ରାୟଗଡ଼ା ରେଳ ଡିଭିଜନର ପ୍ରଥମ ଡିଆରଏମଙ୍କ ପ୍ରଥମ ଗସ୍ତ◆ଡିଭିଜନକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ

(ପ୍ରତିଫଳନ ମିଡ଼ିଆ)

ରାୟଗଡା ରେଳ ଡିଭିଜନର ନୂତନ ଡିଆରଏମ ଅମିତାଭ ସିଙ୍ଗଲ ପ୍ରଥମ କରି ରାୟଗଡ଼ା ଗସ୍ତ କରିଛନ୍ତି । ରାୟଗଡ଼ାଠାରେ ରେଳବାଇ ବିଭାଗର ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ସେ ପ୍ରଥମ କରି ରାୟଗଡ଼ା ଗସ୍ତରେ ଆସି ପ୍ରସ୍ତାବିତ ରାୟଗଡା ଡିଭିଜନର ନିର୍ମାଣ ହେବାକୁ ଥିବା ନୂତନ କାର୍ଯ୍ୟାଳୟ କୋଠା ସମେତ ଆନୁସଙ୍ଗିକ କାର୍ଯ୍ୟ ଗୁଡ଼ିକର ତଦାରଖ କରିଛନ୍ତି । ରାୟଗଡ଼ା ରେଳ ଷ୍ଟେସନ ଠାରେ ରାୟଗଡ଼ା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି , ଷ୍ଟେସନ ପରାମର୍ଶଦାତା କମିଟିର ସଦସ୍ୟ ଓ ସାମ୍ବାଦିକମାନେ DRM ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।ଏହି ଅବସରରେ ନୂତନ ଡିଭିଜନକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା DRM କହିଛନ୍ତି । ଡିଭିଜନ କାର୍ଯ୍ୟକ୍ଷମ ହେବା ପୂର୍ବରୁ ରାୟଗଡ଼ା ସହର ସମେତ ନିକଟବର୍ତ୍ତି ଅଞ୍ଚଳରେ ଗମନାଗମନ ସୂବନ୍ଦୋବସ୍ତ ପାଇଁ ଭୂତଳ ଓ ଓଭରବ୍ରିଜ ନିର୍ମାଣ କରିବା ସହ ଷ୍ଟେସନ ଗୁଡିକରେ ଆନୁଷଙ୍ଗିକ ,ଉନ୍ନତ ଭିତ୍ତିଭୂମିର ବିକାଶ କରିବା ପାଇଁ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି , ଷ୍ଟେସନ ପରାମର୍ଶଦାତା କମିଟିର ସଦସ୍ୟମାନେ ଦାବି ପତ୍ର ପ୍ରଦାନ କରିଥିଲେ ।

ରେଳ ବିଭାଗର ହିତ ଓ ଉନ୍ନତି ପାଇଁ ସାଧାରଣଲୋକଙ୍କ ଉପଯୁକ୍ତ ପରାମର୍ଶକୁ ଗ୍ରହଣ କରାଯିବ।

ରେଳ ଷ୍ଟେସନ ସହ ରେଳ ଭିତ୍ତିଭୂମିର ଉନ୍ନତି ସମ୍ବନ୍ଧୀୟ କାର୍ଯ୍ୟର ତ୍ୱରାନ୍ୱିତ ହେବା ସହିତ ଯାତ୍ରୀ ସୁରକ୍ଷା, ସୁବିଧା ଏବଂ ରେଳ ଚଳା ଚଳରେ ସମୟାନୁବର୍ତ୍ତୀ ଉପରେ ପ୍ରାଥମିକତା ରହିବ ବୋଲି ଡିଆରଏମ ସିଂଘଲ କହିଛନ୍ତି । ରାୟଗଡ଼ା ରେଳ ଡିଭିଜନ ଅଧୀନରେ ନିର୍ମାଣ ହେବାକୁ ଥିବା ନୂତନ ରେଳ ପ୍ରକଳ୍ପ ଥେରୁବାଲି – ଗୁଣୁପୁର , ନବରଙ୍ଗପୁର-ଜୁନାଗଡ଼ ,ଜୟପୁର – ମାଲକାନାଗିରି ,ମାଲକାନାଗିରି – ଭଦ୍ରା ଚଳମ୍ ନୂଆ ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତ୍ବରାନ୍ବିତ କରିବା ନେଇ ଗୁରୁତ୍ଵାରୋପ କରିଛନ୍ତି । ରାୟଗଡା – କୋରାପୁଟ ରେଳପଥର ଦୋହରିକରଣ କାର୍ଯ୍ୟ ସହ ଷ୍ଟେସନ ଗୁଡ଼ିକର ଉନ୍ନତି କରଣ କାର୍ଯ୍ୟ ଗୁଡ଼ିକର ଅନୁଧ୍ୟାନ କରିବି ବୋଲି ସେ କହିଛନ୍ତି । ଚାଲିଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ |

ରାୟଗଡ଼ା ରେଳ ମଣ୍ଡଳର ପ୍ରଥମ ଡିଆରଏମ ଅମିତାଭ ସିଙ୍ଗଲ ଜଣେ ଅଭିଜ୍ଞ ,କୁଶଳୀ ପ୍ରଶାସକ ଓ ଦକ୍ଷ ଇଞ୍ଜିନିୟର ଭାବେ ରେଳ ବିଭାଗରେ ପରିଚିତ ହାସଲ କରିଛନ୍ତି । ସେ NIT ତ୍ରିଚୂର ରୁ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି | ସେ 1995 ରେ ଭାରତୀୟ ରେଳବାଇ ସେବାର ଅଧିକାରୀ । ତାଲିମ ପରେ ଜୁଲାଇ 1999 ରେ ଇଲେକ୍ଟ୍ରିକ୍ ଲୋକୋ ସେଡ୍ କଲ୍ୟାଣରେ ଆସିଷ୍ଟାଣ୍ଟ ଡିଭିଜନାଲ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଭାରତରେ ବନ୍ଦ ଭାରତ ଟ୍ରେନ ଚଳାଚଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଵପ୍ନକୁ ସାକାର ରୂପ ଦେବାରେ ସିଂଘଲ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଥମ ପ୍ରୋଟୋ ଟାଇପ୍ ର ଡିଜାଇନ୍, ଉତ୍ପାଦନ, ସୁରକ୍ଷିତ ଚଳାଚଳ କାର୍ଯ୍ୟକ୍ଷମ କରିବନେଇ ସଫଳ ପରୀକ୍ଷଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଖଣି ଖାଦାନ ରେ ଭରପୁର ଯୋଗୁଁ ମାଲ ପରିବହନ ଓ ରାଜସ୍ବ ଆଦାୟ ରେ ଦେଶରେ ଅତି ମହତ୍ତ୍ଵ ପୂର୍ଣ୍ଣ ଭୂମିକା ନିର୍ବାହ କରିବ ରାୟଗଡ଼ା ରେଳ ଡିଭିଜନ । ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ରାୟଗଡ଼ା ରେଳ ଡିଭିଜନରେ ବହୁ ସୁଡ଼ଙ୍ଗ ଦେଇ ରେଳ ଚଳାଚଳ କରୁଛି ।ଏଣୁ ରାୟଗଡାଠାରୁ କୋରାପୁଟ ରେଳ ବିଭାଗର ଏକକ ୱିଣ୍ଡୋ ଟ୍ରେଲିଂ ଯାଞ୍ଚ କରି ସୁରକ୍ଷା ଦିଗଗୁଡିକର ତଦାରଖ କରିଥିଲେ। ପଏଣ୍ଟ ଏବଂ କ୍ରସିଂ, ସିଗନାଲ୍ ସିଷ୍ଟମ୍, ଟନେଲ୍ ଗୁଡିକରେ ଚାଲୁ ରହିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟକଳାପ ଏବଂ ବିଭାଗରେ ସୁବିଧାଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଥିଲେ ।
ଆଗାମୀ ଦିନରେ ରାୟଗଡ଼ା ରେଳ ଡିଭିଜନ ଭାରତ ବର୍ଷର ସର୍ବଶ୍ରେଷ୍ଠ ଡିଭିଜନ ଭାବରେ କିଭଳି ପ୍ରତିଷ୍ଠିତ ହେଇପାରିବ ତାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଜାରି ରହିବ ବୋଲି ଡିଆରଏମ ଅମିତାଭ ସିଙ୍ଗଲ କହିଛନ୍ତି ।

Spread the love