼ିଆ ଅସ୍ମିତା କୋଟିଆରୁ ହିଁ ଜାଗୃତ ହେଉ ।
କୋଟିଆରୁ ଆରମ୍ଭ ହୋଇଥିଲା ଓଡ଼ିଆ ଅସ୍ମିତା । 2023 ମସିହା ଏପ୍ରିଲ ପହିଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିଲେ । ଫଗୁଣ ସେନେରୀ ଓ ଫାଟୁସେନେରୀ ଗସ୍ତ କରି ସ୍କୁଲ ପିଲାଙ୍କ ସହ ଆଲୋଚନା କରି ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ସ୍ଲୋଗାନ ଦେଇଥିଲେ ।
ଲୋକଙ୍କ ସହ ମିଶିଥିଲେ । ବୈଠକ କରି କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ଗୁଡ଼ିକର ସୁଫଳ ମିଳୁଛି କି ବୋଲି ପଚାରିଥିଲେ । ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା ନେଇ ଲୋକେ କହିଥିଲେ । ଏହି ସମୟରେ ଆନ୍ଧ୍ରର ପୋଲିସ ଅଧିକାରୀମାନେ ବୈଠକସ୍ଥଳରେ ରହି ଗୁଇନ୍ଦା ଗିରି କରୁଥିବା ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରକ୍ତି ପ୍ରକାଶ କରି ଓଡ଼ିଶା ସୀମା ମଧ୍ୟରୁ ଆନ୍ଧ୍ର ଅଧିକାରୀ ମାନଙ୍କୁ ତୁରନ୍ତ ହଟି ଯିବାକୁ ତାଗିଦ୍ କରିଥିଲେ । ଆନ୍ଧ୍ର ଅଧିକାରୀଙ୍କୁ ଗୋ ବ୍ୟାକ କହି ଓଡ଼ିଶା ସୀମାରୁ ତଡିଥିଲେ ।ଏହା ସହ ବନ୍ଦେ ଉତ୍କଳ ଜନନୀ ସ୍ଲୋଗାନ ଦେବା ସହ ଓଡ଼ିଶା ମାଟିରୁ ଇଞ୍ଚେ ଜମି ଛଡ଼ାଯିବ ନାହିଁ କହି ସୀମାର ସୁରକ୍ଷା ପାଇଁ ତତ୍କାଳୀନ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ । କୋଟିଆର୍ ଫାଟୁ ସେନେରି ରୁ ହିଁ ଉତ୍କଳ ଦିବସ ପାଳନ କରି ଓଡ଼ିଆ ଅସ୍ମିତା କଥା ଉଠାଇଥିଲେ । ଏହା ସେତେବେଳେ ସବୁ ଓଡ଼ିଆଙ୍କ ଭିତରେ ଆଲୋଡନ ସୃଷ୍ଟି କରିଥିଲା ଓ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପଦକ୍ଷେପକୁ ରାଜ୍ୟବାସୀ ଭୂୟଶୀ ପ୍ରଶଂସା କରିଥିଲେ ।

