ରାୟଗଡର ଅଧୀଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ବେଶ ପ୍ରତ୍ୟକ୍ଷ । ବର୍ଷକର ପ୍ରତ୍ୟେକ ଦଶହରା ଓ ଅଷ୍ଟମୀ ଦିନ ଏଠାରେ ବଡ ଧରଣର ଉତ୍ସବ ପାଳନ କରାଯାଏ । ଅଷ୍ଟମୀ ଦିନ ମଝିଘରିଆଣୀ ତାଙ୍କ ସାତ ଭଉଣୀଙ୍କ ନିକଟକୁ କୁଆଡେ ବୁଲି ଆସନ୍ତି । ଯାହାକି ଅତୀତରେ ଦେବୀ ମଝିଘରିଆଣୀ ରାତ୍ରୀ ଭ୍ରମଣ ବେଳେ ଅନେକ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଚଳନ୍ତି ପ୍ରତିମାକୁ ଦର୍ଶନ କରି ସଂଜ୍ଞାହୀନ ହେବା ସହ ଭୟରେ ଝାଡାବାନ୍ତି ହୋଇଥିବାର ନଳିର ରହିଛି । ଅଷ୍ଟମୀ ଦିନ ଦେବୀ ନୂତନ କଳେବର ଧାରଣ କରନ୍ତି । ବର୍ଷ ତମାମ ଫୁଲ ଚନ୍ଦନ ସିନ୍ଦୁରରେ ପୋତି ହୋଇ ପଡିଥିବାରୁ ଅଷ୍ଟମୀ ଦିନ ପୂଜାର୍ଚ୍ଚନା ପୂର୍ବକ ସମସ୍ତ ବ୍ୟବହୃତ ଫୁଲ ଚନ୍ଦନ ସିନ୍ଦୁରକୁ ବାହାର କରାଯାଇ ନୂତନ କଳେବର ଧାରଣ କରନ୍ତି । ଦେବୀଙ୍କ ନିକଟରେ ପ୍ରଚଳିତ ବଳୀ ପ୍ରଥାରେ ମଧ୍ୟ ସ୍ନାତ୍ୟନ୍ନତା ପରିଲକ୍ଷିତ ହେଉଛି । ଅଷ୍ଟମୀ ଦିନ ବଳି ପଡୁଥିବାରୁ ମହାଷ୍ଟମୀ ରାତ୍ରୀରେ ଚାଉଳ ଖୁଆଇ ପୂଜାର୍ଚ୍ଚନା ପରେ ମୁକ୍ତ କରାଯାଏ ଏବଂ ବଳୀ ପାଇଁ ଥିବା ଛେଳି ଆପେ ଆପେ ସିଧା ଦେବୀଙ୍କ ଆଡକୁ ମୁହାଁଇଲା ପରେ ଯାଇ ତାକୁ ବଳି ଦିଆଯାଏ । ଫଳତଃ ବଳି ପାଇଁ ଥିବା ସତ୍ୟତା ସାଧାରଣରେ ଦେବୀଙ୍କ ଭକ୍ତିମତାକୁ ଆହୁରି ଦୃଢୀଭୂତ କରିପକାଏ ।
ଏଠାରେ ଦଶହରା ପୂଜା ମୁଖ୍ୟତଃ ପ୍ରତିପଦାରୁ ଆରମ୍ଭ ହୁଏ । ମା’ଙ୍କ ପୀଠରେ ତାଙ୍କ ପ୍ରତିନିଧି ରୂପେ ପୂଜା ପାଇ ଆସୁଥିବା ପାଂଚଟି ଖଣ୍ଡା ମଧ୍ୟରୁ ପ୍ରତିପଦାରେ ମା’ ଦୁର୍ଗାଙ୍କ ଖଣ୍ଡା ଉଠିବା ପରଂପରା ରହିଛି । ମା’ଙ୍କ ନିକଟରେ ସମସ୍ତ ଖଣ୍ଡା ଏକ କପଡା ଦ୍ଵାରା ଘୋଡାଯାଇ ବର୍ଷସାରା ପୂଜା ପାଇ ଆସୁଥାନ୍ତି । ରାତ୍ରୀରେ ଖଣ୍ଡା ମନ୍ଦିରରୁ ଉଠିବା ପୂର୍ବରୁ ପୂଜାର୍ଚ୍ଚନା ପୂର୍ବକ ଛାଗ ବଳି ଦିଆଯାଏ । ପରେ ଏକ ପଟୁଆରରେ ବାଜାବାଜଣା ସହ ବ୍ରାହ୍ମଣ ସାହି ନିକଟସ୍ଥ ଦେଇ ପ୍ରବାହିତ ନଦୀ ନିକଟକୁ ନିଆଯାଏ । ଏହି ସ୍ଥାନକୁ ଗଦଗଦିଆ ବୋଲି କୁହାଯାଏ । ସେଠାରେ ମାଆଙ୍କୁ(ଖଣ୍ଡା) ସ୍ନାନ କରାଯାଏ । ଉଖୁଡା(ଗଳା ମୁଆଁ), ପଣା, ଭୋଗ ଦେଇ ପୂଜା କରାଯାଏ । ପରେ ମାଆଙ୍କୁ ରାୟଗଡ ତହସିଲ ଅଫିସ ପରିସର ମଧ୍ୟରେ ଥିବା ମନ୍ଦିରକୁ ନିଆଯାଇ ପାରଂପରିକ ପୂଜା ପଦ୍ଧତିରେ ସ୍ଥାପନ କରାଯାଏ । ତା ପରଦିନଠାରୁ ସେଠାରେ ପୃଥକ ଭାବେ ପୂଜା ଆରମ୍ଭ ହୁଏ । ବ୍ରାହ୍ମଣ ସାହିସ୍ମ ରାଜ ପୁରୋହିତ ବାଲୁଙ୍କି ଦାସ ଏବଂ ଲକ୍ଷ୍ମଣ ଦାସ ପ୍ରମୁଖ ଏହି ପୂଜାନୀତି ସଂପନ୍ନ କରିଥାନ୍ତି । ଅଷ୍ଟ ଚଣ୍ଡୀ ପୂଜା ସହ ନବରାତ୍ରୀ ପୂଜା ଏଠାରେ ଚାଲେ । ପ୍ରତିଦିନ ରାତ୍ରୀରେ ଏଠାରେ ଛାଗବଳି ଦିଆଯାଏ ଏବଂ ରାତିତମାମ ଚଣ୍ଡୀପାଠ ହୁଏ । ଦିନବେଳା ପାରଂପରିକ ଭାବେ ମଧ୍ୟ ପୂଜା କରାଯାଏ । ମହାଷ୍ଟମୀ ଦିନ ଏଠାରେ ଏବଂ ମୁଖ୍ୟ ମନ୍ଦିରରେ ମାଛ ଭୋଗ ଲଗାଯାଏ ।
ମହାଷ୍ଟମୀ ଦିନ ମୂଖ୍ୟ ମନ୍ଦିରରେ ପୂଜା ପାଉଥିବା ମା’ ମଝିଘରିଆଣୀ ଖଣ୍ଡା ଉଠା ପରଂପରା ହୋଇଥାଏ । ପଂଚାମୃତ ସହ ଏକ ଛାଗ ବଳୀର ରକ୍ତରେ ପ୍ରଥମେ ମନ୍ଦିର ପରିସରରେ ଖଣ୍ଡାକୁ ପୂଜା କରାଯାଏ । ପରେ ଖଣ୍ଡାକୁ ପାହାଚ ତଳକୁ ଓହ୍ଲାଇ ଅଣାଯାଇ ପୂର୍ବରୁ ଥିବା କୁଣ୍ଡ( ବର୍ତମାନ ଯେଉଁଠି ପିତଳ ଅଶୁ ଦଣ୍ଡାୟମାନ) ନିକଟରେ ପୁଣି ପୂଜାର୍ଚ୍ଚନା କରାଯାଏ । ସେଠାରେ ପୁଣି ଏକ ଛାଗବଳି ଦିଆଯାଏ । ପରେ ଖଣ୍ଡାକୁ ତୀକ୍ଷଣ କରାଯିବା ଲାଗି ଶାଣ ଦିଆ ପରଂପରା ପାଳନ ହୁଏ । ଖଣ୍ଡା ଶାଣିତ ହେବା ପରେ ପଟୁଆର ଆରମ୍ଭ ହୁଏ । ଝଞ୍ଜାବତୀ ନଦୀର କାଠରଗଡା ତୁଠରେ ମା’ଙ୍କୁ ପୂଜାର୍ଚ୍ଚନା ସହ ସ୍ନାନ କରାଯାଏ । ପରେ ତହସିଲ ଅଫିସ ପରିସରକୁ ନିଆଯାଇ ସେଠାରେ ସ୍ଥାପନ କରାଯାଏ । ଏହାପୂର୍ବରୁ ନୂଆବସ୍ତ୍ର ପରିଧାନ ସହ ମଣ୍ଡଳ କାଟି ପୂଜା କରାଯାଏ । ସେଠାରେ ପୁଣି ଛାଗ ବଳି ସହ ଅନ୍ନ ଭୋଗ ପ୍ରଦାନ କରାଯାଏ । ସେଠାରୁ ପଟୁଆରରେ ପୂଜାରୀ ସହରର ବିଭିନ୍ନ ସନ୍ଧି ସ୍ଥାନକୁ ଯାଇ ସନ୍ଧି ପୂଜା ସମାପନ କରନ୍ତି । ପୂଜାରେ ଉଖୁଡା , ଲଡ଼ୁ ଆଦି ଭୋଗ କରାଯାଏ । ସେଠାରୁ ସାତଭଉଣୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସହ ଛାଗ ବଳି ଦିଆଯାଏ । ଏଠାରେ ପୂଜାନୀତି ସମାପନ ପରେ ଘାସୀ ସାହିଗ୍ଧ ମରୁଡି ଘର( ପୂର୍ବେ ଏଠାରେ କୁଆଡେ ବଳିଦାନ ପୂର୍ବରୁ ଏବଂ ନରବଳି ପରେ ଶରୀରମାନଙ୍କୁ ରଖାଯାଉଥିଲା )କୁ ଯାଇ ମୁଖ୍ୟ ମନ୍ଦିର ଉଦ୍ଦେଶ୍ୟରେ ବଳି ପାଇଁ ଥିବା ମେଣ୍ଟାକୁ ପୂଜା କରାଯାଇ ଅଣାଯାଏ । ମୁଖ୍ୟମନ୍ଦିରକୁ ଯିବା ପୂର୍ବରୁ ରାସ୍ତାର ପାର୍ଶ୍ଵରେ ଥିବା ଜେନା ପଥର ନିକଟରେ ପୁନରାୟ ମେଣ୍ଢାଳୁ ପୂଜାର୍ଚ୍ଚନା ପରେ ଶ୍ଵେତ ବସ୍ତ୍ର ପରିଧାନ ସହ ହଳଦୀ,ସିନ୍ଦୁର ଲଗାଯାଇ ଫୁଲ ପିନ୍ଧାଯାଏ । ମନ୍ତୁରା ଚାଉଳ ଖୁଆଯାଏ ଏବଂ କଣ୍ଠ ମନ୍ତ୍ର ଦିଆଯାଏ । ଏହା ପରେ ମେଣ୍ଡା ଆପେ ଆପେ ରେଳ ଲାଇନ ପାର କରି ମନ୍ଦିର ଫାଟକ ନିକଟକୁ ଯାଏ । ମନ୍ଦିର ଭିତରେ ଏହି ଅଭିମନ୍ତ୍ରିତ ମେଣ୍ଢାଳୁ ବଳି ଦିଆଯାଏ । ଏହି ନୀତି ପାଳନ ହେବା ପରେ ମନ୍ଦିର ପାର୍ଶ୍ଵରେ ଥିବା ପାଦ ନିକଟରେ ଉଖୁଡା ଭୋଗ ଦିଆଯାଏ । ଅଷ୍ଟମୀରାତିରେ ବଳି ଦେବା ପରେ ତହସିଲ ନିକଟସ୍ମ ଦୁଇ ମନ୍ଦିର ଏବଂ ମୁଖ୍ୟ ମନ୍ଦିରରେ ପହଡ ପଡିଯାଏ ଏବଂ ଏହା ନବମୀଦିନ ତମାମ ବନ୍ଦ ରହେ । ଦଶମୀ ଦିନ ସକାଳୁ ଫାଟକ ଖୋଲାଯାଏ । ସ୍ଵାଭାବିକ ଭାବେ ପୂଜାର୍ଚ୍ଚନା କରାଯାଏ । ରାତିରେ ଛାଗ ବଳି ଦିଆଯାଏ । ତାସହ ପଣା,ଉଖୁଡା,ଫଳ ଆଦି ଭୋଗ ପ୍ରଦାନ କରାଯାଏ । ପରେ ମା’ଙ୍କ ବାହୁଡା ପର୍ବ ପାଳନ ହୁଏ । ଖଣ୍ଡା ଦୁଇଟିକୁ ପୁଣି ମୁଖ୍ୟ ମନ୍ଦିରକୁ ବାଜାବାଜଣା ଓ ପଟୁଆରରେ ଅଣାଯାଏ । ଫେରିଲାବେଳେ ମା’ ସାତଭଉଣୀ, ସମଲେଇ ଦୁର୍ଗାଙ୍କ ଦର୍ଶନ କରି ମନ୍ଦିରକୁ ପ୍ରବେଶ କରିବା ପରଂପରା ରହିଛି । ମନ୍ଦିର ମଧ୍ୟରେ ଦୁର୍ଗାଙ୍କ ଖଣ୍ଡା ପୁନଃ ସ୍ଥାପନ ପୁର୍ବରୁ ଆଉ ଏକ ଛାଗ ବଳି ଦିଆଯାଏ । ପରେ ପାରଂ ପରିକ ଭାବେ ନୂଆ କପଡା ଘୋଡାଯାଇ ଦୁଇ ଖଣ୍ଡାକୁ ଯଥାସ୍ଥାନରେ ସ୍ଥାପନ କରାଯାଏ । ଏଭଳି କଷ୍ଟସାଧ୍ୟ ପୂଜାନୀତିକୁ ବହୁପୂର୍ବରୁ ଭାଗରଥୀ ଦେରୁକ ପୂଜା କରିଆସୁଥିବାବେଳେ ତାଙ୍କ ଅନ୍ତେ ତାଙ୍କ ବଂଶଧରମାନେ ମନ୍ଦିର ପୂଜକ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଶାରଦୀୟ ପୂଜା ଅବସରରେ ମୁଖ୍ୟ ମନ୍ଦିରରେ କିଛି ଉତ୍ସାହୀ ଯୁବ ଗୋଷ୍ଠୀଙ୍କ ଆର୍ଥିକ ସହାୟତାରେ ବିରାଟ ହୋମଯଜ୍ଞର ଆୟୋଳନ କରାଯାଉଛି ।
ଦଶହରା ଲାଗି ଶହ ଶହ ବର୍ଷ ଧରି ଏଭଳି ବିରଳ ପରଂପରା ପାଳନ କରାଯାଉଥିବା ଏବଂ ଅଧିକାଂଶ ପୂଜା ନିଶାର୍ଶ୍ବରେ ହେଉଥିବାରୁ ଏହା ସାଧାରଣ ଭକ୍ତଙ୍କ ଦର୍ଶନ ଲାଗି ଉଚିତ ନୁହେଁ ବୋଲି ବିଶ୍ଵାସ ରହିଛି । ତେବେ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମା’ ମୁଖ୍ୟ ମନ୍ଦିର ନରହି ତହସିଲ ଅଫିସ ନିକଟସ୍ଥ ମନ୍ଦିରରେ ପୂଜା ପାଉଥିବାରୁ ଏହି କାଳରେ ସେଠାରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ମନସ୍କାମନା ପୂର୍ଣ ହୋଇଥାଏ ବୋଲି ପୂଜକମାନେ ମତବ୍ୟକ୍ତ କରନ୍ତି । ଏହି ଶାରଦୀୟ ପୂଜା ଅବସରରେ ମାଆ ଦୁର୍ଲଭ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।