ପାଇକପଡାର ମା’ ଦକ୍ଷିଣ କାଳୀ ● ଏକତ୍ର ଶୈବ, ଶାକ୍ତ ଓ ବୈଷ୍ଣବ ପୂଜାର ବିରଳ ପୀଠ●

(ପ୍ରତିଫଳନ ମିଡିଆ)

ମନ୍ଦିରର ନିର୍ମାଣଶୈଳୀ ଏବଂ ବିଭିନ୍ନ ଦେବଦେବୀଙ୍କ ଅବସ୍ଥିତି ଦୃଷ୍ଟିରୁ ପାଇକପଳା ପୀଠ ଅତ୍ୟନ୍ତ ବୈଚିତ୍ରମୟ । ସୂକ୍ଷ୍ମ କାରୁକାର୍ଯ୍ୟରେ ବିମଣ୍ଡିତ ନହେଲେ ବି ଯେଉଁ ବିରାଟ କଠିନ ଶିଳାଖଣ୍ଡରେ ମନ୍ଦିର ନିର୍ମାଣ ହୋଇଅଛି, ତାହା ଦେଖିଲେ ଦର୍ଶକ ବି ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ । ଏଇ ମନ୍ଦିର ନିର୍ମାଣ ସଂପର୍କରେ କୌଣସି ସଠିକ ପ୍ରାମାଣିକ ତଥା ଐତିହାସିକ ତଥ୍ୟ ହସ୍ତଗତ ନହୋଇଥିଲେ ବି ଜନଶ୍ରୁତି ମୁତାବକ ଏକଦା ପାହାଡ଼ ଗୁମ୍ଫାରେ ପାତାଳେଶ୍ଵର ମହାଲିଙ୍ଗ ବନବାସୀ ସଂପ୍ରଦାୟର କନ୍ଧ ଲୋକମାନଙ୍କ ଦ୍ବାରା ପୂଜିତ ହୋଇ ଆସୁଥିଲା । ପରବର୍ତ୍ତୀ ଅବସ୍ଥାରେ ରାଜ ପୃଷ୍ଠପୋଷକତା ଲାଭ କରି ଏହି ମନ୍ଦିର ନିର୍ମାଣ ହୋଇଛି I ଏହା ଏକ ତନ୍ତ୍ର ପୀଠ ଭାବେ ବେଶ ଜଣାଶୁଣା । କେତେକ କୁହନ୍ତି ଏଇ ମନ୍ଦିର ଦେବତାମାନଙ୍କ ଦ୍ବାରା ଗୋଟିଏ ରାତ୍ରିରେ ନିର୍ମାଣ କରାଯାଇଅଛି । ରାତି ପାହିଯିବାରୁ ନିର୍ମାଣ କାର୍ଯ୍ୟ ଅଧାରେ ରହିଯାଇଥିବା କଥା ଅଦ୍ୟାବଧୀ କେତେକ ଅର୍ଦ୍ଧନିର୍ମିତ କାରୁକାର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ଲୋକଶ୍ରୁତିରୁ ଜଣାଯାଏ ଅତୀତରେ ଏଠାରେ ନରବଳି ପ୍ରଥା ମଧ୍ୟ ପ୍ରଚଳିତ ଥିଲା I ଅଭୀଷ୍ଟ ସଫଳ ଲାଭ ଆଶାରେ ତଥା ରାଜ୍ୟର ମଂଗଳବିଧାନ ପାଇଁ ଶ୍ରୀ ପୁରୁଷୋତ୍ତମ ବଡପଣ୍ଡାଙ୍କ ସେବା କାଳରେ ମନ୍ଦିରର ସେବକ ଶ୍ରୀ ଘାସି ଦଣ୍ଡସେନାଙ୍କ ଦ୍ବାରା ଶେଷ ନରବଳି ସଂପାଦିତ ହୋଇଥିବା କଥା ତାଙ୍କର ବଂଶଧରମାନଙ୍କଠାରୁ ଶୁଣିବାକୁ ମିଳେ । ଯେଉଁ ଶିଳା ଉପରେ ନରବଳି ଦିଆଯାଇଥିଲା ସେହି ବଦ୍ଧଶିଳା ଏବେ ବି ଦକ୍ଷିଣ କାଳୀ ମନ୍ଦିରର ପଶ୍ଚାତ ଭାଗରେ ରହିଛି । ଏହା ଏକ ତନ୍ତ୍ର ପୀଠ ହୋଇଥିବାରୁ ବହୁ ତନ୍ତ୍ରସାଧକ ଏଠାରେ ସାଧନା କରି ସଫଳତା ଲାଭ କରିଥିବାର ପ୍ରମାଣ ରହିଅଛି ।

