(ପ୍ରତିଫଳନ ମିଡ଼ିଆ)
ସଉରା ଜନଜାତି ଗବେଷକ, ଭାଷା ସଂସ୍କୃତି ପ୍ରଚାରକ, କଳାକାର ତଥା ସମାଜସେବୀ ବିଦ୍ୟାଧର ଶବର ହେଲେ ସମ୍ମାନିତ । ରାଜ୍ୟ ଆଦିବାସୀ ମେଳାର ଉଦଯାପନୀ ସନ୍ଧ୍ୟାରେ ରାଜ୍ୟ ଗଣ ଶିକ୍ଷା ଓ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଧରଙ୍କୁ ଉପଢୌକନ, ମାନପତ୍ର ଓ ସ୍ମାରକୀ ପ୍ରଦାନପୂର୍ବକ ଆଦିବାସୀ ମେଳାର ମଞ୍ଚରେ ସମ୍ନାନିତ କରିଛନ୍ତି । ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଜନ୍ମିତ ବିଦ୍ୟାଧର ଜଣେ ଦକ୍ଷ ଚିତ୍ର ଶିଳ୍ପୀ, ମୃଣୟ କାରିଗର ସାଙ୍ଗକୁ ସୌରା ଭାଷା ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ତାଙ୍କର ନିର୍ଦ୍ଦେଶନାରେ ଗଠିତ ସଉରା ନୃତ୍ୟ ଦଳ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଅନେକ ସ୍ଥାନରେ ପ୍ରଶଂସା ସାଉଁଟିଛନ୍ତି । ସମାଜରେ ଅବହେଳିତ ଓ ନିଷ୍ପେସିତ ଲୋକଙ୍କ ସେବା ଲାଗି ସେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ସେ ବିଭିନ୍ନ ମଞ୍ଚରେ ସମ୍ନାନିତ ହୋଇଥିବାବେଳେ ନିକଟରେ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇ ପଦ୍ମପୁର ତଥା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଲୋକ କଳା, ସଂସ୍କୃତି, ଗୀତ, କ୍ରୀଡା, ଜୈବିକ ଚାଷ, ଆୟୁର୍ବେଦ ଚିକିତ୍ସା , ସମାଜସେବା ଆଦି ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ଅର୍ଜ୍ଜନ କରିଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର ଜନଜାତି ବର୍ଗର ଲୋକଙ୍କୁ ଚୟନ କରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ମଞ୍ଚରେ ପୁରସ୍କାର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ, ନିର୍ଦ୍ଦେଶକ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଚଳିତ ବର୍ଷ ରାଜ୍ୟର ଦଶ ଜଣ ଜନଜାତି ପ୍ରତିଭାଙ୍କ ଭିତରେ ବିଦ୍ୟାଧର ଏହି କୃତିତ୍ବ ହାସଲ କରିଥିବାରୁ ବରିଷ୍ଠ ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁ, ରଘୁ ନନ୍ଦନ ସାହୁ, ନଚିକେତା ସାହୁ ସମେତ ପଦ୍ମପୁର ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।