ଦୁଇ ଦିନ ହେଲା ହାଇଟେକ ହେୱେନ ଅନ୍ଧାର● ଟାଟା ପାୱାର ତଥାପି ନିରବ●ଖାଉଟି ଅଦାଲତର ଦ୍ବାରସ୍ଥ ପାଇଁ ସଜବାଜ ହେଲେଣି ଗ୍ରାହକ

(ପ୍ରତିଫଳନ ମିଡିଆ)

ନାଆ ହାଇଟେକ ହେଭେନ । ମାନେ ସ୍ବର୍ଗ । କିନ୍ତୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ନଥାଇ ବି ନର୍କର ଯନ୍ତ୍ରଣା ଭୋଗୁଛନ୍ତି ଭୁବନେଶ୍ବର ଉପକଣ୍ଠ ଗୁଡ଼ିଆପୋଖରୀସ୍ଥ ହାଇଟେକ ହେଭେନରେ ରହୁଥିବା ଲୋକେ । ଗତ ଦୁଇଦିନ ଧରି ବିଦ୍ୟୁତ ନ ଥାଇ ଅନ୍ଧାରରେ ରହୁଛନ୍ତି ଏଠାକାର ଲୋକେ । ମୁଖ୍ୟତଃ ଏଠିକାର ରହୁଥିବା ଲୋକେ ବିଭିନ୍ନ କର୍ମ ସଂସ୍ଥାନରେ କାମ କରୁଛନ୍ତି । ଅନେକ ଲୋକେ ଆଇଟି ରେ କାମ କରନ୍ତି । ଘରେ ରହି ଦୀର୍ଘ ୧୨ ରୁ ୧୪ ଘଣ୍ଟା ଇଣ୍ଟରନେଟରେ କାମ କରିବାର ଆବଶ୍ୟକତା ରହୁଛି । ସେହିପରି ଅନେକ ଛୋଟ ଛୁଆ, ମହିଳା ଓ ବୟସ୍କ ଲୋକେ ବିଦ୍ୟୁତ ନଥାଇ ହନ୍ତସନ୍ତ ହୋଇଗଲେଣି । ତେବେ ଟାଟା ପାୱାର କଂପାନୀ ନାହି ରେ ତେଲ ପକାଇ ଏ ଯାଏଁ ଶୋଇଛି ।

ହାଇଟେକ ହେଭେନ ଭୁବନେଶ୍ବର ଅନ୍ୟତମ ବଡ଼ ଆପାର୍ଟମେଂଟ । ଏଠାରେ  ୧୨୦୦ ପରିବାର  ବସବାସ କରୁଛନ୍ତି । ଅବିଛିନ୍ନ ବିଦ୍ୟୁତ ସରବରାହ ଲାଗି ଆପାର୍ଟମେଂଟ ପକ୍ଷରୁ ୧୧କେଭି ଲାଇନ ବଦଳରେ ୩୩କେଭି ଲାଇନ ଜରିଆରେ ସମସ୍ତ ଘର ଗୁଡିକୁ ବିଦ୍ୟୁତ ଯୋଗାଣ କରାଯାଇଛି । ଏତେ ବ୍ୟୟ କରି ଆପାର୍ଟମେଂଟର ସମସ୍ତ ଗ୍ରାହକ ଗତ ୩ ମାସରେ ତିନିଥର ବିଦ୍ୟୁତ ବିଭ୍ରାଟର ସମ୍ମୁଖୀନ ହେଲେଣି । ଗତ ଦିନରେ ଥରେ ୩ଦିନ ପର୍ଯ୍ୟନ୍ତ ଏବଂ ଆଉ ଥରେ ଦୁଇ ଦିନ ପର୍ଯ୍ୟନ୍ତ ବିଦ୍ୟୁତରୁ ବଞ୍ଚିତ ହୋଇ ରହିଥିଲେ । ଗତ ଦୁଇ ଦିନ ହେଲା ଅନୁରୂପ ବିଦ୍ୟୁତ ବିଭ୍ରାଟର ସମ୍ମୁଖୀନ ହୋଇଛନ୍ତି । ଟାଟା ପାୱାର ଜାଣିଶୁଣି ଏହାର କୌଣସି ସ୍ଥାୟୀ ପ୍ରତିକାର କରୁନି । ଦୁଇ ଦିନ ବିତି ଯାଇଥିଲେ ବି ଟାଟା ପାୱାର ଅଦ୍ୟାବଧି ତ୍ରୁଟିକୁ ବି ଧରିବାରେ ସକ୍ଷମ ହୋଇପାରିନି । ସ୍ଥାନୀୟ ଜେଇ, ଏସଡିପିଓ ଏବଂ ଅଧିକ୍ଷଣ ଯନ୍ତ୍ରୀକୁ ସୋସାଇଟି ପକ୍ଷରୁ ବାରମ୍ବାର ଗୁହାରୀ କଲେ ବି ଏହାର ପ୍ରତିକାର ପାଇଁ ତତ୍ପରତା ପ୍ରକଟ କରୁ ନାହାଁନ୍ତି । ରାଜଧାନୀର ନାକ ତଳେ ଦିନ ଦିନ ଧରି ବିଦ୍ୟୁତ ବିଭ୍ରାଟକୁ ସଜାଡ଼ିବାରେ ବିଫଳତା ବିଦ୍ୟୁତ ବିଭାଗର ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତୁରନ୍ତ ସମାଧାନ ନ କଲେ ସମସ୍ତ ଗ୍ରାହକ ପକ୍ଷରୁ ସାମୁହିକ ପ୍ରତିବାଦ ସହ ଖାଉଟି ଅଦାଲତର ଦ୍ବାରସ୍ଥ ହେବାକୁ ଚେତାବନୀ ଦିଆଯାଇଛି ।

Oplus_131072

Spread the love