ସୁପର ଫୁଡ଼ ମାଣ୍ଡିଆ◆ସରକାର କରିବେ ମାଣ୍ଡିଆ ମଦ

ଓଡିଶା ସରକାର ମାଣ୍ଡିଆରୁ ମଦ ପ୍ରସ୍ତୁତ ପାଇଁ ସ୍ଥିର କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମାଣ୍ଡିଆ ମଦ ବିକ୍ରି କେତେ ପ୍ରାସଙ୍ଗିକ !ଏହାକୁ ନେଇ ପ୍ରତିଫଳନ ଆରମ୍ଭ କରିଛି ଏକ ମନ୍ଥନ । ଏହିକ୍ରମରେ ଏହାର ଦ୍ବିତୀୟ ପ୍ରସ୍ତୁତି – ସୁପର ଫୁଡ଼ ମାଣ୍ଡିଆ

ସୁପର ଫୁଡ଼ ମାଣ୍ଡିଆ 

ମାଣ୍ଡିଆ ସମସ୍ତ ପାହାଡିଆ ଅଂଚଳରେ ଓ ସମତଳ ଅଂଚଳରେ ଚାଷ କରାଯାଏ । ଧାନ ବ୍ୟତୀତ ଜନଜାତିର ଲୋକେ ଏହାକୁ ବହୁଳ ଭାବରେ ଚାଷ କରନ୍ତି । କୁଭି ଭାଷାରେ ବି ଏହାର ନାମ ମାଣ୍ଡିଆ । ମାଣ୍ଡିଆକୁ ଗୁଣ୍ଡ କରି ପତଳା ଜାଉ , ପିଠା , ତମ୍ପା ପ୍ରସ୍ତୁତ କରି ଖାଆନ୍ତି । ଏଥିରେ ପୃଷ୍ଟିସାର ୯.୨ ପ୍ରତିଶତ, ଶ୍ୱେତସାର ୭୬.୩୨ ପ୍ରତିଶତ, ସ୍ନେହସାର ୧.୨୯ ପ୍ରତିଶତ, ଅଂଗାରୀୟ ବସ୍ତୁ ୩.୯ ପ୍ରତିଶତ କ୍ୟାଲେସିୟମ ୦.୩୩ ପ୍ରତିଶତ ଓ ଖଣିଜ ଲବଣ ୨.୨୪ ପ୍ରତିଶତ ରହିଛି । ଆପଣ ନିଶ୍ଚୟ ଭାବୁଥିବେ ଯେ ବିଭିନ୍ନ ମିଲେଟକୁ ସୁପରଫୁଡ୍ ଭାବରେ କାହିଁକି ବିବେଚନା କରାଯାଏ। ପୁଷ୍ଟିକର ମିଶ୍ରଣରେ ଭରା ମିଲେଟ ଗୁଡ଼ିକ କେବଳ ପେଟ ପୂରଣ କରେ ନାହିଁ ବରଂ ପରବର୍ତ୍ତୀ ଭୋଜନ ପର୍ଯ୍ୟନ୍ତ ଆପଣଙ୍କୁ ତୃପ୍ତ ରଖିପାରେ। ରାଗି ମିଲେଟ କହିଲେ ମୁଖ୍ୟତଃ ‘ମାଣ୍ଡିଆ’ କୁ ଆମେ ବୁଝୁ। କାରଣ ମିଲେଟ୍ ପରିବାରର ଏକ ସର୍ବୋତ୍ତମ ଅଂଶ ଯାହା ଅନେକ ଖାଦ୍ୟରେ ବ୍ୟାପକ ଭାବରେ ସ୍ୱାଦ ବଢ଼ାଏ ଏବଂ ବହୁଳ ଭାବରେ ବ୍ୟବହାର ହୁଏ । 

Oplus_131072

ଉପାଦେୟତା

ଓଡ଼ିଶା-ଭିତ୍ତିକ ମାଣ୍ଡିଆ ମିଲେଟର ପୁଷ୍ଟିସାର ପ୍ରୋଫାଇଲ୍ ନିୟମିତ ମିଲେଟ୍ ଅପେକ୍ଷା ଅଧିକ। ଏହି ଶସ୍ୟରୁ ପ୍ରସ୍ତୁତ ଭାତ କିମ୍ବା ଜାଉ ବହୁମୂତ୍ର ରୋଗୀମାନଙ୍କ ପାଇଁ ଉତ୍କୃଷ୍ଟ ଓ ଉପାଦେୟ ଖାଦ୍ୟ । ବିଶେଷକରି ଗରମ ଦିନରେ ପେଟ ଥଣ୍ଡା ଲାଗି ସବୁ ବର୍ଗର ଲୋକେ ବ୍ୟବହାର କରନ୍ତି । ଜନଜାତିର ଲୋକ ଡଂଗରକୁ ଗଲାବେଳେ ସାଥୀରେ ମାଣ୍ଡିଆରୁ ପ୍ରସ୍ତୁତ ଜାଉକୁ ନେବାକୁ ଆଦୌ ଭୁଲି ନଥାନ୍ତି ।

