ମାଣ୍ଡିଆରୁ ହାଣ୍ଡିଆ !

ମାଣ୍ଡିଆରୁ ମଦ ପ୍ରସ୍ତୁତି କରିବାକୁ ଓଡିଶା ସରକାର ସ୍ଥିର ପରେ ଏହାର ପ୍ରାସଙ୍ଗିକତାକୁ ନେଇ ପ୍ରତିଫଳନର ମନ୍ଥନ । ଏହିକ୍ରମରେ ପ୍ରତିଫଳନର ଏହି ଅଭିଯାନକୁ ପ୍ରଶଂସା କରିବା ସହ ସୁଦୂର ଆମେରିକାରୁ ନିଜର ମତ ରଖିଛନ୍ତି ଜଣେ ପ୍ରବାସୀ ଓଡ଼ିଆ ।

   ଖବରଟି   ପଢୁ ପଢୁ ଚମକି ପଡିଲି ମୁଁ I ମାଣ୍ଡିଆରୁ ମଦ (ହାଣ୍ଡିଆ) ତିଆରି ହେବ ଏବଂ ତାହାକୁ ପ୍ରୋତ୍ସାହନ  ମିଳିବ I ଆଦିବାସୀ ଅଂଚଳରେ ବେଳେ ବେଳେ ଚାଉଳରୁ ଏକ ପ୍ରକାର ମଦ୍ୟପାନ ପ୍ରସ୍ତୁତ ହୁଏ ଯାହାକୁ ଲନ୍ଦା କୁହାଯାଏ ଏବଂ ବିଶେଷକରି ହାଟ  ଦିନରେ ବିକ୍ରୟ ହୁଏ I କିନ୍ତୁ ତାହା କେବଳ ମନୋରଞ୍ଜନ  ଲାଗି ଉଦ୍ଦିଷ୍ଟ, ପୋଷଣ ଲାଗି ନୁହେଁ ! ବେଳେ ବେଳେ ସେହି ପ୍ରକାର ମାଣ୍ଡିଆରୁ   ମଧ୍ୟ ମଦ ପ୍ରସ୍ତୁତ କରାଯାଏI କିନ୍ତୁ ଯେପରି ବାର୍ଲି ମୁଖ୍ୟତଃ ବିଅର ଉତ୍ପାଦନ ପାଇଁ ଉଦ୍ଦିଷ୍ଟ, ସେପରି ମାଣ୍ଡିଆ ମୁଖ୍ୟତଃ ମଦ ପ୍ରସ୍ତୁତି ପାଇଁ ଚାଷ ହୁଏ ନାହିଁ !  ପୋଷଣ ନିମନ୍ତେ  ଚାଷ ହେଉଥିବା କ୍ଷୁଦ୍ର ଶସ୍ୟ ମଧ୍ୟରେ ମାଣ୍ଡିଆ ଏକ ପ୍ରକାର ଅଗ୍ରଣି  ଅଟେ I ଆଫ୍ରିକା ମହାଦେଶରୁ ଆସିଥିବା ଏହି ଫସଲଟି ଓଡ଼ିଶାର ପାହାଡିଆ ଅଞ୍ଚଳରେ ଏବଂ ଆଭ୍ୟନ୍ତରୀଣ ଇଲାକାର ପୋଷଣର ମେରୁଦଣ୍ଡ ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ I 

