ନାବାଳକ ପିଲାର କଥାରେ ନାଚିଲା ପ୍ରଶାସନ◆ମୋବାଇଲ ପାଇଁ ପାଣି ପିଇଲେ ଅଗ୍ନିଶମ

ତଥାପି ହାତକୁ ଆସିଲା ନାହିଁ ପୋଖରୀରେ ପଡିଥିବା ଆଇ ଫୋନ

ପ୍ରତିଫଳନ ମିଡ଼ିଆ

ପୋଖରୀରେ ପଡିଲା ମୋବାଇଲ ଫୋନ, ନୟାନ୍ତ ହେଲେ ଅଗ୍ନିଶମ ବିଭାଗ । ପୋଖରୀ ଭିତରେ ତିନି ଘଣ୍ଟାର କସରତ। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୋବାଇଲ ପାଇଁ ପାଣି ପିଇଲେ ଅଗ୍ନିଶମ ବିଭାଗ । ଏଭଳି ଘଟଣା ଘଟିଛି ସିଲକ ସିଟି ବ୍ରହ୍ମପୁର ସହରରେ । ବ୍ରହ୍ମପୁର ଉନ୍ନୟନ କତୃପକ୍ଷଙ୍କ ଅଧୀନରେ ଥିବା ବିଜୁ ପଟ୍ଟନାୟକ ପାର୍କରେ ଥିବା ପୋଖରୀରେ ପଡିଗଲା ମୋବାଇଲ ଫୋନ ।।ଦଶମ ଶ୍ରେଣୀ ଛାତ୍ର ସିଦ୍ଧାର୍ଥ ରାଓ ଗତ 24 ତାରିଖରେ ସାଙ୍ଗମାନଙ୍କ ସହ ଏହି ପାର୍କକୁ ଯାଇଥିଲେ । ପାର୍କରେ ଥିବା ପୋଖରୀରେ ସାଙ୍ଗମାନଙ୍କ ସହ ବୋଟିଙ୍ଗ କରୁଥିବା ବେଳେ ହାତରୁ ଖସି ଯାଇଥିଲା ମୋବାଇଲ ଫୋନ । ଆଇ ଫୋନ 16 ପ୍ଲସ ମୋବାଇଲ ଫୋନ ପୋଖରୀ ପାଣିରେ ପଡି ହରାଇଥିବା ନେଇ 25 ତାରିଖରେ ସାଇବର ଥାନାରେ ଛାତ୍ର ଜଣକ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଛାତ୍ର ଜଣକ ବିଇ ଡି ଏ କତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ମୋବାଇଲ ଖୋଜି ବାହାର କରିବାକୁ ଏକ ପତ୍ର ଜରିଆରେ ନିବେଦନ କରିଥିଲେ । ସାଇବର ଥାନାର ଏଫ ଆଇ ଆର ଏବଂ ଛାତ୍ରଙ୍କ ଅନୁରୋଧ ରକ୍ଷା କରି ବିଇ ଡି ଏ କତୃପକ୍ଷ GD ନମ୍ବର 016, 25.03.2025 ରେ ଅଗ୍ନିଶମ ବିଭାଗକୁ ମୋବାଇଲ ଖୋଜି ଉଦ୍ଧାର କରିବାକୁ ଅନୁମତି ପତ୍ର ଦେଇଥିଲେ । ଛାତ୍ର ଜଣକ ଅଭିଯୋଗ କରିବା ପରେ ମୋବାଇଲ ଖୋଜି ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଅନୁମତି ପତ୍ର ଦେଇଥିବା କହିଛନ୍ତି ବ୍ରହ୍ମପୁର ଉନ୍ନୟନ କତୃପକ୍ଷ ସେକ୍ରେଟାରୀ ରମେଶ ହାଁସଦା ।

ବିଇ ଡି ଏ କତୃପକ୍ଷଙ୍କ ନିର୍ଦେଶ ପାଇବା ପରେ ବିଜୁ ପଟ୍ଟନାୟକ ପାର୍କ ପୋଖରୀରେ ମୋବାଇଲ ଖୋଜା ଆରମ୍ଭ କରା ଯାଇଥିଲା । 5 ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀରେ ମୋବାଇଲ ଖୋଜିଲେ । ଏକ ବୋଟରେ ମୋବାଇଲ ହରାଇଥିବା ଛାତ୍ରଙ୍କ ସହ ଜଣେ ଅଗ୍ନିଶମ ବିଭାଗ କର୍ମଚାରୀ ବସିଥିବା ବେଳେ ଅନ୍ୟ 4 ଜଣ ବୋଟକୁ ସହାୟତା କରି ପାଣି ଭିତରେ ଖୋଜିଲେ । ଜଣେ କର୍ମଚାରୀ ମୁହଁରେ ପାଣି ବୁଡାଳି ଅକ୍ସିଜେନ ବ୍ୟବହାର କରି ପାଣି ଭିତରେ ମୋବାଇଲ ଖୋଜୁଥିବା ଦେଖିବାକୁ ମିଳିଥିଲା । ଶେଷ ଖବର ସୁଦ୍ଧା ମୋବାଇଲ ହାତକୁ ଲାଗିନି । ନିରାଶ ହୋଇଛି ଅଗ୍ନିଶମ ବିଭାଗ । ତେବେ ଜଣେ ପିଲାର ଆବେଦନରେ ବିଡିଏ, ଓ ଅଗ୍ନିଶମ ବାଉଳା ହେଲେ କାହିଁକି । କେଉଁ ପରିସ୍ଥିତିରେ ପୋଖରୀରେ ମୋବାଇଲ ଖୋଜିଲେ ଅଗ୍ନିଶମ । ଏସବୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Spread the love