(ପ୍ରତିଫଳନ ମିଡିଆ)
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ଼ ଷ୍ଟେସନ ନିକଟରେ ହେବ 05.50 କିଲୋମିଟର ଦୀର୍ଘ ରେଳ ଫ୍ଲାଏ ଓଭର । ରାୟଗଡା ରେଳ ଫ୍ଲାଏ ଓଭର ଯାତାୟାତକୁ ସୁଗମ କରିବାରେ, ଟ୍ରେନର ଗତିଶୀଳତାକୁ ଉନ୍ନତ କରିବାରେ ଏବଂ ଯାତ୍ରୀମାନଙ୍କ ପାଇଁ ଏକ ସୁଗମ, ଅଧିକ ଦକ୍ଷ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ରେଳ ମନ୍ତ୍ରଣାଳୟ ଓଡିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ₹509 କୋଟି ଟଙ୍କା ମଞ୍ଜୁର କରିଛି । ମାନ୍ୟବର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ଘୋଷଣା କରିଛନ୍ତି ।
◆ରେଳ ଟ୍ରାଫିକ ସମସ୍ୟାରୁ ମୁକ୍ତ
◆ ଯାତ୍ରୀ ଓ ମାଲ ପରିବହନ ସୁଗମ ହେବ
ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ 5.50 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେଲେ ରେଳ ଯାତ୍ରାରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆସିବ। ଏହାଦ୍ବାରା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ । ଏହି ବିକାଶ ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ବବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେବ, କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡାଇବ । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ₹239.83 କୋଟି ଟଙ୍କା ।କୋରାପୁଟ-ରାୟଗଡା ରେଳପଥ ଓ ବିଶାଖାପାଟଣା -ରାୟପୁର ରେଳପଥର ଅନ୍ୟତମ ବଡ଼ ଜଙ୍କସନ ହେଉଛି ସିଙ୍ଗାପୁର ରୋଡ଼ । କ୍ରସ ଟ୍ରାଫିକ ସମସ୍ୟା ଯୋଗୁଁ ଘଣ୍ଟା ଘଣ୍ଟା ଉଭୟ ପଟୁ ରେଳ ଅଟକି ରହେ । ମାଲ ପରିବହନ ଓ ଯାତ୍ରୀ ପରିବହନ ରେ ଅହେତୁକ ବିଳମ୍ବ ଦେଖା ଦେଉଛି । କୋରାପୁଟରୁ ଆସୁଥିବା ଟ୍ରେନ କେଉଟଗୁଡାରୁ ରାୟଗଡା କୁ ପହଁଚିବା ଲାଗି ଏକ ଘଣ୍ଟାରୁ ଉର୍ଦ୍ଦ୍ଵ ସମୟ ଲାଗୁଛି । ଟ୍ରାଫିକ ସମସ୍ୟା ହେତୁ ଅନେକ ଟ୍ରେନ ଓ ମାଲଗାଡି ରାୟଗଡ ଷ୍ଟେସନର ଆଉଟ ଡୋରରେ ପଡି ରହୁଛି । ଏହି ଫ୍ଲାଏ ଓଭର ନିର୍ମାଣ ପରେ ଉଭୟ ପଟୁ ସ୍ଵାଭାବିକ ଭାବେ ନିଜ ନିଜ ପଥରେ ରେଳ ଯାତ୍ରା କରିବା ସହଜ ହେବ । ଆଉ ଟ୍ରେନ କିମ୍ବା ମାଲ ଗାଡି ଦୀର୍ଘ ସମୟ ପଡି ରହିବନି । ଏଥିପାଇଁ ରେଳମନ୍ତ୍ରୀଙ୍କୁ ରାୟଗଡ ଜନତା ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।