ଲାଇନରେ ମୁଖପାତ୍ର !


(ପ୍ରତିଫଳନ ମିଡିଆ)

ମୁଖପାତ୍ର ବିମୁଖ। ଅନ୍ୟଦଳକୁ ଡେଇଁବା ପାଇଁ ଲାଇନରେ ଅଛନ୍ତି ବୋଲି ସବୁଠି ଚର୍ଚା । ସେଥିପାଇଁ ମୁଖପାତ୍ର ନିଜର ସୀମା ଟପି ଦଳକୁ କ୍ଷତି ହେଲା ଭଳି କଥା କହିଚାଲିଛନ୍ତି । ମୁଖପାତ୍ରଙ୍କ କଡା କଥାକୁ ଦଳ ଭିତରେ ନା ପସନ୍ଦ କରୁଛନ୍ତି ବହୁ ବରିଷ୍ଠ ନେତା । ମୁଖପାତ୍ରମାନେ ଦଳର ଆଭିମୁଖ୍ୟକୁ ଗଣମାଧ୍ୟମରେ ନ ଥୋଇ ଦଳର ସଭାପତି ଭଳି ମନ୍ତବ୍ୟ ଦେବାକୁ ନେଇ ଦଳ ଭିତରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି । ଆପଣ ଭାବୁଥିବେ କୋଉ ଦଳର ୟେ ଭିତିରି କଥା । ଏବେ ଶଙ୍ଖ ଦଳରେ ହିଁ କିଛି ଠିକ ଠାକ ଚାଲି ନଥିବା ରାଜନୀତି ବିଶ୍ଲେଷକ ମାନେ କହୁଛନ୍ତି । ଦଳ ଶାସନରୁ ଗଲା ପରେ ନେତାମାନେ ବେଲଗାମ ହୋଇ ପଡ଼ିଥିବା ଭଳି ଦେଖାଦେଉଛି । ଦଳର ଅସନ୍ତୋଷ ରହିଥିବା ନେତାମାନଙ୍କ ବକ୍ତବ୍ୟରୁ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି । ଜଣେ ଆର ଜଣଙ୍କ ବିରୋଧରେ ବେଧଡ଼କ କହି ଚାଲିଛନ୍ତି । ଉତ୍ତର ପ୍ରତ୍ୟୁତ୍ତର ଭିତରେ ଦଳର କଥା ଦାଣ୍ଡରେ ପଡି ହାଟରେ ଗଡୁଛି । ପରାଜୟ ପାଇଁ ଅନେକ ନେତା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଦାୟୀ କରୁଛନ୍ତି । ଜିଲ୍ଲା ସ୍ତରୀୟ କିଛି ନେତା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ପ୍ରମୁଖ ନେତାମାନେ ଦଳୀୟ ବ୍ୟାପାର କଥା ନ ବୁଝି ହାତ ଟେକି ଦେଇଥିବାରୁ ଦଳ ନିର୍ବାଚନରେ ହାମୁଡେଇଲା ବୋଲି ଅଭିଯୋଗ କରୁଛନ୍ତି । ଯାହା ଦେଖାଗଲାଣି ଦଳରେ ଅନୁଶାସନ ରହୁନାହିଁ । ତାରି ଭିତରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ନିଜ ନିଜ ମାର୍ଗରେ ଲାଗିପଡିଛନ୍ତି ନେତା । ବିଜେପି କହୁଛି ବିଜେଡିର ବହୁ ବିଧାୟକ ଲାଇନରେ ଅଛନ୍ତି । ବିଜେଡି କେତେବେଳେ ମିଛ ଆଉ କେତେବେଳେ ଏହାକୁ ଦିବା ସ୍ବପ୍ନ କହୁଛି । ହେଲେ ଇତି ମଧ୍ୟରେ ଦୁଇ ଜଣ ରାଜ୍ୟ ସଭା ସଦସ୍ୟ ଦଳ ଛାଡିଲେ । କିଛି ବିଧାୟକ ପ୍ରାର୍ଥୀ ଦଳରୁ ଇସ୍ତଫା ଦେଲେ । ପ୍ରତିଷ୍ଠାତା ସଦସ୍ୟମାନେ ଅସହାୟ ଅବସ୍ଥାରେ ଅଛନ୍ତି । ଏଣେ ନିଜର ଲାଇନକୁ ପକ୍କା କରିବା ପାଇଁ ବିଜେଡିର ଦୁଇ ଜଣ ମୁଖପାତ୍ର କଥା କଥାକୁ ଦଳୀୟ ନେତାଙ୍କୁ ଟାର୍ଗେଟ କରି ବୁମ ଆଗରେ ଗପୁଛନ୍ତି । ଦଳ ଛାଡି ଯିବାକୁ ଅନ୍ୟ ନେତାଙ୍କୁ ପରାମର୍ଶ ଦେଉଛନ୍ତି । ଏହି କାରଣରୁ ଦଳ ଭିତରେ ଖରାପ ସ୍ଥିତି ସୃଷ୍ଟି ହେଉଛି ବୋଲି ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି । ଯିଏ ଏମିତି ଲଗାମଛଡ଼ା ଭାବେ ଗପେ ସିଏ ଆଗ ଦଳ ତ୍ୟାଗ କରେ ବୋଲି ମଧ୍ୟ କହିଛନ୍ତି । ଅନ୍ୟ ଦଳର ପବନ ବାଜିଲେ ହିଁ ମୁଖପାତ୍ର ମାନେ ଅଧିକା ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି । ଦଳକୁ କ୍ଷତି ପହଞ୍ଚାଇବା ଭଳି କଥା କୁହନ୍ତି । ଅତୀତରେ ବିଜେପିର ଲେଖାଶ୍ରୀ ସାମନ୍ତ, ଭୃଗୁ ବକ୍ସିପାତ୍ର, କଂଗ୍ରେସର ଗଣେଶ୍ଵର ବେହେରା, ବିଜେଡିର ତେଜସ୍ବର ପରିଡା, ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ନିଜର ଶାଣିତ ସ୍ବରରେ ଗଣମାଧ୍ୟମକୁ ଉଠାଉଥିଲେ ପକାଉଥିଲେ । ଦଳର ଅନୁଶାସନ ବାହାରେ ଯାଇ ଅନ୍ୟକୁ ନିଚା ଦେଖାଇବାକୁ କହୁଥିଲେ । ପରବର୍ତ୍ତୀ ସମୟରେ ଦଳ ବଦଳୁ ହୋଇଗଲେ । ଯିଏ ଗୋଡ଼ ଟେକି ବସିଥାଏ ସେ ହିଁ ଅନ୍ୟ ନେତାକୁ ଟାର୍ଗେଟ କରି ଦଳରେ ଅସନ୍ତୋଷ ଉପୁଜାଇପାରେ । ଦଳର ସପକ୍ଷରେ ଗୁଣଗାନ କଲା ଭଳି କହନ୍ତି । ନିଜ ଦଳର ଅନ୍ୟ ନେତାଙ୍କୁ ସାଧାରଣରେ ଛୋଟ କରିବାର ପ୍ରୟାସ କରି ବେଲଗାମ କହିପାରନ୍ତି ବୋଲି ଚର୍ଚା ହେଉଛି । ଏଇକ୍ରମରେ ଏବେ ବିଜେଡିର ଦୁଇ ପ୍ରମୁଖ ମୁଖପାତ୍ର ବିଜେପିର ଲାଇନରେ ଥିବା ଚର୍ଚ୍ଚା ଜୋର ଧରିଛି। ଖୁବ ଶୀଘ୍ର ସେମାନେ ବିଜେପିରେ ଯୋଗ ଦେବେ ବୋଲି ରାଜନୀତି ମହଲରେ ହାଉଜାଉ ହେଉଛି । ଯିବା ଆଗରୁ ଦଳରେ ଅସନ୍ତୋଷର ଦାନା ବୁଣିବାର କାମରେ ଲାଗିଛନ୍ତି ବୋଲି ଅଭିଯୋଗ ହେଉଛି । ନେତାଙ୍କ ଭିତରେ କନ୍ଦଳ ଲଗାଇବାରେ ସଫଳ ହେବା ପରେ ବିଜେପିରେ ଯୋଗ ଦେବାର ଯୋଜନା ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସୂତ୍ରର ତଥ୍ୟକୁ ଆଧାର କଲେ ଏ କଥାର ସତ୍ୟତା ବାରି ହୋଇ ପଡୁଛି । ବିଜେଡିର ଦୁଇଜଣ ମୁଖପାତ୍ର ଏବେ ଫୁଲ ଫର୍ମରେ ବିଜେପି ଇସାରାରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି । ବିଜେପି ନିଜ ଇସାରାରେ ବିଜେଡିକୁ ପରିଚାଳିତ କରୁଥିବା ଜଳଜଳ ଦେଖା ଯାଉଛି । ସେଇ ମୁଖପାତ୍ର ଦୁଇ ଜଣ ଖୁବ ଶୀଘ୍ର ଦଳ ବଦଲୁ ହୋଇ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି । ଆଗାମୀ ସମୟ ରାଜ୍ୟ ରାଜନୀତିର ପାଣିପାଗକୁ ଚହଲିବ ନିଶ୍ଚିତ । ରାଜଧାନୀ ସମେତ ସାରା ରାଜ୍ୟରେ ପାନ ଦୋକାନ ଚା ଦୋକାନ ଗୁଡିକରେ ଲୋକଙ୍କ ମଧ୍ୟରେ ଯୋର ଚର୍ଚା ହେଉଛି ।ଚର୍ଚା କେତେ ସତ ହେଉଛି କେବେ ହେଉଛି ଏବେ ସେଇ ସମୟକୁ ଅପେକ୍ଷା ।

Spread the love