ମକର ସଂକ୍ରାନ୍ତି ପାଇଁ ଘର ଦାଣ୍ଡରେ ବାସୁଆ ବଳଦ◆ ହଜିଯାଉଛି ପୁରାତନ ସଂସ୍କୃତି

(ପ୍ରତିଫଳନ ମିଡ଼ିଆ)

ଏବେ ମକର ସଂକ୍ରାନ୍ତି ପାଇଁ ସମସ୍ତେ ସଜବାଜ । ଦକ୍ଷିଣ ଭାରତରେ ଏହା ବଡ଼ ପର୍ଵ । ଉତ୍ତର ପୂର୍ବାଞ୍ଚଳର ଅନେକ ରାଜ୍ୟର ମଧ୍ୟ ଏହା ମୁଖ୍ୟ ପର୍ବ । କୃଷି ଭିତ୍ତିକ ପର୍ଵ। ଅମଳ ପରେ କୃଷକ ହର୍ଷ ଉଲ୍ଲାସର ସହ ଏହା ପାଳନ କରେ । ଏଥିପାଇଁ ସବୁଠି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏ ସମୟରେ ଆପଣଙ୍କ ଦ୍ଵାର ମୁହଁକୁ ବେଶ ପରିପାଟିରେ ସଜ୍ଜିତ ଏକ ବଳଦ ସହ ଲୋକେ ଆସିଯିବେ । ସମସ୍ତେ ହଳଦୀ କି ଗେରୁଆ ବସ୍ତ୍ର ପିନ୍ଧିଥିବେ । ବାଦ୍ୟ, ମହୁରୀ ଓ ହାର ମୋନିଅମ ବଜାଇ ଗୀତ ଗାଉଥିବେ । ପ୍ରତିବଦଳରେ ଘର ମାଲିକ ବିନା ଦ୍ବିଧାରେ କିଛି ସହାୟତା ଦେଉଥିବେ । ରାୟଗଡ଼ା ଜିଲ୍ଲାର ସ୍ଥାନୀୟ ଭାଷାରେ ଏହାର ନାମ ବସୁଆ ବଳଦ ।

ବାସୁଆ ବଳଦକୁ ଘଣ୍ଟି, ଘୁଙ୍ଗୁର, ଫୁଲମାଳ, ରଙ୍ଗବେରଙ୍ଗ ପାଟ ଲୁଗା ଆଦି ପିନ୍ଧାଇ ସଜା ହୋଇଥାଏ । ଯାହାକୁ ତେଲୁଗୁରେ ‘ମୁସ୍ତାପୁ ଆଇକନି ଦେଏବୁଡ଼ୁ ଓଚିଆର଼ୁ’। ଅର୍ଥାତ ସଜେଇ ହୋଇ ଭଗବାନ ବା ଈଶ୍ବରଙ୍କ ଦୂତ ଆସିଲେ ବୋଲି କୁହାଯାଏ। ଏହି ସାଜସଜ୍ଜାର ମୁଖ୍ୟ ଆକର୍ଷଣ ହେଉଛି ବାସୁଆ ବଦଳର  ‘ମୁକୁଟ’ । ତାର ଶିଙ୍ଘରେ ସୁନ୍ଦର ମୁକୁଟ ଲାଗିଥାଏ । ବଳଦ ମୁଣ୍ଡ ହଲାଇଲେ ଖୁବ ମନଛୁଆଁ  ଲାଗେ । ବାସୁଆ ବଳଦକୁ ରାମ ଭୂମିକାରେ ଅବତୀର୍ଣ୍ଣ କରି ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ନଚେଇଥାନ୍ତି । ଆନ୍ଧ୍ରର ଗାଙ୍ଗିଟେଗୁଲୁ ନାମକ ସମ୍ପ୍ରଦାୟ ବସୁଆ ବଳଦକୁ ବୃତ୍ତି ରୂପେ ଗ୍ରହଣ କରିଥାନ୍ତି  । ପିଢି ପରେ ପିଢି ସେମାନେ ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୂର୍ବରୁ ଗାଙ୍ଗିଟେଗୁଲୁ ନାମକ ଏକ ସମ୍ପ୍ରଦାୟ ବସବାସ କରୁଥିଲେ । ଏହି ‘ବାସୁଆ ବଳଦ’ ପରମ୍ପରା ବା ନାଟକ ସେମାନଙ୍କ ମୁଖ୍ୟ ବେଉସା ରହିଥିଲା । ଚଳିତ ସମୟରେ  ଏହି ପ୍ରଥା ଲୁପ୍ତ ହେବାକୁ ଯାଉଛି । ବର୍ତ୍ତମାନ ଏହା ବିଶେଷ ଭାବରେ ଆଉ ଦେଖିବାକୁ ମିଳୁନି । ଆନ୍ଧ୍ରର ଝାଡ଼ିପୁଡ଼ି, ମଞ୍ଜୁସାଗଡ଼, ସାରଙ୍ଗଗଡ଼ ଆଦି ଗ୍ରାମ ମାନଙ୍କରେ ଏହି ସମ୍ପ୍ରଦାୟର ପ୍ରାୟ ଶତାଧିକ ପରିବାର ବସବାସ କରୁଥିବା ଜଣାଯାଏ । ବାଛୁରୀ ଅବସ୍ଥାରୁ ହିଁ ବାସୁଆ ବଳଦକୁ ତାଲିମ ଦେଇ କଳା କୌଶଳ ଶିଖାଇବା ପରେ ତାକୁ ଧରି ଗାଁକୁ ଗାଁ ବୁଲି ନଚାଇଥାନ୍ତି । ଏହାକୁ ଲୋକେ ପଇସା ଦେଇଥାନ୍ତି ଓ ଏଥିରେ ପରିବାର ଭରଣପୋଷଣ ହୋଇଥାଏ। କାଁ ଭାଁ କିଛିଟା ସ୍ଥାନରେ ଏବେ ବାସୁଆ ବଳଦ ଦୃଶ୍ୟମାନ ହେଉଥିବା ବେଳେ ଆଗଭଳି ଲୋକେ ଦେଖିବାକୁ ମିଳୁନି। ବିଶେଷକରି ପାଣ୍ଡୁଗୁ ସମୟରେ ରାୟଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ଏହି ବସୁଆ ବଳଦ ଆସୁଛି । କିନ୍ତୁ ବଳଦ ନାଚ କରୁନି । ଏହାକୁ ଧରି ଆସୁଥିବା ଦୁଇରୁ ତିନି ଜଣିଆ ଗୋଷ୍ଠୀ ବାଦ୍ୟ  ପେଙ୍କାଳି ବଜାଇ ତେଲୁଗୁରେ ଗୀତ ଗାଇ ଗାଇ ଦ୍ଵାର ଦ୍ଵାର ବୁଲନ୍ତି । ଲୋକେ ଯାହା ସହାୟତା ଦିଅନ୍ତି ତାକୁ ନିଅନ୍ତି ।

