(ପ୍ରତିଫଳନ ମିଡିଆ)
ଦିନେ ଏଠାରେ କୁଆଁରୀ କନ୍ୟା ବଳି ଦିଆଯାଉଥିଲା । ଏବେ କିନ୍ତୁ ଛାଗ ବଳି ଦିଆଯାଉଛି । ଏହା ଏକ ଶକ୍ତି ପୀଠ । ଏଠାରେ ମାଆ ଦୁର୍ଗା ପୂଜା ପାଆନ୍ତି । ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ସୁରି ପଂଚାୟତ ଆରିବି ଗ୍ରାମରେ ରହିଛି ମାଆ ବନ ଦୁର୍ଗାଙ୍କ ପୀଠ । ଜୟପୁର ରାଜା ନିଜ ଗଡକୁ ତିନିଥର ବଦଳାଇ ରାୟଗଡ଼ରେ ଶାସନ କରୁଥିବା ସମୟରେ ଏହା ପ୍ରତିଷ୍ଠା ହୋଇଥିବା ଜନଶ୍ରୁତିରୁ ଜଣାଯାଏ । ରାଜା ବିଶ୍ଵନାଥ ଦେବ ଏଠାରେ ଏକ ଅସ୍ଥାୟୀ ଗଡ ପ୍ରତିଷ୍ଠା କରିଥିଲେ । ଖଜଣା ଆଦାୟ ଲାଗି ରାଜା ତଥା ରାଜ କର୍ମଚାରୀମାନେ ବିଭିନ୍ନ ଅଂଚଳ ଗସ୍ତ କରୁଥିବା ହେତୁ ଏଠାରେ ରହଣି ଲାଗି ଗଡ଼ ପ୍ରତିଷ୍ଠା କରାଯାଇଥିଲା । ତେବେ ସେତେବେଳେ ଏ ଅଂଚଳ ଅଗମ୍ୟ ଏବଂ ଘଂଚ ଜଂଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଜନଧନ ରକ୍ଷା ଲାଗି ରାଜା ଦେବୀଙ୍କୁ ପ୍ରତିଷ୍ଠା କରିଥିବା ଜଣାଯାଏ । ଶାକ୍ତ ପରଂପରା ମୁତାବକ ଏଠାରେ ଦେବୀ ପୂଜା ପାଆନ୍ତି ।
ଦେବୀଙ୍କ କୌଣସି ବିଗ୍ରହ ନଥିବାବେଳେ କେବଳ ଏକ ଖଣ୍ଡାକୁ ପ୍ରତୀକ ରୂପେ ପୂଜା କରାଯାଏ । ରାଜ ପୂଜକଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡା ସ୍ଥାପନ ସହ ସିନ୍ଦୁର ଲେପନପୂର୍ବକ ଦେବୀ ମାଆଙ୍କ ପ୍ରତିକୃତି ସ୍ଥାପନ କରାଯାଇଛି । ଅପରପକ୍ଷେ ଏହା ଆଦିବାସୀ ଅଧ୍ୟଷିତ ଇଲାକା ହୋଇଥିବାରୁ ଦେବୀଙ୍କୁ ବଂଶାନୁକ୍ରମେ ଆଦିବାସୀ ପୂଳକଙ୍କ ଦ୍ବାରା ପୂଜା କରାଯାଉଛି । ସବୁ ଶକ୍ତି ପୀଠରେ ଦଶହରା ସମୟରେ ଦେବୀଙ୍କୁ ପୂଜା କରାଯାଇଥିବାବଳେ ଏଠାରେ ଆଶ୍ଵିନ ଦ୍ଵିତୀୟା ତିଥିରେ ମାଆଙ୍କ ଶାକ୍ତ ପୂଜା କରାଯିବାର ବିଧି ରହିଛି । ଦ୍ଵିତୀୟା ଦିନ ମାଆଙ୍କ ନୂତନ ପ୍ରତିକୃତି ସିନ୍ଦୁରରରେ ତିଆରି କରାଯାଏ । ପୁଣି ପ୍ରାଣ ପ୍ରତିଷ୍ଠା କରାଯାଏ । ସେଇଦିନ ତମାମ ଆଦିବାସୀ ପରଂପରା ମୁତାବକ ପୂଜା ଚାଲେ । ଏଇ ପୀଠକୁ ଲାଗି ରହିଛି ଏକ ନଈ । ନଈ ଆର ପଟେ ରହିଛନ୍ତି । ଦେବୀ ବନଦୁର୍ଗାଙ୍କ ସାତ ଭଉଣୀ । ଏଠାରେ ସାତ ଭଉଣୀଙ୍କୁ ପୂଜା କରାଯାଏ । ଏକଦା ଏଠାରେ କୁଆଁରୀ କନ୍ୟାଙ୍କୁ ବଳି ଦିଆଯାଇଥିଲା । ସମୟ ସହ ଏଠାରେ ପୋଢ ବଳି ଦିଆଯାଇଥିଲା । ସଂପ୍ରତି ଏଠାରେ ଛାଗ ବଳି ଦିଆଯାଏ । ଦ୍ବିତୀୟା ତିଥିର ମଧ୍ୟ ରାତ୍ରୀରେ ବିଭିନ୍ନ ପାରଂପରିକ ବାଦ୍ୟର ତାଳେ ତାଳେ ଆଦିବାସୀ ପୂଜକ ନାଚିବା ସହ ସାତ ଭରଣା ପୀଠରେ ବଳି ଦିଆଯାଏ । ପରେ ଛାଗର ରକ୍ତକୁ ପତ୍ରରେ ଆଣି ବନଦୁର୍ଗାଙ୍କ ନିକଟରେ ନୂଆ ମହୁଲ ମଦ ସହ ଅର୍ପଣ କରାଯାଏ । ଏଇଦିନ ମାନସିକଧାରୀଙ୍କ ପ୍ରବଳ ଭିଡ ହୁଏ । ଆନ୍ଧ୍ର-ଓଡିଶା ସୀମାନ୍ତରେ ଏହା ଅବସ୍ଥିତ ହୋଇଥିବାରୁ ଉଭୟ ରାଜ୍ୟର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ପୂର୍ବରୁ ଏଠାରେ ଦେବୀ ଏକ ନଡାଛପର ଘରେ ପୂଜା ପାଉଥିବାବେଳେ ଏବେ ଏକ ମନ୍ଦିରରେ ପୂଜା ପାଉଛନ୍ତି ।
ବନଦୁର୍ଗାଙ୍କ ପ୍ରତି ଆଦିବାସୀଙ୍କ ଅତୁଟ ବିଶ୍ଵାସ ରହିଛି । ଗୁଣିଗାରେଡିକୁ ନେଇ ଆଦିବାସୀ ସଂସ୍କୃତିରେ ଗୋଟାଏ ପ୍ରକାର ଅନ୍ଧ ବିଶ୍ଵାସ ରହିଥିବାବେଳେ ଏଠାକୁ ଗୁଣି ସନ୍ଦେହ ଥିବା ଲୋକଙ୍କୁ ଆଣି ଶପଥ କରାଇବାକୁ ବାଧ୍ୟ କରାନ୍ତି । କୁହାଯାଏ ଗୁଣି କରୁଥିବା ଲୋକ ଆସି ଏଠାରେ ଗୁଣି କରୁ ନ ଥିବାର ମିଛ ପ୍ରତିଜ୍ଞା କରି ଫେରିଲେ ରାସ୍ତାରେ କାଳେ ତାର ଅକାଳ ବିୟୋଗ ହୁଏ । ଏଇ ବିଶ୍ଵାସ ହେତୁ ବହୁ ଆଦିବାସୀ ଗ୍ରାମର ଲୋକେ ଗୁଣି କରୁଥିବା ସନ୍ଦେହୀ ବ୍ୟକ୍ତିଙ୍କୁ ଆଣି ପ୍ରତିଜ୍ଞା କରାଇ ନିଜ ମନରୁ ସନ୍ଦେହ ଦୂର କରାନ୍ତି । ସେହିପରି ନିଶାଶକ୍ତ ବ୍ୟକ୍ତି ଏଠାରେ ଶପଥ କରି ନିଶା ସେବନ ଛାଡୁଥିବା କଥା କହନ୍ତି ପୂଜକ । ଏଇ ପୀଠ ଆଦିବାସୀ ପରଂପରା ଲାଗି ଏକ ବିଶ୍ଵାସର ପୀଠ ବୋଲି ମନେ କରାଯାଏ ।