(ପ୍ରତିଫଳନ ସ୍ଵତନ୍ତ୍ର )
ନିକଟରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ ଚଳଚିତ୍ରରେ ଅଛନ୍ତି ଡ଼ଙ୍ଗରିଆ କନ୍ଧ । ଡ଼ଙ୍ଗରିଆ କନ୍ଧଙ୍କ ମେଳି ଏହି ଫିଲ୍ମରେ ସ୍ଥାନିତ ହୋଇଛି । ଏଥିରେ ଡ଼ଙ୍ଗରିଆ ରମଣୀମାନେ ପାରମ୍ପରିକ ବେଶରେ ଦେଖିବାକୁ ମିଳୁଛି । ପାରମ୍ପରିକ ଅଳଙ୍କାର ସହ କାପଡାଗନ୍ଦା ଚଦର ସହ ଉଭା ଡ଼ଙ୍ଗରିଆଙ୍କ ସମାବେଶ ଓଡ଼ିଆ ସିନେପ୍ରେମୀଙ୍କୁ ଚକିତ କରିଛି । ରାଜନୀତିକୁ ନେଇ ଗତିଶୀଳ ଏବଂ ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ଗେମ ଚେଞ୍ଜରର ଏକ ଦୃଶ୍ୟରେ ଡ଼ଙ୍ଗରିଆଙ୍କ ସମାବେଶ ରହିଥିବା ଦେଖିବାକୁ ମିଳୁଛି । ଚଳଚିତ୍ରର ମୁଖ୍ୟ ଖଳନାୟକ ତଥା ଭାବି ମୁଖ୍ୟମନ୍ତ୍ରୀଙ୍କୁ ଡ଼ଙ୍ଗରିଆମାନେ ଭେଟି ନେଇ ଦେଉଛନ୍ତି । ଭେଟି ଦେଉଛନ୍ତି ଡ଼ଙ୍ଗରିଆ କନ୍ଧ ଗାଁ ମୁଖିଆ । ପ୍ରତିବଦଳରେ ଖଳନାୟକ ନିଜ ଘରେ ଭୁରି ଭୋଜନ ଦେଇ ସବୁ ଡ଼ଙ୍ଗରିଆଙ୍କୁ ଆପ୍ୟାୟିତ କରୁଛନ୍ତି । ସମସ୍ତେ ତଳେ ବସି ସାମ୍ନାରେ ଥିବା ଛୋଟ ଟେବୁଲରେ ପରସା ଯାଉଥିବା ଖାଦ୍ୟ ଖାଇବା ସହ ପାରମ୍ପରିକ ନୃତ୍ୟରେ ଖଳନାୟକ ସହ ନାଚୁଛନ୍ତି ।
ଓଡ଼ିଶାର ରାୟଗଡ଼ା ଜିଲ୍ଲାର ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ ନିଜ ପାରମ୍ପରିକ ବେଶଭୂଷା ଓ ସ୍ଵତନ୍ତ୍ର ଚଦର କାପଡାଗନ୍ଦା ପାଇଁ ଯେତିକି ପ୍ରସିଦ୍ଧ ନିୟମଗିରିରେ ଖଣି ଖନନ ଆଦେଶକୁ ବିରୋଧ କରି ସେତିକି ଚର୍ଚ୍ଚିତ । ନିୟମଗିରି ପାହାଡରେ ଖଣି ଖନନ ଆଦେଶ ବେଦାନ୍ତ ହାସଲ କରିବା ପରେ ଡ଼ଙ୍ଗରିଆ କନ୍ଧମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ଭୁବନେଶ୍ୱର ଓ ଦିଲ୍ଲୀରେ ବିକ୍ଷୋଭ କରିଥିଲେ ।
