(ପ୍ରତିଫଳନ ମିଡିଆ)
●ପାତଳୀ ଦେବୀ ମାଆ କର୍କମା● ଏକତ୍ର ପୂଜା ପାଆନ୍ତି ଦୁଇ ଭଉଣୀ ମାଆ ମାର୍କମା ଓ ମାଆ କର୍କମା●
ବିଷମକଟକ ଅଂଚଳରେ ରହିଛି ବହୁ ତାନ୍ତ୍ରିକ ଦେବୀ ପୀଠ । ମାର୍କମା,କର୍କମା, ଭୈରବ, ଆନନ୍ଦ ଭୈରବ, ଦୁର୍ଗା ଠାକୁରାଣୀ ଖଣ୍ଡବିଖଣ୍ଡିତ କେତେ ମାତୃକା ମୂର୍ତ୍ତି ତଥା – ନିୟମରାଜା ମନ୍ଦିରରେ ରହିଥିବା ବହୁ ତାନ୍ତ୍ରିକ ଦେବଦେବୀ। ନିୟମରାଜା ପୂଜା ପାଉଥିବା ବାଲିଘର ର ନିକଟରେ ରହିଥିଲା ବହୁ ପ୍ରାଚୀନ – ଦେବୀପୀଠ । ଦଶହରା ସମୟରେ ଡଙ୍ଗରିଆ କନ୍ଧଙ୍କ ଦ୍ଵାରା ମେରିଆ ବଳି ପ୍ରଥା ଏବଂ ମାର୍କମା ମନ୍ଦିରରେ ହେଉଥିବା ବଳି ପ୍ରଥା ନେଇ ଗେଜେଟିଅରରେ ଲିପିବଦ୍ଧ । ଦେବୀ ମାର୍କମା ଛିନ୍ନ ମସ୍ତା ଏବଂ ବହୁ ପ୍ରାଚୀନ । ପ୍ରକୃତ ମୂର୍ତ୍ତି ନଷ୍ଟ ହୋଇଯାଇଛି I ଦେବୀଙ୍କ ଭଗ୍ନ ଅଂଶକୁ ଏବେ ପୂଜା କରାଯାଉଛି । ଏଠାରେ ପୂଜା ପାଉଥିବା ଦେବୀଙ୍କୁ ଚୋଡଗଂଗଦେବଙ୍କ ଭ୍ରାତା ପେର୍ମାଡ଼ିଦେବ ପୂଜା ଆରଧାନା କରୁଥିଲେ । ସମ୍ଭବତଃ ତାଙ୍କର ଜଣେ ରାଣୀ ଏହି ପ୍ରାଚୀନ ଦେବୀଙ୍କ ପାଇଁ ମନ୍ଦିରଟିଏ ନିର୍ମାଣ କରାଇଥିଲେ । କାଳକ୍ରମେ ଏହି ଦେବୀଙ୍କୁ ମାର୍କମାଦେବୀ ବୋଲି କୁହାଗଲା । କିଛି ଗବେଷକଙ୍କ ମତରେ ଦେବୀ ମାଣିଜେମ୍ମାରୁ ମାର୍କମା ହୋଇଥିବା କହିଛନ୍ତି । ଯାହା ଗବେଷଣା ସାପେକ୍ଷ । ତେବେ ଏହି ଦେବୀ ପୀଠ ନିକଟରେ ପ୍ରାଚୀନ ଦୁର୍ଗ ରହିଥିବା ପରିବେଶରୁ ଅନୁମାନ କରିହୁଏ । ମାଟି ଭିତରୁ ଏକ ବିରାଟ ଶିବ ଲିଂଗ ସହ ମନ୍ଦିରର ଭିତ୍ତି ମଧ୍ୟ ଉଦ୍ଧାର କରାଯାଇଥିଲା, ଯାହା ଅଷ୍ଟମ କି ନବମ ଶତାବ୍ଦୀର ବୋଲି ଅନୁମାନ କରିହୁଏ । ଦ୍ବାଦଶ ଶତାବ୍ଦୀର ଶେଷ ଭାଗରେ ଦାଦାର୍ଣ୍ଣବ ଦେବଙ୍କର ନାମରେ ଏଇ ମନ୍ଦିର ଉତ୍ସର୍ଗିକୃତ ହୋଇଥିବା ଏକ ଶିଳାଲେଖରୁ ଜଣାଯାଏ । ନିୟମଗିରିର ପାଦଦେଶରେ ମଧ୍ୟ ବହୁ ଦୂର୍ଗା ମୂର୍ତିର ସନ୍ଧାନ ମିଳିଛି । କର୍କମା ମନ୍ଦିରରେ ଦେବୀଙ୍କ ପାଦ ପୂଜା କରାଯାଏ । ଏଥିନେଇ ରହିଛି ଅନେକ ଲୋକକଥା ଓ ଜନଶ୍ରୁତି ।
ଜନଶ୍ରୁତି ଅନୁସାରେ ମାର୍କମାଙ୍କ କନିଷ୍ଠ ଭଗ୍ନୀ ହେଉଛନ୍ତି କର୍କମା। ଦୁଇ ଭଉଣୀଙ୍କ ମାର୍କମା ଓ କର୍କମା ପୂଜାରୀଙ୍କ ଘର କଚରା ଠାରୁ କାଚ ପିନ୍ଧିଥିଲେ। ସେତେବେଳେ ପିଲା ଚୋରି ଯୋଗୁଁ କର୍କମାଙ୍କୁ ଭର୍ଚନା କରିଥିଲେ ମାର୍କମା। ତେଣୁ ମାଆ କର୍କମା ଦୁଃଖ ଓ ଅଭିମାନରେ ପାତାଳି ହେବାରୁ ଏବେ କେବଳ ମା’ଙ୍କ ପାଦପୂଜା ହେଉଛି ସେଠାରେ । ସେହିପରି ଯୁଦ୍ଧ ମଇଦାନରେ କର୍କମା ଦହି ବିକ୍ରି କରି ଶତ୍ରୁସୈନ୍ୟଙ୍କୁ ବଶୀଭୂତ କରିଥିଲେ । ଯାହାଫଳରେ ଶତ୍ରୁରାଜ୍ୟ ତୋପ ଦ୍ବାରା କର୍କମାଙ୍କ ମୂର୍ତ୍ତି ଖଣ୍ଡବିଖଣ୍ଡିତ ହୋଇ ଚ୍ଛିନ୍ନମସ୍ତା ହୋଇଥିବା ଶୁଣିବାକୁ ମିଳେ । ଏହି ପୀଠରେ ଶାରଦୀୟ ନବରାତ୍ରର ସ୍ବତନ୍ତ୍ରତା ରହିଛି ସଂକ୍ରାନ୍ତି, ମଙ୍ଗଳବାର ତଥା କାଳୀପୂଜା ଆଦି ପର୍ବପର୍ବାଣିରେ ବିଶେଷ ପୂଜା ପରମ୍ପରା ଜାରି ରହିଛି।
ଗବେଷକ ଶ୍ରୀ ରଙ୍ଗ ନାୟକଙ୍କ ମତରେ ଦେବୀଙ୍କ ଅଲୌକିକତା ଆଦିକବି ଶାରଳା ଦାସଙ୍କ ଚଣ୍ଡୀ ପୁରାଣରେ ବର୍ଣ୍ଣିତ । ବଳରାମ ଦାସଙ୍କ ବଟ ଅବକାଶ ଗ୍ରନ୍ଥ, ବିପ୍ର ପୀତାମ୍ବର ଦାସଙ୍କ ନୃସିଂହ ପୁରାଣରେ ମଧ୍ୟ ଏହି ପ୍ରସିଦ୍ଧ ଉତ୍କଳୀୟ ପ୍ରାନ୍ତୀୟ ଦେବୀ ମାର୍କମାଙ୍କୁ ବର୍ଣ୍ଣନା କରାଯାଇଛି! ମାଆଙ୍କ ମହିମା ଅପାର । ମାଆଙ୍କ ଅଲୌକିକତା ନେଇ ବିଷମକଟକ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅନେକ ଅଙ୍ଗେ ନିଭା ଘଟଣା ଶୁଣିବାକୁ ମିଳେ ।
