ଲୋକଙ୍କ ଅଭିଯୋଗ ବେଦାନ୍ତର ଇସାରାରେ ନାଚୁଛନ୍ତି ସ୍ଥାନୀୟ ସଙ୍ଗଠନ ଓ ଜନ ପ୍ରତିନିଧି । ବେଦାନ୍ତକୁ ଅହେତୁକ ପ୍ରୀତି ଦେଖାଉଛନ୍ତି । ଅଞ୍ଚଳର ବିନାଶ ପାଇଁ ଆଖି ବୁଜି ଦେଇଛନ୍ତି ସମସ୍ତେ । ବେଦାନ୍ତ ଏହାରି ସୁବିଧା ନେଇ ଖୋଳି ଚାଲିଛି ଖଣି । ଫମ୍ପା ହେବାକୁ ଗଲାଣି କୋଡ଼ିଙ୍ଗାମାଳି । ପ୍ରତିଫଳନର ଅନୁସନ୍ଧାନମୂଳକ ରିପୋର୍ଟ।
ଲୁଟି ଚାଲିଛି ବେଦାନ୍ତ । ସରକାର ନୀରବ। ଫମ୍ପା ହେବ କୋଡ଼ିଙ୍ଗାମାଳି।
ଚଞ୍ଚକତା କରି ବେଦାନ୍ତ ଦ୍ବାରା କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଉତ୍ତୋଳନ କରାଯାଉଛି । ସେଥି ଯୋଗୁଁ ସରକାର ହଜାର ହଜାର କୋଟି ରାଜସ୍ବ ହରାଉଛନ୍ତି । ବେଦାନ୍ତକୁ ରାଜ୍ୟ ସରକାର ଏତେ ଅହେତୁକ ଅନୁକମ୍ପା ଦେଖାଇବାର କାରଣ କଣ ହୋଇପାରେ । ଅତୀତର ସରକାର ବେଦାନ୍ତ ପ୍ରତି ଆଖି ବୁଜି ଦେଇଥିବାବେଳେ ବର୍ତ୍ତମାନର ବିଜେପି ସରକାରଙ୍କ ବି ବେଦାନ୍ତ ପ୍ରୀତି ରାଜ୍ୟର ପ୍ରଭୁତ ରାଜସ୍ୱ ହାନି କରୁଛି । ବେଦାନ୍ତ ପ୍ରତି ସରକାରଙ୍କ ନିରବ ସମର୍ଥନ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଚରମ ଅବହେଳା ପ୍ରମାଣିତ ହେଉଛି ବୋଲି କୋଡିଙ୍ଗା ମାଳି ସୁରକ୍ଷା ମଞ୍ଚ ଅଭିଯୋଗ କରିଛି ।

କେତେ ଦରରେ ବେଦାନ୍ତ କିଣୁଛି ବକ୍ସାଇଟ !
କୃତ୍ରିମ ଭାବେ ବକ୍ସାଇଟର ମୂଲ୍ୟକୁ କମ ରଖିଛି ବେଦାନ୍ତ । ବେଦାନ୍ତ ଆଲୁମିନା ଟନ ପିଛା ମାତ୍ର ଟ ୧୦୦୦(ହଜାରେ ଟଙ୍କା) ମୂଲ୍ୟରେ ବକ୍ସାଇଟ କିଣୁଛି । ଯେତେବେଳେ ଅନ୍ୟ କମ୍ପାନୀ ଟ ୩୦୦୯(ତିନି ହଜାର ନଅ ) ଟଙ୍କାରେ ବକ୍ସାଇଟ ପ୍ରତି ଟନ ପିଛା କିଣିବାକୁ ଟେଣ୍ଡର ପାଇଛି । ତାହା ପୁଣି ସେହି ସମାନ ଖଣି ଅଞ୍ଚଳରୁ । ବେଦାନ୍ତ ଆଲୁମିନା ଅନ୍ୟମାନଙ୍କ ତୁଳନାରେ ସିଧା ଟ ୨୦୦୯ ( ଦୁଇ ହଜାର ନଅ ଟଙ୍କା) ଲାଭ ପାଉଛି । ଏଣୁ ଅଧିକା ମୂଲ୍ୟରେ କିଣିଥିବା କମ୍ପାନୀକୁ ବକ୍ସାଇଟ ଉତ୍ତୋଳନ କରିବାକୁ ସୁଯୋଗ ଦେଉନାହିଁ ବେଦାନ୍ତ । ଥରେ ପରିବହନ ଆରମ୍ଭ ହୋଇଗଲେ ନୂଆ ମୂଲ୍ୟରେ ବେଦାନ୍ତ କିଣିବାକୁ ବାଧ୍ୟ ହେବ । ଏଣୁ ନିଜର ସ୍ବାର୍ଥ ରକ୍ଷା ପାଇଁ ବେଦାନ୍ତ କମ୍ପାନୀ ଲାଗି ପଡ଼ିଛି । ବେଦାନ୍ତ ପ୍ରାୟୋଜିତ ରେ କିଛି ସଙ୍ଗଠନ ବିରୋଧ କରୁଛନ୍ତି ବୋଲି କୋଡିଙ୍ଗା ମାଳି ସୁରକ୍ଷା ମଞ୍ଚ ର ନେତା ଓ ପୂର୍ବତନ ବିଧାୟକ କୃଷ୍ଣ ସାଗରିଆ ଅଭିଯୋଗ କରିଛନ୍ତି ।
