ପ୍ରାରମ୍ଭିକ ଜୀବନ
ଛଅ ଭାଇ ଭଉଣୀଙ୍କ ମଧ୍ୟରେ କନିଷ୍ଠା ଭଉଣୀ ରାଜେଶ୍ବରୀ । ଜନ୍ମ ୧୯୭୫ ମସିହା । ନବରଙ୍ଗପୁରରେ ଜନ୍ମ । ମାଆ ହେଉଛନ୍ତି ଶୋଭା ଦଳେଇ ଏବଂ ବାପା ସୋମନାଥ ଦଳେଇ । ନବରଙ୍ଗପୁର ରେ ନିଜ ବାସ ଭବନ ପାଖରେ ଥିଲା ଭୂଦାନ କାର୍ଯ୍ୟାଳୟ । ସେଠାକୁ ପାଠ ପଢିବାକୁ ଯାଉଥିଲେ ସ୍କୁଲ ଛୁଟି ପରେ । ତାଙ୍କ ଘରକୁ ବି ଆସୁଥିଲେ ଅନେକ ଭୂଦାନ କର୍ମୀ । ବହୁତ ଭଲ ପାଠ ପଢୁଥିଲେ ବି ଅଭିଳଷିତ ଉଚ୍ଚଶିକ୍ଷା ଗ୍ରହଣ କରି ପାରି ନ ଥିଲେ । ପିଲାଟି ଦିନରୁ ଜନସେବା ଓ ପରୋପକାର ପ୍ରତି ବେଶୀ ଦୁର୍ବଳତା ରହିଥିଲା । ଲୋକଙ୍କ ସେବା କରି ସମାଜର ଅବହେଳିତଙ୍କୁ ସହାୟତା ଦେବାକୁ ମନ ବଳେଇଥିଲେ । ପଞ୍ଚମ ଶ୍ରେଣୀରୁ ସେ ଆସିଥିଲେ ସେବା ସମାଜ । ଦଶମ ଶ୍ରେଣୀ ଯାଏଁ ପଢି କଲେଜ ପାଇଁ ସେ ଚାଲି ଯାଇଥିଲେ ନିଜ ଜନ୍ମ ଭୂମିକୁ ସତ । କିନ୍ତୁ ଅନାଥ ପିଲାଙ୍କ ମମତା ଓ ସେବା କରିବାର ଆଗ୍ରହ ତାଙ୍କୁ ପୁଣି ଥରେ ପଛକୁ ଫେରାଇ ଆଣିଲା ।
ସାମାଜିକ ସେବା
ସେ ଜାଣିଥିଲେ ଯେ ମାନବସେବା ହିଁ ମାଧବସେବା । ତାଙ୍କର ସାମାଜିକ କାର୍ଯ୍ୟର ଯାତ୍ରା ଆରମ୍ଭ ହୋଇଥିଲା ଶିଶୁ ଓ ମହିଳାମାନଙ୍କ ସେବାରୁ I ଗାଁ ଗାଁ ବୁଲି ଯେତେବେଳେ ସେ ଦେଖିଲେ ଶିଶୁ ଓ ମହିଳାମାନେ ଅବହେଳିତ ଅବସ୍ଥାରେ ଅଛନ୍ତି, ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, କାରଣ ସରକାରଙ୍କ କୌଣସି ଯୋଜନା (ଶିଶୁ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ) ସେମାନଙ୍କ ପାଖରେ ପହଞ୍ଚୁ ନ ଥିଲା I ସେହି ଅବହେଳିତ ଅବସ୍ଥାରେ ସେମାନେ ରୋଗ, ଯନ୍ତ୍ରଣା, ଅଭାବ ଅନାଟନ ଭିତରେ ବଞ୍ଚି ରହିଛନ୍ତି, ତାହା ତାଙ୍କମନକୁ ବ୍ୟଥିତ କରିଥିଲା । ବହୁତ ଦୁଃଖ ଦେଇଥିଲା। ସେମାନଙ୍କ ଉନ୍ନତି ପାଇଁ ରାଜେଶ୍ବରୀ ଯଥାସାଧ୍ୟ ଚେଷ୍ଟା କରି ସରକାରଙ୍କ ପାଖରେ ସମସ୍ୟାଗୁଡ଼ିକୁ ଉପସ୍ଥାପିତ କଲେ । ରାଜେଶ୍ବରୀ କେବେ ମଧ୍ୟ ଭାବି ନ ଥିଲେ ଯେ ସେ ଏହି କାମ କରି ସେଥିରେ ସଫଳ ହୋଇ ପାରିବେ । ପ୍ରକୃତରେ ଶିଶୁ ଓ ମହିଳାମାନଙ୍କ ପାଇଁ କାମ କଲା ବେଳେ ଗାଁ ଗହଳିରେ ଶିଶୁ ଓ ମହିଳାମାନଙ୍କର ଦୁରବସ୍ଥା ତାଙ୍କର ଗତିପଥ ବଦଳାଇ ଦେଇଥିଲା ଓ ସେ ସେବା ଆଶ୍ରମର ଚିରସ୍ଥାୟୀ ବାସିନ୍ଦା ହୋଇ ସେମାନଙ୍କ କାମରେ ମନପ୍ରାଣ ଢାଳି ଦେଲେ ।

