ପ୍ରତିଫଳନ ମିଡ଼ିଆ
ପ୍ରିୟ କୋରାପୁଟ
ଉଷ୍ମ ଆତିଥ୍ୟ ପାଇଁ ଧନ୍ୟବାଦ। ଆଗକୁ ମୋର ଏପରି ଅନେକ ଦୁଃସାହସିକ ଅଭିନବ ପ୍ରକଳ୍ପ ପାଇଁ ଅପେକ୍ଷା ରଖିବି ।
#SSMB29 ସେଟରୁ ପ୍ରଚୁର ଭଲ ପାଇବା
ପ୍ରିୟଙ୍କା ଚୋପ୍ରା ଏସ ରାଜମୌଲି
ଏମିତି କିଛି ବାର୍ତ୍ତା ରଖିଛନ୍ତି କୋରାପୁଟ ଉଦ୍ଦେଶ୍ୟରେ ପ୍ରସିଦ୍ଧ ନିର୍ଦ୍ଦେଶକ ଓ ହଲିଉଡ଼ ଅଭିନେତ୍ରୀ । କୋରାପୁଟ ମାଟି,ପ୍ରକୃତି ଓ ଏଠାକାର ମଣିଷ ମାନଙ୍କର ପ୍ରଚୁର ଭଲ ପାଇବାକୁ ଭୁଲି ପାରୁ ନାହାଁନ୍ତି । ନିଜ ମାନସ ପଟରେ ଓ ହୃଦୟ କନ୍ଦରରେ କୋରାପୁଟର ସ୍ମୃତିକୁ ସାଇତି ରଖିଛନ୍ତି । ବିଗବଜେଟର ଫିଲ୍ମ ଏସଏସଏମବି29ର ଫିଲ୍ମ ସୁଟିଂ ପାଇଁ ଗତ କିଛି ଦିନ ହେଲା ଡେରା ପକାଇଥିଲେ ପୁରା ଫିଲ୍ମ ୟୁନିଟ ।।କୋରାପୁଟର ତଳମାଳିରେଚାଲିଥିଲା ନନଷ୍ଟପ ସୁଟିଂ । ସୁଟିଂ ପାଇଁ ପହଞ୍ଚିଥିଲେ ସୁପରଷ୍ଟାର ମହେଶବାବୁ ଓ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସମେତ ଆସୁ କିଛି ନାମିଦାମୀ ଅଭିନେତା । ଟିକିଏ ଝଲକ ପାଇବା ପାଇଁ ଫ୍ୟାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଥିଲା । ସୁଟିଂ ପରେ ନିର୍ଦ୍ଦେଶକ ସମେତ କଳାକାରମାନେ ନିକଟବର୍ତ୍ତୀ ଗ୍ରାମକୁ ଯାଇ ଜନଜାତି ସଂସ୍କୃତିକୁ ପରଖିବା ସହ ଲୋକଙ୍କ ସହ ଅନ୍ତରଙ୍ଗ ହୋଇଥିଲେ । ଏମିତିକି ନିର୍ଦ୍ଦେଶକ ସ୍ଥାନୀୟ ଏକ ଗ୍ରାମରେ ଯୁବକମାନଙ୍କ ସହ ଭଲିବଲ ଖେଳିଥିଲେ । କୋରାପୁଟରେ ସ୍ବଳ୍ପ ରହଣି କାଳରେ କୋରାପୁଟ ଲୋକଙ୍କ ମିଷ୍ଟ ବ୍ୟବହାର, ଆତିଥେୟତାକୁ ଭୁଲି ପାରୁନାହାଁନ୍ତି କଳାକାର ସମେତ ସମସ୍ତ ଟିମ । ସେଥିପାଇଁ କୋରାପୁଟ ଛାଡିବା ପୂର୍ବରୁ କୋରାପୁଟ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଛନ୍ତି । ହାତ ଲେଖା ଚିଠିରେ ଖୋଦ ନିର୍ଦ୍ଦେଶକ ଏସ ରାଜମୌଳି ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦସ୍ତଖତ କରିଛନ୍ତି । ଆଗକୁ ବଡ଼ ପ୍ରକଳ୍ପ ସହ ଏଠାକୁ ଆସିବାକୁ ପୁଣି ଚିଠିରେ ସଙ୍କେତ ଦେଇଥିବାରୁ କୋରାପୁଟ ଟୁରିଜିମ ଶିଳ୍ପର ଅଭିବୃଦ୍ଧି ପାଇଁ ଶୁଭ ସୂଚନା ବୋଲି ଆଲୋଚନା ହେଉଛି ।
