(ପ୍ରତିଫଳନ ମିଡ଼ିଆ)
ଉଦଘାଟିତ ହୋଇଯାଇଛି ରାୟଗଡ଼ ମହୋତ୍ସବ ଚଇତି ୨୦୨୪ । ମା ମଝିଘରିଆଣିଙ୍କ ପୀଠରୁ ଆଜ୍ଞା ମାଳ ଗ୍ରହଣ କରିବା ସହ ସହର ପରିକ୍ରମା କରିଥିଲା ସାଂସ୍କୃତିକ ଦଳ ସମୂହ । ସ୍ଥାନୀୟ ଜିସିଡି ପଡ଼ିଆର ମୁଖ୍ୟ ମଞ୍ଚରେ ମା ମଝିଘରିଆଣୀଙ୍କୁ ପୂଜା ପରେ ଆରମ୍ଭ ହୋଇଥିଲା ଉଦଘାଟନୀ ଉତ୍ସବ । ରାୟଗଡ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ ରାୟଗଡା ଜିଲ୍ଲାର କଳା ସଂସ୍କୃତିର ଭୁୟଶୀ ପ୍ରଶଂସା କରିଥିବାବେଳେ ରାଜ୍ୟ ସରକାରଙ୍କ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳ ମାଧବ ହିକକା , ରାୟଗଡ଼ା ବିଧାୟକ ଆପୁଲ ସ୍ବାମୀ କାଡ୍ରକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଯୋଗ ଦେଇ ଚଇତି ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ବିଜେପି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଶ୍ରୀମତି ପଟୱାରୀ ସ୍ଵାଗତ ଅଭିଭାଷଣରେ ଜିଲ୍ଲାର ସମୃଦ୍ଧ କଳା ସଂସ୍କୃତି ଜନଜାତି ଜୀବନଜୀବିକା ତଥା ପୀଠ ପର୍ଯ୍ୟଟନ ସମ୍ପର୍କରେ ଆଲୋକପାତ କରିଥିଲେ । ରାୟଗଡା ଏସପି ସ୍ୱାତୀ ଏସ କୁମାର ଜିଲ୍ଲାର ଐତିହ୍ୟମୟ ବିଭବ ସମ୍ପର୍କରେ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ନିଟ ପରୀକ୍ଷାରେ ସଫଳତା ପାଇଥିବା ଲାଞ୍ଜିଆ ସୌରା ଯୁବକ ନବେଶ ଶବର, ୟୁଜିସି ନେଟରେ ସଫଳତା ପାଇଥିବା ଡ଼ଙ୍ଗରିଆ କନ୍ଧ ଯୁବକ ଅଜୟ କୁମାର କାଡ୍ରକା , ସର୍ବାଧିକ ପୁରୁଷ ବନ୍ଧ୍ୟାକରଣ କରିବା ଲାଗି ପ୍ରବର୍ତ୍ତାଇଥିବା ଆଶା କର୍ମୀ ଅନୁସୟା ବିଡିକା ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ଚଇତି ମଞ୍ଚରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଢୌକନ ସହ ମାନପତ୍ର , ଚଇତି ସ୍ମାରକୀ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । ସିଡିଓ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିପୂର୍ବରୁ ମନ୍ତ୍ରୀ ନାୟକ ଜିଲ୍ଲା ପ୍ରଦର୍ଶନୀ ମେଳାକୁ ଉଦଘାଟନ କରିବା ସହ ଷ୍ଟଲ ପରିଦର୍ଶନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପ୍ରଥମ ଦିନରେ ଡ଼ଙ୍ଗରିଆ କନ୍ଧ, ଲାଞ୍ଜିଆ ସଉରା, କାଶୀପୁରର ଜନଜାତି ନାଚ ଓ ରାମନଗୁଡା ବ୍ଲକର ସାଂସ୍କୃତିକ ଦଳ ନିଜ ନୃତ୍ୟ ଜରିଆରେ ଦର୍ଶକଙ୍କୁ ମନ ମୋହିଥିଲେ । ପାଣିପାଗ ଅନୁକୂଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ରଦ୍ଦ ହୋଇଥିଲା ।