ଦେଶିଆ ଗୀତକୁ କୁହାଯାଉଛି ସମ୍ବଲପୁରୀ◆ଦେଶିଆ ଭାଷା ସଂସ୍କୃତି ପ୍ରତି ଅପମାନ◆କ୍ଷମା ମାଗନ୍ତୁ ଦୁଇ ମ୍ୟୁଜିକ କମ୍ପାନୀ: ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ

(ପ୍ରତିଫଳନ ମିଡ଼ିଆ)

ଚମତ୍କାର ଶବ୍ଦ ସଂଯୋଜନା, ଅଦ୍ଭୁତ ଗାୟକୀ, ମନ୍ତ୍ରମୁଗ୍ଧ ସଙ୍ଗୀତ ସଜ୍ଜା ଓ ମନ ମତାଣିଆ ସୁର ଲୟ ତାଳ ଯୋଗୁଁ ନବେ ଦଶକର ବାଲିଫୁଲର ଦେଶିଆ ଗୀତ “ଛି ଛି ଛିରେ ନୁନି ଛିରେ ଛି ଛି”  ଆଜି ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି । କେବଳ ଓଡିଶା କାହିଁକି ଅନ୍ୟ ରାଜ୍ୟର ଲୋକେ ବି ସୋସିଆଲ ମିଡିଆରେ ଏଇ ଗୀତରେ ରିଲ କରି ଅପଲୋଡ଼ କରୁଛନ୍ତି ବେଳକୁ ବେଳ । ସ୍ବର୍ଗତ ସତ୍ୟ ଅଧିକାରୀଙ୍କ ଲେଖନୀ, ସ୍ବର ଓ ସଙ୍ଗୀତରେ ପ୍ରସ୍ତୁତ ଏଇ ହୃଦୟସ୍ପର୍ଶୀ ଗୀତକୁ ନେଇ ଚାରିଆଡେ ଚର୍ଚ୍ଚା । କିନ୍ତୁ ସୋସିଆଲ ମିଡିଆରେ ଏଇ ଗୀତକୁ ସମ୍ବଲପୁରୀ ବୋଲି ଦର୍ଶାଇ କୋରାପୁଟିଆ ଦେଶିଆ ଗୀତକୁ ଅପମାନ କରାଯାଉଛି । ଅଥଚ ଅବିଭକ୍ତ କୋରାପୁଟର କଳାକାର, ସଙ୍ଗୀତ ପ୍ରେମୀ, ଗୀତିକାର, ଗାୟକ ତଥା ବୁଦ୍ଧିଜୀବୀ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି । ନବେ ଦଶକରେ ଏକ ପ୍ରସିଦ୍ଧ କ୍ୟାସେଟ କଂପାନୀ ଦ୍ଵାରା ପ୍ରସ୍ତୁତ ବାଲିଫୁଲ ସେତେବେଳେ ଚହଳ ପକାଇଥିଲା । ଏତେ ଲୋକପ୍ରିୟ ହୋଇଥିଲା ଯେ ଏହି କ୍ୟାସେଟ ଆଶାତୀତ ଭାବେ ବିକ୍ରି ହୋଇଥିଲା   । ପଡୋଶୀ ଆନ୍ଧ୍ର, ଛତିଶଗଡ଼ ଓ ବଙ୍ଗାଳୀରେ ବି ଏଇ ସମାନ ଧାରାରେ ଗୀତ ସେତେବେଳେ ପ୍ରସ୍ତୁତ ହୋଇଥିବା ଅନେକ ଗୀତ ପ୍ରେମୀ କହୁଛନ୍ତି । କ୍ୟାସେଟର ରିଲ ଭିତରେ ଥିବା ଏଇ ଗୀତକୁ କିଛି ବର୍ଷ ତଳେ ଅନ୍ୟ ଏକ ଅଗ୍ରଣୀ ମ୍ୟୁଜିକ କଂପାନୀ ଆଲବମ କରି ତାକୁ  ସମ୍ବଲପୁରୀ ନାମରେ ୟୁ ଟ୍ୟୁବରେ ପ୍ରସାରିତ କରୁଛି । ଦେଶିଆକୁ ସମ୍ବଲପୁରୀ ନାମରେ ପ୍ରସାରିତ କରିବାର କେଉଁ କାରଣ ରହିଛି । ସେହିପରି ସେହି କ୍ୟାସେଟ କମ୍ପାନୀ ସିଧାସଳଖ ଦେଶିଆ ଗୀତକୁ ସମ୍ବଲପୁରୀ ହିଟ ସଂଗ ବୋଲି ନିଜ ୟୁ ଟ୍ୟୁବରେ ଦର୍ଶାଇଛି ।  ଦୁଃଖର ବିଷୟ ଏଇ ଉଭୟ ଖ୍ୟାତନାମା କଂପାନୀ ବାଲିଫୁଲର ସମସ୍ତ ଗୀତକୁ ଦେଶିଆ ବଦଳରେ ସମ୍ବଲପୁରୀ ବୋଲି ଦର୍ଶାଇ ସୋସିଆଲ ମିଡିଆରେ ଦେଶିଆ ଭାଷାକୁ ନ୍ୟୁନ ଦେଖେଇବାକୁ ଚେଷ୍ଟା କରିଛନ୍ତି । ସବୁ ଜାଣିଶୁଣି ଏହି ପ୍ରତିଷ୍ଠିତ କଂପାନୀ ଦ୍ବୟ ଦେଶିଆ ଭାଷାକୁ ଅପମାନିତ କରୁଥିବା ଶ୍ରୋତାମଣ୍ଡଳୀ ଅଭିଯୋଗ ଆଣିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ଅସ୍ମିତା ହେଉଛି ଦେଶିଆ ଭାଷା । ପଶ୍ଚିମ ଓଡିଶାର ସଂଯୋଜକ ଭାଷା ସାଦରୀ ଭଳି ଅବିଭକ୍ତ କୋରାପୁଟିଆଙ୍କ ଏକମାତ୍ର ପ୍ରାଣର ଭାଷା ହେଉଛି ଦେଶିଆ । ଦେଶିଆରେ ପ୍ରସ୍ତୁତ ଏଇ ଗୀତ ଗୁଡିକ କିଭଳି ସମ୍ବଲପୁରୀ ହୋଇଗଲା ତାହା ଚକିତ କରୁଛି । ନିଜେ ପ୍ରସ୍ତୁତ କରିଥିବା ଏହି କଂପାନୀ ଦ୍ବୟ କିଭଳି ଏତେ ବଡ଼ ଭୁଲ କରୁଛନ୍ତି । ନିଜ ଅଫିସିଆଲ ୟୁ ଟ୍ୟୁବ ହ୍ୟାଣ୍ଡେଲରେ ବାଲିଫୁଲର ସମସ୍ତ ଆଠଟି ଲୋକପ୍ରିୟ ଗୀତକୁ ସମ୍ବଲପୁରୀ ବୋଲି ଦର୍ଶାଉଛନ୍ତି । ଏଭଳି ଆଚରଣ ସମଗ୍ର କୋରାପୁଟିଆଙ୍କ ପାଇଁ ଅପମାନ ସଦୃଶ୍ୟ । ଏହି ଆଲବମକୁ ମନପ୍ରାଣ ଦେଇ ପ୍ରସ୍ତୁତ କରିଥିବା କଣ୍ଠଶିଳ୍ପୀ ଓ ସଙ୍ଗୀତକାର ସ୍ବର୍ଗତ ସତ୍ୟ ଅଧିକାରୀଙ୍କ ଆତ୍ମା ଏସବୁ ଦେଖି ନିଶ୍ଚିତ ଭାବରେ ବିଳାପ କରୁଥିବ । ଅନ୍ୟତମ କଣ୍ଠଶିଳ୍ପୀ ନିହାରିକା ପଟ୍ଟନାୟକ ବି ଅସନ୍ତୋଷ ବ୍ୟକ୍ତ କରୁଥିବେ । କିନ୍ତୁ କୋରାପୁଟିଆଙ୍କ ସ୍ବର ସମ୍ଭବତଃ କ୍ଷୀଣ ହୋଇଥିବାରୁ ଦେଶିଆ ଭାଷାକୁ ଏକ ମଜାକ ବୋଲି ଧରି ନେଇଛନ୍ତି ଦୁଇ କମ୍ପାନୀ ।

କ୍ଷମା ମାଗନ୍ତୁ ଦୁଇ କଂପାନୀ

ଦେଶିଆ ଭାଷା ଓ ଏହି ଗୀତର କଣ୍ଠଶିଳ୍ପୀ ସ୍ଵର୍ଗତ ସତ୍ୟ ଅଧିକାରୀ ଓ  ନିହାରିକା ପଟ୍ଟନାୟକଙ୍କୁ କେବଳ ଅସମ୍ମାନ କରି ନାହାନ୍ତି । ବରଂ ସମଗ୍ର ଅବିଭକ୍ତ କୋରାପୁଟିଆଙ୍କୁ ଅସମ୍ମାନ କରୁଛନ୍ତି କ୍ୟାସେଟ ଓ ମ୍ୟୁଜିକ କମ୍ପାନୀ । କଂପାନୀ ଦୁଇଙ୍କ ଆଚରଣ ଯୋଗୁଁ ଓଡିଶା ବାହାରେ ଥିବା ଶ୍ରୋତା ମାନେ ହୁଏତ ଏହି ଗୀତକୁ ସମ୍ବଲପୁରୀ ବୋଲି ଧରିପାରନ୍ତି । ଏହି ଦୁଇ କମ୍ପାନୀଙ୍କ ହୀନ ଚକ୍ରାନ୍ତ ଆଜି ମହାନ ଦେଶିଆ ଭାଷା ସଂସ୍କୃତିକୁ ବିଦାରିତ କରୁଛି ଏବଂ ସମଗ୍ର ଅବିଭକ୍ତ କୋରାପୁଟ ମାଳଭୂମିର ଲୋକଙ୍କୁ ଅପମାନିତ କରୁଛନ୍ତି । ତୁରନ୍ତ ଏହି ଦୁଇ କଂପାନୀ ସର୍ବ ସାଧାରଣରେ କ୍ଷମା ମାଗିବା ସହ ନିଜର ଅଫିସିଆଲ ସୋସିଆଲ ମିଡ଼ିଆ ପେଜକୁ ସଂଶୋଧନ କରିବାକୁ ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଯଥାଶୀଘ୍ର କ୍ଷମା ନ ମାଗିଲେ ଦୁଇ କଂପାନୀ ବିରୋଧରେ ଅଦାଲତରେ କେଶ ଦାୟର କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । କଂପାନୀ ଏଇ ଗୀତରୁ ପ୍ରଚୁର ଲାଭ ପାଇଥିବାବେଳେ ଦେଶିଆ ଭାଷା ସଂସ୍କୃତିକୁ ଅପମାନ କରିବାର କୌଣସି ଯଥାର୍ଥତା ନାହିଁ । ଏତେ ବଡ଼ ପ୍ରତିଷ୍ଠିତ କମ୍ପାନୀ ଦ୍ବୟ ଅନ୍ତତଃ ପକ୍ଷେ ସମ୍ବଲପୁରୀ ଓ ଦେଶିଆ ଭାଷା ଭିତରେ ଫରକକୁ ଜାଣିବା ଉଚିତ ଥିଲା । କଂପାନୀ ମାଲିକମାନେ ଏଦିଗରେ ସଚେତନ ରହିବା କଥା । କେଉଁଠି ସମ୍ବଲପୁରୀ, କେଉଁଠି କୋରାପୁଟିଆ ତ ଆଉ କେଉଁଠି ଦେଶିଆ ଦର୍ଶାଇ ଭ୍ରମ ସୃଷ୍ଟି କରିଛନ୍ତି । ଦେଶିଆ ଗୀତକୁ ଦେଶିଆ ନ ଦର୍ଶାଇ ସମ୍ବଲପୁରୀ ହ୍ୟାଣ୍ଡଲରେ ତାକୁ ପ୍ରସାରିତ କରିବାକୁ କାହିଁକି ଛାଡି ଦିଆଯାଇଛି । ଆଉ କିଛି ଶ୍ରୋତା ଏହାକୁ ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି । ସେମାନେ ଜାଣିଶୁଣି ସମ୍ବଲପୁରୀ ଭାଷାର ଲୋକପ୍ରିୟତାକୁ ଆଖିରେ ରଖି ବ୍ୟବସାୟିକ ଦୃଷ୍ଟିରୁ ଦେଶିଆ ଭାଷା ପ୍ରତି ବିରୁଧାଚରଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ଦେଶିଆ ଗୀତକୁ ସମ୍ବଲପୁରୀ ବୋଲି ଦର୍ଶାଇଛନ୍ତି । ଏଥିପାଇଁ ୟୁଟ୍ୟୁବ କମେଣ୍ଟରେ ବହୁ ଲୋକ ସେହି ଦୁଇ କମ୍ପାନୀକୁ ସମ୍ବଲପୁରୀ ବଦଳରେ ଦେଶିଆ ଭାଷାର ଗୀତ ବୋଲି ଦର୍ଶାଇବାକୁ ମଧ୍ୟ କହିଛନ୍ତି । ତଥାପି କମ୍ପାନୀ ଦ୍ବୟ ଚୁପ ରହିଛନ୍ତି ।