ନିରବ ମୁଦ୍ରାରେ ରାଜ୍ୟ ସରକାର, ଆନ୍ଧ୍ର ମାଡୁଛି ଥରକୁ ଥର

ଓଡ଼ିଶାବାସୀଙ୍କ ନିକଟରେ ଓଡ଼ିଆ ଅସ୍ମିତାର କଥାକୁ ପହଞ୍ଚାଇ ଓଡ଼ିଆ ଅସ୍ମିତାର ଝଡରେ ତତ୍କାଳୀନ ସଶକ୍ତ ସରକାରକୁ ଧରାଶାୟୀ କରିବାରେ ସଫଳ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ବିଜେପି ଦଳ ରାଜ୍ୟରେ ସରକାର ଗଠନ କଲେ । ହେଲେ କୋଟିଆ ସୀମା ବିବାଦକୁ ନେଇ ସରକାର ପୂର୍ବ ପରି ସଶକ୍ତ ରହିଥିବା ମନେହେଉ ନାହିଁ । ସରକାରଙ୍କ ପକ୍ଷରୁ ପ୍ରଭାବୀ ପଦକ୍ଷେପ ଦେଖିବାକୁ ମିଳୁନାହିଁ । ଆନ୍ଧ୍ର ରେ ସରକାର ପରିବର୍ତ୍ତନ ପରେ କୋଟିଆ ସମସ୍ୟା ସମାଧାନ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ଓଲଟା ହୋଇଛି । ଆନ୍ଧ୍ର ଅଧିକାରୀମାନଙ୍କ ଅନୁପ୍ରବେଶ ଅଧିକ ବଢ଼ିଛି । ଏହାକୁ ନେଇ ସରକାର ଯେଉଁଭଳି ଦୃଢ଼ତା ,ତତ୍ପରତା ଦେଖାଇବା କଥା ହେଉନାହିଁ । ସରକାରଙ୍କ ଆଭିମୁଖ୍ୟ ରେ ଶିଥଳତା ରହୁଥିବା ଭଳି ଅନୁଭବ ହେଉଛି । ସରକାରଙ୍କ ଏଭଳି ମନୋଭାବ ରହିଲେ ବୋରାମୁଠା ଭଳି କୋଟିଆ ମଧ୍ୟ ଓଡ଼ିଶା ହାତରୁ ଖସିଯିବ , ଆନ୍ଧ୍ରକୁ ଚାଲିଯିବ ! ୦୫/୦୫/୨୦୧୦ ମସିହାରେ ବୋରାମୁଠାର ତେର ଗୋଟି ଗ୍ରାମ ସୁପ୍ରିମ କୋର୍ଟଙ୍କ ଆଦେଶ ବଳରେ ଓଡିଶା ହରାଇଥିଲା । ଯଦି ସରକାର ଦୃଢତାର ସହ ଲାଗିବ ନାହିଁ ତେବେ କୋଟିଆ ମଧ୍ୟ ଆନ୍ଧ୍ରକୁ ଚାଲିଯାଇ ପାରେ ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡା ଆଶଙ୍କା ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଓଡ଼ିଆ ଅସ୍ମିତାର ବୀଜ ଯେଉଁଠି ବୁଣି ଥିଲେ ସେଇଠି ଅନ୍ତ ହୋଇନଯାଉ ବୋଲି ଗଦାଧର ପରିଡ଼ା କହିଛନ୍ତି । ଓଡ଼ିଆ ଓ ଓଡ଼ିଆ ଅସ୍ମିତା କୁ ସୀମାନ୍ତ ଅଞ୍ଚଳରେ ଘରେ ଘରେ ପହଞ୍ଚାଇ ପ୍ରତି ଲୋକଙ୍କ ମଧ୍ୟରେ ଜାଗୃତ କରିବା ପାଇ କୋଟିଆର ପ୍ରତି ଗାଁ ରେ ଉତ୍କଳ ଦିବସ ପାଳନ କରିବାର ପଦକ୍ଷେପ ଗ୍ରହଣ କରାଯାଉ । ପଞ୍ଚାୟତ ଠାରୁ ଆରମ୍ଭ କରି ପାରଲାମେଣ୍ଟ ପର୍ଯ୍ୟନ୍ତ ସମସ୍ତ ଲୋକ ପ୍ରତିନିଧି ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରି ଏକାଠି କରି ମିଳିତ ହୋଇ କୋଟିଆ ରେ ଉତ୍କଳ ଦିବସ ପାଳନ କରନ୍ତୁ । ହେଲେ ଓଡ଼ିଆଙ୍କ ଏକତା ,ମାଟି ମା ର ସୁରକ୍ଷା କୁ ନେଇ ଆମର ଦୃଢ଼ତା ରହିଥିବା ପ୍ରତିପାଦିତ ହୋଇପାରିବ ବୋଲି ସେ କହିଛନ୍ତି । ସମସ୍ତ ଙ୍କୁ କୋଟିଆରେ ଏକାଠି ହୋଇ ଉତ୍କଳ ଦିବସ ପାଳନ କରିବାକୁ ଗଦାଧର ପରିଡା ନିବେଦନ କରିଛନ୍ତି ।

Spread the love