(ପ୍ରତିଫଳନ ମିଡ଼ିଆ)
ବିଜେପିର ଫୋକସରେ ଝାଡ଼ଖଣ୍ଡ । ହରିଆନା ପରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର କୁ କବଜା କରିବା ପାଇଁ ବିଜେପି ସମସ୍ତ ଉଦ୍ୟମ ଆରମ୍ଭ କରିଦେଇଛି । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଝାଡ଼ଖଣ୍ଡକୁ ନିଜ ହାତକୁ ନେଇ ଉତ୍ତର ପୂର୍ବ ଅଞ୍ଚଳରେ ନିଜର ଆଧିପତ୍ୟକୁ ବୃଦ୍ଧି କରିବାକୁ ମନସ୍ଥ କରିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଝାଡଖଣ୍ଡ ପାଇଁ ଭାରତୀୟ ଜନତା ପାର୍ଟିର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ।
ତାଲିକାରେ ଅଛନ୍ତି ଓଡ଼ିଶାର ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋହନ ମାଝୀ ଏବେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ବିଜେପି ପାଇଁ ଝାଡ଼ଖଣ୍ଡ ନିର୍ବାଚନରେ ଦମଦାର ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପାଇଁ ଆଦିବାସୀ ଭୋଟରଙ୍କୁ ବୁଝେଇବେ ।
ବିଜେପି ପକ୍ଷରୁ ଜାରି ହୋଇଥିବା ଷ୍ଟାର ପ୍ରଚାର ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ପଛକୁ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡ଼କରୀ, ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସାମିଲ ହୋଇଛନ୍ତି । ଆସନ୍ତା ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ରହିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଏବେ ରହିବ ଝାଡ଼ଖଣ୍ଡ ।
ମୋହନ ମାଝୀ ଜଣେ ଆଦିବାସୀ ନେତା । ଆଦିବାସୀ ନେତୃତ୍ୱରେ ଏବେ ଓଡ଼ିଶାର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାରେ ବିଜେପି ଜଣେ ଆଦିବାସୀ ନେତାଙ୍କୁ ଚୟନ କରି ନେତୃତ୍ବ ଦେଇଥିବାରୁ ଆଦିବାସୀମାନେ ବେଶୀ ଖୁସି ଅଛନ୍ତି । ତାଙ୍କ ସାଧାରଣ ଜୀବନଶୈଳୀ ଓ ଜନତାଙ୍କ ସହ ସିଧା ମିଶି କଥା ହେବା ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଉଛି । ଓଡ଼ିଶାରେ ଗତ ତିନି ମାସ ମଧ୍ୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଗୋଟେ ପରେ ଗୋଟେ ପୂରଣ କରି ନିଜ ସଫଳତାକୁ ପ୍ରତିପାଦିତ କରିଛି । ବିଶେଷକରି ମହିଳାଙ୍କ ପାଇଁ ଲୋକପ୍ରିୟ ଯୋଜନା ସୁଭଦ୍ରା ଓ ଧାନ ର ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି ଘଟଣା ପଡୋଶୀ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି । ଝାଡ଼ଖଣ୍ଡ ଓଡ଼ିଶାର ପଡୋଶୀ ରାଜ୍ୟ ଏବଂ ମୋହନ ମାଝୀ ଝାଡ଼ଖଣ୍ଡ ସୀମାନ୍ତ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବାରୁ ବିଜେପି ସୀମାନ୍ତବର୍ତ୍ତୀ ଓଡ଼ିଆ ଭୋଟର ସହ ଆଦିବାସୀ ଭୋଟରଙ୍କୁ କରାୟତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଚାର ପ୍ରକ୍ରିୟାରେ ସାମିଲ କରିଛି ବିଜେପି । ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଖୁସି ଅଛନ୍ତି ଏବଂ ନିଜ ଦଳକୁ ଜିତେଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଓ ଆରଏସଏସର ମିଳିତ ଯୋଜନା ପୁଣି ଥରେ ଝାଡ଼ଖଣ୍ଡ ପାଇଁ ଶୁଭଙ୍କର ହେବ ବୋଲି ରାଜନୈତିକ ପଣ୍ଡିତମାନେ ଏବେଠାରୁ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି ।