ପଦ୍ମପୁର (ପ୍ରତିଫଳନ ମିଡ଼ିଆ)
ଗୋପାଳପୁର- ଥେରୁବାଲି ଓ ଗୁଣୁପୁର – ନୂଆପଡା ରେଳପଥ ଲାଗି ସର୍ଭେ ବାବଦକୁ ଅର୍ଥ ପ୍ରଦାନ କରି ମୋଦି ସରକାର ଦକ୍ଷିଣ ଓଡ଼ିଶାର ବିକାଶରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନେଇ ଦୀର୍ଘ ଦିନ ଧରି ଲୋକଙ୍କ ଦାବି ହୋଇ ଆସୁଥିଲା । ବିଗତ ସରକାର ମାନେ ଏଥିପ୍ରତି କର୍ଣ୍ଣପାତ କରୁ ନଥିଲେ । ସରକାରଙ୍କ ଦୃଷ୍ଟି ଆକର୍ଷଣ ଲାଗି ଗତ କିଛି ଦିନ ତଳେ ବ୍ରହ୍ମପୁର ରେ ତୀବ୍ର ଆନ୍ଦୋଳନ କରାଯାଇଥିଲା । ଏଥିରେ ପଦ୍ମପୁର, ଗୁଡାରୀ, ଗୁମୁଡ଼ା, ରାମନଗୁଡାର ଲୋକେ ସାମିଲ ହୋଇଥିଲେ । ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଲୋକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ରେଳ ସମେତ ଅଂଚଳରେ ବିଭିନ୍ନ ମେଗା ପ୍ରକଳ୍ପ କରିବା ଲାଗି ବ୍ରହ୍ମପୁର ସାଂସଦ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଲୋକଙ୍କ ଦାବିକୁ ଗ୍ରହଣ କଲେ ଲୋକଙ୍କ ସରକାର । ଏହି ଆନ୍ଦୋଳନରେ ପଦ୍ମପୁର ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ସଭାପତି ନଚିକେତା ସାହୁ, ବରିଷ୍ଠ ନେତା ରମେଶ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ବ୍ରହ୍ମପୁର ଯାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏବେ ସରକାର ଦୁଇଟି ରେଳ ପ୍ରକଳ୍ପ କରି ଶତାବ୍ଦୀର ଦାବିକୁ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ପଦ୍ମପୁର ଯୁବମୋର୍ଚ୍ଚା ନେତୃତ୍ବରେ ପଦ୍ମପୁର ଜନ ସାଧରଣଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥିସହ ପଦ୍ମପୁର ଜଙ୍କସନ ସ୍ଥାପନ ସହ ରେଳ ପ୍ରକଳ୍ପର ଦ୍ରୁତ ସମାପନ ନେଇ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସାହୁ ବରିଷ୍ଠ ନେତା ରମେଶ ପଣ୍ଡା, ଆଦିବାସୀ ମୋର୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର କହିଛନ୍ତି । ଖୁବଶୀଘ୍ର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ସାଂସଦଙ୍କ ନେତୃତ୍ବରେ ରେଳମନ୍ତ୍ରୀଙ୍କୁ ଭେଟି ପଦ୍ମପୁରରେ ଜଙ୍କସନ ସ୍ଥାପନ ଦାବି କରାଯିବ ବୋଲି ସୂଚନା ଦେଇଛନ୍ତି ।
