ମହିମାମୟୀ ମା’ ମଝିଘରିଆଣୀ ◆ଦଶହରା ନବରାତ୍ର ପୂଜାରେ ହୁଏ ମାଆଙ୍କ ସୁନାବେଶ◆

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ। ମା’ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗାଢ଼ ବିଶ୍ଵାସ ଓ ଭକ୍ତି ।  ଦର୍ଶନ କରି ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। ରାୟଗଡ଼ାର ମଧ୍ୟଭାଗରେ ମା’ଙ୍କ ମନ୍ଦିର ଥିବାରୁ ମାଆଙ୍କ ନାମ  ମଝିଘରିଆଣୀ ।  ଚୈତ୍ର ପର୍ବ ଓ ଦଶହରା ନବରାତ୍ର ପୂଜା ମା’ଙ୍କ ଦୁଇଟି ମୁଖ୍ୟ ପର୍ବ । ବାର୍ଷିକ ଚୈତ୍ର ପର୍ବରେ ମନ୍ଦିର ପୂଜକ ନିଆଁ ଉପରେ ଚାଲିବା ସହ କଣ୍ଟା ଦୋଳି ଉପରେ ବସି ଝୁଲନ୍ତି । ସେହିପରି ଦଶହରା ନବରାତ୍ର ପୂଜା ଆରମ୍ଭ ପୂର୍ବରୁ ମା’ଙ୍କ ଖଣ୍ଡା ପୂଜା ହୁଏ | ବର୍ଷତମାମ ଅଦୃଶ୍ୟ ଭାବେ ରଖାଯାଇଥିବା ୫ଟି ଖଣ୍ଡା ମଧ୍ୟରୁ ଗୋଟିଏ ଖଣ୍ଡାକୁ ଦଶହରାରେ ତହସିଲ ଅଫିସ୍ ପରିସରରେ ପୂଜା କରାଯାଇଥାଏ। ଚଳନ୍ତି ପ୍ରତିମା ଭାବେ ମା’ଙ୍କ ଖଣ୍ଡା ପୂଜା ପାଉଥିବାରୁ ଦୈବ ଦୁର୍ବିପାକ, ମହାମାରୀର ପ୍ରାଦୁର୍ଭାବ ପଡ଼ୁନଥିବା ବିଶ୍ବାସ ରହିଛି। ମହାଷ୍ଟମୀ ପୂଜାରେ ମା’ ଚାମୁଣ୍ଡା ରୂପେ ପୂଜା ପାଇଥାନ୍ତି |  ମା’ଙ୍କ ପୀଠରେ ବଳିପ୍ରଥା ପ୍ରଚଳିତ ।  ମହାଷ୍ଟମୀ ରାତିରେ ଜେନା ପଥର ନିକଟରେ ଗୋଟିଏ ଛେଳିକୁ ପୂଜା କରି ଛାଡ଼ି ଦିଆଯାଇଥାଏ। ଏହାକୁ ଲିଡ଼କା ଛେଳି ବୋଲି କୁହାଯାଏ । ଲିଡ଼କା ଛେଳି ସ୍ବତଃପ୍ରବୃତ୍ତ ଭାବେ ମା’ଙ୍କ ସମ୍ମୁଖକୁ ଆସିବା ପରେ ଯାଇ ବଳି ଦିଆଯାଇଥାଏ। କିମ୍ବଦନ୍ତୀ ଅନୁଯାୟୀ, ରାଜା ଭୈରବ ଦେବଙ୍କ ମୃତ୍ୟୁ ପରେ ବିଶ୍ଵନାଥ ଦେବ ଶାସନ ଭାର ଗ୍ରହଣ କରିଥିଲେ । ବିଶ୍ଵନାଥ ଦେବ ନିଜକୁ ‘ନଉଣା ଗଜପତି ଭାବେ ଘୋଷଣା କରିଥିଲେ। ରାଜାଙ୍କ ଇଷ୍ଟଦେବୀ ଥିଲେ ନାରାୟଣୀ। ଦୀର୍ଘ ଦିନ ରାଜାଙ୍କର କୌଣସି ସନ୍ତାନ ନ ହେବାରୁ ରାଜ ପରିଷଦର ପ୍ରମୁଖ ଜ୍ୟୋତିଷ ତିନି ଥର ରାଜଧାନୀ ପରିବର୍ତ୍ତନ କଲେ ସନ୍ତାନ ଲାଭ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଫଳରେ ରାଜା ନନ୍ଦପୁରରୁ ଜୟପୁର, ଜୟପୁରରୁ ରାୟଗଡ଼ାକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ । ପରିବର୍ତ୍ତିତ ରାଜଧାନୀକୁ ଇଷ୍ଟଦେବୀ ମା’ ନାରାୟଣୀ ସ୍ବୟଂ ବିଜେ ହେବା ସହ ରାୟଗଡ଼ାର ମଧ୍ୟଭାଗରେ ଅବସ୍ଥାନ କରିଥିବାରୁ ମା’ ମଝିଘରିଆଣୀଙ୍କ ନାମରେ ସେ ପରିଚିତ।  ରେଳ ଲାଇନ ନିର୍ମାଣ କାଳରେ ମାଆଙ୍କ ମହିମା ସ୍ଵତଃ ପ୍ରକଟିତ ହୋଇଥିଲା । ନାଲା ରାଜୁ ନାମକ ଏକ ଠିକାଦାରଙ୍କ ନେତୃତ୍ବରେ ଦିନତମାମ ରେଳ ପୋଲ ଯେତିକି ନିର୍ମାଣ ହେଉଥିଲା ରାତିରେ ସେତିକି ଧ୍ବଂସ ହେଉଥିଲା । ଚିନ୍ତିତ ଠିକାଦାରଙ୍କୁ ମାଆଙ୍କ ସ୍ବପ୍ନାଦେଶ ହେଲା । ଠିକାଦାର ମାଆଙ୍କ ଏକ ଟାଇଲ ଛପର ମନ୍ଦିର ନିର୍ମାଣ ପରେ ପୋଲ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଜନଶ୍ରୁତି ରହିଛି । ରାଜାଙ୍କର ୧୦୮ ରାଣୀ ଥିବା ସତ୍ତ୍ବେ ସେ ଅପୁତ୍ରିକ ଥିବାରୁ ରାଜାଙ୍କ ମୃତ୍ୟୁ ପରେ ସମସ୍ତ ରାଣୀ ସତୀ ହେବା ଲକ୍ଷ୍ୟରେ ମା’ଙ୍କ ଅନୁମତି ଭିକ୍ଷା କରି ରାଜାଙ୍କ ଚିତାଗ୍ନିରେ ଝାସ ଦେଇଥିଲେ । ୧୦୮ ରାଣୀ ଗୋଟିଏ କୁଣ୍ଡରେ ଝାସ ଦେଇଥିବାରୁ ମନ୍ଦିର ଉତ୍ତର ପାର୍ଶ୍ଵରେ ଥିବା କୁଣ୍ଡ ସତୀକୁଣ୍ଡ ନାଁରେ ନାମିତ । କୁଣ୍ଡ ଚର୍ତୁପାର୍ଶ୍ଵରେ ବୃକ୍ଷରୋପଣ କଲେ କୌଣସି ଗଛ ବଞ୍ଚୁନଥିବାରୁ ତାହା ସତୀକୁଣ୍ଡର ବିଶେଷତ୍ବକୁ ପ୍ରତିପାଦିତ କରିଛି। ଏହି କୁଣ୍ଡ ନିକଟକୁ ଯାଇ ଅବିବାହିତା ଝିଅମାନେ ପୂଜା କରନ୍ତି । ଏମିତି କଲେ ଭଲ ବର ମିଳିଥାଏ ଏବଂ ସ୍ଵାମୀର ସର୍ବ ମଙ୍ଗଳ ହୋଇଥାଏ ବୋଲି ଗୋଟେ ବିଶ୍ଵାସ ରହିଛି । ସେହିପରି ମନ୍ଦିର ନିକଟସ୍ଥ ରେଳ ଲାଇନ୍ କଡ଼ରେ ଛୋଟ ଛୋଟ ପଥର ଗଦା ନିକଟରେ ଥିବା ବିରାଟ ଶିଳାଖଣ୍ଡ ଜେନା ପଥର ନାମରେ ପରିଚିତ । ଏହି ରାସ୍ତା ଦେଇ ଗଲା ବେଳେ ଛୋଟ ପଥରଖଣ୍ଡ ଜେନାପଥର ନିକଟରେ ଉତ୍ସର୍ଗ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। ମା’ଙ୍କ ଆଠ ଭଉଣୀ ପାଇକସାହି ଓ ବ୍ରାହ୍ମଣସାହି ଶେଷଭାଗରେ ପୂଜା ପାଉଥିବାରୁ ପ୍ରତିଦିନ ରାତିରେ ଅଶ୍ୱାରୋହ ହୋଇ ମା’ ଭଉଣୀମାନଙ୍କୁ ଭେଟିବାକୁ ଯାଇଥାନ୍ତି | ଅତୀତରେ ବିଳମ୍ବିତ ରାତିରେ ଘୋଡାର ଟାପୁ ଶବ୍ଦ ଶୁଣିଥିବା ପୁରୁଖା ଲୋକମାନେ କହିଛନ୍ତି । ଦଶରା ଅବସରରେ ମାଆଙ୍କ ପୀଠ ସଜେଇ ହୁଏ । ହୋମଯଜ୍ଞ ସହ ଅଖଣ୍ଡ ଦୀପ ଜଳାଯାଏ । ମହାଷ୍ଟମୀର ନିଶାର୍ଦ୍ଧରେ ଗୁପ୍ତରେ ବଳି ପୂଜା ହୁଏ । ଏହି ଅବସରରେ ମାଆ ସୁନାବେଶରେ ଭକ୍ତଂକୁ ଦର୍ଶନ ଦିଅନ୍ତି । ଏହି ବିରଳ ବେଶ ଦର୍ଶନ ପାଇଁ ଓଡିଶା ତଥା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଆଦି ରାଜ୍ୟରୁ ଭକ୍ତଙ୍କ ସମାଗମ ହୁଏ ।

Spread the love