ଗଡ଼ ଜଗିଛନ୍ତି ଗୁଡାରୀର ମାଆ ମାଣିକେଶ୍ବରୀ

(ପ୍ରତିଫଳନ ମିଡିଆ)

ରାୟଗଡା ଜିଲ୍ଲା ଗୁଡାରୀର ଅନ୍ୟତମ ଅଧୀଷ୍ଟାତ୍ରୀ ଦେବୀ ମା’ ମାଣିକେଶ୍ଵରୀ । ଜନଶ୍ରୁତି ମୁତାବକ ଏକଦା ରାଜା ଶିକାର ପାଇଁ ଜଂଗଲକୁ ଯାଆନ୍ତି, କୌଣସି ଶୀକାର ନପାଇ ଏକ ବୃକ୍ଷ ମୂଳେ ବିଶ୍ରାମ ନିଅନ୍ତି । ଏହି ସମୟରେ ରାଜାଙ୍କ ସୈନ୍ୟମାନେ ଜନ ବସତି ସଂନ୍ଧାନରେ ଯାଇ ଏକ କୁଡିଆ ଘର ଠାବ କରନ୍ତି । ସେଠାରେ ଏକ ଅତୀବ ସୁନ୍ଦରୀ ଝିଅକୁ ଦେଖି ରାଜାଙ୍କୁ ଖବର ଦେବା ମାତ୍ରେ ରାଜା ତ୍ବରିତ ବେଗରେ ସେହି କୁଡିଆ ନିକଟରେ ପହଁଚିଯାନ୍ତି । କିନ୍ତୁ ସେଇ ସୁନ୍ଦରୀ ଯୁବତୀକୁ ନପାଇ ଜଣେ କନ୍ଧ ଦଂପତିଙ୍କୁ ସାକ୍ଷାତ କରନ୍ତି । ଯୁବତୀଙ୍କ ସଂପର୍କରେ ଜାଣିବାକୁ ଚାହିଁବାରେ ସେମାନେ ସବୁ କଥା ଖୋଲି କହନ୍ତି । ଏକଦା ନିଃସନ୍ତାନ ଥିବା କନ୍ଧ ଦଂପତି ଏକ ବାଉଁଶ ବୁଦାମୂଳରୁ ଶିଶୁ କନ୍ୟାକୁ ପାଇ ଖୁସିରେ ଆତ୍ମହରା ହୁଅନ୍ତି ଏବଂ ତାର ଲାଳନ ପାଳନ କରି ବଡ କରନ୍ତି ବୋଲି ରାଜାଙ୍କୁ କହନ୍ତି । କୌଣସି ପରିସ୍ଥିତିରେ ସେମାନେ ରାଜାଙ୍କୁ ଯୁବତୀକୁ ହସ୍ତାନ୍ତର କରିବେ ନାହିଁ ବୋଲି ଜଣାଇବାରେ ରାଜା ଉତକ୍ଷିପ୍ତ ହୁଅନ୍ତି । ଏହିକ୍ରମରେ ଯୁବତୀ ନିଜେ କନ୍ଧ ଦଂପତିକୁ ବୁଝାଇବା ସହ ରାଜାଙ୍କ ସହ ଗୋଟିଏ ସର୍ତରେ ନଅରକୁ ଯିବାକୁ ସମ୍ମତି ହୁଅନ୍ତି ଯଦି ରାଜା ତାଙ୍କୁ ଝିଅର ସମ୍ମାନ ଦେଇ ରଖିବେ । ଏଥିରେ ରାଜା ସମ୍ମତି ପ୍ରକଟ କରିବା ସହ ନଅରକୁ ଆଣନ୍ତି । କିନ୍ତୁ ରାଜା କିଛି ଦିନ ପରେ ସେହି ଯୁବତୀଙ୍କୁ ବାହା ହେବା ନେଇ ଇଚ୍ଛା ପ୍ରକଟ କରନ୍ତେ ଯୁବତୀ ଗଡ଼ର ଏକ ବାଉଁଶ ମୂଳେ ଅଦୃଶ୍ୟ ହୋଇଯାନ୍ତି । ପରେ ଦେବୀଙ୍କ କୋପ ଦୃଷ୍ଟିର ଶୀକାର ହୋଇ ରାଜା ଶତ୍ରୁ ଆକ୍ରମଣର ଶୀକାର ହୋଇ ରାଜ୍ୟ ଛାଡି ପଳାୟନ କରନ୍ତି । ତତ୍‌ପରେ ମାଆଙ୍କ ପ୍ରତ୍ୟକ୍ଷ ମହିମା ପ୍ରଚାରିତ ହେବା ସହ ସେ ସେହି ଗଡର ବୁଦା ମୂଳେ ପୂଜିତା ହୋଇ ଆସୁଛନ୍ତି । କାଳକ୍ରମେ ଏଠାରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି । ତେବେ ଏବେ ବି ଦିନବେଳା ପୂଜା ଶେଷ ପରେ ସେଠାକୁ କେହି ଯିବାକୁ ସାହାସ କରନ୍ତିନି ବୋଲି ଲୋକେ କହନ୍ତି । ମାଆଙ୍କ ଶାରଦୀୟ ପୂଜା ପାଳନ ସହ ଏଠାରେ ଛାଗବଳି ଦେବା ପରଂପରା ରହିଛି । ଏଠାରେ ମାନସିକଧାରୀମାନେ ମୁଣ୍ଡନ ହେବା ସହ ବଳି ଦିଅନ୍ତୁ । ପାର୍ବଣରେ ମାଆଙ୍କୁ ନିଷ୍ଠାର ସହ ପୂଜା କରିବାର ପରଂପରା ରହିଛି । ଏବେ ବି ଏଠାକାର ଲୋକଙ୍କ ବିଶ୍ଵାସ ମାଆ ମାଣିକେଶ୍ଵରୀ ଏଇ ଗଡ଼ର ସଜାଗ ପ୍ରହରୀ ଏବଂ ନିଜ ଗଡ଼ରେ ଆତଯାତ ହୁଅନ୍ତି । ତାଙ୍କ ନିକଟରେ ଯାହା ଯିଏ ମନାସେ ତାର ମନସ୍କାମନା ପୂର୍ଣ୍ଣ ହୁଏ । ସେଥିପାଇଁ ସଂକ୍ରାନ୍ତି ଏବଂ ଚୈତ୍ର ମାସରେ ଏଠାରେ ପ୍ରବଳ ଜନସମାଗମ ହୁଏ । ତେବେ ସରକାରୀ ଅବହେଳା ହେତୁ ଏଇ ମନ୍ଦିର ଯେତିକି ବିକାଶ ହେବା କଥା ସେତିକି ସମ୍ଭବ ହୋଇପାରିନି ।◆◆◆

Spread the love