(ପ୍ରତିଫଳନ ମିଡିଆ)
ଉଭୟ କଳାହାଣ୍ଡି ଓ କାଶୀପୁର ପୀଠରେ ଦେବୀଙ୍କ ପୂଜାବିଧି ସମାନ ଅଟେ । ଭବାନୀପାଟଣାରେ ଦେବୀଙ୍କ ଦେହାବଶେଷ, ଛତ୍ର ପୂଜା ପାଉଥିବାବେଳେ କାଶୀପୁରରେ ହୁତପିଣ୍ଡ ଓ ଯନ୍ତ୍ର ପୂଜା କରାଯାଏ । ଯନ୍ତ୍ର ବାହାର କଲେ ଏଠାରେ ରକ୍ତ ଦରକାର ହୁଏ । ତେଣୁ ପ୍ରତିବର୍ଷ ଦଶହରାର ପ୍ରତିପଦା ଠାରୁ ଦଶମୀ ଯାଏଁ ପୂଜାପାଠ ଚାଲେ । ଦଶହରା ଶେଷ ଦିନ(ଦଶମୀ)ରେ ଉକ୍ତ ଯନ୍ତ୍ରକୁ ପୂଜା କରାଯାଏ । ଦଶମୀଦିନ ମଧ୍ୟରାତ୍ରୀରେ ନିଶିପୂଜା ହୁଏ । ପୋଢବଳି ଦିଆଯାଏ । ବଳିପରେ ଯନ୍ତ୍ରକୁ ପୂର୍ବ ଭଳି ରଖିଦିଆଯାଏ । ବହୁପୂର୍ବରୁ ଏଠାରେ ପୋଚ୍ଚ ବଳ ପରଂପରା ଚାଲୁ ରହିଆସିଛି । ମନ୍ଦିର ସମ୍ମୁଖ ଘୋଡା ଖମ୍ବରେ ଏହି ବଳି ନୀତି ସଂପନ୍ନ କରାଯାଏ । ଦଶହରାର ପ୍ରଥମ ଦିନ ପୋଢକୁ ବଳି ଦିଆଯାଉଥିବାବେଳେ ଅଷ୍ଟମୀଦିନ ଦ୍ଵିତୀୟ ପୋଢକୁ ବଳି ଦିଆଯାଏ । ଦଶହରାର ପଂଚମୀ ଦିନ ଗୋଟିଏ ମେଣ୍ଢାକୁ ପୂଜା କରି ଦେବୀଙ୍କୁ ସମର୍ପଣ କରାଯାଏ । ଅଷ୍ଟମୀ ଦିନ ଗ୍ରାମ ଭ୍ରମଣ କରାଯିବା ସହ ଫୁଲ ଚନ୍ଦନ ଲଗାଯାଏ । ପୂଜାନୀତି ପରେ ମେଣ୍ଢାକୁ ନେଇ ଦୁଇ କିଲୋମିଟର ଦୂରବର୍ତ୍ତୀ ଜେନାଖାଲ ସ୍ଥାନରେ ଭୋର ସମୟରେ ବଳିନୀତି ସଂପନ୍ନ ହୁଏ । ଦେବୀ ପୂଜାରୀଙ୍କ ଉପରେ ପ୍ରସନ୍ନ ହେବା ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି ।
କାଶୀପୁର ଦଶହରାର ଆଉ ଏକ ମହତ୍ବପୂର୍ଣ୍ଣ ପର୍ଵ ହେଲା ଲାଖ ବିନ୍ଧା ।ଲାଖବିନ୍ଧା ପର୍ବ ଏକ ସାମରିକ ଅଭ୍ୟାସ କୁହାଯାଇପାରେ । ଦଶହରାର ଦଶମୀ ଦିନ ପୂଜା ପରେ ଅପରାହ୍ନରେ ଗ୍ରାମର ତିନି ଦେବୀ ବୁଢାରାଜା, ମାଣିକେଶୁରୀ ଓ ସାତଭଉଣୀ ଦେବୀଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ଲାଖବିନ୍ଧା ପର୍ବ ପାଇଁ ସଜବାଜ ଚାଲେ । ବାଜାବାଜଣା; ମହୁରୀ ସହ ପ୍ରବଳ ଜନସମାଗମ ହୁଏ । ପୀଠ ଠାରୁ ଦୁଇ କିଲୋମିଟର ଦୂରବର୍ତ୍ତୀ କାଶୀପୁର –ଭବାନୀପାଟଣା ରାସ୍ତାର ମଝିରେ ଥିବା ନାକଟିଗୁଡି ମନ୍ଦିର ରାସ୍ତାରେ ଦୁଇଟି ଲାଖ ବନ୍ଧାଯାଏ । ଗୋଟିଏ କାଶୀପୁର ଲାଖ ଏବଂ ଅନ୍ୟଟି ଥୁଆମୂଳ ରାମପୁର ଲାଖ ଭାବେ ପରିଚିତ । ଅନତିଦୂରରୁ ପ୍ରଥମେ ବୁଢାରାଜା ମନ୍ଦିର ବନ୍ଧୁକରେ ରାଜପରିବାରର ବ୍ୟକ୍ତି ଲାଖକୁ ଲକ୍ଷ୍ୟ କଲା ପରେ ବନ୍ଧୁକ ଥିବା ସ୍ଥାନୀୟ ଜନସାଧାରଣ ଲାଖକୁ ଲକ୍ଷ୍ୟ କରିବାର ସୁଯୋଗ ମିଳେ । ପ୍ରଥମ ଲାଖ ବିନ୍ଧାଳୀକୁ ରାଜା ମୁଣ୍ଡରେ ଶିରିପା ବାନ୍ଧି ଗ୍ରାମ ପରିକ୍ରମା କରାଇଥାନ୍ତି । ୮ ବର୍ଷ ଧରି ରାଜପରିବାରର ସଦସ୍ୟ ନୀଳାମ୍ବର ସିଂ ପ୍ରଥମ ବନ୍ଧୁଜ ଚାଳନା କରିଆସୁଛନ୍ତି । ସଂପ୍ରତି ଦଶହରା ଉତ୍ସବକୁ ରାଜକୁମାର ଡଃ ଦିବ୍ୟନ୍ଦୁ କୁମାର ଦେବ ପରିଚାଳନା କରନ୍ତି । ଏହି ଦିନ ଆଦିବାସୀ ଜାନୀ ସଂପ୍ରଦାୟର ଲୋକଙ୍କୁ ରାଜା ଟୋକିମରା ପର୍ବ ଲାଗି ଅନୁମତି ପ୍ରଦାନ କରନ୍ତି । କାଶୀପୁର ଦଶହରା ପରଂପରା ଏବେ ବି ନିଜର ଗାରିମା ହରାଇ ନଥିବାବେଳେ ଲାଖବିନ୍ଧା ପର୍ବ ଲାଗି ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ଏହାର ମହନୀୟତାକୁ ପ୍ରତିପାଦିତ କରେ ।