ମାଣ୍ଡିଆ/ରାଗି ନାମରେ ମଧ୍ୟ ଜଣାଶୁଣା ଏହି ବହୁମୁଖୀ ଶସ୍ୟ ଯାହାକି ଜାଉ , ରୋଟି,  ଦୋସା ଏବଂ ଅନ୍ୟାନ୍ୟ ଅନେକ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇପାରେ | ମିଲେଟ ଖାଦ୍ୟ ପ୍ରୋଟିନ୍, ପୁଷ୍ଟିସାର ଏବଂ ଅତ୍ୟାବଶ୍ୟକୀୟ ଭିଟାମିନର ଶକ୍ତିଗୃହ ଭାବରେ ବିବେଚନା କରାଯାଏ। ମାଣ୍ଡିଆରେ ଫାଇବର, ମିନେରାଲ୍ସ ଏବଂ ଆମିନୋ ଏସିଡ୍ ଭରପୂର ଅଟେ | ଏହା ମଧ୍ୟ ପଲିଫେନୋଲର ଏକ ଉତ୍ତମ ଉତ୍ସ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ |  

 ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ଜନଜାତିଙ୍କ କିଛି ଖାଦ୍ୟ

ଜାଉ – ଜାଉ ଶସ୍ୟରେ ପ୍ରସ୍ତୁତ ଏକ ଅର୍ଦ୍ଧ ତରଳ ପଦାର୍ଥ । ଗୁଣ୍ଡ ଚାଉଳକୁ ଅଧିକା ପାଣି ଦେଇ ସେଥିରେ ଲୁଣ ଓ ତୋରାଣୀ ସହ ପ୍ରସ୍ତୁତ କରାଯାଏ । ଖିରି ଭଳି ଅର୍ଦ୍ଧ ତରଳ ଅବସ୍ଥାରେ ପରଷା ଯାଏ । ଏହା ବ୍ୟତୀତ ଜନଜାତିର ଲୋକେ ମାଣ୍ଡିଆ ଚୂନା, ଜହ୍ନା, କାଂଗୁ, କୋସଲା, ସୁଆଁ, ସଲପ ମଂଜି, ମକାରୁ ବି ଜାଉ ପ୍ରସ୍ତୁତ କରି ଖାଇଥାନ୍ତି ।

ହାରଆ – ଅଳସୀ କିମ୍ବା ମାଣ୍ଡିଆ ଚୂନାକୁ ନେଇ କମ ପାଣିରେ ଗୋଳି ବହଳିଆ ଅଣ ପ୍ରସ୍ତୁତ କରାଯାଏ । ସେଥିରେ ଗୁଡ କିମ୍ବା ଚିନି ମିଶାଇ ପିଠା କରାଯାଏ । ଏହାକୁ ଜନଜାତିର ଲୋକେ ବହୁଳ ଭାବେ ବ୍ୟବହାର କରିଥାନ୍ତି । ବିଶେଷକରି ପର୍ବପର୍ବାଣୀରେ ଏହି ଖାଦ୍ୟ ପ୍ରସ୍ତୁତ ହୋଇଥାଏ ।

ମାଣ୍ଡ୍ରୁ – ମାଣ୍ଡିଆ ଚୂନାକୁ ପାଣିରେ ଫୁଟାଇ ଗୋଳାଇ ଦିଆଯାଏ । ସେଥିରେ ଲୁଣ ପକାଇ ସାମାନ୍ୟ ବହଳ କରାଯାଏ । ଏହାକୁ ଥାଳିରେ ଗରମ ଗରମ ଖିଆଯାଏ ।