ଶ୍ରୀ ପାତାଳେଶ୍ଵରଙ୍କର ଦକ୍ଷିଣ ପାର୍ଶ୍ଵରେ ଏକ ଗମ୍ଭୀରା ମଧ୍ୟରେ ପ୍ରତିଷ୍ଠିତ ହୋଇଛତି ପରମାରାଧ୍ୟା ଶକ୍ତି ସ୍ୱରୂପିଣୀ ,ଦକ୍ଷୀଣମୁଖା ମା’ ଦକ୍ଷିଣକାଳୀ । ମା’ ପ୍ରତ୍ୟକ୍ଷ ଦେବୀ ବୋଲି ଜନମୁଖରୁ ଶୁଣିବାକୁ ମିଳେ । ମୂର୍ତ୍ତିତନ୍ତ୍ର ଅନୁଯାୟୀ ମା’ଙ୍କର ଅଂଗ ସୌଷ୍ଠବ ଗଠନକୁ ଦେଖିଲେ ଦେବୀ ପରମା ବୈଷ୍ଣବା ବୋଲି ଅନୁମତି ହୁଅତି । ମା’ଙ୍କର ପାଦ ଦେଶରେ ପ୍ରସ୍ତର ଉପରେ ନିର୍ମିତ ହୋଇ ସ୍ଥାପିତ ହୋଇଛି ଏକ କାଳୀ ଯନ୍ତ୍ର । ତେଣୁ ଏହା ଏକ ତନ୍ତ୍ର ପୀଠ ବୋଲି ଧରି ନିଆଯାଇଛି । ଏଠାରେ ଦକ୍ଷିଣକାଳୀଙ୍କ ନିକଟରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ପକ୍ଷରେ ନବରାତ୍ର ପୂଜା ପାଳନ କରାଯାଏ । ଅତୀତରେ ଏହା ଷୋହଳ ଦିନ ବ୍ୟାପୀ ପୂଜା କରାଯାଇଥିଲା। ପ୍ରତିପଦାରେ ଘଟ ସ୍ଥାପନ ହୁଏ । ନିଜ ନିଜର ମନସ୍କାମନା ପରିପୂର୍ଣ୍ଣ ହେଇଥିବା ଯୋଗୁଁ ଏଠାରେ ଡ ମହାଷ୍ଟମୀ ଦିନ ରାତ୍ରିରେ ବହୁ ଭକ୍ତଙ୍କ ଭିଡ ଜମିଥାଏ । ବହୁ ଛାଗବଳି ତଥା ପାରାବଳି ଦିଆଯାଏ । ମା’ଙ୍କ ଗମ୍ଭୀରା ପଶୁ  ରକ୍ତରେ ପରିପୂର୍ଣ ହୋଇଯାଏ । ଏଠାରେ ପଶୁ ବଢି ଦିଆହେବ ।