ସମାଜ ଏବଂ ମାନବ କଲ୍ୟାଣ ବନାମ ଅର୍ଥନୀତି ଉନ୍ନତିକୁ ନେଇ ଅନେକ ବାଛ ବିଚାର ହୋଇ ପାରେ I ଏହି ଦୁଇଟି ଉଦ୍ଦେଶ୍ୟ ପରସ୍ପର ବିରୋଧୀ ହେବା  ଦ୍ୱାରା କ୍ଷତି ଅଧିକ ହୋଇଥାଏ I ଖାଦ୍ୟ ଏବଂ ସଠିକ ପୋଷଣ ସ୍ୱାସ୍ଥ୍ୟ ସମାଜର ମୂଳଦୁଆ ଏବଂ ଏହା ସହିତ କୌଣସି ପ୍ରକାରର ସାଲିସ କରା ଯାଇ ନ ପାରେ I ଶାରୀରିକ ଭାବରେ ଅସୁସ୍ଥ ସମାଜ ଦେଶ ପାଇଁ ଉଭୟ ଏକ ସଙ୍କଟ ଏବଂ ଅର୍ଥନୈତିକ ବୋଝ I ନିଶା ଦ୍ରବ୍ୟ ସେବନ ଏବଂ ମଦ୍ୟପାନ ଉଭୟ ଦ୍ୱାରା ସବୁଠାରୁ କ୍ଷତିଗ୍ରସ୍ତ ହୁଏ ପରବର୍ତ୍ତୀ ପିଢ଼ି ଏବଂ ଯୁବ ଗୋଷ୍ଠୀ ଯାହା ଯେ କୌଣସି ଦେଶର ଭବିଷ୍ୟତ I ଏହି ସତ୍ୟତାକୁ ଦୃଷ୍ଟିରେ ରଖି ଆମେରିକା ଭଳି ଉନ୍ନତ ଦେଶ ମଧ୍ୟ କଡା ପଦକ୍ଷପ ନେବାରେ ଲାଗିଛି ଏବଂ ନିଶା ଜନିତ ଦ୍ରବ୍ୟ ଗୁଡିକର ନିବାରଣ ଲାଗି ଚେଷ୍ଟିତ Iକିଛି  ଦଶନ୍ଧି ମଧ୍ୟରେ କିପରି  ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ଓଡିଶା ଭଳି ଏକ ପାରମ୍ପରିକ ସାଂସ୍କୃତିକ ରାଜ୍ୟର ରୂପରେଖ ବଦଳାଇ ଦେଇଛି ତାହାର ଅନେକ ଦୃଷ୍ଟାନ୍ତ ମିଳିଯିବ I ବିଶେଷ କର ମଧ୍ୟବିତ୍ତ ପରିବାରରେ ବଢୁଥିବା ମଦ୍ୟପାନ  ଜନିତ  ସମସ୍ୟା  ଏବଂ ମୃତ୍ୟୁ କାହାକୁ ଅଛପା ନୁହେଁ I ଏହି ପରି ପୃଷ୍ଠଭୂମିରେ ମାଣ୍ଡିଆ ଭଳି ଏକ ପୋଷଣର ସ୍ରୋତକୁ  ବିପଥଗାମୀ କରି ଅନିଷ୍ଟକାରି ଦ୍ରବ୍ୟ ସୃଷ୍ଟି କରିବା କେତେ ଦୂର ଯୁକ୍ତିଯୁକ୍ତ ? ଏକ ପାର୍ଶ୍ବରେ ମାଣ୍ଡିଆର ଉପକାରିତା ଯୋଗୁଁ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ତାହାକୁ ଲୋକପ୍ରିୟ କରିବା ଲାଗି ପ୍ରୟାସ ଚାଲିଛି ଏବଂ ଜାତୀୟ ଏବଂ ଅନ୍ତରଜାତୀୟ ସଭା ଏବଂ ସମ୍ମିଳନୀ ଆୟୋଜନ ହେଉଛି I  ଅପର ପାର୍ଶ୍ବରେ ସେଥିରୁ ମଦ ଭଳି ଏକ ନିଶାଯୁକ୍ତ ଦ୍ରବ୍ୟର ଉତ୍ପାଦନ କରି ସେହି ସମାଜକୁ ଅସୁସ୍ଥତା ଅସ୍ଥିରତା ମଧ୍ୟକୁ ଠେଲିଦେବା ବିରୋଧାଭାସ ନୁହେଁ କି? ଯେଉଁ ଖାଦ୍ୟ ବଢୁଥିବା ଶିଶୁର ପ୍ରାଥମିକତା ତାହାକୁ ମନୋରଞ୍ଜନ ଲାଗି ଉପଯୋଗ କରିବା ଦ୍ୱାରା ଶିଶୁ ତାହାର ପୋଷଣରୁ ବଞ୍ଚିତ  ହେଉ ନାହିଁ କି? ମାଣ୍ଡିଆ ଏବଂ ଅନ୍ୟ କ୍ଷୁଦ୍ର ଶସ୍ୟର ଉତ୍ପାଦନ ଏତେ ପରିମାଣରେ  ହେଉନାହିଁ ଯାହା ଦ୍ୱାରା ତାହାର ମଦ ପ୍ରସ୍ତୁତି ଖାଦ୍ୟ ସୃଷ୍ଟିରେ ବ୍ୟାଘାତ କରିବନି I ଅପିତୁ  ମାଣ୍ଡିଆ ଓ ଅନ୍ୟ କ୍ଷୁଦ୍ର ଶସ୍ୟର ଚାଷ ଏକ ପ୍ରକାର ଅନ୍ୟ ଶସ୍ୟ ଅନୁପାତରେ   କମିବାରେ ଲାଗିଛି ଯାହା ଯୋଗୁଁ ପୂର୍ବରୁ ମାଣ୍ଡିଆ ଖାଇବା ଲୋକ ମଧ୍ୟ ବର୍ତ୍ତମାନ ଚାଉଳ ଏବଂ ଗହମକୁ ପୋଷଣର ମୁଖ୍ୟ ଆଧାର କରିବାକୁ ଲାଗିଲେଣି ! ଯଦି ମାଣ୍ଡିଆ ଅନ୍ୟ ରାଜ୍ୟରୁ ଆମଦାନୀ କରି ସେଥିରୁ ମଦ ପ୍ରସ୍ତୁତ କରାଯିବାର ପ୍ରସ୍ତାବ ଆସେ, ତାହା ହେଲେ ମାଣ୍ଡିଆ ଆମଦାନୀ କରି ସ୍ୱାସ୍ଥ୍ୟ ଉନ୍ନୟନ କାର୍ଯ୍ୟକ୍ରମରେ ଉପଯୋଗ ନ ହେବ କାହିଁକି?

