(ପ୍ରତିଫଳନ ମିଡ଼ିଆ)
ମହୁମାଛି ଆତାଙ୍କରେ କଟିଗଲା ଗୋଟେ ଦିନ । କେହି କିଛି କରି ପାରିଲେନି । ଯାହାଖାଲି ରାସ୍ତାରେ ଯାତାୟାତ ବନ୍ଦ କରିବାକୁ ପଡିଲା । ମହୁମାଛି କେତେ ଭୟଙ୍କର ହୋଇପାରନ୍ତି ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ବାସ୍ତବରେ ଦେଖିବାକୁ ମିଳିଥିଲା । ମହୁମାଛି ଆତଙ୍କରେ ଭୟଭୀତ ହୋଇ ପଡ଼ିଥିଲେ ସାଧାରଣ ଲୋକ । ଅନେକ ମୋଟର ସାଇକେଲ ଆରୋହି ନିଜ ଗାଡି ଛାଡି ଭୟରେ ଦୌଡିଥିଲେ । ଆଉ କେହି କେହି ଚଦର ଘୋଡ଼ି ସେମିତି ରାସ୍ତାରେ ରହିବାକୁ ବାଧ୍ୟ ହୋଇଥିଲେ । ଏହାସତ୍ବେ ମହୁମାଛି ଆକ୍ରମଣରେ ୮ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଶ୍ୟାମଘନ ମାଝୀ, କେ. ସାଇକିରଣ, ଆକାଶ ପୋଲାଡ, ଅନନ୍ତ ପାଢ଼ୀ, ବିଜୟ ଝୋଡିଆ। ସମସ୍ତ ଆହତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହୋଇଥିଲେ। ରାମକୃଷ୍ଣ ନଗରର ଏକ କୋଠାରେ ମହୁମାଛି ଫେଣା ରହିଥିଲା। ମିଳିଥିବା ସୂଚନାରୁ କେହି ଜଣେ ଯୁବକ ସେହି ମହୁମାଛି ଫେଣାକୁ ପଥର ମାରିଥିଲେ। ଫଳରେ ମହୁମାଛି ସେହି ଅଂଚଳରେ ଆତଙ୍କ ଖେଳାଇଥିଲା। ପରିସ୍ଥିତି ଏହିଭଳି ହୋଇଥିଲା ଯେ, ରାମକୃଷ୍ଣ ନଗର ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଲୋକଙ୍କ ଯାତାୟାତ ବନ୍ଦ ରହିଥିଲା। ଦିନ ୨ଟା ସମୟରେ ମହୁମାଛି ଉଭେଇ ଯିବାପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଆହତଙ୍କ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି ।