ଶାରଦୀୟ ପୂଜା ଅବସରରେ ଏସବୁ ଦେବୀ ପୀଠରେ ସ୍ୱତନ୍ତ୍ର ପୂଜା କରାଯାଏ ଏବଂ ଛାଗବଳି ମଧ୍ୟ ପ୍ରଦାନ କରାଯାଏ । ଦେବୀ ମାର୍କମା ରାୟଗଡ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ I ମା’ ମଝିଘରିଆଣୀଙ୍କ ସଦୃଶ ଏଠାରେ ପୂଜା କରାଯାଏ । ଶାରଦୀୟ ମହାଷ୍ଟମୀ ପୂଜା ଅବସରରେ ଏଠାରେ ପୂର୍ବରୁ ମା’ଙ୍କ ନିକଟରେ ନରବଳି ପ୍ରଚଳିତ ଥିଲା | ଇଂରେଜ ଶାସନ କାଳରେ ଏହି ପ୍ରଥା ବନ୍ଦ ହୋଇଥିଲା। ପରେ ଦେବୀଙ୍କ ପାଖରେ ମଇଁଷ ବଳି ଦିଆଯାଉଥିଲା । ତାହାକୁ ମଧ୍ୟ ପରେ ବନ୍ଦ କରାଯାଇଛି। ଏବେ ଛାଗ, କୁକୁଡା, ପାରା ଆଦି ବଳି ଦିଆଯାଉଛି। ସାଧାରଣତଃ ନଡ଼ିଆ, କଦଳୀ, ଗଜାମୁଆଁ ଆଦି ମାଆଙ୍କ ପୀଠରେ ଭୋଗ ଲାଗେ।
ବିଷମକଟକ ଏକଦା ଥିଲା ମହାନ ଉଗ୍ର ତନ୍ତ୍ରବାଦର ପୀଠସ୍ଥଳୀ । ନବମ ଶତାବ୍ଦୀ ପୂର୍ବରୁ ଏଠାରେ ପଂଚମକାର ( ମୁଦ୍ରା, ମୈଥୁନ, ମସ,ମାଂସ ଓ ମଦ ) ତାନ୍ତ୍ରିକ ପୂଜା ପଦ୍ଧତି ପ୍ରଚଳିତ ଥିଲା, ଯାହାକୁ ବାମାଚାର କୁହାଯାଏ । ଚକ୍ରପୂଜା ଏ ଅଂଚଳର ଏକ ମୁଖ୍ୟ ପୂଜା ଥିଲା । ବହୁ ବ୍ରାହ୍ମଣଙ୍କ ଇଷ୍ଟଦେବୀ ରହିଛି । ସେମାନଙ୍କ ଗୃହରେ ମହାଷ୍ଟମୀ ଆଦି ସମୟରେ ବିଶେଷ ତାନ୍ତ୍ରିକ ଅନୁଷ୍ଠାନ ହୁଏ I ପ୍ରାୟ ଚକ୍ର ପୂଜା ବାମାଚାର ମତରେ କରାଯାଉଥିବା ଅନୁଧ୍ୟାନରୁ ଜଣାପଡେ । ଗୁଣପୁର, ପଦ୍ମପୁର ବିଷମକଟକ ଆଦି ସ୍ଥାନରେ ବୈଦିକୀ ଓ ତାନ୍ତ୍ରିକୀ ସାଧନା ଯୁକ୍ତ ଏହି ବ୍ରାହ୍ମଣମାନେ ବିଜ୍ଞ ଓ ସାଧକ ଥିଲେ । ଏଠାରେ ତାନ୍ତ୍ରିକ ଯୋନି ପୂଜାର ପ୍ରଚଳନ ଥିଲା। ଏସବୁ ଏବେ ଅତୀତ । ମାଆଙ୍କ ଉପସ୍ଥିତି କିନ୍ତୁ ଧ୍ରୁବ ସତ୍ୟ ।■■■