Indian Bureau of Mines ତିନି ମାସର ହାରାହାରି ଦରକୁ ନେଇ ଗୋଟିଏ ଦର ସ୍ଥିର କରିଥାଏ । IBMର ଖଣିଜପଦାର୍ଥ ବିକିବା ଦର ର ୧୦-୧୫ ପ୍ରତିଶତକୁ ରାୟାଲିଟି ହିସାବରେ ଗ୍ରହଣ କରିଥାଏ । କମ ମୂଲ୍ୟରେ ବକ୍ସାଇଟ କିଣିବା ଯୋଗୁଁ ଆମ ରାଜ୍ୟ ପ୍ରତି ଟନ ପିଛା ୧୮୦ରୁ ୨୭୦ ଟଙ୍କା ରୟାଲଟି ପାଇବାରେ ବଞ୍ଚିତ ହେଉଛି । ଯଦି ବକ୍ସାଇଟ ଟନ ପ୍ରତି ଟ ୧୦୦୦ (ଏକ ହଜାର) ରୁ ଟ ୩୦୦୯( ତିନି ହଜାର ନଅ) ବୃଦ୍ଧି ହୁଆନ୍ତା ତାହାହେଲେ ପ୍ରତି ଟନ ପିଛା ୫୦୦ ରୁ ୭୦୦ ଟଙ୍କା ରୟାଲଟି ଆଦାୟ ହୁଅନ୍ତା । ରାଜ୍ୟ ସରକାର ଅଧିକ ରାଜସ୍ବ ଆଦାୟ କରିପାରନ୍ତେ । କିନ୍ତୁ ବେଦାନ୍ତ କମ୍ ଦରରେ ହରିଲୁଟ କରି ଖଣିଜ ଦ୍ରବ୍ୟ ଲୁଟି ନେଉଛି। ପ୍ରଶାସନ ଓ ସରକାର ଚୁପ୍ ହୋଇ ବେଦାନ୍ତର କାରନାମାକୁ ସାଥ ଦେଇ ଚାଲିଛନ୍ତି ।

DMF ପାଣ୍ଠି ଉପରେ ନକାରାତ୍ମକ ପ୍ରଭାବ
ଖଣି ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ପାଣ୍ଠି ରହିଛି । ଏହି ପାଣ୍ଠି ଅଞ୍ଚଳର ଭିତ୍ତିଭୂମିର ବିକାଶ ତଥା ଆଦିବାସୀଙ୍କ ମଙ୍ଗଳ ଓ ଜିଲ୍ଲାର ଉନ୍ନତି ପାଇଁ ଖର୍ଚ୍ଚ ହୁଏ । ବର୍ତମାନ ରୟାଲଟିର ୩୦ (ତିରିଶି) ପ୍ରତିଶତ ହିସାବରେ କେବଳ ୫୪ (ଚଉବନ) ରୁ ୮୧ (ଏକାଅଶି) ଟଙ୍କା ପ୍ରତି ଟନ ପିଛା ପାଉଛି କୋରାପୁଟ। କାରଣ ରୟାଲଟି ବର୍ତ୍ତମାନ ୧୮୦ ରୁ ୨୭୦ ରେ ରହିଛି । ନ୍ୟାୟଯୁକ୍ତ ବଜାରରେ ବକ୍ସାଇଟ ଟନ ପିଛା ମୂଲ୍ୟ ଟ ୩୦୦୯ (ତିନି ହଜାର ନଅ) ଟଙ୍କା ରହିଛି। ଏହି ଦରରେ ବେଦାନ୍ତ କିଣିଲେ DMF ପାଣ୍ଠିରେ ପ୍ରତି ଟନ ପିଛା ୧୫୦ ଟଙ୍କା ରୁ ୨୫୦ ଟଙ୍କା ପାଇ ପାରନ୍ତା । କୋରାପୁଟ ଜିଲ୍ଲା ପ୍ରତି ଟନ ପିଛା ହାରାହାରି ରାଜସ୍ବ ହରାଉଛି । ସେହିପରି ଓଡ଼ିଶା ପାଖାପାଖି ଟନ ପିଛା ୫୦୦ ଟଙ୍କା ହରାଉଛି । ଓଡ଼ିଶାର ଭୁସମ୍ପଦକୁ ଲୁଟୁଛି ବେଦାନ୍ତ । କୋରାପୁଟର ସବୁଜିମା ଓ ପ୍ରାକୃତିକ ବଳୟକୁ ନଷ୍ଟ କରୁଛି । ଧୂଳି, ଧୂଆଁ ଓ ଫମ୍ପା ମାଟି ଦେଉଛି ବେଦାନ୍ତ। ନେଉଛି କୋଟି କୋଟି ଟଙ୍କାର ଲାଭ । ଅଧିକ ରୟାଲଟି ମିଳିଥିଲେ ଏଠାକାର ଜନକଲ୍ୟାଣ ଯୋଜନାକୁ ତ୍ବରାନ୍ବିତ କରାଯାଇ ପାରନ୍ତା ଏବଂ ଆଦିବାସୀ ଙ୍କ ମଙ୍ଗଳ ଓ ଜିଲ୍ଲାର ଉନ୍ନତି ଆହୁରି ଭଲ ଭାବରେ ହୋଇ ପାରନ୍ତା ।