ପୂର୍ବରୁ ମା’ଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତ କରାଯାଇଥାଏ । ଆଜ୍ଞାମାଳ ପ୍ରାପ୍ତ କରିବାର ଏକ ନିର୍ଦ୍ଦିଷ୍ଟ ବିଧି ରହିଛି । ଉକ୍ତ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶୁଚିମନ୍ତ ହୋଇ ଏହି ମନ୍ଦିରର ସେବାୟତ ‘ଚଉକିଆ’ କେହି ନ ଦେଖୁଣୁ ହଳଦିଆ ରଂଗର ଇଟଳା ଫୁଲ ଆଣି ଏକ ମାଳା ଗୁନ୍ଥି ରଖେ ଏବଂ ଏହି ସମୟରେ ସେ କାହାରି ସହ କ‌ଥାବାର୍ତ୍ତା କରିବାକୁ ମନା । କେତେକ ବିଶ୍ଵାସବୋଧକୁ ନେଇ ଏହି ପରଂପରା ବଂଶାନୁକ୍ରମେ ପାଳିତ ହୋଇ ଆସୁଛି । ଉକ୍ତ ଫୁଲମାଳକୁ ଧଣ୍ଡାମାଳ କୁହାଯାଏ । ସେହି ଫୁଲମାନକୁ ଲୁକାୟିତ ଭାବେ ଆଣି ଚଉକିଆ ମନ୍ଦିରର ମୁଖ୍ୟ  ପୂଜକକୁ ପ୍ରଦାନ କରନ୍ତି । ମୁଖ୍ୟ ପୂଜକ ଉକ୍ତ ଫୁଲମାଳକୁ ଶିବଙ୍କର ମସ୍ତକରେ ଲାଗି କରତି । ଶିବଙ୍କର ମସ୍ତକରେ ମଧ୍ୟ ମାଳାଟି ଏପରି ଲୁକ୍କାୟିତ ଭାବରେ ଲାଗି କରାଯାଏ ଯେ ସହଜରେ ଜାଣିହୁଏନି । ସେହିଦିନ ରାତ୍ରିରେ ଘଣ୍ଟ, ଘଣ୍ଟା ଶିଙ୍ଘ।, ଘୁମୁରା ବାଦ୍ୟର ଗୁଜରଣ ମଧ୍ୟରେ ପୂଜକ ଶୁଦ୍ଧପୂତ ହୋଇ ଲୁକ୍କାୟିତ ଭାବେ ରକ୍ତ ଧଣ୍ଡାମାଳକୁ ଶିବଙ୍କ ମସ୍ତକରୁ ଆଣି ମା’ ଦକ୍ଷିଣକାଳୀଙ୍କ ମସ୍ତକ ଉପରେ ଲାଗି କରନ୍ତି ଏବଂ ତା ପରେ ଆଜ୍ଞାମାଳ ପାଇବା ପାଇଁ ଜାନୁପତି ମା’ଙ୍କ ନିକଟରେ ଶରଣାପନ୍ନ ହୁଅନ୍ତି । ଭକ୍ତମାନେ ମଧ୍ୟ ମା’ଙ୍କୁ ଗୁହାରି ହୁଅନ୍ତି । ପରମ କଲ୍ୟାଣମୟୀ ମା’ ପ୍ରୀତ ହୋଇ ତାଙ୍କ ମସ୍ତକରୁ ଧଣ୍ଡାମାଳ ସ୍ୱେଚ୍ଛାକୃତ ଭାବେ ପୂଜ ହାତରେ ପକାଇ ଆଜ୍ଞା ଦିଅନ୍ତି I ଆଶ୍ଚର୍ଯ୍ୟର କଥା ଏହି ଧଣ୍ଡାମାଳ ସ୍ୱେଚ୍ଛାକୃତ ଭାବେ ମା’ଙ୍କ ମସ୍ତକରୁ ଆସି ପୂଳକଙ୍କ ହାତରେ ପଡିଥାଏ, ଆଉ ସେତେବେଳେ ତଦକ୍ଷଣାତ୍ ଆଜ୍ଞା ମିଳିଥାଏ । ଏହି ଧଣ୍ଡାମାଳ ପାଇଲା ପରେ ପଶୁବଳି ଦିଆଯାଇଥାଏ । ଜନଶ୍ରୁତି ରହିଛି ଜୟପୁର ଦଶହରା ଲାଗି ରାଜାଙ୍କ ପ୍ରତିନିଧି ହାତୀରେ ଏଠାକୁ ଆସି ମା’ଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ନେଉଥିଲେ । ମହାରାଜା ଏହି ଧଣ୍ଡାମାଳଟ ଭକ୍ତି ସହକାରେ ଗ୍ରହଣ କରି ରାଜଉଆସ ମଧ୍ୟରେ ଥିବା ପ୍ରକାଶ ପତାକା ସ୍ତମ୍ଭରେ ରାଜ ପତାକା ଉତ୍ତୋଳନ କରନ୍ତି ଏବଂ ଲାଖ ବିନ୍ଧାର ଆୟୋଜନ କରନ୍ତି । ବଣୁଆ ଏବଂ ଯୋଦ୍ଧାମାନେ ଏହି ଧଣ୍ଡାମାଳକୁ ଲକ୍ଷ୍ୟ କରି ଲାଖ ବିନ୍ଧୁଥିଲେ । ଯେଉଁ ବଣୁଆ ଲାଖ ବିନ୍ଧି ଅକ୍ଷତ ଅବସ୍ଥାରେ ଖସାଇ ପାରୁଥିଲା ତାଙ୍କୁ ମହାରାଜା ଉପହାର ପ୍ରଦାନ କରୁଥିଲେ । ଲାଖ ବିନ୍ଧା ଶେଷରେ ମହାରାଣୀ ଏହି ପ୍ରଦାୟର ମାଳକୁ ନିଜ ମସ୍ତକରେ ଧାରଣ କରୁଥିଲେ । ରାଜାଙ୍କ ପରେ ସମୟକ୍ରମେ ଏହି ପରଂପରା ଆଉ ପାଳିତ ହେଉନି । ତେବେ ପାଇକପଡ଼ା ହେଉଛି ଓଡ଼ିଶାର ଏମିତି ଏକ ବିରଳ ପୀଠ ଯେଉଁଠି ଶିବ, ବିଷ୍ଣୁ ଓ ଶାକ୍ତ ପୂଜା ଏକତ୍ର ହୁଏ । ଏହି ପୀଠର ମାହାତ୍ମ୍ୟ ଅନନ୍ୟ ।◆◆◆

Spread the love