ହସ୍ତଶିଳ୍ପ ପାଇଁ ସମର୍ପିତା : ଅମ୍ରିତା

ଓଡ଼ିଶାର ହ୍ୟାଣ୍ଡଲୁମ୍ ଭାରତ ବାହାରେ ପ୍ରସିଦ୍ଧି ଲାଭ କରିଛି କିନ୍ତୁ ଏଥିରେ ଜଡ଼ିତ ବୁଣାକାରମାନେ ତାଙ୍କର ପରିଶ୍ରମ ଓ ଖର୍ଚ୍ଚ ଅନୁସାରେ ପଇସା ପାଇପାରୁନାହାନ୍ତି। ତେଣୁ ଓଡ଼ିଶାର ନାମ ତଥା ବୁଣାକାରଙ୍କ ସ୍ବାର୍ଥ ନିମିତ୍ତ ଅମ୍ରିତା ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ । କେବଳ ସମ୍ବଲପୁର, ବରଗଡ଼ ଓ ସୋନପୁର ଅଞ୍ଚଳର ସମ୍ବଲପୁରୀ ଶାଢ଼ୀର ନାମ ଲୋକମାନେ ଜାଣି ଥାନ୍ତି କିନ୍ତୁ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ହସ୍ତତନ୍ତ ବସ୍ତ୍ରର ଉତ୍ପାଦନ ମଧ୍ୟ ସେହି ଅନୁସାରେ ହୋଇଥାଏ । ମାତ୍ର ସାଧାରଣ ଲୋକେ ଅନ୍ୟ ଅଞ୍ଚଳରେ ଲୋକଙ୍କ ଦ୍ଵାରା ପ୍ରସ୍ତୁତ ଅତି ସୁନ୍ଦର ହାତ ବୁଣା ବସ୍ତ୍ର ବିଷୟରେ ଏତେ ଅବଗତ ନୁହନ୍ତି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ହ୍ୟାଣ୍ଡଲୁମ ବସ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ଅଣ୍ଟା ଭିଡିଛନ୍ତି ଅମ୍ରିତା । ଏଦିଗରେ ସଦା ଉଦ୍ୟମରତା ଅମ୍ରିତା। କେବଳ ବିକ୍ରି ନୁହେଁ, ସେମାନେ କିପରି ଜିଆଇ ଟ୍ୟାଗର ଯୋଗ୍ୟତା ହାସଲ କରି ପାରିବେ, ସେଥିପାଇଁ ସେ ସତତ ଚେଷ୍ଟିତା । ସହୀଦ ନଗରରେ ଥିବା ନିଜର ଦୋକାନରେ ତନ୍ତିକୁ ଓ ତନ୍ତବୁଣାକାରଙ୍କୁ ସମ୍ମାନ ଦେଇ ସେ ଗୋଟିଏ ତନ୍ତ ମଡେଲ ଉପଲକ୍ଷେ ରଖିଛନ୍ତି I ଅମ୍ରିତା ବୁଣାକାରଙ୍କୁ ନିଜେ ଡିଜାଇନ୍ ଦେଇଥାନ୍ତି । କୋଟପାଡ଼, ବମଖାଈ, ସମ୍ବଲପୁରୀ ଆଦି ସମସ୍ତ ପ୍ରକାରର ଶାଢ଼ୀ ବୁଣାଯାଉଛି। ଦରଜୀମାନେ ମଧ୍ୟ ସେଠାରେ ନିଯୁକ୍ତ ଅଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ କପଡ଼ା ରୁ ପୋଷାକ ପତ୍ର ପ୍ରସ୍ତୁତ କରୁଛନ୍ତି । ସେଗୁଡ଼ିକ ହେଲା ଲେହେଙ୍ଗା, କୁର୍ତା, କୋଟ୍ ଓ ଅନ୍ୟାନ୍ୟ ପୋଷାକ ମଧ୍ୟ ଉଭୟ ପୁରୁଷ ଓ ମହିଳାମାନଙ୍କର ପୋଷାକ ସେଠାରେ ତିଆରି କରା ଯାଇଥାଏ।

ବୁଣାକାରଙ୍କ ପାଇଁ ସମର୍ପିତା

ଅମ୍ରିତା ସାବତ – ଓଡ଼ିଶାର ପ୍ରତ୍ୟେକ ବୁଣାକାର ପରିବାରରେ ଏକ ପରିଚିତ ନାମ। ଘର ବ୍ରହ୍ମପୁର ସହରର । ତାଙ୍କର ବାପା ଅରୁଣ କୁମାର ସାବତ ଜଣେ ପ୍ରସିଦ୍ଧ ଚାଟାର୍ଡ ଆକାଉଣ୍ଟାଣ୍ଟ | ମା’ ପ୍ରମୋଦିନୀ ସାବତଙ୍କର ସ୍ନେହ ଓ ଆଶିଷ ସର୍ବଦା ତାଙ୍କ ସହିତ ରହିଛି I ‘ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ’ କମ୍ପାନୀର ଦୁଇ ଫାଉଣ୍ତରଙ୍କ ମଧ୍ୟରେ ସେ ଜଣେ, ଆର ଜଣକ ହେଲେ ତାଙ୍କ ଭଉଣୀ ଅନୀତା ସାବତ । ଅମ୍ରିତା ଭୁବନେଶ୍ବରର ସହିଦନଗରରେ ରହନ୍ତି। ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟର ଇନ୍ ଇନଷ୍ଟ୍ରମେଣ୍ଟାଲ ଇଲେକ୍ଟ୍ରୋନିକସ୍ ଓ ଏମ୍. ବି. ଏ. I ବୟସ ୩୮ ବର୍ଷ । ସେ ତାଙ୍କର ଇନଷ୍ଟାଗ୍ରାମ, ଫେସବୁକ୍ ଓ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ କରା ହେଉଥିବା ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫ୍ଟକୁ ପ୍ରମୋଟ କରାଉଛନ୍ତି I 