ସେବା ସମାଜରେ ଯୋଗଦାନ
ସମାଜ ସେବା ପାଇଁ ସମର୍ପିତ ପଦ୍ମଶ୍ରୀ ଶାନ୍ତି ଦେବୀ ଓ ଗାନ୍ଧିବାଦୀ ରତନ ଦାସଙ୍କ ସଂସ୍ପର୍ଶରେ ଆସିଲେ ରାଜଶ୍ରୀ । ସେଇଠୁ ବଦଳିଗଲା ଜୀବନର ଗତିପଥ । ପର୍ଯ୍ୟାୟକ୍ରମେ ରାୟଗଡ଼ା, ଗୁଣୁପୁରରେ ପଦ୍ମଶ୍ରୀ ଶାନ୍ତି ଦେବୀ ଓ ରତନ ଦାସଙ୍କ ଦ୍ୱାରା ୧୯୬୪ ମସିହାରେ ପ୍ରତିଷ୍ଠିତ ‘ସେବା ସମାଜର’ ସମ୍ପାଦିକା ଦାୟିତ୍ୱ ଗ୍ରହଣ କଲେ । ଏବେ କର୍ମକ୍ଷେତ୍ର ହେଲା ଗୁଣୁପୁରର ସେବା ସମାଜ । ନିଜେ ଦାୟିତ୍ଵ ନେଲା ପରେ ସେବା ସମାଜର କାମକୁ ସେ ଆଗକୁ ଆଗକୁ ବଢାଇବାରେ ଲାଗି ପଡ଼ିଲେ । ବାଳିକା ଶିକ୍ଷା ସହ ଅନାଥାଶ୍ରମର କାମ ମଧ୍ୟ ଚାଲିଥିଲା । ଅନାଥାଶ୍ରମରେ ପଢୁଥିବା ପିଲାମାନଙ୍କର ମୂଳଦୁଆ ଗଠନ କରନ୍ତି ସମ୍ପାଦିକା ରାଜେଶ୍ବରୀ I ସତ୍ୟବାଦିତା, ଆତ୍ମନିର୍ଭରଶୀଳତା, ସରଳତା ଓ ସାହସିକତା ପ୍ରଭୃତି ମନୋବାଞ୍ଛିତ ଗୁଣର ଅଧିକାରୀ ହେବା ପାଇଁ ସେମାନଙ୍କୁ ଶିକ୍ଷା ଦିଅନ୍ତି । ମଦଠାରୁ ଦୂରରେ ରହିବାକୁ ସେ ସବୁଠାରୁ ବେଶୀ ଗୁରୁତ୍ୱ ଦେଇ ଥାଆନ୍ତି ।

ସଫଳତାର କାହାଣୀ
ପିଲାମାନେ ଯେବେ ଯୋଗ୍ୟ ହୁଅନ୍ତି ସେତେବେଳେ ଖୁବ ଖୁସି ଲାଗେ । ସେହି ସଂସ୍ଥାର ପିଲାମାନେ ଆଜି ଆଇ.ଟି.ଆଇ, ଡିପ୍ଲୋମା ଓ ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ଆହରଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି। ସେହିପରି ଝିଅମାନେ ମଧ୍ୟ ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ସିଲେଇ ଶିକ୍ଷୟିତ୍ରୀ ପ୍ରଭୃତି କାର୍ଯ୍ୟରେ ନିଯୁକ୍ତ ହୋଇ ପାରିଛନ୍ତି । ଏହି ଝିଅମାନଙ୍କୁ ବିବାହ କରାଇ ସେମାନଙ୍କର ଘରସଂସାର ଗଢିବାରେ ସକ୍ଷମ ହୋଇଛନ୍ତି । ଏମିତି ହାତଗଣତି କେତୋଟି ପରିବାର ମଧ୍ୟ ଆଶ୍ରମ ପରିସରରେ ଦେଖିବାକୁ ମିଳନ୍ତି । ରାଜେଶ୍ବରୀ ସବୁ ମହିଳାମାନଙ୍କର ପଥପ୍ରଦର୍ଶିକା । ନିଜ ଘରେ ରହି ଖାଇ ପିଇ ଆରାମ କଲେ ଜୀବନ ସାର୍ଥକ ହୁଏ ନାହିଁ। ଅସହାୟ ଆଖିରୁ ଲୁହ ପୋଛି ତାଙ୍କ ମନକୁ ସାନ୍ତ୍ବନା ଦେଲେ ଜୀବନ ସାର୍ଥକ ହୁଏ । ଯାହା ରାଜେଶ୍ବରୀ ପ୍ରମାଣିତ କରିଛନ୍ତି ।

ନିସ୍ଵାର୍ଥପର ସାମାଜିକ ସେବା ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ପୁରସ୍କୃତା । ରାୟଗଡ଼ା ମାଟି ଆଜି ତାଙ୍କ ଭଳି ଜଣେ ସମାଜ ସେବା ପାଇଁ ସମର୍ପିତା ମହିୟସୀଙ୍କୁ ପାଇ ଗର୍ବିତ।
ପ୍ରତିଫଳନ ଜଣାଉଛି ପ୍ରଚୁର ଅଭିନନ୍ଦନ ।