(ପ୍ରତିଫଳନ ମିଡ଼ିଆ)
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମ ଦିନ ଆଜି । ଆଜି ଭଳି ଦିନରେ ରାୟଗଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବା ପରେ ପ୍ରଥମଥର ରାୟଗଡ଼ା ଜିଲ୍ଲାକୁ ଆସୁଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିଶ୍ଚିତ ହୋଇଥିଲା କିନ୍ତୁ ପ୍ରତିକୂଳ ପରିସ୍ଥିତି ଯୋଗୁଁ ସେ ଆସି ପାରି ନଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ରାୟଗଡ଼ା ଜିଲ୍ଲାବାସୀଙ୍କ ଅପେକ୍ଷା ଅନେକ ରହିଛି । ଖଣିଜସମ୍ପଦଭରା ଓ ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ ସମସ୍ୟା ଅନେକ । ଲୋକଙ୍କ ଦୀର୍ଘ ଦିନର ଅନେକ ଦାବି ରହିଛି । ରାୟଗଡ଼ାରେ ମେଡ଼ିକାଲ କଲେଜ, ବିମାନ ବନ୍ଦର ସ୍ଥାପନ ଠାରୁ ଆରମ୍ଭ କରି ବିଏଡ଼ କଲେଜ, ନୂତନ ବ୍ଲକ , ପଦ୍ମପୁର ବ୍ଲକକୁ ଏନଏସି, ବିଶାଖାପାଟଣା-ରାୟଗଡ଼ା ଏବଂ ରାୟଗଡ଼ା-ଗୋପାଳପୁର କୁ ଶିଳ୍ପ କରିଡର ଘୋଷଣା ସହ ପ୍ରଶସ୍ତ ରାସ୍ତା ନିର୍ମାଣ, ଥେରୁବାଲି-ଗୁଣପୁର ଭାୟା ପଦ୍ମପୁର ରେଳ ଲାଇନ, ଗୋପାଳପୁର- ଥେରୁବାଲି ରେଳପଥ, ବଂଶଧାରା ଓ ନାଗାବଳୀ ନଦୀ ଉପରେ ଜଳସେଚନ ପ୍ରକଳ୍ପ ନିର୍ମାଣ ଭଳି ବହୁ ଦାବି ରହିଛି । ଅନେକ ଗ୍ରାମକୁ ନିତି ଦିନିଆ ରାସ୍ତା ନାହିଁ । ଏଠାରେ ଆଦାନୀ ଭଳି ବଡ଼ କମ୍ପାନୀ ନିଜର ୟୁନିଟ ସ୍ଥାପନ କରିବାକୁ ଯାଉଛି । ଓଡିଶାର ପ୍ରଗତି ମାନଚିତ୍ରରେ ରାୟଗଡ଼ାର ଯୋଗଦାନ ଆଗକୁ ଉଲ୍ଲେଖନୀୟ ରହିବ । ପ୍ରତିବଦଳରେ ରାୟଗଡ଼ା ଜିଲ୍ଲାବାସୀଙ୍କ ଅପୂରଣୀୟ ଦାବିସମୂହକୁ ପୂରଣ କରିବାର ଆଵଶ୍ୟକତା ରହିଛି । ଗତ ସରକାର ଜିଲ୍ଲାବାସୀଙ୍କୁ ଚଞ୍ଚକତା କରିଥିଲା । ମାଲକାନଗିରିରେ ବିମାନ ବନ୍ଦର କଲା , କୋରାପୁଟରେ ମେଡ଼ିକାଲ କଲେଜ ସ୍ଥାପନ କଲା ଅଥଚ ରାୟଗଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ଅଣଦେଖା କଲା । ଏସବୁ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ । ମା ମଝିଘରିଆଣି ମନ୍ଦିର ନିକଟରେ ଓ ଜେକେପୁର ନିକଟରେ ସ୍ଥାୟୀ ପୋଲ ଲାଗି ଆଜି ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ଏଥିସହ ଜିଲ୍ଲାର ବିକାଶ ଲାଗି ଏକ ବଡ଼ ଧରଣର ଅର୍ଥ ରାଶିର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି । ନିଜ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ରେଳ ଡିଭିଜନର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଅନଲାଇନରେ ସିଧାସଳଖ କାଶ୍ମୀରରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାବାସୀ ଏଇ ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି । କଣ ଦେବେ ମୁଖ୍ୟମନ୍ତ୍ରୀ ? ଜିଲ୍ଲାବାସୀଙ୍କୁ ଖୁସି କରିବେ ତ !