ପ୍ରତିଶ୍ରୁତିସମ୍ପନ୍ନା : ଲୋପାମୁଦ୍ରା

କର୍ପୋରେଟ ସିଏସଆର କ୍ଷେତ୍ରରେ ସାରା ଦେଶରେ ନାଁ କରିଥିବା ଓଡ଼ିଆ ଝିଅ ଲୋପାମୁଦ୍ରା ପ୍ରିୟଦର୍ଶିନୀ I ବିଦେଶ ଯିବାର ସୁଯୋଗ ପାଇଲେ ଅନେକ ପଛକୁ ଫେରି ଚାହାନ୍ତି ନାହିଁ, ହେଲେ ରାୟଗଡ଼ାରୁ ଗ୍ରୀସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ଲୋପାମୁଦ୍ରାଙ୍କୁ ସେ ମୋହ ବାନ୍ଧି ରଖିପାରିଲାନି, କାରଣ ତାଙ୍କ ପାଇଁ ମାଟିର ଆକର୍ଷଣ ଥିଲା ଦୁର୍ବାର । ନିଜ ସ୍ୱପ୍ନ ସାକାର କରିବା ସହ ନିଜ ଅଞ୍ଚଳର ଅନେକଙ୍କ ସେବାରେ ନିୟୋଜିତ କରିବା ପାଇଁ ସେ ହୋଇଥିଲେ ଜନ୍ମମାଟି ମୁହାଁ । ଦେଶକୁ ଏବଂ ପରେ ପରେ ରାଜ୍ୟକୁ ଫେରିବା ପରେ ଏବେ ବିଭିନ୍ନ କର୍ପୋରେଟ ହାଉସର ସିଏସଆର ଦାୟିତ୍ୱରେ ରହି ଅନେକଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା କାର୍ଯ୍ୟରେ ବ୍ରତୀ ଅଛନ୍ତି। ଲୋପାମୁଦ୍ରାଙ୍କ ଜୀବନ କାହାଣୀକୁ ନେଇ ପ୍ରତିଫଳନର ବିଶେଷ ପ୍ରସ୍ତୁତି ।

ସଂଘର୍ଷମୟ ପିଲାଦିନ

୧୯୭୭ ମସିହାରେ ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଲୋପାମୁଦ୍ରାଙ୍କର ଜନ୍ମ । ସେ ଓଡ଼ିଶାର ଝିଅ, ସମୟ କ୍ରମେ ଶ୍ବଶୁର ଘର ଗ୍ରୀସ ରେ I ହେଲେ ତାଙ୍କର ବର୍ତ୍ତମାନର କର୍ମସ୍ଥଳୀ ଓଡ଼ିଶା । ବାପାଙ୍କ ନାମ ସୁବାସଚନ୍ଦ୍ର ପାଢୀ ଓ ମାଆଙ୍କ ନାମ ଗୀତା ପାଢ଼ୀ I ପିଲା ଦିନେ ବହୁ କଷ୍ଟରେ ପାଠ ପଢ଼ିଥିବା ଲୋପାମୁଦ୍ରା ଜଣେ ମେଧାବୀ ଛାତ୍ରୀ ଥିଲେ । ଲୋପାମୁଦ୍ରା ସର୍ବଦା ମେଧା ବୃଦ୍ଧି ପାଇ ପାଠ ପଢୁଥିଲେ । ରାୟଗଡ଼ା ଜିଲ୍ଲାରେ +୨ ପାସ କରି ବ୍ରହ୍ମପୁରର ଓମେନ ପଲିଟେକିନିକ୍ ମହାବିଦ୍ୟାଳୟରେ ହୋଟେଲ ମ୍ୟାନେଜମେଣ୍ଟରେ କିପ୍ଲୋମା କଲା ପରେ ୧୮ ବର୍ଷ ବୟସରେ ଚେନ୍ନାଇ ଠାରେ ଚାକିରି କରିଥିଲେ । ଚାକିରି ସମୟରେ ମଧ୍ୟ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ଦୂର ନିରନ୍ତର ପାଠ୍ୟକ୍ରମରେ ସ୍ନାତକ କରିଥିଲେ । ଆଗକୁ ବଢିବା ତଥା ସମାଜ ଓ ମାଟି ମା ପ୍ରତି ଥିବା ଉତ୍ତରଦାୟିତ୍ୱକୁ ସାକାର ରୂପ ଦେବା ପାଇଁ ସୁଯୋଗ ଅପେକ୍ଷାରେ ଲୋପାମୁଦ୍ରା। ଗ୍ରାଜୁଏସନ୍ ସରିବା ପରେ ୨୦୦୩ ମସିହାରେ ଇଂଲଣ୍ତର ଏକ ଦାତବ୍ୟ ସଂଗଠନ ତରଫରୁ ତାଙ୍କୁ ସେଠାରେ Marketing and Human Resource Management ପାଠ ପଢ଼ିବା ପାଇଁ ସୁଯୋଗ ମିଳିଥିଲା । ଆଉ ସେ ସୁଯୋଗ ହାତଛଡା ନକରି ଲଣ୍ତନ ଚାଲିଯାଇଥିଲେ ।