ବୁଣାକାରଙ୍କୁ ନେଉଛନ୍ତି ବିଦେଶ

ଅମ୍ରିତା ସବୁବେଳେ ଚେଷ୍ଟା କରନ୍ତି ଲୋକମାନଙ୍କର ଆର୍ଥିକ ଉନ୍ନତିରେ ସେ କିପରି ପ୍ରତ୍ୟକ୍ଷ ସ‌ହାୟକ ହୋଇ ପାରିବେ । ଯେଉଁ ବୁଣାକାରଙ୍କର ପୂର୍ବରୁ ଗୋଟିଏ ବଖରା ଘର ଥିଲା, ସେହି ଗୋଟିଏ ବଖରାରେ ପରିବାରର ସଦସ୍ୟମାନେ ଖୁନ୍ଦାଖୁନ୍ଦି ହୋଇ ରହୁଥିଲେ, ଏବେ ସେହି ବୁଣାକାରଙ୍କର ୪ ମହଲା କୋଠା ଘର ଠିଆ ହୋଇଛି । ଅମ୍ରିତାଙ୍କର କମ୍ପାନୀ ଦ୍ବାରା ପ୍ରମୁଖ ତନ୍ତ କାରୀଗରମାନେ ବିଭିନ୍ନ ଦେଶ ବୁଲି ଯିବାର ସୁଯୋଗ ପାଉଛନ୍ତି; ଯଥା ସିଙ୍ଗାପୁର, ମାଲେସିଆ।ଏହି ମାଷ୍ଟର ୱିଭର୍ ମାନେ ଦେଶ ଦେଶାନ୍ତର ପରିଭ୍ରମଣ କରିବା ଫଳରେ ସେମାନଙ୍କର ମାନସିକ ସ୍ତରରେ ପରିବର୍ତ୍ତନ ଆସିଛି । ବାହାର ଦେଶର ବଜାରର ଆବଶ୍ୟକତାକୁ ଅନୁଭବ କରି ପାରି  ନୂଆ ନୂଆ ଡିଜାଇନ କରିବାରେ ମନ ବଳାଇଛନ୍ତି । 

ଦୁଇ ଭଉଣୀ : ସମାନ କାହାଣୀ

ଅମ୍ରିତାଙ୍କର କମ୍ପାନୀରେ ୯ ଜଣ କର୍ମଚାରୀ ଅଛନ୍ତି। ତାଙ୍କୁ ସିଧାସଳଖ ଭାବେ ନିଯୁକ୍ତି ଦିଆଯାଇଛି ନିଜେ ଦୁଇ ଭଉଣୀ କମ୍ପାନୀକୁ ପରିଚାଳନା କରୁଛନ୍ତି । ଦୁଇ ଭଉଣୀ ହସ୍ତଶିଳ୍ପର ବିକାଶ , ପ୍ରଚାର ଓ ପ୍ରସାର ପାଇଁ ମନପ୍ରାଣ ଦେଇ ଲାଗିଥାନ୍ତି । ମୋଟ ଉପରେ ଦେଖିଲେ ଅମ୍ରିତା ୩୦୦ ବୁଣାକାରଙ୍କର ଆର୍ଥିକ ଉନ୍ନତିରେ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରୁ ଅଛନ୍ତି । ଏକ ସମ୍ଭ୍ରାନ୍ତି ପରିବାରରେ ଜନ୍ମ ହୋଇ ମଧ୍ୟ ସାଧାରଣ ଲୋକମାନଙ୍କର ଆର୍ଥିକ ଉନ୍ନତି ଓ ନିଜ ଦେଶର ସମ୍ମାନ ବଢ଼ାଇବାରେ ସେ ସତତ ଉଦ୍ୟମରତ । ତାଙ୍କର ଏ ପ୍ରଚେଷ୍ଟା ନିଶ୍ଚିତ ଭାବେ ଏକ ଅନନ୍ୟ ପ୍ରୟାସ ଯାହା ପ୍ରଶଂସାର ଯୋଗ୍ୟ। ଭଉଣୀ ଅନିତାଙ୍କ ସହଯୋଗ ପାଇଁ ସେ ସଦା କୃତଜ୍ଞତା ଜ୍ଞାପନ କରନ୍ତି ।

ପ୍ରତିଫଳନ ପକ୍ଷରୁ ଦୁଇ ଭଉଣୀଙ୍କୁ ଜଣାଉଛୁ ହାର୍ଦ୍ଦିକ ଅଭିନନ୍ଦନ ।

Spread the love