ଖଣ୍ଡପଡାରୁ ନୟାଗଡ଼ । ନୟାଗଡ଼ର ହେଲେ ଆରାଧ୍ୟ ଦେବୀ । ମୁସଲମାନ ଶାସକ ସତ୍ତାର ଖାଁ ଦେଖାଇଥିଲେ ନିଜର ଗର୍ବ । ନିମିଷକରେ ବଦଳିଗଲା ପାଣିପାଗ । ଗର୍ବ ହେଲା ଖର୍ବ । ମୁସଲମାନ ଶାସକଙ୍କୁ ନଇଁବାକୁ ପଡିଲା । ମାଁଙ୍କ ନିକଟରେ ଅଧିଆ ପଡି କ୍ଷମା ମାଗିଲେ । ତାପରଠାରୁ ମାଆ ଦକ୍ଷିଣ କାଳୀଙ୍କ ଅଲୌକିକତା ଚାରିଆଡେ ପ୍ରଚାରିତ ହେଲା । ମାଆ ଦକ୍ଷିଣ କାଳୀଙ୍କ ମହିମାକୁ ନେଇ ନୟାଗଡ଼ରୁ ପ୍ରତିଫଳନ ମିଡିଆ ପାଇଁ ଉତ୍ପଳ କୁମାର ସାହୁଙ୍କ ବିଶେଷ ଉପସ୍ଥାପନା ।
ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ହେଉଛନ୍ତି ମା ଦକ୍ଷିଣ କାଳୀ। ଅନ୍ୟତମ ପ୍ରମୁଖ ଶକ୍ତି ପୀଠ । ଦଶହରା ସମୟରେ ବିଶେଷ ପୂଜା ଉପଚାର କରାଯାଏ । କିମ୍ବଦନ୍ତୀ ଅନୁସାରେ, ନୟାଗଡ଼ର ପ୍ରଖ୍ୟାତ ତାନ୍ତ୍ରିକ ବିଧାର ସାମନ୍ତ ଖଣ୍ଡପଡ଼ା ଗଡକୁ ଯାଇଥିଲେ । ଫେରୁ ଫେରୁ, ନନ୍ଦନ ବନ ମଝିରେ ଭୀଷଣ ଝଡ ତୋଫାନର ସମ୍ମୁଖୀନ ହୋଇଥଲେ । ବିଧାର ସାମନ୍ତ ଆଶ୍ରୟ ଖୋଜୁ ଖୋଜୁ ଘଂଚ ଜଙ୍ଗଲ ମଧ୍ୟରେ ଗୋଟେ ଛୋଟ ଝୁମ୍ପୁଡ଼ି କୁଡିଆ ଦେଖିବାକୁ ପାଇଲେ । ସେହି କୁଡିଆ ଭିତରେ ଯାଇ ଆଶ୍ରୟ ନେଇଥିଲେ । ଜଙ୍ଗଲ ମଧ୍ୟରେ ଚାଲି ଚାଲି ଥକି ଯାଇଥିବାରୁ ସେଇ କୁଡିଆ ଘର ଭିତରେ ନିଘୋଡ ନିଦ୍ରାରେ ଶୋଇପଡ଼ିଥିଲେ ବିଧାର ସାମନ୍ତ । ବିଧାର୍ ଙ୍କୁ ହଠାତ ସ୍ୱପ୍ନାଦେଶ ହେଲା ,, ସେ ଯେଉଁ ସ୍ଥାନରେ ଶୋଇଛନ୍ତି, ସେଇଠି ମା ଦକ୍ଷିଣ କାଳୀ ବିଜେ ହୋଇଛନ୍ତି । ତାଙ୍କୁ ସାଙ୍ଗରେ ନେଇ ନୟାଗଡ଼ ଯିବାକୁ ସ୍ବପ୍ନରେ ନିର୍ଦ୍ଦେଶ ହେଲା । ସ୍ବପ୍ନ ଦେଖି ଵିଧାର ସାମନ୍ତଙ୍କ ନିଦ୍ରା ଭଙ୍ଗ ହୋଇଥିଲା। ଘଂଚ ଜଙ୍ଗଲ ମଝିରେ ମା କୋଉଠୁ ଆସିଲେ,,, ଏମିତି ଅନେକ ଭାବନା ଭିତରେ,, ଖୋଜୁ ଖୋଜୁ ମାଙ୍କ ସନ୍ଧାନ ପାଇଥିଲେ । ସେଇଠୁ ମା ଦକ୍ଷିଣ କାଳୀଙ୍କୁ ସାଙ୍ଗରେ ନେଇ ନୟାଗଡ଼ ଅଭିମୁଖେ ଯାତ୍ରା କାରିଥିଲେ । ରୁଖି ବଳରାମର ପାହାଡ ପାଦଦେଶରେ ,, ନୟାଗଡ଼ ରାଜ୍ୟ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ରାଜା ଲଡୁକେଶ ନୟାଗଡ଼ରେ ଶାସନ କରୁଥିଲେ । ଗୁପ୍ତରେ ମାଙ୍କୁ ପ୍ରତିଷ୍ଠା କରି ବିଧାର କେତେଦିନ ପୂଜା, କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ନୟାଗଡ଼ରେ ମୁସଲମାନ ଶାସନ କରିଥିଲେ । ମୁସଲମାନ ଶାସକ ସତ୍ତାର ଖାଁ , ନୟାଗଡ଼ରେ ଶାସନ କରୁଥିବା ବେଳେ , ମାଙ୍କୁ ଗୋଡ଼ରେ ଗୋଇଠା ମାରି ଭାଙ୍ଗିବା ସହ ଚାଳ ଝୁମ୍ପୁଡି ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ । ସେହିଦିନ ସନ୍ଧ୍ୟାରେ ପ୍ରବଳ ଜୋରରେ ଝଡ ତୋଫାନ ସହ ଭୀଷଣ ବର୍ଷା ହୋଇଥିଲା । ରାତିରେ ସତାର ଖାଁ କୁ ପ୍ରବଳ ଜ୍ବର ହୋଇଥିଲା । ସେ ନିଜର ଭୁଲ ବୁଝି ପାରିଥିଲେ । ପରଦିନ ଆସି ମା ଙ୍କ ନିକଟରେ ଅଧିଆ ପଡିଥିଲେ । କ୍ଷମା ପ୍ରାର୍ଥନା କରିଥିଲେ । ସ୍ୱପ୍ନାଦେଶ ପାଇ ସତ୍ତାର ଖାଁ ମାଙ୍କ ମାଇଁ ମନ୍ଦିର ପ୍ରତିଷ୍ଠା କରିବା ସହ , ପୂଜାରୀ, ଭୋଗ, ବ୍ୟବସ୍ଥା କରେଇଥିଲେ । ସେହିଦିନ ଠାରୁ ମାଆ ଲୋକ ଲୋଚନକୁ ଆସିଥିଲେ । ପରବର୍ତ୍ତୀ ସମୟରେ ନୟାଗଡ଼ ଗଡ଼ର ଆରାଧ୍ୟା ଦେବୀ ରୂପେ ପୂଜା ପାଇଲେ । ପ୍ରତ୍ୟେକ ମାଙ୍ଗଳିକ ଅନୁଷ୍ଠାନରେ, ପ୍ରଥମେ, ମାଆଙ୍କର ଆଶୀର୍ବାଦ ନିଆଯାଏ । ପୂଜା ହୁଏ, ଏପରିକି ଘର ନିର୍ମାଣ ସମୟରେ, ମାଙ୍କ ଠାରୁ ବାନା ନେଇ ଘରେ ଲଗାଯାଏ । ବର୍ଷା ସାରା ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ, ଭକ୍ତ ମାନେ ଆସି ଦର୍ଶନ କରନ୍ତି । ବିଶେଷ କରି ମଧ୍ୟାହ୍ନ ସମୟରେ ମାଙ୍କ ପାଖରେ, ମାଛ ଭୋଗ ହୁଏ । ସେହିଭଳି ପଣା ସଂକ୍ରାନ୍ତିରେ ବିଭିନ୍ନ ମନ୍ଦିର, ମଠରୁ ପଣା ଆସି ମାଙ୍କ ପାଖରେ, ପୂଜା ହୁଏ । ଦଶହରା ସମୟରେ, ନୟାଗଡ଼ରେ ନବରାତ୍ର ସମୟରେ, ମା ଦକ୍ଷିଣ କାଳୀ ଙ୍କ ନିକଟରେ ସ୍ବତନ୍ତ୍ର , ବେଦ ପାଠ, ଚଣ୍ଡୀ ପୂଜା ମଧ୍ୟ ରାତ୍ର ରେ ହୁଏ । ପ୍ରତ୍ୟେକ ଘରୁ , ଅର୍ଥ,ଭୋଗ ସାମଗ୍ରୀ ଆସେ ମାଙ୍କ ପାଖକୁ । ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ନୟାଗଡ଼ ସହର ବାସି ବିଶ୍ୱାସ ର ସହ ପାଳନ କରି ଆସୁଛନ୍ତି । ମାଆ ପ୍ରଥମେ ଖଣ୍ଡପଡ଼ା ଉମା ଦେଇଙ୍କ ଠାରେ ପୂଜା ପାଉ ଥିଲେ । ବିଶ୍ୱାସ କରାଯାଏ, ମା ଉମା ଦେଇ ଓ ଦକ୍ଷିଣ କାଳୀ ଦୁଇ ଭଉଣୀ । ଦୁଇ ଭଉଣୀ ଖଣ୍ଡପଡ଼ା ଗଡ଼ ଓ ନୟାଗଡ଼ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ରୁପେ ପୂଜିତା ।