Oplus_131072

ଜୀବନର ମୋଡ଼

 ସେଠାରେ ଦିନରେ ପାଠ ପଢ଼ିବା ସହିତ ନିଜର ସାଧାରଣ ଆବଶ୍ୟକତା ପୂରଣ କରିବା ନିମିତ୍ତ ରାତିରେ ରେଷ୍ଟୁରାଣ୍ଟରେ କାମ କରୁଥିଲେ । ସମୟକ୍ରମେ ୨୦୦୫ ମସିହାରେ ଗ୍ରୀସ୍ ର ଜଣେ ଯୁବକ କନଷ୍ଟାନଟିନା ବାସିଲେଡିସଙ୍କୁ ବିବାହ କରିଥିଲେ । ପାଠ୍ୟକ୍ରମ ସମାପ୍ତି ପରେ ଗ୍ରୀସ୍ ରେ ଯାଇ ତାଙ୍କର ଶାଶୁ ଘରେ ରହିଲ । ଗ୍ରୀକ୍ ଭାଷା ଶିଖି ନ ଥିବାରୁ ଇଂରାଜୀ ପ୍ରଫେସର ଭାବେ ଏକ ଅନୁଷ୍ଠାନରେ ଚାକିରି କରିବା ସହ ଗ୍ରୀକ୍ ଭାଷା ଶିଖିବାର ସୁଯୋଗ ପାଇଲେ । ଦୀର୍ଘ ୧୦ ବର୍ଷ କାଳ ଗ୍ରୀସ୍ ରେ ବିଭିନ୍ନ ସଂସ୍ଥାରେ କାମ କରିବା ଭିତରେ ତାଙ୍କ ମନ ଛଟପଟ ହେଉଥାଏ ନିଜ ଦେଶକୁ ଜନ୍ମମାଟିକୁ ଫେରିବେ ।

ଲେଉଟାଣି ପର୍ଵ

ସୁଯୋଗ ଆସିଲା ଭାରତ ଫେରିବା ପାଇଁ । ଇଣ୍ଡୋ ଫାର୍ମ ଟ୍ରାକ୍ଟର କମ୍ପାନୀରେ ଚିଫ ଜେନେରାଲ୍ ମ୍ୟାନେଜର ହ୍ୟୁମାନ ରେସୋର୍ସ ଆଣ୍ଡ ଆଡମିନ୍ ଭାବରେ ଯୋଗଦେବାକୁ ଅଫର ଆସିଲା । ତାକୁ ହାତଛଡ଼ା ନ କରି ତାଙ୍କ ଅଭିଳଷିତ ସ୍ବପ୍ନ ଦିଗରେ ଦି ପାଦ ଆଗେଇ ସପରିବାର ଫେରିଥିଲେ ଭାରତ । ପ୍ରଥମେ ଚଣ୍ଡୀଗଡ଼ ଓ ପରେ ପରେ ସୋନାଲୀକା ଟ୍ରାକଟର, ନୂଆଦିଲ୍ଲୀରେ ସିଏସଆର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ୨୦୧୯ ଯାଏ । 