ଏହା ସତ ହୋଇପାରେ ଆଦିବାସୀ ଅଞ୍ଚଳରେ ମାଣ୍ଡିଆରୁ ମଦ୍ୟ ପ୍ରସ୍ତୁତ ହୁଏ I କିନ୍ତୁ ତାହା ମାଣ୍ଡିଆର ପ୍ରମୁଖ ପୋଷଣର ପଦ୍ଧତି ନୁହେଁ ! ବିଶେଷ କରି ଏହି ମଦ ସଦୃଶ ପାନୀୟ  ଶିଶୁ, ଛାତ୍ର, ରୋଗାକ୍ରାନ୍ତ  ଏବଂ ବୃଦ୍ଧ ବୟସ୍କଙ୍କ ପାଇଁ ଉପଯୁକ୍ତ ନୁହେଁ I ତେଣୁ ମାଣ୍ଡିଏରୁ ହାଣ୍ଡିଆ ପ୍ରସ୍ତୁତ କରି  ଏହାକୁ ପୋଷଣ ନିମନ୍ତେ ସେବନ କରିବା ଲାଗି କହିବା ଏକ  ହାସ୍ୟାସ୍ପଦ ପ୍ରଚେଷ୍ଠା I ଫରାସୀ ବିପ୍ଳବ ସମୟରେ ମହାରାଣୀ ମ୍ୟାରି ଆଣ୍ଟନିୟେଟଙ୍କ ପ୍ରସ୍ତାବ ଭଳି ମନେ ହୁଏ   I ସେ କହିଥିଲେ, ଲୋକଙ୍କୁ  ଯଦି ରୁଟି ମିଳୁନି ସେମାନେ କେକ କାହିଁକି ଖାଉ ନାହାନ୍ତି I ସେହି ପ୍ରକାର ନ୍ୟାୟରେ, ଆଭ୍ୟନ୍ତରୀଣ ଅଞ୍ଚଳରେ ଯଦି ମାଣ୍ଡିଆର ଅଭାବ ଦେଖା ଯାଏ, ସେମାନଙ୍କୁ ହାଣ୍ଡିଆ ( ମାଣ୍ଡିଆରୁ ପ୍ରସ୍ତୁତ)  ପିଇବା ଲାଗି ପ୍ରବର୍ତ୍ତାଇବା ଏବେ ମାଣ୍ଡିଆ ରୁ ତିଆରି ମଦ ଉପଲବ୍ଧ କରାଇବା ! ଏହା ନ୍ୟାୟସଙ୍ଗତ  ହେବ କି?

କ୍ଷୁଦ୍ର ଶସ୍ୟର ଚାଷକୁ ପ୍ରୋତ୍ସାହନର ଉଦ୍ଦେଶ୍ୟ କେବଳ ତାହାର ବାଣିଜ୍ୟ ବିସ୍ତାର ହେବ ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟବସ୍ତୁ ଅଟେ I ଆଦିବାସୀ ଅଞ୍ଚଳରେ ଯେଉଁଠାରେ ଏହାର ଚାଷ ପାରମ୍ପରିକ ରୂପରେ ଚାଲି ଆସୁ ଅଛି, ପରିବର୍ତ୍ତିତ ଜଳବାୟୁର ରେ ପ୍ରଭାବିତ ହୋଇ ଏବଂ ଅନ୍ୟ ବାଣିଜ୍ୟ  ଜନିତ ଫସଲ ଚାଷ ଯୋଗୁଁ ହ୍ରାସ ପାଇବାରେ ଲାଗିଛି I ଯେଉଁ ମାନେ ପାରମ୍ପରିକ ଭାବରେ ମାଣ୍ଡିଆ  ଉପରେ ନିଜର ପୋଷଣ ପାଇଁ ନିର୍ଭରଶୀଳ, ସେମାନଙ୍କୁ ଅନ୍ୟ ପ୍ରକାର ଖାଦ୍ୟ ଶସ୍ୟ ଉପରେ ଆଶ୍ରିତ ହେବାକୁ ପଡୁଛି ଯାହା ଦ୍ୱାରା ପୃଷ୍ଟିହୀନତା ଏବଂ କୁପୋଷଣର ସମ୍ମୁଖୀନ ହେବାର ସମ୍ଭାବନା ଅନେକ ମାତ୍ରାରେ ବଢିଯାଇଛି  I 

