ପ୍ରତିଫଳନ ମିଡ଼ିଆ
ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ଦ୍ଵିତୀୟ କିସ୍ତିରେ ରାଜ୍ୟର ପ୍ରାୟ ଏକ କୋଟି ସୁଭଦ୍ରା ପାଇଲେ ୫ହଜାର ଟଙ୍କା ସହାୟତା । ସେହିପରି କୋରାପୁଟ ଜିଲ୍ଲାରେ ୩ଲକ୍ଷ, ରାୟଗଡ଼ା ଜିଲ୍ଲାରେ ୨ଲକ୍ଷ ୨୪ହଜାର ଜଣ ୩୯୩, ମାଲକାନଗିରି ଜିଲ୍ଲାରେ ୧ଲକ୍ଷ ୩୪ ହଜାର ୬୧୦ ଏବଂ ନବରଂଗପୁର ଜିଲ୍ଲାରେ ୨ଲକ୍ଷ,୮୫ ହଜାର ୯୫୨ ଜଣଙ୍କୁ ଆଜି ୫ ହଜାର ଟଙ୍କା କିସ୍ତି ପ୍ରଦାନ କରାଯାଇଛି । କୋରାପୁଟ ରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହିଳା ମାନେ ଶିକ୍ଷିତ ଓ ସଚେତନ ହେଲେ ପରିବାର ଓ ସମାଜର ଉନ୍ନତି ହୋଇପାରିବ ।

ମହିଳା ମାନେ ଅଭାବୀ ଜୀବନ ନ ବିତାଇ ନିଜର ଆବଶ୍ୟକତାକୁ ପୁରଣ କରି ସ୍ବାବଲମ୍ବୀ ହୋଇ କିଭଳି ସ୍ବଛନ୍ଦରେ ଜୀବନଯାପନ କରିପାରିବେ ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି। ୨ୟ କିସ୍ତିରେ ସୁଭଦ୍ରା ସହାୟତା ବଣ୍ଟନ କରାଯାଇଛି ।
କୋରାପୁଟ ଜିଲ୍ଲାର ୩ ଲକ୍ଷ ସୁଭଦ୍ରା ହିତାଧୀକାରୀଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ଡିବିଟି ମାଧ୍ୟମରେ ଦିଆଯାଇଥିବା ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି।
ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।କୋଟପାଡ଼ ବିଧାୟକ ରୁପୁ ଭତ୍ରା,କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।
ପୋଷଣ ଅଭିଯାନ କାର୍ଯ୍ୟକ୍ରମର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ଶ୍ରେଷ୍ଠ ଶିଶୁ ବିକାଶ ଅଧିକାରୀ ଭାବେ ସେମିଳିଗୁଡା ସିଡିପିଓ ବିନୋଦିନୀ ବେହେରାଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଶ୍ରେଷ୍ଠ ସୁପରଭାଇଜର ଭାବେ ବୈପାରିଗୁଡାର ଚନ୍ଦ୍ରବତୀ ମଣ୍ଡଳ ଓ ବୋରିଗୁମ୍ମାର ଶର୍ମିଷ୍ଠା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ପାର୍ବତୀ ନାୟକ, ଦୁତିକା ହାଲବା, ଅଞ୍ଜନା ହିକକା ଓ ଶକୁନ୍ତଳା ହିମେରିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେଷ୍ଠ ହେଲପର ଭାବେ ଦନମତି ଚପାଡ଼ି, ଗୌରୀ ଦୁଆରୀ ଓ ଏ.କମଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି I ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ କର୍ମଶାଳା ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା I
ଉକ୍ତ କର୍ମଶାଳାରେ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଗୁଣ ଶେଖର, ଓରମାସର ଡେପୁଟି ସି ଇ ଓ ମନୋଜ ପାତ୍ର, ରାୟଗଡ଼ ସ୍ୱୟଂ ଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଳତା ସରାଫ, ଜିଲ୍ଲା ଦକ୍ଷତା ଅଧିକାରୀ ସ୍ଵର୍ଣ୍ଣଲତା ରାଉତ, ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ଆର୍ଥିକ ଉନ୍ନତି, ବୈଷୟିକ ଶିକ୍ଷା ଓ ମହିଳା ସଶକ୍ତିକରଣ, ଗ୍ରାମ୍ୟ ନିଯୁକ୍ତି ଓ ବଜାର ସହିତ ଯୋଗାଯୋଗରେ ମହିଳା ମାନଙ୍କ କିଭଳି ଅବଦାନ ରହୁଛି ସେ ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ I

ଏହା ପରେ ଜିଲ୍ଲାସ୍ତରୀୟ ପାଳନ ଉତ୍ସବ ରେ ଯୋଗଦେଇ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କଅଁର ମହିଳା ଦିବସ, ମିଳିତ ଜାତି ସଂଘର ଘୋଷଣାନାମା, ଶିଶୁ ସୁରକ୍ଷା, ମହିଳା ସୁରକ୍ଷା, ମହିଳା ସଶକ୍ତିକରଣ ପାଇଁ ହୋଇଥିବା ଚୁକ୍ତିନାମା ବିଷୟରେ ଆଲୋକପାତ କରିଥିଲେ I