          ଦିନେ ବାସୁଆ ବଳଦ ବେକର ଘଣ୍ଟିର ଶବ୍ଦ ଗାଁ ଗହଳିରେ ଭିଡ ଏକାଠି କରିବାକୁ ଯଥେଷ୍ଟ ଥିଲା ।  ଗାଁରେ ପହଞ୍ଚିବା ମାତ୍ରେ ପ୍ରତି ପରିବାର ବାସୁଆ ବଳଦ ବା ବୃଷଭର ଗୋଡ଼କୁ ହଳଦୀ ପାଣିରେ ଧୋଇ  ଆଶୀର୍ବାଦ ନେଉଥିଲେ । ପରିକ୍ରମା ସମୟରେ ମଝି ଦାଣ୍ଡରେ  ବାସୁଆ ବଳଦ ଧରି ଆସିଥିବା ବ୍ୟକ୍ତି ଉପସ୍ଥିତ ଲୋକଙ୍କୁ ପୌରାଣିକ କଥାବସ୍ତୁ ଶୁଣାଉଥିଲେ। ବାସୁଆ ବଳଦକୁ କହିବା ମାତ୍ରେ ସେ ଗୋଡ଼ ଟେକି କଠଉ ପିନ୍ଧିବା ସହ ଯୋଡ଼ହସ୍ତ କରି ବସି ରହିଥାଏ । ନିଜମାଲିକ କହିବା ପ୍ରକାରେ ବଳଦ ବିଭିନ୍ନ କଳାକୌଶଳ ଦେଖାଉଥିଲା । ସେହି ବିଶ୍ବାସ ପରମ୍ପରା ସହିତ ଭଗବାନଙ୍କ ନାମ ଉଚ୍ଚାରଣ କରି ବିଭିନ୍ନ ଗୀତ ବୋଲୁଥିଲେ । ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ବାସୁଆ ବଳଦକୁ ପୂଜା କରାଯିବା ସହ ଚାଉଳ ନଡ଼ିଆ ଆଦି ପ୍ରଦାନ କରାଯାଉଥିଲା । ଲୋକେ ମଧ୍ୟ ବାସୁଆ ବଳଦ ପୂଜା କରିବା ସହ ପୌରାଣିକ କଥାବସ୍ତୁ ଉପଭୋଗ କରୁଥିଲେ। ଏବେ ସେସବୁ ଅତୀତ । କେବଳ ବସୁଆ ବଳଦ ଆସୁଛି ଏସବୁ ପରମ୍ପରା ଆଉ ଦେଖିବାକୁ ମିଳୁନି ।

ଅନ୍ୟ ଏକ ଗବେଷଣାରୁ ଜଣାଯାଏ  ‘ବାସୁଆ ବଳଦ’  ଗଞ୍ଜାମର ଅନ୍ୟତମ ପୁରାତନ ସଂସ୍କୃତି । ଗାଁ ଗହଳିରେ ଏହାକୁ କେହି କେହି ଭଗବାନଙ୍କ ଅବତାର ବୋଲି ମଧ୍ୟ କୁହନ୍ତି ।  ଈଶ୍ବରଙ୍କ ଦୂତ ବା ବାହନ ହେଉଛି ବୃଷଭ /ଷଣ୍ଢ । ଗାଈ ପେଟରୁ ଜନ୍ମ ହେବା ବାଛୁରୀ ଦେହରେ ଚୂଳ ପରିଲିକ୍ଷିତ ହେଲେ ତାଙ୍କୁ ବଳଦ ପରି ବୋଝ ବୋହିବାରେ ନିୟୋଜିତ କରା ନ ସେମିତି ଛାଡିଦିଆଯାଏ। ପରେ ବାସୁଆ ବଳଦ ଭାବରେ ବ୍ୟବହାର କରାଯାଏ । ବାସୁଆ ତେଲୁଗୁ ସଂସ୍କୃତିରେ ଏହାକୁ ଭଗବାନଙ୍କ ଅନ୍ୟରୂପ କୃଷ୍ଣଙ୍କ ଅବତାର ବୋଲି ମଧ୍ୟ ପୂଜା କରନ୍ତି ତ ଆଉ କେହି ଈଶ୍ବରଙ୍କ ବାହନ ଭାବେ ସମ୍ମାନ ଦିଅନ୍ତି । 

ବସୁଆ ବଳଦ ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି ।

Spread the love