କେବେ ଚେଇଁବ ଏ ମାଳଭୂମି

ଏ ମାଳଭୂମି ଯୁଗେ ଯୁଗେ ଅନ୍ୟକୁ ବାଟ ଦେଖେଇଛି । ଧାନ ଠାରୁ ଆରମ୍ଭ କରି କଫି ଯାଏଁ ସ୍ଵାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଭାଷା ସାହିତ୍ୟ ସଂସ୍କୃତି ଯାଏଁ ସବୁକ୍ଷେତ୍ରରେ ଦୁନିଆକୁ ଦିଶା ଦେଇଛି । କିନ୍ତୁ ସେହି ମାଟିର ସନ୍ତାନମାନେ ଦେଶିଆ ଭାଷା ସଂସ୍କୃତିକୁ ଅପମାନ କରୁଥିବା ସଂସ୍ଥାଙ୍କ ପ୍ରତି ଆଖିବୁଜି ଚୁପ ରହିଛନ୍ତି । ଏଭଳି ଅପମାନର ପ୍ରତିବାଦ କରିବା ଆବଶ୍ୟକ ବୋଲି ଦେଶିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ ମତ ପୋଷଣ କରିଛି । ଛି ଛି ଛିରେ ନୁନି ଗୀତ ଏବେ ଟ୍ରେଣ୍ଡ କରୁଥିବାବେଳେ ଏହାକୁ ସମ୍ବଲପୁରୀ ବୋଲି ଅଭିହିତ କରିବା ଦୁର୍ଭାଗ୍ୟର ବିଷୟ । ବିଭିନ୍ନ ସ୍ତରରେ ଏହାର ପ୍ରତିବାଦ ହେବ ଉଚିତ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଛି ଛି ଛିରେ ନୁନି ଗୀତଟି ଏବେ ଲୋକପ୍ରିୟତାର ଶୀର୍ଷରେ ଥିବା ବେଳେ କଂପାନୀ ଦ୍ବୟ ତଥାପି ନିରବଦ୍ରଷ୍ଟା ସାଜିଛନ୍ତି। ଜାଣିଶୁଣି ଦେଶିଆ ଭାଷାକୁ ଅପମାନିତ କରୁଛନ୍ତି । ଏହାର ଦୃଢ଼ ଜବାବ ଦିଆଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

Spread the love