ଶର୍କରାର ଯେ କୌଣସି ସ୍ରୋତରୁ ମଦ୍ୟ ପାନ୍ୟ ସୃଷ୍ଟି ହୋଇ ପାରେ I ଗହମ, ଚାଉଳ , ମକା ଭଳି ଶସ୍ୟ ଠାରୁ ଆରମ୍ଭ କରି ଆଳୁ, ଆଖୁ, ଅଙ୍ଗୁର, ଖଜୁରୀ ଏପରିକି ମହୁରୁ ମଧ୍ୟ  ମଦ୍ୟପାନ ଉତ୍ପାଦନ ହୋଇ ପାରେ I ତେଣୁ  ଯେଉଁ ମାନେ ମଦ୍ୟ ପାନକୁ ଜୀବନର ଆଧାର କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଅନେକ ବିକଳ୍ପ ରହିଛି I କିନ୍ତୁ ମାଣ୍ଡିଆ ଭଳି ଏକ ପୃଷ୍ଟିକର ଶସ୍ୟକୁ ଏଥି  ଲାଗି ବ୍ୟବହାର କରିବାରେ କି ବୁଦ୍ଧିମତା ରହିଛି? ଯେଉଁମାନେ ମଦ ବିକ୍ରୟ ଦ୍ୱାରା ରାଜକୋଷ ବୃଦ୍ଧିର ଦ୍ୱାହି ଦିଅନ୍ତି ସେମାନଙ୍କ ପାଇଂ ମଧ୍ୟ ପ୍ରଶ୍ନଟିଏ I ମଦ୍ୟ ବିକ୍ରୟ ଆଉ ତାହାର ପାନ ଦ୍ୱାରା ଯେଉଁ ଯୁବ ଗୋଷ୍ଠୀ ସୃଷ୍ଟି  ହେଉଛନ୍ତି, ସେମାନଙ୍କ ଅକ୍ଷମତା ଆଉ ଅସୁସ୍ଥତା ପରିଶେଷରେ, ସରକାରଙ୍କ ପାଇଁ କେତେ ଅର୍ଥନୀତିକି  ସଙ୍କଟ ସୃଷ୍ଟି କରୁଛି, ତାହାର ଆକଳନ ଅଛି କି? ଇଂରାଜୀରେ ଥିବା ଏକ ପ୍ରବାଦ ମନେ ପଡ, ଯଦି ଧନ ହଜିଯାଏ କିଛି ହଜେ ନାହିଁ, ଯଦି ସ୍ୱାସ୍ଥ୍ୟ କିଛି  ହଜି  ଯାଏ ଏବଂ ଯଦି ଚରିତ୍ର ହଜିଯାଏ, ସବୁ କିଛି ହଜିଯାଏ I ମାଣ୍ଡିଆରୁ ତିଆରି  ମଦ୍ୟପାନ ଦ୍ୱାରା ସ୍ୱାସ୍ଥ୍ୟ ସହିତ ଚରିତ୍ର( ସାମାଜିକ ଦାୟିତ୍ୱ ବୋଧର) ଯେଉଁ କ୍ଷୟ ହେବ ତାହାର କୌଣସି ପ୍ରତିକାର ରହିବନି I ତେଣୁ ଧନ ସଞ୍ଚୟ ପାଇଁ ଚରିତ୍ରକୁ ନଷ୍ଟ କରିବାରେ କି ପରିପକ୍ଵତା ରହିଛି? ଏକ ଉନ୍ମାଦିତ ରୁଗ୍ଣ ଯୁବ ସମାଜ କେବଳ ଶ୍ରମର ପରିମାଣରେ ଏବଂ ତାହାର ଗୁଣବତାରେ ହ୍ରାସ କରେନି, ସମାଜରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରେ I ବର୍ତ୍ତମାନ କାଳରେ ଭାରତରେ ଏବଂ ଅନ୍ୟ ଦେଶରେ ଏପରି ଯୁବ ଗୋଷ୍ଠୀଙ୍କ ଯୋଗୁଁ ହେଉଥିବା ବିଭ୍ରାଟ ଯୋଗୁଁ ଚିନ୍ତା ପ୍ରକଟ କରା ଯାଇ ଅଛି I ରାଜସ୍ବ ଆଦାୟର ଦ୍ବାହିଦେଇ ମଦ୍ୟପାନ ଭଳି ବଦଭ୍ୟାସରେ ଲୋକଙ୍କୁ ଜଡିତ କରିବା ଯେତିକି ସହଜ, ସେମାନଙ୍କୁ ସେଥିରୁ ବାହାର କରିବା ସେତିକି କାଠିକର I ଶସ୍ୟ ଏବଂ ସ୍ୱାସ୍ଥ୍ୟର ସମ୍ପର୍କକୁ ଶସ୍ୟ ଆଉ ସୁରାର ସମ୍ପର୍କରେ ରୂପାନ୍ତରିତ କରିବାର ପ୍ରୟାସ ସମାଜର ସକ୍ଷମତାକୁ କେତେ ଦୂର କ୍ଷତି ପହଞ୍ଚାଇବ ତାହାର ଆକଳନ ତୁରନ୍ତ କରିବାର ଦୂର ଦୃଷ୍ଟି  ଜୀବନର  ବ୍ୟବସାୟୀକରଣର ଯୁଗରେ କ୍ବଚିତ ଦୃଷ୍ଟିଗତ ହେବ !  ଏହାହିଁ ଦୁଃଖ ଆଉ ଚିନ୍ତାର ବିଷୟ, ଆଜି ପରିବାର ଆଉ ସମାଜ ପାଇଁ ଏବଂ ଭବିଷ୍ୟତରେ ସମଗ୍ର ବିଶ୍ବ ପାଇଁ I ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମାଣ୍ଡିଆରୁ ହାଣ୍ଡିଆର ସୃଷ୍ଟି କରିବା ଆଧୁନିକ ମଣିଷର  ସଚେତନାର  କ୍ଷୟକୁ ହିଁ  ଦର୍ଶାଉଛି I 

ଚାରଲୋଟସଭିଲ୍ଲ ,ଭିର୍ଜିନିଆ ,ଯୁକ୍ତରାଷ୍ଟ୍ର ଆମେରିକା 

(ଡ଼. ରଞ୍ଜିତ. କୁମାର ସାହୁ ଜଣେ ମୁକ୍ତବୃତ୍ତ ଲେଖକ ଓ କୃଷି-ବନୀକରଣ ପ୍ରଣାଳୀରେ ବିଶେଷ ରୁଚି ରଖନ୍ତି।)

Spread the love