ଲେଲି ଆମ୍ବୁଡି – ତେନ୍ତୁଳି ରସ ସହ ମାଣ୍ଡିଆ ଚୂନା ଗୋଳେଇ ଦିଆଯାଏ । ସେଥିରେ କାନ୍ଦୁଲ ପକାଇ ସିଝାଯାଏ । ଆବଶ୍ୟକତା ଅନୁସାରେ ଲୁଣ ପକାଯାଏ । ଏହାକୁ ଗରମ ଗରମ ଭାତ ସହ ଲଗାଇ ଖିଆଯାଏ । 

ମାଣ୍ଡିଆ ତମ୍ପା

ମାଣ୍ଡିଆ ତମ୍ପା ମାଣ୍ଡିଆ, ଗୁଡ଼, କ୍ଷୀର, ନଡ଼ିଆ ଏବଂ ଲବଙ୍ଗର ମିଶ୍ରଣରେ ପ୍ରସ୍ତୁତ। ଏହି  ସ୍ୱାଦିଷ୍ଟ ଖାଦ୍ୟ ବିଶେଷ ଭାବରେ ବ୍ୟବହାର ହୁଏ । ସାଧାରଣ ଲୋକେ ଏହାକୁ ଭୋଗ ସମୟରେ ମଧ୍ୟ ପରିବେଷଣ କରିଥାନ୍ତି । 

ମାଣ୍ଡିଆ ସୁକୁଆ 

ଏହି ପାରମ୍ପରିକ ଜନଜାତିଙ୍କ ସ୍ୱାଦିଷ୍ଟ ଖାଦ୍ୟ । ମସଲା ଦିଆ ଶୁଖିଲା ମାଛ ଏବଂ ମାଣ୍ଡିଆର ମିଶ୍ରିତ ମିଶ୍ରଣ ସହିତ ପ୍ରସ୍ତୁତ କରାଯାଇଛି। ଏହାକୁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ମଧ୍ୟ ସ୍ୱାଦ କରାଯାଇପାରିବ। ଅପରପକ୍ଷେ ମାଣ୍ଡିଆ ଜାଉ ସହ ଶୁଖୁଆକୁ ବି ଖିଆଯାଏ ।

ମଣ୍ଡିଆକୁ ନେଇ କିଛି ଆଧୁନିକ ଡିସ

ମାଣ୍ଡିଆ କାନ୍ଦୁଲ ରାଭା , ରୋଟି, ମାଣ୍ଡିଆ ବିସ୍କୁଟ ,ମାଣ୍ଡିଆ କେକ୍ , ମାଣ୍ଡିଆ ରୁଟି, ମାଣ୍ଡିଆ କୁକିଜ୍ , ମାଣ୍ଡିଆ ପଫ୍ ଚାଉଳ, ମାଣ୍ଡିଆ ଉପମା, ଦୋସା, ଇଡଲି, ପରଟା, ହାଲୱା ଏବଂ ଖିରି ତିଆରିରେ ବ୍ୟବହୃତ କରାଯାଉଛି | 

ମାଣ୍ଡିଆ ମଦ

ଓଡ଼ିଶାରେ ମାଣ୍ଡିଆର ବହୁଳ ଉପାଦେୟତା ଓ ଉତ୍ପାଦନ ଦୃଷ୍ଟିରୁ ଜନଜାତିଙ୍କ ଆର୍ଥିକ ଅଭିବୃଦ୍ଧି ଲାଗି ମାଣ୍ଡିଆରୁ ଗୁଣାତ୍ମକ ମଦ ପ୍ରସ୍ତୁତ ପାଇଁ ସରକାର ଉଦ୍ୟମ କରୁଛନ୍ତି । ମାଣ୍ଡିଆରୁ ମଦକୁ ନେଇ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ନେତା, ପ୍ରଶାସକ, ଗବେଷକ, ଜନଜାତି ସମାଜ ସର୍ବୋପରି ବିଶେଷଜ୍ଞ ଓ ବେପାରୀ । କିଏ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହୁଛି ତ ଆଉ କିଏ ଏହାର କୁପରିଣତି ବିଷୟରେ ବଖାଣୁଛନ୍ତି । ତେବେ ଏହାର ପରିଚାଳନା ଓ ପ୍ରସ୍ତୁତିକୁ ନେଇ ଏବେ ବି ବିରାଟ ପ୍ରଶ୍ନବାଚୀ ଲାଗି ରହିଛି ! ମାଣ୍ଡିଆ ମଦ ଏବେ ବି ସରକାର ପାଇଁ ଏକ ଆହ୍ଵାନ ଭାବେ  ଗଣା ଯାଉଛି । (କ୍ରମଶଃ)

Spread the love