ବଜ୍ର ଶପଥ

ସୁଦୂର ଗ୍ରୀସରେ ଥିଲା ବେଳେ ଲୋପାମୁଦ୍ରା ଏକ ଶପଥ ନେଇଥିଲେ ନିଜ ଅଞ୍ଚଳର ଝିଅମାନଙ୍କ ପାଇଁ କିଛି କରିବେ । ସେ ଯେମିତି କଷ୍ଟ ସ୍ୱୀକାର କରି ସୁଦୂର ରାୟଗଡ଼ା ଜିଲ୍ଲାରୁ ଆସି ବ୍ରିଟେନରେ ପାଠ ପଢି ସ୍ବାବଲମ୍ବୀ ହୋଇ ପାରିଲେ, ସେହିପରି ସେହି ଅଞ୍ଚଳର ଅନ୍ୟ ଝିଅମାନେ ମଧ୍ୟ ସୁଯୋଗ ପାଇଲେ ଆଗକୁ ବଢ଼ିପାରିବେ ଓ ଆତ୍ମନିର୍ଭରଶୀଳା ହୋଇ ପାରିବେ । ତେଣୁ ସେ ସର୍ବଦା ଚିନ୍ତା କରୁଥିଲେ କି ଯଦି କେବେ ଭାରତକୁ ଫେରି କାମ କରିବାର ସୁଯୋଗ ମିଳେ ତେବେ ସେ ଗରିବ ମହିଳା, ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରାଇ ସେମାନଙ୍କୁ ସ୍ବାବଲମ୍ବୀ କରାଇବାରେ ସେ ଗୁଣ୍ଡୁଚି ମୂଷା ଭଳି ଅବଦାନ ରଖିବେ ଏବଂ ତାହାରି ଦ୍ବାରା ହିଁ ସେମାନଙ୍କର ପ୍ରକୃତ ଉନ୍ନତି ହୋଇ ପାରିବ । ୨୦୧୯ ଲୋପମୁଦ୍ରାଙ୍କୁ ଭାଗ୍ୟ ଆଣିଦେଲା ସୁଯୋଗ, ହିଣ୍ଡାଲକୋରେ ତାଙ୍କୁ ଜେନେରାଲ ମ୍ୟାନେଜର ପାହ୍ୟାରେ CSR ବିଭାଗରେ ନିଯୁକ୍ତି ମିଳିଲା । ଆଉ ସୌଭାଗ୍ୟକୁ ତାଙ୍କ କାର୍ଯ୍ୟ ପରିସର ଭିତରେ ବି ଥିଲା ଜନ୍ମମାଟି ରାୟଗଡ଼ା । ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ହିଣ୍ଡାଲକୋ କମ୍ପାନୀର ସିଏସଆର ଦାୟିତ୍ୱରେ ଅଛନ୍ତି । ଲୋପାମୁଦ୍ରା ତାଙ୍କ ଜୀବନରେ ପ୍ରାୟତଃ ୨୦ ଟି ଦେଶର ଏମ୍ବାସିଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି। Futuristic CSR ହିସାବରେ ସେ ହିଣ୍ଡାଲକୋରେ  ବର୍ତ୍ତମାନ କାର୍ଯ୍ୟରତ | Entrepreneur innovative program ରେ CSR fund କିପରି ଜନସମୁଦାୟ ବା ଗୋଷ୍ଠୀଙ୍କ ପାଇଁ ବିନିଯୋଗ ହୋଇପାରିବ ସେହି ବିଷୟରେ ଲୋପାମୁଦ୍ରା ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରି ଅଛନ୍ତି ।

ଜନ୍ମମାଟି ପାଇଁ କର୍ମ

 ହିଣ୍ଡାଲକୋ କମ୍ପାନୀର CSR fund ମାଧ୍ୟମରେ ଓଡ଼ିଶା ସରକାରଙ୍କର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ବର୍ଭମାନ ଲୋପାମୁଦ୍ରା ଶହ ଶହ ଆଦିବାସୀ ଗରିବ ପୁଅ ଝିଅମାନଙ୍କର ଉଚ୍ଚଶିକ୍ଷାର ବ୍ୟବସ୍ଥା କରାଇବାରେ ସହାୟକ ହୋଇପାରିଛନ୍ତି। ଲୋପାମୁଦ୍ରାଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ତିଆରି କରାଯାଇଥିବା ‘ମହିଳା କୃଷକ ଉତ୍ପାଦକ ସଂଘ’ରେ ପ୍ରାୟ ୮୦୦୦ ମହିଳା କାର୍ଯ୍ୟ କରୁଅଛନ୍ତି । ଏହି ପ୍ରଡ୍ୟୁସର୍ ଗ୍ରୁପ୍ ରେ ମ୍ୟାନୁପ୍ୟାକ୍ଚରିଂ, ଟ୍ରେଡିଂ, ପ୍ୟାକିଂ ଓ ବ୍ରାଣ୍ଡିଂ ରେ CSR fund କୁ ଲଗାଇ ଅଛନ୍ତି। ଆଜି ସୁଦ୍ଧା ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରାୟ ୪୦୦ ବା ତତୋଧିକ ଝିଅ ଆର୍ମି ଏବଂ ବିଏସ୍ ଏଫ୍ ରେ ଚାକିରି କରିଅଛନ୍ତି । ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦୦୦ ହଜାର ମହିଳା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ, ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କୃଷିକାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହି ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୩୦୦ ମହିଳା ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟର ବିକ୍ରୟ କେନ୍ଦ୍ର ଖୋଲି ନିଜ ନିଜର ପରିବାର ଚଳାଇବାରେ ସମର୍ଥ ହୋଇ ପାରିଛନ୍ତି ।  ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲୋପାମୁଦ୍ରା ଜାତୀୟ ସ୍ତରରେ ମଧ୍ୟ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । 

ବାସ୍ତବିକ ଲୋପାମୁଦ୍ରା ଅନେକଙ୍କ ପାଇଁ ପ୍ରେରଣା । ସ୍ୱପ୍ନ, ସଂଘର୍ଷ, ନିରବଛିନ୍ନ ପ୍ରଚେଷ୍ଟା, ପ୍ରତିବଦ୍ଧତା, ସଫଳତାର ଏକ ଅନନ୍ୟ ସମାହାର । 

ଲୋପାମୁଦ୍ରାଙ୍କ ଦୂରଦୃଷ୍ଟି, ସହାନୁଭୂତି, ମାଟି ମା’ ପ୍ରତି ଅନାବିଳ ପ୍ରେମ ପାଇଁ ପ୍ରତିଫଳନ ଜଣାଉଛନ୍ତି ଅଭିନନ୍ଦନ ।

Spread the love