ଲୋକଙ୍କ ଦାବି
ବାସ୍ତବରେ କୋରାପୁଟ ମାଟି ଓ ମାଟିର ମଣିଷଙ୍କ ସ୍ବାର୍ଥ ହାସଲ ପାଇଁ ସଂଗ୍ରାମ କରୁଥିଲେ ଆମ ନେତା ଓ ସଂଗ୍ରାମୀଙ୍କ ସ୍ବର କଣ ହେବା ଉଚିତ୍ । ଲୁଟିଖିଆ ବେଦାନ୍ତ ପାଇଁ ଓକିଲାତି କରନ୍ତେ ନା ବେଦାନ୍ତକୁ କହନ୍ତେ : ଆଗ ଦର ଠିକ୍ କର ପରେ ଖଣି ଖନନ କର । କେଉଁ ସ୍ବାର୍ଥରେ କୋରାପୁଟିଆ ନେତାମାନେ ବେଦାନ୍ତ ବିରୋଧରେ ପଦେ କହିବାକୁ ସାହସ କରୁ ନାହାଁନ୍ତି। ତେବେ ନେତାଙ୍କ ବଦଳରେ ସାଧାରଣ ଜନତା ଓ କିଛି ସଙ୍ଗଠନ ଏବେ ବିରୋଧ କରିବା ଆରମ୍ଭ କଲେଣି । ପ୍ରତିଫଳନର ଆଭିମୁଖ୍ୟକୁ ସଠିକ୍ ବୋଲି କହିଛନ୍ତି ଅନେକ ସଂଗ୍ରାମୀ । ସେମାନେ ଅନେକ ଗୁଡ଼ିଏ ଦାବୀ ରଖିଛନ୍ତି ।
ଆଇବିଏମ ର ବକ୍ସାଇଟର ମୂଲ୍ୟକୁ ସଂଶୋଧନ କରି ଯାହା ବଜାର ମୂଲ୍ୟ ରହିଛି ତାହାକୁ ରଖାଯାଉ । ବେଦାନ୍ତ ଦ୍ବାରା ଏକଚାଟିଆ ବକ୍ସାଇଟ କ୍ରୟକୁ ବନ୍ଦ କରାଯାଉ । କାରଣ ଏହି ଏକଚାଟିଆ ମୂଲ୍ୟ ପ୍ରଦାନ ପାଇଁ ସରକାର କ୍ଷତିରେ ପଡ଼ୁଛନ୍ତି । ଓଡିଶା ତଥା କୋରାପୁଟର ଆଦିବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହା ଜରୁରୀ । କାରଣ ଓଡିଶା ବକ୍ସାଇଟ ଟନ ପିଛା ୨୦୦୯ ( ଦୁଇ ହଜାର ନଅ) ଟଙ୍କା କ୍ଷତି ସହୁଛି । ୨୦୧୭ ମସିହା ଠାରୁ ଅଦ୍ୟାବଧି ୨୪ (ଚବିଶି) ମିଲିୟନ ଟନ ବକ୍ସାଇଟ ଉତ୍ତୋଳନ କରିଛି ବେଦାନ୍ତ ।ଏଥି ଯୋଗୁଁ ଗତ ଆଠ ବର୍ଷ ରେ ରାଜ୍ୟ ହରାଇଛି (ଚାରି ହଜାର ଆଠ ଶହ କୋଟି ଟଙ୍କା)୪୮୦୦ କୋଟିର ରାଜସ୍ବ । ଓଡ଼ିଶାର ସ୍ବାର୍ଥ ହାନି ହୋଇଛି । DMF ପାଣ୍ଠିକୁ କମ ଅର୍ଥ ଆସିବା ଯୋଗୁଁ ଆଦିବାସୀ ମଙ୍ଗଳ ତଥା ଜିଲ୍ଲା ଉନ୍ନତି ପାଇଁ ଅନୁଦାନ କମ ପଡୁଛି । ଯଦି ସଠିକ ବଜାର ମୂଲ୍ୟ ହିସାବରେ ବକ୍ସାଇଟ ର ମୂଲ୍ୟାଙ୍କନ ହୁଅନ୍ତା ତାହେଲେ ରାଜ୍ୟ ନିଜର ରାଜସ୍ବ ବୃଦ୍ଧି କରି ପାରନ୍ତା ଯାହା ଜନ ମଙ୍ଗଳ କାମ ପାଇଁ ଖର୍ଚ୍ଚ ହୁଅନ୍ତା । (କ୍ରମଶଃ)