ପୋଲାଭରମ ପୋଲଟିକ୍ସ
ମାଲକାନଗିରି (ପ୍ରତିଫଳନ ମିଡ଼ିଆ)
ପୋଲାଭରମ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯିବ। ମାଲକାନଗିରି ସୀମାନ୍ତ ମୋଟୁଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ହେବ । ଏଭଳି ନିଷ୍ପତି ନେଇଛି ପୋଲାଭରମ କ୍ରିୟାନୁଷ୍ଠାନ କମିଟି l ଆସନ୍ତା ୨୮ ତାରିଖରେ ମାଲକାନଗିରି ସୀମାନ୍ତ ମୋଟୁଠାରେ ଏକ ବଡ ଧରଣର ପ୍ରତିବାଦ ସମାବେଶ ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଆନ୍ଦୋଳନ ଲାଗି ବିଜେଡ଼ି ଓ ପୋଲାଭରମ କ୍ରିୟାନୁଷ୍ଠାନ କମିଟି ପ୍ରସ୍ତୁତ ଚଳାଇଛି l ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ହେଉଥିବା ଆନ୍ଧ୍ର, ଓଡିଶା ଓ ଛତିଶଗଡ଼ ତିନିରାଜ୍ୟର ଲୋକଙ୍କୁ ଏକାଠି କରି ପୋଲାଭରମ ପ୍ରକଳ୍ପକୁ ବିରୋଧ କରିବାକୁ ଉଦ୍ୟମ କରିବ ବୋଲି କମିଟି କହିଛି ।
ପୋଲାଭରମ ପ୍ରକଳ୍ପର ସ୍ବରୂପ

ନିଜର ଜୀବନ ଜୀବିକା , ଭିଟାମାଟିର ସୁରକ୍ଷା, ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ ଦେଇଛି କମିଟି । ପୋଲାଭରମ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶା କ୍ଷତିଗ୍ରସ୍ତ ହେବ , ଆନ୍ଧ୍ର ବହୁତ୍ ଲାଭବାନ ହେବ । ୧୯୮୬ ଓ ୨୦୦୬ ମସିହାରେ ମାଲକାନଗିରି ଜିଲ୍ଲା ର ୪ ଟି ତହସିଲ ର ୧୩୦ ଖଣ୍ଡ ଗାଁ ପ୍ରଭାବିତ ହୋଇଥିଲା l ପୋଲାଭରମ ସମ୍ପୂର୍ଣ୍ଣ ହେଲେ ସୀମାନ୍ତ ମୋଟୁ, ଆଲମା, ବିନାୟକପୁର, ମୁରୁଲିଗୁଡା, ପେଟା ,ଜିନେଲଗୁଡା, କୋଟନପଲ୍ଲୀ, ରେଡିପାଲ, ପିନାମାଦୁଗୁର, କାମଲାପୁରାମ, ମୋଖାନପାଲି, ଘାର୍ଷାପାଲି, କୁର୍ଶନପାଲି, ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ। ସେହିଭଳି ୧୩୦ ଖଣ୍ଡ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ ବୋଲି ପୋଲାଭରମ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି l ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ୨୦୧୪ ମସିହାରେ ପୂର୍ବ ଉପା ସରକାର ପୋଲାଭରମ କୁ ଜାତୀୟ ପ୍ରକଳ୍ପ ମାନ୍ୟତା ପ୍ରଦାନ କରିଥିଲେ । ପୋଲାଭରମ ପ୍ରକଳ୍ପ ନିର୍ମାଣ ହେଲେ ମାଲକାନଗିରି ଜିଲ୍ଲା ମାନଚିତ୍ରରୁ ଲିଭିଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ପୋଲାଭରମ କ୍ରିୟାନୁଷ୍ଠାନ କମିଟିର ମଙ୍ଗ ଧରିଛି ବିଜେଡି
ପୋଲାଭରମ କ୍ରିୟାନୁଷ୍ଠାନ କମିଟି ରେ ବିଜେଡିର ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ, ପିପୁଲ ଏଗନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ର ଅଧ୍ୟକ୍ଷ ପ୍ରଭାକର ହନ୍ତାଳ, ଓ ସହ ସମ୍ପାଦକ ଆଡ଼ି ଦେବାଦନମ, ବିଜେଡି ପୂର୍ବତନ ବିଧାୟକ ମାନସ ମାଡକାମୀ, ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୨୮ ତାରିଖ କାର୍ଯ୍ୟକ୍ରମ କିଭଳି ସଫଳ କରିବାକୁ ନିବେଦନ କରିଛନ୍ତି । ବିଜେପି ଓ କଂଗ୍ରେସ ସାମିଲ ହୋଇନଥିବାରୁ କ୍ରିୟାନୁଷ୍ଠାନ କମିଟିର ଆଭିମୁଖ୍ୟ କୁ ନେଇ ଉଠିଛି ପ୍ରଶ୍ନବାଚୀ ।ଶାସନରେ ଥିବାବେଳେ ପୋଲାଭରମ ସମସ୍ୟା ପ୍ରତି ଆଖିବୁଜି ଦେଇଥିଲା ବିଜେଡ଼ି ।ଏବେ ପୋଲାଭରମ ଚିନ୍ତାରେ ବିଜେଡ଼ି !