ଏଥିନେଇ ସୁପ୍ରିମକୋର୍ଟରେ କେଶ ଦାୟର ହୋଇଥିଲା । ସୁପ୍ରିମକୋର୍ଟ ଜଣେ ବିଚାରପତିଙ୍କ ଉପସ୍ଥିତିରେ ଗ୍ରାମ ସଭା ପାଇଁ ଆଦେଶ ଦେଇଥିଲେ । କୋର୍ଟ ନିର୍ଦ୍ଦେଶକ୍ରମେ ବିଚାରପତିଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ଗ୍ରାମ ସଭା । ସବୁଠି ଡ଼ଙ୍ଗରିଆ ଜନଜାତି ଲୋକେ ଖଣି ଆଦେଶକୁ ବିରୋଧ କଲେ । ଶେଷରେ 2013ରେ ଗ୍ରାମସଭାର ନିଷ୍ପତି କ୍ରମେ ଖଣି ଖନନ ଆଦେଶକୁ ରଦ୍ଧ କରିଥିଲେ ସୁପ୍ରିମକୋର୍ଟ । ଏହା ସମଗ୍ର ବିଶ୍ଵବ୍ୟାପୀ ପ୍ରଭାବ ପକାଇଥିଲା । ଏହି କଥାକୁ ସାଙ୍କେତିକ ଭାବରେ ଗେମ ଚେଞ୍ଜରରେ ମଧ୍ୟ ପ୍ରତିଫଳିତ କରାଯାଇଛି ।
ଫିଲ୍ମର ହିରୋ ରାମଚରଣ ଗ୍ରାମବାସୀଙ୍କୁ ଏକତ୍ରିତ କରି ଗାଁ ପାଖ ପାହାଡ଼ରେ ଖଣି ଖନନ ଆଦେଶ ବିରୋଧରେ ଆନ୍ଦୋଳନ କରୁଛନ୍ତି । ନିଜେ ଗ୍ରାମବାସୀଙ୍କ ସହ ଟେଣ୍ଟ ମାରି ଧାରଣାରେ ବସିଛନ୍ତି । 121 ଦିନ ଧାରଣା ଚାଲିବା ପରେ ଏହି ସମୟରେ ଜଣେ ଦୌଡ଼ି ଦୌଡ଼ି ଆସି ଖଣି ଖନନ ଆଦେଶ ପ୍ରତ୍ୟାହାର କରାଯାଇଥିବା ଖୁସି ଖବର ଜଣାଉଛି । ଏହି ଆନ୍ଦୋଳନ ପରେ ଜନ୍ମ ନେଉଛି ଏକ ଆଞ୍ଚଳିକ ରାଜନୀତିକ ଦଳ । ଦଳ ଭୋଟ ରାଜନୀତିରେ କ୍ଷମତା ହାସଲ କରିଛି । ତାପରେ କ୍ଷମତାର ଲୋଭ ମଣିଷକୁ କିଭଳି ଅମଣିଷ କରୁଛି ତାହା ଚିତ୍ରରେ ଦୃଶ୍ୟ।ୟିତ ହୋଇଛି । ରାଜନୀତିରେ ଆଇଏଏସ ବନାମ ରାଜନେତାଙ୍କ ଲଢେଇରେ କିଏ ଶକ୍ତିଶାଳୀ ତାକୁ ସୁନ୍ଦର ଭାବେ ସଜେଇଛନ୍ତି ନିର୍ଦ୍ଦେଶକ । ଗେମ ଚେଞ୍ଜରର କାହାଣୀ ଓ ଫିଲ୍ମର ଗତିଶୀଳତା ଖୁବ ସୁନ୍ଦର ଓ ରୋମାଞ୍ଚଭରା । ଫିଲ୍ମଟି ନିକଟରେ ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରି ବକ୍ସ ଅଫିସରେ ସଫଳତା ପାଇଛି । ଓଡ଼ିଶାର କାହାଣୀ ଓ ଓଡ଼ିଶାର ଆଦିମ ଜନଜାତିଙ୍କ ନେଇ ତେଲୁଗୁ ନିର୍ଦେଶକ ସୁନ୍ଦର ଫିଲ୍ମ ନିର୍ମାଣ କରି ସଫଳ ହେଉଥିବାବେଳେ ଓଡିଆଙ୍କ ଏଦିଗରେ ନିଜର ଦକ୍ଷତା ପ୍ରଦର୍ଶନରେ କୁଣ୍ଠାବୋଧ ଚକିତ କରୁଛି ଓଡ଼ିଆ ସିନେ ପ୍ରେମୀଙ୍କୁ । ତେବେ ଫିଲ୍ମରେ କିଛି ଅସଲି ଡ଼ଙ୍ଗରିଆ ବୟସ୍କା ଓ ରମଣୀମାନେ ଅଭିନୟ କରିଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଡ଼ଙ୍ଗରିଆଙ୍କୁ କେବେ ଓ କିଏ ନେଇ ଫିଲ୍ମରେ ଅଂଶଗ୍ରହଣ କରିଥିଲେ ତାହା ଜଣାପଡିନି । ଏହା ଅନୁସନ୍ଧାନ ସାପେକ୍ଷ ।