(ପ୍ରତିଫଳନ ମିଡିଆ)
ନବରଙ୍ଗପୁରର ମା ଭଣ୍ଡାରଘରଣୀ ଉଭୟ ଆଟବିକ ଓ ଆର୍ଯ୍ୟ ସଂସ୍କୃତିର ସମନ୍ବୟର ଦେବୀ । ଏଠାରେ ମା ଉଭୟ କେଉଟ ଜନଜାତି ଓ ଆର୍ଯ୍ୟବ୍ରାହ୍ମଣଙ୍କ ଦ୍ଵାରା ପୂଜିତ ହୁଅନ୍ତି । କେଉଟ ହେଉଛନ୍ତି ମାଆଙ୍କର ଆଦି ପୂଳକ । ଜୟପୁରର ଶେଷରାଜା ଚତୁର୍ଥ ବିକ୍ରମଦେବଙ୍କୁ (୧୯୩୧- ୧୯୫୧) ତାଙ୍କର ଶାସନକାଳରେ ମନ୍ଦିରରେ କେଉଟଙ୍କ ସହିତ ବ୍ରାହ୍ମଣଙ୍କ ବ୍ୟବସ୍ଥା କରିଥିଲେ । ମଂଗଳବାର ଓ ଶନିବାର ମାଆର ପ୍ରିୟବାର । ଏହାବ୍ୟତୀତ ସଂକ୍ରାନ୍ତି ସହିତ ଅନ୍ୟ ପର୍ବପର୍ବାଣୀରେ ଏଠାରେ ବହୁ ଭକ୍ତର ଭିଡ ଜମେ । ମାଆ ପାଖରେ ଫଳ, ପିଠା, ମିଠା, ଚାଉଳ ଆଦି ସାହିକ ଭୋଜନ ନିବେଦନ ହେବା ସହିତ ଭକ୍ତମାନେ ମନସ୍କାମନା ପୂରଣ ପାଇଁ ଛେଳି, ମେଣ୍ଡା ଓ କୁକୁଡା ବଳି ଦେଇଥାନ୍ତି । ମନ୍ଦିର ଅଗଣାରେ ଏକ ସ୍ବତନ୍ତ୍ର ବଳିପୀଠ ରହିଛି । ମାଆଙ୍କର ଶାରଦାୟ ଓ ବାସନ୍ତୀକ ଦୁର୍ଗାପୂଜା ମହା ଆଡମ୍ବରରେ କରାଯାଏ । ଶାରଦୀୟ ଦୁର୍ଗାପୂଜାରେ ସ୍ଵରୂପ ନାନା ରଂଗର ବସ୍ତ୍ରରେ ଶୋଭିତ ଲାଠିମାନ ଆସିଥାଆନ୍ତି । ମାଆଙ୍କୁ ସମ୍ମାନ ଜଣାଇ ବିଭିନ୍ନ ଦେବୀପୀଠରୁ ବିଭିନ୍ନ ସ୍ଥାନକୁ ଯାଉଥିବା ଲାଠିମାନ ମାଆଙ୍କୁ ସମ୍ମାନ ଜଣାଇ କିଛି ସମୟ ଅଟକି ରହନ୍ତି । ଉମରକୋଟସ୍ଥ ଶକ୍ତିପୀଠ ମା ପେଣ୍ଡରାଣୀଙ୍କର ଲାଠି ଏହି ମନ୍ଦିରର ପଛପଟ ରାସ୍ତାରେ ଯାଇଥାଏ ।
ନରସିଂହ ଦେବଙ୍କ ସମୟରେ ରାଜ୍ୟର ରାଜଧାନୀ ଜଗନ୍ନାଥପୁରର ନବରଂଗପୁରକୁ ସ୍ଥାନାନ୍ତରିତ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା । ରାଜା ଚୈତନ୍ୟଦେବ ନୂଆ ରାଜଧାନୀ ନବରଂଗପୁରକୁ ତାଙ୍କ ବଂଶର ଇଷ୍ଟଦେବୀ ଭଣ୍ଡାରଘରଣୀଙ୍କୁ ଆବାହନ କରି ଆଣିଥିଲେ । କିନ୍ତୁ ମାଆଙ୍କର ମୂଳ ପୀଠ ବେତାଳର ବେତଵଣ । ସେଠାରେ ମାଆ ପ୍ରଥମେ ଆବିର୍ଭାଵ ହୋଇଥିଲେ । ପରେ ଜଗନ୍ନାଥପୁରରେ ରହିଲେ ଏବଂ ଏବେ ମଧ୍ୟ ପୀଠ ରହିଛି । ସଂପ୍ରତି ମାଆଙ୍କର ମନ୍ଦିର ସହରର କେନ୍ଦ୍ରମୂଳରେ ଅବସ୍ଥିତ । ୨୦୧ ଜାତୀୟ ରାଜପଥ ପାର୍ଶ୍ଵରେ ଏହି ମନ୍ଦିର । ପ୍ରଥମ ଅବସ୍ଥାରେ ଏହା ଚାଳଘରେ ଥିଲା । ୧୯୪୦ରେ ପ୍ରଶସ୍ତ ବାରକ୍ଷାଯୁକ୍ତ ଟିଣଘର ତିଆରି ହେଲା । ୨୦୦୮ରେ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି ।
ଏଠାରେ ମନ୍ଦିର ଓ ପ୍ରାଚୀର ଦ୍ଵାର ପୂର୍ବାଭିମୁଖୀ ହୋଇଥିବାବେଳେ ମାଆ କିନ୍ତୁ ପଶ୍ଚିମାଭିମୁଖୀ । ମନ୍ଦିରର ପଶ୍ଚିମଭାଗରେ ଆଦି ସେବକମାନଙ୍କ ବାସସ୍ଥଳୀ । ତାଙ୍କରୁ ପଶ୍ଚିମାଭିମୂଖ ସର୍ବଦା ହୁଏତ ଏହି ସେବକମାନଙ୍କର ଆସିବା ପଥକୁ ଚାହିଁ ବସିଥାଏ । ମାଆ ଏଠି ଝିଅ ବେଶରେ ପାଟରାଙ୍କ ପାଖରୁ ଟୁଡି ପିନ୍ଧି ବାବା ପଇସା ଦେବେ ବୋଲି କହଥିଲେ । ମାଆ ଏଠି କ୍ଷୁଦାର୍ଥ ଅତିଥିଙ୍କୁ ଅର୍ଦ୍ଧରାତ୍ରରେ ଭଣ୍ଡାର ଘର ଥାଳିରେ ଖାଦ୍ୟ ପରଷନ୍ତି । ମାଆ ଏଠି ଖଣ୍ଡା ଧରି ଭଣ୍ଡାରଘର ରକ୍ଷା କରନ୍ତି ।
ମାଆ ଗ୍ରାମବାସୀଙ୍କ ପାଇଁ ହୋଇପଡନ୍ତି ବୈଶାଖରେ ଗ୍ରାମଦେବୀ, ଜ୍ୟେଷ୍ଠରେ ସାବିତ୍ରୀ, ଆଷାଢରେ ଧରିତ୍ରୀ, ଆଶ୍ୱିନରେ ଦୁର୍ଗା, କାର୍ତିକରେ କାଳୀ, ମାର୍ଗଶୀରରେ ଲକ୍ଷ୍ମୀ, ମାଘରେ ସରସ୍ବତୀ, ଫାଲଗୁନରେ ପାର୍ବତୀ ଓ ଚୈତ୍ରରେ ଶ୍ରୀ ରାଧା । ମନ୍ଦିର ପ୍ରବେଶ ଦ୍ଵାରର ଉପର ଛାତରେ ଜୟପୁର ଶେଷ ମହାରାଜାଙ୍କର ଏକ ପ୍ରତିମୂର୍ତି ରହିଛି । ସୁଚନାଯୋଗ୍ୟ ଯେ ୧୮୭୬ ନବରଂଗପୁର ରାଜା ଚୈତନ୍ୟ ଦେବଙ୍କର ମୃତ୍ୟୁ ପରେ ଓ ୧୯୧୧ରେ ତାଙ୍କ ରାଣୀ ସୁଲୋଚନା ପାଟ ମହାଦେଇଙ୍କ ସ୍ୱର୍ଗାରୋହଣ ସହିତ ନବରଂଗପୁର ରାଜ୍ୟର ବିଲୟ ଘଟି ଜୟପୁରର ଚଦୁର୍ଥ ରାମଚନ୍ଦ୍ରଦେବ( ୧୯୨୦-୧୯୩୧) ସମୟରେ ଜୟପୁର ମୂଳ ରାଜ୍ୟ ସହିତ ମିଶି ଯାଇଥିଲା । ନିଃସନ୍ତାନ ଚୈତନ୍ୟଦେବଙ୍କୁ ପୁତ୍ରପ୍ରାପ୍ତିର ଆଶୀର୍ବାଦ ଦେବା ପାଇଁ ଦେବୀ ମାଆ ବିମୁଖ ହୋଇ ରାଜବଂଶ ବିଲୟର ସାକ୍ଷୀ ହୋଇ ରହିଗଲେ । ତେବେ ଦଶହରା ସମୟରେ ମାଆଙ୍କ ପୀଠ ଉତ୍ସବମୁଖର ହୋଇଉଠେ । ଷୋଡଶ ପୂଜା ଉପଚାର ସହ ନିଶି ପୂଜା ମଧ୍ୟ ହୋଇଥାଏ । ଦଶହରା ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥାଏ ।