ଅସହାୟଙ୍କ ହୃଦୟର ରାଣୀ : ପଙ୍କଜିନୀ

ପଙ୍କଜିନୀ ପ୍ରଧାନ ଜଣେ ଏମିତି ଏକ ଚରିତ୍ର ଯିଏ ନିଜେ ଦୀପ ପରି ଜଳି ଅନ୍ୟ ଅସହାୟ ମଣିଷମାନଙ୍କୁ ପ୍ରଜ୍ବଳିତ କରିବାରେ ସାହାଯ୍ୟ କରିଛନ୍ତି । ପ୍ରାୟ ୩୦୦୦ ମହିଳାଙ୍କୁ ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ପ୍ରେରଣା ଦେଇଛନ୍ତି, ଯେଉଁମାନେ ପଙ୍କଜିନୀଙ୍କ ପ୍ରତି କୃତଜ୍ଞତାରେ ମୁଣ୍ଡ ନୁଆଁଇ ଦିଅନ୍ତି ସମସ୍ତେ। ପଙ୍କଜିନୀଙ୍କୁ ନେଇ  ପ୍ରତିଫଳନର ପ୍ରତିବେଦନ

ଜୀବନ ଯନ୍ତ୍ରଣାର କଥା

ପଙ୍କଜିନୀ ପ୍ରଧାନ । ବାପାଙ୍କ ନାମ ନିତାଇଲାଲ ପ୍ରଧାନ ଓ ମାଆଙ୍କ ନାମ ସୁଭଦ୍ରା ପ୍ରଧାନ। ଘର ବେହେରାଣୀ, ପୋ-ଲିଦିଣ୍ତା, ବ୍ଳକ୍ – ଯୁଯୁମୁରା, ଜିଲ୍ଲା – ସମ୍ବଲପୁର । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ I ବୟସ ୪୨ ବର୍ଷ । ବର୍ତ୍ତମାନ “ନାରୀ ସହାୟତା ସମିତି ” Ngo ର ସମ୍ପାଦିକାI ୬ ଭାଇ ଭଉଣୀ ମଧ୍ୟରୁ ସେ ଦ୍ଵିତୀୟ ସନ୍ତାନ। ମାଟ୍ରିକ ପାସ ପରେ ଆର୍ଥିକ ଅବସ୍ଥାକୁ ଅନୁଭବ କରି ସେ କିଛି କାମ କରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲେ । ଅନେକ ଚିନ୍ତା କଲେ । ଗୋଟେ ପଟ ପରିବାର ଓ ଅନ୍ୟ ପଟେ ସମାଜ । ଜଣେ ଝିଅକୁ ଲଢ଼ିବାକୁ ହେବ । ନ ହେଲେ ଭୋଗିବାକୁ ପଡ଼ିବ । ସେ ଲଢ଼ିବାକୁ ଆଗ୍ରହ ଦେଖାଇଲେ ।

ଅନ୍ଧାରରୁ ଆଲୋକ ଆଡ଼କୁ

 ସେହି ଅଭାବର ଅନ୍ଧକାର ଭିତରେ ତାଙ୍କୁ ଆଲୋକର ରେଖା ଦେଖାଗଲା । ୨୦୦୦ ମସିହାରେ ପାର୍ବତୀଗିରିଙ୍କ ଆଶ୍ରମ ନୃସିଂହନାଥରେ ରହି ମାଗଣାରେ ସିଲେଇ ଟ୍ରେନିଂ ନେଲେ । ସେଠାରେ fabric painting ଓ ପୋଷାକପତ୍ର ସିଲେଇ କରିବା ଶିଖିଲେ । ମାତ୍ର ୬ ମାସର ଶିକ୍ଷାରେ ସେ ଅନେକ କିଛି ଶିଖି ପାରିଲେ । ପରେ ସରକାରଙ୍କର ଟ୍ରାଇଜିମ୍ ସ୍ମିମ୍ ରେ ବ୍ଲକରେ ମହିଳାମାନଙ୍କୁ ସିଲେଇ ଶିକ୍ଷା ଦେଲେ । ସେତେବେଳେ ଯେଉଁମାନେ ଟ୍ରେନିଂ ନେଉଥିଲେ, ଟ୍ରେନିଂ ଶେଷରେ ତାଙ୍କୁ ମାଗଣାରେ ମେସିନ୍ ଟିଏ ମିଳୁଥିଲା । ପରେ କିଛି ଦିନ ପାଇଁ ସେ ଅଙ୍ଗନବାଡ଼ି କର୍ମୀ ପଦରେ ନିଯୁକ୍ତି ପାଇଲେ ମାତ୍ର ଏଥିରେ ସେ ସନ୍ତୁଷ୍ଟ ହୋଇ ଅଟକି ଗଲେ ନାହିଁ, କାରଣ ଗୋଟିଏ ଗାଁରେ ବାନ୍ଧି ହୋଇ ରହିବାକୁ ତାଙ୍କୁ ଭଲ ଲାଗିଲା ନାହିଁ ଯେଉଁ ପକ୍ଷୀ ଅସୀମ ଆକାଶରେ ସ୍ବାଧୀନ ଭାବେ ଉଡ଼ି ବୁଲିବାର ସ୍ୱପ୍ନ ଦେଖିଛି, ସେ ପିଞ୍ଜରା ମଧ୍ୟରେ ଆବଦ୍ଧ ହୋଇ ରହି ପାରିବ କିପରି ? ତିନି ମାସ ପରେ ପଙ୍କଜିନୀ ଅଙ୍ଗନବାଡ଼ି ଚାକିରି ଛାଡ଼ି “ମାନବ ଅଧିକାର ସେବା ସମିତି” (MASS) ରେ ଯୋଗ ଦେଲେ।ଏହି Ngo ରେ ୬ ବର୍ଷ କାମ କରିବା ପରେ ପୁଣି ଆଉ ଏକ ସଂସ୍ଥା “ମା ନବଶିକ୍ଷା ସେବା ସମିତି”ରେ ଯୋଗ ଦେଲେ । ଏହି ସଂସ୍ଥା ୩୧ ଟି ବ୍ଲକ୍ ରେ Water Resource Project, ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସେବା ମୂଳକ କାମ କରିଛି । 

ନାରୀ ସହାୟତା ସମିତିର ଜନ୍ମ

ବିଭିନ୍ନ ସଂସ୍ଥାରେ କାମ କରିବା ପରେ ସେ ନିଜେ ଏକ N.G.0. ଗଠନ  ପାଇଁ  ଚିନ୍ତା କଲେ ।   “ନାରୀ ସହାୟତା ସମିତି” ଗଠନ କଲେ । ଅନୁଷ୍ଠାନଟିକୁ ରେଜିଷ୍ଟିଭୁକ୍ତ କରାଇ ନିଜେ ଏହାର ସମ୍ପାଦିକା ଦାୟିତ୍ଵ ବହନ କଲେ ଓ ବାନ୍ଧବୀ ସୁକାନ୍ତିଙ୍କୁ ସଭାପତି ପଦରେ ଆସୀନ କରାଇଲେ । ଏହି ଅନୁଷ୍ଠାନ ମାଧ୍ୟମରେ ବିଭିନ୍ନ ପ୍ରକାରର ସେବାମୂଳକ କାମ ଚାଲୁ ରଖିଛନ୍ତି ସେ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ମହିଳାମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ । ମହିଳାମାନଙ୍କୁ ଦୁଇ ପ୍ରକାରର ଶିକ୍ଷା ଦିଆ ଯାଉଛି । ସିଲେଇ ଶିକ୍ଷା ଓ ହସ୍ତତନ୍ତ ଶିକ୍ଷା । ପୂର୍ବରୁ କେବଳ ମେହେର ଭୁଲିଆ ସମ୍ପ୍ରଦାୟର ଝିଅ ବୋହୂମାନେ ଏହି ହସ୍ତତନ୍ତ ଶିକ୍ଷା ନେଉଥିଲେ ମାତ୍ର ପଙ୍କଜିନୀ ସବୁ ବର୍ଗର ମହିଳାଙ୍କୁ ଏହି ହସ୍ତତନ୍ତ ଶିକ୍ଷା ଦେଲେ । ୨୨ ଜଣ ମହିଳା ସିଲେଇ ଟ୍ରେନିଂ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ କାମ ଚାଲୁ ରଖିଛନ୍ତି । ଆଣ୍ତିତା କୁଜୁର ନାମକ ଜନୈକା ମହିଳା ସିଲେଇ ଦୋକାନ କରିଛନ୍ତି । 

ଶିକ୍ଷା ପାଇଁ ପ୍ରୟାସ

ତାଙ୍କର ଅନ୍ୟ ଏକ କାମ ହେଲା ଯେଉଁ ଝିଅମାନଙ୍କୁ ମାଆ ବାପା ବିଦ୍ୟାଳୟ ପଠାଇ ଶିକ୍ଷା ଦେଇ ପାରୁ ନାହାନ୍ତି, ପଙ୍କଜିନୀ ସେମାନଙ୍କୁ ଖୋଜିଆଣି ସରକାରୀ ଆଶ୍ରମ ସ୍କୁଲ୍ ରେ ନାମ ଲେଖାଇ ହଷ୍ଟେଲରେ ଛାଡ଼ିବାର ବ୍ୟବସ୍ଥା କରନ୍ତି I ଉଦ୍ଦେଶ୍ୟ ସମାଜରେ କୌଣସି ମହିଳା ଅଶିକ୍ଷିତା ନ ରହୁ । ଏହି ପରି ପ୍ରାୟ ୫୦୦ ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ସେ ବିଦ୍ୟାଳୟରେ ଭର୍ତ୍ତି କରି ସାରିଲେଣି । ତାଙ୍କର ଆଉ ଏକ କାମ ହେଲା ଦିବ୍ୟାଙ୍ଗ ପିଲାଙ୍କୁ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସରକାରୀ ସୁବିଧା ସୁଯୋଗ ପାଇବାରେ ସାହାଯ୍ୟ କରିବା । କେତେକ ଦିବ୍ୟାଙ୍ଗ ଯୁବକଙ୍କୁ ଥଇଥାନ ପାଇଁ ପଙ୍କଜିନୀ ତହସିଲଦାରଙ୍କୁ କହି ଜାଗା ଯୋଗାଇ ଦେଇଛନ୍ତି। ଫଳରେ ସେମାନେ ସିଲେଇ, ଜୋତା ଇତ୍ୟାଦି ଦୋକାନ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି । 

ମଦ ବିରୋଧୀ ଆନ୍ଦୋଳନ

ଆଦିବାସୀ ଲୋକେ ସାଧାରଣତଃ ମଦ ପିଅନ୍ତି ଓ କିଛି ଲୋକ ମଦ ଭାଟି କରିଥାନ୍ତି । ପଙ୍କଜିନୀ ସେମାନଙ୍କ ମଦ ଭାଟି ଭାଙ୍ଗିଛନ୍ତି । ଗୋଟେ ମଦ ଭାଟି ଭାଙ୍ଗି ସେହି ସ୍ଥାନରେ ବିଦ୍ୟାଳୟଟିଏ କରିଛନ୍ତି । ମଦଭାଟିରେ କାମ କରୁଥିବା ଛୋଟ ଛୋଟ ପିଲାଙ୍କୁ ଆଣି ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଏଥିପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ପଛେ ପଛକୁ ଫେରି ଚାହିଁ ନାହାଁନ୍ତି ସେ ।

ଅସହାୟଙ୍କ ସାଥୀ

ଏତଦ୍ ବ୍ୟତୀତ ମହିଳାମାନଙ୍କୁ ସ୍ବାସ୍ଥ୍ୟ ସଚେତନ ହେବା ଦିଗରେ ଶିକ୍ଷା ଦେଉଛନ୍ତି । ଯଦି ଦାଦନ ଖଟିବାକୁ ଯାଉଥିବା ବ୍ୟକ୍ତିବିଶେଷର ସେହି ସ୍ଥାନରେ ମୃତ୍ୟୁ ହୋଇଯାଏ, ତେବେ ପଙ୍କଜିନୀ ଲେବର୍ ଅଫିସରେ କଥା ପକାଇ କ୍ଷତି ପୂରଣ ପାଇବାରେ ତାଙ୍କ ପରିବାରବର୍ଗକୁ ସାହାଯ୍ୟ କରିଥାନ୍ତି I ନିରକ୍ଷର ବୁଢା ବୁଢ଼ୀମାନଙ୍କୁ ଭତ୍ତା ଗ୍ରହଣ କରିବା ପାଇଁ ସହାୟତାର ହାତ ବଢ଼ାଇ ଥାନ୍ତି। ସ୍ଵାମୀପରିତ୍ୟକ୍ତା ମହିଳା ବା ଦୁଃଖିନୀ ଅବିବାହିତା ମହିଳାଙ୍କୁ ଦେଖିଲେ ସେ ସଙ୍ଗେ ସଙ୍ଗେ ସେମାନଙ୍କ ପାଖକୁ ଆପେ ଆପେ ଚାଲିଯାଇ ସେମାନଙ୍କର ସବୁ ପ୍ରକାର ସମସ୍ୟାକୁ ସମାଧାନ କରି ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇ ଦିଅନ୍ତି।

ପଙ୍କଜିନୀ ପ୍ରଧାନ ବୁଢ଼ା ବୁଢ଼ୀ, ମହିଳା ଓ ଯୁବକ ସବୁବର୍ଗର ମଣିଷଙ୍କ ସହାୟତା ପାଇଁ ଆଗ୍ରହୀ ହୋଇ ଅନେକଙ୍କୁ ସେ ଆତ୍ମନିର୍ଭରଶୀଳ କରାଇଛନ୍ତି । ଭିନ୍ନ ଭିନ୍ନ ଅସୁବିଧାରୁ ମୁକ୍ତ କରି ସେମାନଙ୍କୁ ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ତାଙ୍କର ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।

ପ୍ରତିଫଳନ ଜଣାଉଛି ପ୍ରଚୁର ଅଭିନନ୍ଦନ ।

Spread the love