ସ୍ୱଚ୍ଛ ଦେଓମାଳି ସବୁଜ ଦେଓମାଳି ର ବାର୍ତ୍ତା ଦେଇ ଦେଓମାଳିକୁ କଲେ ସଫେଇ
କୋରାପୁଟ – ପ୍ରତିଫଳନ ମିଡ଼ିଆ
ପର୍ଯ୍ୟଟକ ଙ୍କ ପ୍ରଥମ ପସନ୍ଦ ଦେଓମାଳି । ବୁଲିବା ପାଇଁ କୋରାପୁଟକୁ ଯିଏ ଆସନ୍ତି ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିକୁ ଦେଖିବାକୁ ଯାଇଥାନ୍ତି । ଦେଓମାଳି ବୁଲି ତାର ପ୍ରାକୃତିକ ଅପରୂପ ନୈସର୍ଗିକ ସୋନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ପରେ ଦେଓମାଳି କୁ ଅପରିଷ୍କାର କରିଦେଉଛନ୍ତି । ସାଥିରେ ନେଇ ଥିବା ଖାଦ୍ୟ ପକେଟ ଓ ପାଣି ବୋତଲ ଗୁଡ଼ିକୁ ବ୍ୟବହାର କରିବା ପରେ ଏଣେ ତେଣେ ଫୋପାଡି ଦେଉଛନ୍ତି । ଫଳରେ ଅଳିଆ ଆବର୍ଜନା ଏଠିସେଠି ପଡ଼ି ଦେଓମାଳିର ପରିବେଶ ଅପରିଷ୍କାର ହୋଇପଡୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା କିଛି ନଥିବା ଓ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ମାନଙ୍କ ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ରକ୍ଷା ପ୍ରତି ସଚେତନ ହୀନତା ଯୋଗୁଁ ଅପରିଷ୍କାର ହୋଇପଡିଛି ଦେଓମାଳି ର ପରିବେଶ । ଏଥିନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରାଯାଉନି ।ନିକଟରେ ବିଗ୍ ବଜେଟ ରେ ସିନେମା ସୁଟିଂ କରିବାକୁ ଆସିଥିବା ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶ ରାଜମୌଲି ଦେଓମାଳି ପରିଦର୍ଶନ କରିବା ପରେ ତାର ଅପରୂପ ସୌନ୍ଦର୍ଯ୍ୟରେ ବିଭୋର ହୋଇଥିଲେ । କିନ୍ତୁ ସେଠାକାର ପରିବେଶର ପରିଷ୍କାର ପରିଚ୍ଛନ୍ନତା ରଖି ସ୍ବଛତା ରଖିବାକୁ ଗୁରୁତ୍ବାରୋପ କରି ସାମାଜିକ ଗଣମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ ।ଏଥିନେଇ ଖୁବ ଚର୍ଚ୍ଚା ହୋଇଥିଲା । ସ୍ବଚ୍ଛତାକୁ ନେଇ ବେଶ ଚର୍ଚା ଜୋର୍ ଧରିଲା ।

ବିଳମ୍ବ ହେଲେ ମଧ୍ୟ ପ୍ରଶାସନ ଚେତିଛି । ଦେଓମାଳି ରେ ପଡ଼ିଥିବା ଅଳିଆ ଗୁଡ଼ିକୁ ଗୋଟାଇ ସଫା କରିଛି । ପଟାଙ୍ଗି ବ୍ଲକ୍ ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ଦେଓମାଳି ସବୁଜ ଦେଓମାଳି କାର୍ଯ୍ୟକ୍ରମ ମାଧ୍ୟମରେ ସାମୂହିକ ସଫେଇ କାର୍ଯ୍ୟକ୍ରମ କରାଯାଇଅଛି। ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ଙ୍କ ଅଧ୍ୟକ୍ଷତାରେ ଆଜି ଆଜି ଉକ୍ତ କାର୍ଯ୍ୟକ୍ରମ ଟି ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ପଟ୍ଟାଙ୍ଗି ବ୍ଲକ ର ସମସ୍ତ ବିଭାଗର କର୍ମଚାରୀ ମିଶି ଦେଓମାଳି ଶିଖରରେ ପହଞ୍ଚି ସେଠାରେ ପଡିରହିଥିବା ସମସ୍ତ ଅଳିଆ ଆବର୍ଜନା ସଫା କରିଥିଲେ ଏବଂ ଏହାର ଚତୁଃପାର୍ଶ୍ବରେ ପଡିରହିଥିବା ସମସ୍ତ ଅଳିଆ ଆବର୍ଯ୍ୟନ ଗୁଡ଼ିକୁ ମଧ୍ୟ ସଫା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଓମାଳିକୁ ସ୍ୱଚ୍ଛ ଦେଓମାଳି ଓ ସବୁଜ ଦେଓମାଳି ରଖିବା ପାଇଁ ସମସ୍ତେ ଯତ୍ନବାନ୍ ରହିବା ଆବଶ୍ୟକ ବୋଲି ପଟାଙ୍ଗୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରୁତ୍ୱାଆରୋପ କରିଛନ୍ତି । ଦେଓମାଳି କୁ ଆସୁଥିବା ପର୍ଯ୍ୟଟକ ମାନେ ସ୍ବଚ୍ଛତା ରକ୍ଷା ପ୍ରତି ସଚେତନ ରହିବାକୁ ନିବେଦନ କରିଛନ୍ତି । କିନ୍ତୁ ଏହି ସାମୟିକ ପ୍ରୟାସ ଦେଓମାଳିକୁ ସଫା ରଖିବାକୁ ଯଥେଷ୍ଟ ନୁହଁ । ଏହାକୁ ଚିର ସବୁଜ ସୁନ୍ଦର ଓ ପରିଷ୍କାର ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ସ୍ଥାୟୀ ପ୍ରତିକାର କରା ନଗଲେ ଦେଓମାଳିର ଦୁର୍ନାମ ବଢି ବଢି ଚାଲିବ ।