ଆଦିବାସୀ ନେତା ଓ କଂଗ୍ରେସର ତୀବ୍ର ପ୍ରତିକ୍ରିୟା
ଶାସନରୁ ଗଲା ପରେ ପୋଲାଭରମ ସୁରକ୍ଷା ନାମରେ ଲୋକଙ୍କ ନିକଟକୁ ଯିବାକୁ ଉଦ୍ୟମ କରୁଛି ବିରୋଧୀ ଦଳରେ ବସିଥିବା ବିଜେଡ଼ି । ସେହିଭଳି ବିଜେଡ଼ିର ଆଶ୍ରୟ ନେଇଛି ପୋଲାଭରମ କ୍ରିୟାନୁଷ୍ଠାନ କମିଟି। ଲୋକଙ୍କ ପାଇଁ କାହାରି ନିଷ୍ଠା ନାହିଁ ।ନିରୀହ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଆଗାମୀ ଦିନରେ ପୋଲାଭରମ କ୍ରିୟାନୁଷ୍ଠାନ କମିଟି ର ଆନ୍ଦୋଳନ ମାଲକାନଗିରିକୁ ବୁଡିବାରୁ ରଖିପାରିବ ? ଏହାକୁ ନେଇ ନିରୀହ ଗରିବ ଲୋକଙ୍କ ମନରେ ପ୍ରଶ୍ନବାଚୀ ଉଙ୍କି ମାରୁଚି । ବିଜେଡିର ଅସଲି ଚରିତ୍ର କଣ ଲୋକେ ଜାଣି ଯାଇଛନ୍ତି ଏବଂ ବିଜେଡି ପାଇଁ ଆଜି ଏ ଅବସ୍ଥା ଏ କଥା ଲୋକେ ବୁଝି ସାରିଛନ୍ତି ବୋଲି ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।ପୋଲାଭରମ ପ୍ରକଳ୍ପ ର ଜନ୍ମ ଦାତା ହେଉଛି କଂଗ୍ରେସ ଦଳ ଓ ୟୁପିଏ । କଂଗ୍ରେସ ଦଳର ସାଂସଦ ଥିବାବେଳେ ପ୍ରଦୀପ ମାଝୀ ପୋଲାଭରମ ପ୍ରକଳ୍ପକୁ ସମର୍ଥନ କରିଥିଲେ । ପୋଲାଭରମ ପ୍ରକଳ୍ପକୁ ନେଇ ବା ଲୋକଙ୍କ ସ୍ୱାର୍ଥକୁ ନେଇ ପ୍ରଦୀପ ମାଝୀ ବା ବିଜେଡ଼ି ଦଳର ସାମାନ୍ୟତମ ଚିନ୍ତା ନାହିଁ । ରାଜନୈତିକ ସ୍ବାର୍ଥ ହାସଲ ପାଇଁ ପୋଲାଭରମ ନାମରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
୨୪ ବର୍ଷ ଶାସନରେ ଥିବାବେଳେ ବିଜେଡ଼ି ଦଳ କିଛି କଲେ ନାହିଁ । ଲୋକେ ବିଜେଡିକୁ ପ୍ରତ୍ୟାଖାନ କଲେ ।ଏବେ କ୍ଷମତାରୁ ଗଲାପରେ ନିଜର ରାଜନୈତିକ ସ୍ବାର୍ଥ ହାସଲ ପାଇଁ ତୁଚ୍ଛାଟାରେ ପୋଲାଭରମ କଥା ଉଠାଉଛନ୍ତି ପ୍ରଦୀପ ମାଝୀ ଓ ବିଜେଡ଼ି ଦଳ । ତେବେ ଲୋକଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଲଢେଇ କରି ଆସୁଛି ଓ ଆଗକୁ ମଧ୍ୟ ଲଢେ଼ଇ କରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । କ୍ରିୟାନୁଷ୍ଠାନ କମିଟିରେ ସବୁ ଦଳକୁ ସାମିଲ ନ କରି ନିଜର ରାଜନୈତିକ ସ୍ଵାର୍ଥ ହାସଲ ଉଦ୍ଦେଶ୍ୟରେ ପୋଲାଭରମ କଥା କହୁଛନ୍ତି । ବିଜେଡିର ନୀରବତା ଯୋଗୁଁ ହିଁ ୨୪ ବର୍ଷ ଭିତରେ ଏହା ଜାତୀୟ ପ୍ରକଳ୍ପ ମାନ୍ୟତା ପାଇଛି ଏବଂ ଏହାର ଉଚ୍ଚତା ବୃଦ୍ଧି ପାଇଛି । ଆଜିର ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶାର ଦୁରାଵସ୍ଥା ପାଇଁ ବିଜେଡି ଓ ବିଜେପି ମୂଖ୍ୟତଃ ଦାୟୀ ବୋଲି ରାମ ଚନ୍ଦ୍ର କାଡାମ କହିଛନ୍ତି ।