ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

(ପ୍ରତିଫଳନ ମିଡିଆ)

ଦେଶର କୃଷକ ସଂଗଠନମାନଙ୍କ ସର୍ବଭାରତୀୟ ମଞ୍ଚ, ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ସର୍ବଭାରତୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ମିଳିତ ଭାବେ କେନ୍ଦ୍ରର ସରକାରର କୃଷକ, ଶ୍ରମିକ ତଥା ଜନବିରୋଧୀ ନୀତି ବିରୁଦ୍ଧରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଏହି କ୍ରମରେ ଆଜି ସାରା ଦେଶରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ , ଶ୍ରମିକ ଓ କର୍ମଚାରୀମାନଙ୍କ ପକ୍ଷରୁ ପ୍ରତିବାଦ ବିକ୍ଷୋଭର ଆୟୋଜନ କରାଯାଇଥିଲା । ଆଜି ପୂର୍ବାହ୍ନରେ କୋରାପୁଟସ୍ଥିତ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ନେତୃତ୍ୱରେ ବିଭିନ୍ନ ବ୍ଳକରୁ ଶତାଧିକ କୃଷକ , ଶ୍ରମିକ ଓ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥଲେ । ସ୍ଥାନୀୟ କୋରାପୁଟ – ବିଶାଖାପାଟଣା ମୁଖ୍ୟ ରାସ୍ତା ଠାରୁ ପୂର୍ବାହ୍ନରେ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଶ୍ରମିକ ନେତା ତଥା ଏଆଇଟିୟୁସିର ରାଜ୍ୟ ନେତା ପ୍ରମୋଦ ମହାନ୍ତିଙ୍କ ସଂଯୋଜନାରେ ଏକ ସଭାର ଆୟୋଜନ ହୋଇଥିଲା। ଆଇଏଫଟିୟୁ ରାଜ୍ୟ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଅଖିଳ ଭାରତ କିଶାନ୍ ମଜଦୁର ସଭା (AIKMS)ର ପଟାଙ୍ଗୀ ବ୍ଳକ୍ ସମ୍ପାଦକ ସାନୁ ମାରି, ଆଇଏଫଟିୟୁ ନେତା ଏମ୍ ରାମୁ, ପି କ୍ରୀଷ୍ଣା, ରାଜେଶ ବଡରଇତ ତଥା ଏଆଇକେଏମକେଏସର ନେତା ଦିବାକର, ବସନ୍ତ ବେହେରା, ସୁଦର୍ଶନ ବିଷୋୟୀ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାର କିପରି କର୍ପୋରେଟମାନଙ୍କ ସ୍ଵାର୍ଥରେ ଦେଶର କୃଷକ ଓ ଶ୍ରମିକମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି କହିଥିଲେ। ସରକାରଙ୍କ କର୍ପୋରେଟ ପ୍ରୀତିର ଉଦାହରଣ ଦେଇ ଗତ ଦଶ ବର୍ଷ ମଧ୍ୟରେ ସରକାର ଦେଶର ହାତଗଣତି ପୁଞ୍ଜିପତିଙ୍କ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ଛାଡ଼ କରିଥିବା ବେଳେ କୃଷକମାନଙ୍କ ଟଙ୍କା ଟିଏ ବି ଋଣଛାଡ଼ କରାଯାଇନି ବୋଲି କହିଥିଲେ । ଏହା ବ୍ୟତୀତ ଜନ ବିରୋଧି ବିଦ୍ୟୁତ୍ ବିଲ୍ – ୨୦୨୨ର ପ୍ରତ୍ୟାହାର, ସର୍ବନିମ୍ନ ମଜୁରୀକୁ ୨୬ ହଜାର ଟଙ୍କାକୁ ବୃଦ୍ଧି, ମନରେଗା ଯୋଜନାରେ ଦୈନିକ ମଜୁରୀ ୬୦୦ ଟଙ୍କାକୁ ଓ ବାର୍ଷିକ କାର୍ଯ୍ୟ ଦିବସକୁ ୨୦୦ ଦିନକୁ ବୃଦ୍ଧି କରିବାକୁ ତଥା ଶ୍ରମିକ ବିରୋଧି ଚାରି ଶ୍ରମକୋଡର ପ୍ରତ୍ୟାହାର ତଥା ପୁରୁଣା ପେନସନ ଯୋଜନା ଲାଗୁ କରିବା, ଦରଦାମ୍ ହ୍ରାସ କରିବା ଆଦି ଦାବି କରାଯାଇଥିଲା । ଶେଷରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୃଷକ ଓ ଶ୍ରମିକମାନଙ୍କ ସ୍ଵାର୍ଥ ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Spread the love